Odisha news

ନିର୍ବାଚନ ବେଳ ପାଖେଇ ଆସୁଛି : ଭତ୍ତାଟଙ୍କାରେ ବି ଗାଁ ଦଲାଲଙ୍କ ଆଖି

ହିଞ୍ଜିଳିକାଟୁ,୧/୮(ନିପ୍ର):-ପଞ୍ଚାୟତ ନିର୍ବାଚନ ପାଇଁ ବେଳ ପାଖେଇ ଆସୁଛି।କିଛି ମାସ ପରେ ରାଜ୍ୟରେ ବିଧିବଦ୍ଧ ଭାବେ ଆରମ୍ଭ ହେବ ପୌର ଏବଂ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ।  ଅବଶ୍ୟ ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ସମୟ ସାରଣୀ ଏଯାଏଁ ବିଧିବଦ୍ଧ ଭାବେ ଘୋଷଣା କରିନାହାନ୍ତି ରାଜ୍ୟ ନିର୍ବାଚନ କମିଶନ।କରୋନା ସଂକ୍ରମଣ କଟକଣା ବ୍ୟତୀତ ସୀମା ନିର୍ଦ୍ଧାରଣ,ୱାର୍ଡ ପୁନର୍ଗଠନ ଭଳି କିଛି ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସକାଶେ ନିର୍ବାଚନ ପ୍ରକ୍ରିୟାରେ ବିଳମ୍ବିତ ହୋଇଛି।ତଥାପି ଆସନ୍ତା ମାର୍ଚ୍ଚ ୨୦୨୨ ସାଲ ସୁଦ୍ଧା ନିର୍ବାଚନ ପ୍ରକ୍ରିୟାର ଚୂଡାନ୍ତ ରୂପ ସହ ଫଳାଫଳ ଘୋଷଣା କରି ନିର୍ବାଚନ ଶେଷ କରିବାକୁ ରାଜ୍ୟ ନିର୍ବାଚନ ନିଷ୍ପତ୍ତି ଗ୍ରହଣ କରିଥିବା ସୂଚନା ମିଳିଛି।ଏହି ଅବଧି ମଧ୍ୟରେ  ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ କାର୍ଯ୍ୟକାଳ ସହ କ୍ଷମତା ଶେଷ ହେବ।ଏଣୁ କାର୍ଯ୍ୟକାଳ ସରିବା ପୂର୍ବରୁ ଏବେ ପଞ୍ଚାୟତ ସ୍ତରରେ ଗାଁ ଦଲାଲ,ଟାଉଟର ଓ କୁଜିନେତାଙ୍କ ଆବିର୍ଭାବ ଘଟିଥିବା ଜଣାପଡିଛି।

ନିର୍ବାଚିତ ଜନ ପ୍ରତିନିଧିଙ୍କ ଅତି ନିକଟତମ ଲୋକ ଭାବେ ନିଜକୁ ପ୍ରସ୍ତୁତ କରି ପଞ୍ଚାୟତରେ ଉଣା ଅଧିକେ ନିଜ କଳା ଯୋଜନାକୁ ପୂର୍ଣ ମାତ୍ରାରେ ସାକାର କରିବା ପାଇଁ ଆପ୍ରାଣ ଉଦ୍ୟମ ଜାରୀ ରଖିଥିବା ଆଭାସ ମିଳିଛି। ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ପଞ୍ଚାୟତରେ ଗରିବ ଜନ ସାଧାରଣଙ୍କ କଲ୍ୟାଣ ଲାଗି ଉଦ୍ଧିଷ୍ଟ  ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ଭତ୍ତା ଟଙ୍କା ଉପରେ ବି ଗାଁ ଦଲାଲ, ଟାଉଟର ଓ କୁଜିନେତାଙ୍କ ଲୋଲୁପ ଦୃଷ୍ଟି ପଡୁଥିବା ସୂଚନା ମିଳିଛି।ଅଫିସ ଖର୍ଚ୍ଚ ଦେବାକୁ ହେବ କହି ଭତ୍ତା ପାଇଥିବା ଗରିବ ହିତାଧିକାରୀଙ୍କ  ଠାରେ ଚାପ ପ୍ରୟୋଗ କରି ୩ ଶହରୁ ୫ ଶହଟଙ୍କା ଲେଖାଏଁ ଅସୁଲ କରିବା ପାଇଁ ମସୁଧା ଚଳାଇଥିବା ଗାଁ ସାହି ଦାଣ୍ଡରେ ଚର୍ଚ୍ଚା ହେଉଛି ।

ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଦଲାଲ, ଟାଉଟର ଓ କୁଜିନେତାଙ୍କ କଳା ଯୋଜନା ପ୍ରସଙ୍ଗ ଏବେ ପଞ୍ଚାୟତର  ଦାଣ୍ଡରେ ପଡି ଚାଖଟି ଓ ଜଳଖିଆ ଦୋକାନରେ ଗଡୁଛି।ଗତଥର କରୋନା ସମୟରେ ରାଜ୍ୟ ସରକାରଙ୍କ ଦ୍ଵାରା ଆର୍ଥିକ ଅନାଟନରେ ଗତି କରୁଥିବା ପ୍ରତି ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ କରୋନା ସହାୟତା ରାଶି ପ୍ରଦାନ କରିଥିଲେ।କିନ୍ତୁ କିଛି ଦଲାଲ  କିଛି ହିତାଧିକାରୀଙ୍କ ଠାରୁ ୫ଶହ ଟଙ୍କା ଲେଖାଏଁ ଆଦାୟ କରି ହାତ ଚିକ୍କଣ କରିଥିବା ଗାଁ ଗାଁ ରେ ଆଲୋଚନା ହୋଇଥିଲା।ଦଲାଲ ଗୋଷ୍ଠୀ ଅନାୟସରେ ଏଭଳି ବେଆଇନ ଅର୍ଥ ଆଦାୟ କରୁଥିଲେ ସୁଦ୍ଧା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଚାପ ଓ ଦ୍ଵନ୍ଦରେ ମଧ୍ୟରେ କମିଶନ ଦେଉଥିବା ଆଲୋଚନା ବେଳେ ସୂଚନା ମିଳିଛି।ଯଦିଓ ଜନପ୍ରତିନିଧି ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପ୍ରଶାସନିକ ପରିଧି ମଧ୍ୟରେ ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀଙ୍କୁ ତତ୍କାଳ ୨ ହଜାର ଟଙ୍କାଦେବା ପାଇଁ ନିର୍ଦ୍ଦେଶ ଥିବା ବେଳେ ବିଳମ୍ବରେ ଦିଆଯାଉଥିବା ସୂଚନା ମିଳିଛି।ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି।

Comments are closed.