ହିଞ୍ଜିଳିକାଟୁ,୮/୧ :ହିଞ୍ଜିଳିକା ଟୁ ସହର ଉପକଣ୍ଠ ପ୍ରସିଦ୍ଧ ଶକ୍ତିପୀଠ ମା’ ଶ୍ୟାମଳାଇ ମନ୍ଦିର ପରିସରରେ ରବିବାର ନୂତନ ଅନୁଦାନ ପ୍ରାପ୍ତ ହାଇସ୍କୁଲ ସମୂହ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ,ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି।ସଂଘ ସଭାପତି ଟୁକୁନା ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବୀଣା ଛୋଟଇ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ବାବୁଲା କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ।ମୁଖ୍ୟ ଅତିଥି ଭାବେ ଆଲପୁର ହାଇସ୍କୁଲ ପ୍ରଧାନଶିକ୍ଷକ କୈଳାସ ପତି ଦାଶ ଓ ମୁଖ୍ୟ ବକ୍ତା ଭାବେ ବାଲ୍ୟ କୃଷ୍ଣ ପୋଲେଇ ମଞ୍ଚସିନ ଥିଲେ।ଏହି ଅବସରରେ ଜିଲ୍ଲାର ୨୨ଟି ବ୍ଲକରେ ଶିକ୍ଷା ବିଭାଗରେ ନିଯୁକ୍ତି ହୋଇଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ଆର୍ଥିକ କ୍ଷେତ୍ରରେ ପାତର ଅନ୍ତର ନୀତି ଯୋଗୁଁ ବିଭିନ୍ନ ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ଏହାର ସମାଧାନ ଦିଗରେ ବିଭାଗୀୟ ଅବହେଳା ଓ ଅଣଦେଖା କାରଣରୁ ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଥିବା ଅଭିଯୋଗ କରିଥିଲେ।ସର୍ଵ ସମ୍ମତି କ୍ରମେ ସଂଘ ପକ୍ଷରୁ ଗ୍ରେଡ ପେ ୧୫ଶହରୁ ୧୭ ଶହ ଟଙ୍କା,ଦୁଇଟି ପିଅନ ଙ୍କ ଏଣ୍ଟ୍ରି ଡେଟିଂ ରଦ୍ଦ କରାଯାଇ ଚାକିରୀ କାଳ ସହିତ ସାମିଲ କରିବା, ଚାକିରୀ ସର୍ତ୍ତାବଳୀ ଓ ପେନସନ ଯୋଜନା ଭୁକ୍ତ କରିବା ଓ ଚାକିରୀ କାର୍ଯ୍ୟକାଳ ଅବଧିକୁ ପ୍ରଥାନୁଯାୟୀ ଅଧିକା ୨ ବର୍ଷ ବୃଦ୍ଧି କରିବା ଆଦି ୪ ଦଫା ସମ୍ବଳିତ ଦାବି ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।ଏଥି ସହିତ ନ୍ୟାର୍ଯ୍ୟ ଦାବିଗୁଡିକୁ ଅଧିକ କ୍ରିୟାଶୀଳ କରି ଯଥାବିଧି ହାସଲ ନିମନ୍ତେ ସର୍ଵ ସମ୍ମତି କ୍ରମେ ଏକ କମିଟି ଗଠିତ ହୋଇଥିଲା।ଟୁକୁନା ବେହେରା(ସଭାପତି),ନିତ୍ୟାନନ୍ଦ ସ୍ୱାଇଁ ଓ ସମ୍ବାରୁ ସାହୁ(ଉପ ସଭାପତି),ତାରିଣୀ ସେନ ଦାସ(ସମ୍ପାଦକ),ଛଇଲ ବେହେରା ଓ ସୁବାସ ଚନ୍ଦ୍ର ମହାଙ୍କୁଡ଼(ସହ ସମ୍ପାଦକ),ଓ କୃଷ୍ଣଚନ୍ଦ୍ର ଗୌଡ଼ଙ୍କ ସମେତ ୯ ଜଣ ସଭ୍ୟ ମନୋନୀତ ହୋଇଥିଲେ।ଜିଲ୍ଲା ସଂଘ ପକ୍ଷରୁ ଉପସ୍ଥାପିତ ହୋଇଥିବା ୪ ଦଫା ସମ୍ବଳିତ ନ୍ୟାର୍ଯ୍ୟ ଦାବି ଉପରେ ରାଜ୍ୟ ସରକାର ସମାଧାନ କରିବା ଦିଗରେ ଉପସ୍ଥିତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଆଶା ବ୍ୟକ୍ତ କରିଥିଲେ।