ଦୁବାଇ,୧୮ା୯(ଏଜେନ୍ସି): ପାଖାପାଖି ୧୬ ମାସ ପୂର୍ବେ ହାଇଦ୍ରାବାଦରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍-୧୨ ଟ୍ରଫି ହାତେଇଥିଲା । ଧୋନିଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ରୋହିତ ଆଣ୍ଡ୍ କୋ ଧମାକାଦାର ବିଜୟ ସହ ନୂଆ କୀର୍ତ୍ତିମାନ ରଚିଥିଲେ । ପୂର୍ବର ଏହି ସ୍ମୃତି ପୁଣି ତାଜା ହେବାକୁଯାଉଛି । ଶନିବାରଠୁ
ୟୁଏଇରେ ଆଇପିଏଲ୍ ବିଗୁଲ ବାଜିବାକୁ ଥିବା ବେଳେ ଉଦ୍ଘାଟନୀ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଉପବିଜେତା ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ ।

ଶନିବାର ସନ୍ଧ୍ୟାରେ ମୁମ୍ବାଇ-ଚେନ୍ନାଇ ମ୍ୟାଚ୍ ସହ ବହୁ ପ୍ରତିକ୍ଷୀତ ଆଇପିଏଲ୍-୧୩ ଆରମ୍ଭ ହେବାକୁଯାଉଛି । ଗତ ସଂସ୍କରଣର ଫାଇନାଲ ତୁଳନାରେ ଏହି ମ୍ୟାଚ୍ର ଉଷ୍ମତା ଟିକେ କମ୍ ରହିବ । କିନ୍ତୁ ଦୁଇ ଚିରାଚରିତ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ମ୍ୟାଚ୍ ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଏହି ସଂସ୍କରଣରେ ଉଭୟ ଦଳର କିଛି ପ୍ରମୁଖ ଖେଳାଳିଙ୍କୁ ଦେଖିବାକୁ ମିଳିବ ନାହିଁ । ଶ୍ରୀଲଙ୍କାର ଦ୍ରୁତ ବୋଲର ଲସିଥ ମାଲିଙ୍ଗା ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲ୍ରୁ ଓହରିଯାଇଛନ୍ତି । ତେଣୁ ମାଲିଙ୍ଗାଙ୍କ ଯାଦୁକରୀ ବୋଲିଂ ମୁମ୍ବାଇ ଇଣ୍ଡିଆନ୍ସକୁ ଦେଖିବାକୁ ମିଳିବ ନାହିଁ । କିନ୍ତୁ ଜେମ୍ସ ପାଟିନ୍ସନ୍, ଟ୍ରେଣ୍ଟ ବୋଲï, ନାଥନ କୋଲଫରନିଲ ପ୍ରମୁଖ ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ମଙ୍ଗ ଧରିବେ । ବ୍ୟାଟିଂ ବର୍ଗରେ ରୋହିତ ଶର୍ମାଙ୍କ ସହ କ୍ରିସ୍ ଲିନ୍ ଦଳ ପାଇଁ ପ୍ରାଚୀର ସାବ୍ୟସ୍ତ ହେବେ । କେବଳ ଏତିକି ନୁହେଁ, ଦ୍ରୁତ ବୋଲର ଯଶପ୍ରୀତ ବୁମରା, ଅଲ୍ରାଉଣ୍ଡର କିରଣ ପୋଲାର୍ଡ, କ୍ୱିଣ୍ଟନ ଡିକକ, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା ପ୍ରମୁଖ ମୁମ୍ବାଇ ଦଳର ଅସଲ ସାମଥ୍ୟ । ସମତୁଳନାରେ ଚେନ୍ନାଇ ସୁପରକିଙ୍ଗ୍ସ କିଛି ଅଭିଜ୍ଞ ଖେଳାଳିଙ୍କୁ ହରାଇବ । ଅଲ୍ରାଉଣ୍ଡର ସୁରେଶ ରାଇନା, ସ୍ପିନର ହରଭଜନ ସିଂ ଆଇପିଏଲ୍ରୁ ଓହରିଯାଇଛନ୍ତି । କିନ୍ତୁ ଅମ୍ବାତି ରାଇଡୁ, ଫାଫ ଡୁପ୍ଲେସିସି ଓ କେଦାର ଯାଦବ ଦଳ ପାଇଁ ବଡ଼ ଭୂମିକା ନେବେ । ସେହିଭଳି ପାଖାପାଖି ବର୍ଷକ ପରେ ଅଧିନାୟକ ମହେନ୍ଦ୍ର ସିଂ ଧୋନି କ୍ରିକେଟ୍ ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି । ସେ ଶେଷଥର ପାଇଁ ୨୦୧୯ ଜୁଲାଇରେ ଅନୁଷ୍ଠିତ ନୁ୍ୟଜିଲାଣ୍ଡ ବିପକ୍ଷ ଦିନିକିଆ ବିଶ୍ୱକପ୍ ସେମିଫାଇନାଲ ମ୍ୟାଚ୍ ଖେଳିଥିଲେ । ଗତ ଅଗଷ୍ଟ ୧୫ ତାରିଖ ଦିନ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ । ବର୍ଷକ ମଧ୍ୟରେ ଅନେକ ଉତଥାନପତ୍ତନ ତଥା ସମାଲୋଚନାର ସରବ୍ୟ ହୋଇଥିବା ଧୋନି ଶନିବାର ମୈଦାନକୁ ଓହ୍ଲାଇବେ । ତାଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ତାରକା ଅଲ୍ରାଉଣ୍ଡର ସେନ ୱାଟସନ୍ ଦଳର ପ୍ରମୁଖ ଅସ୍ତ୍ର ସାଜିବେ ।