Odisha news

ଯୋଗ ଓ ଜୀବନ

0

ସମଗ୍ର ବିଶ୍ୱକୁ ଯୋଗ ଭାରତର ଏକ ଅନବଦ୍ୟ ଅବଦାନ । ମାନବ ସମାଜକୁ ଯୋଗ ହିଁ ପ୍ରଶସ୍ଥ ମାର୍ଗ ଦର୍ଶନ କରିଥାଏ । ସମତା, ଏକତା, ଶାନ୍ତି ଓ ସୁସ୍ଥତା ରକ୍ଷା କରିବାରେ ଆଜିର ବିଜ୍ଞାନୀ ଏହାକୁ ଏକ ଉକ୍ରୃଷ୍ଟ ମାଧ୍ୟମ ଭାବେ ଗ୍ରହଣ କରିବା ସହ ବିଗତ ୬ ବର୍ଷ ଧରି ଆନ୍ତର୍ଜାତୀୟ ଯୋଗ ଦିବସ ଜୁନ୍ ୨୧ ତାରିଖରେ ସମଗ୍ର ବିଶ୍ୱ ପାଳନ କରିଆସୁଛି, ଯାହାକି ଆମ ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ବ୍ୟକ୍ତି ଚେତନା, ଯେତେବେଳେ ବିଶ୍ୱ ଚେତନା ସହ ସଂଯୁକ୍ତ ହୋଇଥାଏ ଏବଂ ଶରୀର, ମନ, ଆତ୍ମା ଭିତରେ ସମନ୍ୱୟ ରକ୍ଷା କରିବାର ସମର୍ଥ ହୁଏ, ସେତେବେଳେ ଆମେ ଯୋଗର ପ୍ରକୃତ ପରିଭାଷାକୁ ଉପଲବ୍ଧ କରିଥାଉ । ତେଣୁ ଯୋଗ କହିଳେ ସକାଳୁ ଉଠି ଦୁଇ ଚାରିଟା ଆସନ କରିଦେଲେ ଯେ କଥା ସରିଲା, ତାହା ନୁହେଁ, ଶାରୀରିକ, ମାନସିକ ଓ ସାମାଜିକ ସୁସ୍ଥତା ବଜାୟ ରଖିବା ପାଇଁ ଆସନ, ପ୍ରାଣାୟମ, ଧ୍ୟାନ, ଧାରଣା ଆଦି ଅଷ୍ଟଯୋଗ ମାଧ୍ୟମରେ କରାଯାଉଥିବା ନିରନ୍ତର ପ୍ରୟାସକୁ ହିଁ ଯୋଗ ସାଧନା କୁହାଯାଏ ।

ଚିକିତ୍ସା ବିଜ୍ଞାନର ଗବେଷଣାତ୍ମକ ପ୍ରୟାସ ଏବଂ ଯୋଗ ବିଜ୍ଞାନୀଙ୍କର ସମୀକ୍ଷାରୁ ଏହାର ସୁଦୂର ପ୍ରସାରୀ ଉପାଦେୟତା ଆଜି ଘରେ ଘରେ ଉପଲବ୍ଧ । ସାଧାରଣ ଲୋକଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ବୈଜ୍ଞାନିକ, କ୍ରୀଡ଼ାବୀତ୍, ରାଜନେତା ସମସ୍ତ ଶ୍ରେଣୀର ଜନସାଧାରଣ ଏହାକୁ ଆପଣେଇ ନେଇଛନ୍ତି । କାରଣ ଏହା ଶରୀରକୁ ସୁସ୍ଥ ରଖିବା ସହ ସମସ୍ତ ସଂସ୍ତାନ ଯଥା – ଅସ୍ଥି ଓ ମାଂସପେଶୀ, ରକ୍ତବହ, ଶ୍ୱସନ, ପ୍ରଜନନ ସଂସ୍ଥାନ ଆଦିରୁ ରୋଗମୁକ୍ତ ରଖିବାରେ ସହାୟକ ହୁଏ । ଏହା ବ୍ୟତୀତ ବିଭିନ୍ନ ଜୀବନଶୈଳୀ ଜନିତ ରୋଗ ଯଥା :- ମଧୁମେହ, ରକ୍ତଚାପ, ମେଦ ବହୁଳତା, ଥାଇରଏଡ଼, ଓବେସିଟି ଆଦି ରୋଗ ନିୟନ୍ତ୍ରଣ କରିବାରେ ସହାୟକ ହୁଏ । ଯୋଗର ପ୍ରୟୋଗ ଆଜିକାଲି ବିଭିନ୍ନ ମାନସିକ ରୋଗ ଯଥା; ଅବସାଦ, ଅନିଦ୍ରା, ଆଳସ୍ୟ ପରାୟଣତା ଏବଂ ଷ୍ଟ୍ରେସ୍ କମାଇବାରେ ଉପଯୋଗ ହେଉଛି । ସଂକ୍ଷେପରେ କହିବାକୁ ଗଲେ ଏହାର ପ୍ରୟୋଗ ଏକ ସୁସ୍ଥ ଶରୀର, ମନ ଓ ସମାଜ ଗଠନ କରିବା ସହ ପରିପୂର୍ଣ୍ଣ ଜୀବନ ଅତିବାହିତ କରିବାରେ ସାହାଯ୍ୟ କରେ । ତେବେ ଯୋଗ କରିବା ପୂର୍ବରୁ କେତେକ ସାଧାରଣ ନିୟମ ଜାଣିବା ଅତ୍ୟନ୍ତ ଆବଶ୍ୟକ ।

ଯଥା :-
– ଆସନ କରିବା ପୂର୍ବରୁ ଶୁଦ୍ଧପୁତ ହୋଇ ଏକ ସୂଚୀ ସ୍ଥାନରେ କରିବାକୁ ପଡ଼େ ।
– ମଳମୂତ୍ର ବେଗ ଧାରଣ କରି ଅଭ୍ୟାସ କରିବା ଉଚିତ୍ ନୁହେଁ ।
– ଖୁବ୍ ଅଳ୍ପ ମାତ୍ରାରେ ଖାଦ୍ୟ ବା ଖାଲି ପେଟରେ କରାଯାଏ ।
– ଦରି ଉପରେ ହାଲ୍କା କପଡ଼ାର ପୋଷାକ ପିନ୍ଧି ଯୋଗ କରିବା 
– ଯଦି କୌଣସି ରୋଗରେ ପୀଡ଼ିତ ଥାନ୍ତି ତେବେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ
ଯୋଗ କରିବେ ।
– ଯୋଗ କରିବାର ୨୦-୩୦ ମିନିଟ୍ ପରେ ସ୍ନାନ କରିବେ ଏବଂ ଖାଦ୍ୟ ଗ୍ରହଣ
କରିପାରିବେ ।
ସଂପ୍ରତି କୋଭିଡ଼ ମହାମାରୀ ଯୋଗୁଁ ସମସ୍ତେ ଘର ଭିତରେ ରହି ପରିବାର ସହ ସାମାଜିକ ଦୂରତା ଅବଲମ୍ବନ ପୂର୍ବକ ଯୋଗ ଦିବସ ପାଳନ କରିବାକୁ ପ୍ରାଧାନ୍ୟ ଦିଆଯାଉଛି । ଫଳରେ ସଂକ୍ରମଣରୁ ଦୂରେଇ ରହିବା ସହ ମାନସିକ ସନ୍ତୁଳନ ଏବଂ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିବା ଓ ସୁସ୍ଥ ସମାଜ ଗଠନରେ ନିର୍ଣ୍ଣାୟକ ଭୂମିକା ନେଇପାରିବା ।

Leave A Reply

Your email address will not be published.