ହିଞ୍ଜିଳିକାଟୁ :ହିଞ୍ଜିଳିକା ଟୁ ସହରର ସବୁଠାରୁ ଅଧିକ ଜନ ଗହଳିପୂର୍ଣ ସ୍ଥାନ ନୂତନ ବସ ଟର୍ମିନାଲ ପରିସର ଏବେ ଚୋର,ଲୁଟେରାଙ୍କ ଚରାଭୂଇଁ ପାଲଟିଛି।ସକାଳୁ ରାତ୍ରୀ ଯାଏଁ ସଦା ଚଳ ଚଞ୍ଚଳ ରହୁଥିବା ନୂତନ ବସ ଟର୍ମିନାଲ ପରିସର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁରକ୍ଷିତ ସ୍ଥଳ ଭାବେ ପରିଗଣିତ ହୋଇଛି।ଏପରିକି ସହରର ବିଭିନ୍ନ ସ୍ଥାନରୁ ଦିନକୁ ଦିନ ଚୋରି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦୂର ଦୁରାନ୍ତରୁ ଆସୁଥିବା ବସ ଯାତ୍ରୀଙ୍କୁ ଟାର୍ଗେଟ କରି ଚମ୍ପଟ ମାରିବାରେ ସକ୍ଷମ ହେଉଥିବା ଲୁଟେରା ଗ୍ୟାଙ୍ଗର କଳା କାରନାମାରୁ ଜଣା ପଡ଼ିଛି।ଶନିବାର ଭୋର ପ୍ରାୟ ୫ ଘଣ୍ଟା ସମୟରେ ବସ ଟର୍ମିନାଲ ଠାରେ ଅପେକ୍ଷା କରିଥିବା ଜଣେ ମହିଳାଙ୍କ ଭ୍ୟାନିଟି ବ୍ୟାଗକୁ ଝାମ୍ପି ନେଇ ୨ ଦୁର୍ବୃତ୍ତ ଦୃତ ଗତିରେ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିବା ଅଭିଯୋଗ ହୋଇଛି।ଲୁଟର ଶିକାର ହୋଇଥିବା ମହିଳା ଜଣକ କୋରାପୁଟ ଜିଲ୍ଲାର ସୁମିତ୍ରା ଦାସ।ସୁମିତ୍ରା ଙ୍କ ସ୍ୱାମୀ ସୁରେନ୍ଦ୍ର ନିକଟରେ ଥିବା ଜନତା ଶୌଚାଳୟକୁ ଶୌଚ ପାଇଁ ଚାଲି ଯାଇଥିବା ବେଳେ ଏଭଳି ଲୁଟ ହୋଇଛି।ମିଳିଥିବା ସୂଚନା ମୁତାବକ କୋରାପୁଟ ଜିଲ୍ଲାର ସୁରେନ୍ଦ୍ର ଦାସ ଓ ତାଙ୍କ ସ୍ତ୍ରୀ ସୁମିତ୍ରା ଚିକିତ୍ସା ପାଇଁ ବିଶାଖାପାଟଣା ମେଡ଼ିକାଲ ଯାଇଥିଲେ।ସେଠାରୁ ଚିକିତ୍ସା ସାରି ବସ ଯୋଗେ ହିଞ୍ଜିଳିକାଟୁ ବସ ଟର୍ମିନାଲରେ ଓଲ୍ହାଇ ଥିଲେ।। ପୁରୁଷୋତ୍ତମପୁର ଥାନା ପାଣ୍ଡିଆ ଗ୍ରାମର ସଢୁ ଘରକୁ ଯିବା ପାଇଁ ପ୍ରସ୍ତୁତି ଚଳାଇ ସୁରେନ୍ଦ୍ର ଶୌଚାଳୟକୁ ଚାଲି ଯାଇଥିଲେ।ସ୍ୱାମୀଙ୍କୁ ଅପେକ୍ଷା କରିଥିବା ବେଳେ ୨ ଜଣ ଅଚିହ୍ନା ଯୁବକ ସୁମିତ୍ରା ଧରିଥିବା ଭ୍ୟାନିଟି ବ୍ୟାଗକୁ ଝାମ୍ପି ନେଇ ଦୃତ ଗତିରେ ଆହାର କେନ୍ଦ୍ର ରାସ୍ତା ଦେଇ ଚମ୍ପଟ ମାରିଥିଲେ।ଘଟଣା ସମ୍ପର୍କରେ ସୁରେନ୍ଦ୍ର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି।ଭ୍ୟାନିଟି ବ୍ୟାଗରେ ଏଟିଏମ କାର୍ଡ, ୨ ଟି ମୋବାଇଲ ଫୋନ, ୨ ଟି ବ୍ୟାଙ୍କ ପାସବୁକ,୧୦ହଜାର ଟଙ୍କା, ଗୋଟିଏ ସୁନାର ଲକେଟ ଏବଂ ଚିକିତ୍ସା ସମ୍ବନ୍ଧୀୟ ଅନ୍ୟାନ୍ୟ କାଗଜ ପତ୍ର ଥିଲା ବୋଲି ସେ ଅଭିଯୋଗ କରିଛନ୍ତି।ଅଭିଯୋଗ ଭିତ୍ତିରେ ପୋଲିସ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି।କିନ୍ତୁ ବସ ଟର୍ମିନାଲ ପରିସରରେ ସିସିଟିଭି ସଂଯୋଗ ନ ଥିବା କାରଣରୁ ଚୋର, ଲୁଟେରାଙ୍କ ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି।