Odisha news

ପ୍ରତି ଚାରି ମିନିଟ୍ରେ ଜଣେ ସ୍ତନ କର୍କଟରୋଗୀ ଚିହ୍ନଟ

0

ଆମ ଦେଶରେ ବିଭିନ୍ନ କାରଣ ଯୋଗୁଁ ଏବେ କର୍କଟ ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏଥିମଧ୍ୟରେ ସ୍ତନ କର୍କଟର ମାତ୍ରା ଯଥେଷ୍ଟ ଅଧିକ ବୋଲି ମେଡ଼ିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ସୁଶାନ୍ତ କୁମାର ପାଇକରାୟ କହିଛନ୍ତି । ଏପରିକି ସଚେତନତାର ଅଭାବ ଏବଂ ଉପଯୁକ୍ତ ସମୟରେ ଚିକିତ୍ସା ଆରମ୍ଭ ନହେଉଥିବା ଯୋଗୁଁ ଏହି ରୋଗ ମଣିଷ ଶରୀରରେ କାୟା ବିସ୍ତାର କରୁଛି ବୋଲି ଶ୍ରୀ ପାଇକରାୟ କହିଛନ୍ତି ।

ସ୍ତନ କର୍କଟ ରୋଗ ସଚେତନତା ମାସ ପାଳନ ଅବସରରେ ଶ୍ରୀ ପାଇକରାୟ ଗଣମାଧ୍ୟମକୁ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ କହିଛନ୍ତି ଯେ, ଭାରତରେ ପ୍ରାୟ ୧.୬୫ ଲକ୍ଷ ନୂତନ ପ୍ରକାର ସ୍ତନ କର୍କଟ ରୋଗୀ ଗତ ଆର୍ଥôକ ବର୍ଷରେ ଚିହ୍ନଟ ହୋଇଛନ୍ତି । ଏପରିକି ପ୍ରତି ୪ମିନିଟ୍ରେ ଜଣେ ନୂଆ ସ୍ତନ କର୍କଟ ରୋଗୀ ଚିହ୍ନଟ ହେଉଥିବାର ସର୍ବେକ୍ଷଣରୁ ଜଣାପଡ଼ିଛି । ପ୍ରତି ୨୨ଜଣ ମହିଳାଙ୍କ ମଧ୍ୟରେ ଜଣକୁ ଏହି ରୋଗ ହୋଇଥାଏ । ସବୁଠାରୁ ଉଦ୍ବେଗର ବିଷୟ ଯେ ଏହି କର୍କଟ ରୋଗ କେବଳ ନାରୀ ନୁହଁନ୍ତି ପୁରୁଷଙ୍କ ଶରୀରରେ ମଧ୍ୟ ଦେଖାଯାଇଛି । ପ୍ରତ୍ୟେକ ୧୦୦ଜଣ ସ୍ତନ କର୍କଟ ରୋଗୀଙ୍କ ମଧ୍ୟରେ ଜଣେ ପୁରୁଷ ରହିଛନ୍ତି । ପ୍ରାୟତଃ ୪୦ ରୁ ୫୦ ବର୍ଷ ମହିଳାଙ୍କ ଶରୀରରେ ଏହା ଦେଖାଯାଇଥାଏ । ପାଶ୍ଚାତ୍ୟ ଦେଶମାନଙ୍କରେ ୮୦ରୁ ୯୦ ଶତକଡ଼ା ରୋଗୀ ପ୍ରାଥମିକ ଅବସ୍ଥାରେ ଚିହ୍ନଟ ହୋଇଥାନ୍ତି । ଅକ୍ଟୋବର ମାସରେ ସ୍ତନ କର୍କଟ ବିଷୟରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଥାଏ ।

ଏହାର ଚିକିତ୍ସା ପଦ୍ଧତି ମଧ୍ୟ ଅତ୍ୟନ୍ତ ସହଜ ଓ ସରଳ ଅଟେ । ସ୍ତନ କର୍କଟ ରୋଗ ଶୀଘ୍ର ଚିହ୍ନଟ ହେଲେ ରୋଗୀଟି ସଂପୂର୍ଣ୍ଣ ଭାବେ ଆରୋଗ୍ୟ ଲାଭ କରିଥାଏ । ଇଷ୍ଟ୍ରୋଜେନ୍ ବା ହରମୋନ୍ର ଅତ୍ୟଧିକ କ୍ଷରଣ ଏବଂ ଅଧିକ ସମୟ ପ୍ରବାହିତ ହେଲେ ସ୍ତନ କର୍କଟର ଆଶଙ୍କା ବଢ଼ିଥାଏ । କମ୍ ବୟସରେ ଋତୁସ୍ରାବ ଆରମ୍ଭ ଏବଂ ଏହା ଅଧିକ ବର୍ଷ ଧରି ଚାଲୁ ରହିବା, ସନ୍ତାନହୀନତା, ବିଳମ୍ବରେ ଗର୍ଭଧାରଣ, ଶିଶୁକୁ ସ୍ତନ୍ୟପାନ ନକରାଇବା ଆଦି କାରଣରୁ ଏହି ରୋଗ ହୋଇଥାଏ । ହରମୋନ୍ଥେରାପି ଓ ବିକିରଣ ଚିକିତ୍ସା ଆଦିରେ ଏହି କର୍କଟର ସମ୍ଭାବନା ମଧ୍ୟ ଥାଏ । ମେଦବହୁଳତା, ମଦ୍ୟପାନ, ଧୂମ୍ରପାନ, କମ୍ ଶାରୀରିକ ପରିଶ୍ରମ, ଅତ୍ୟଧିକ ଚର୍ବିଜାତୀୟ ଖାଦ୍ୟ ଗ୍ରହଣ ଯୋଗୁଁ ଏହି ରୋଗ ହେବାର ଆଶଙ୍କା ବଢ଼ିଥାଏ । ୫ ରୁ ୧୦ ପ୍ରତିଶତ ସ୍ତନ କର୍କଟ ବଂଶାନୁଗତିକ କାରଣ ଯୋଗୁଁ ହୋଇଥାଏ । ସ୍ତନରେ ଆବୁ ବା ଗେଟା ଏବଂ ରକ୍ତକ୍ଷରଣ, ସ୍ତନର ଆକୃତି ଓ ଆକାରରେ ପରିବର୍ତ୍ତନ ଓ କାଖରେ ଲସିକା ଗ୍ରନ୍ଥି ବୃଦ୍ଧି ହେବା ଏହି ରୋଗର ମୁଖ୍ୟ ଲକ୍ଷଣ । ମାମୋଗ୍ରାଫି, ସୋନଗ୍ରାଫି ଏବଂ ମାଂସ ପରୀକ୍ଷା ଆଦି କରାଯାଇ ଏହି ସ୍ତନ କର୍କଟ ରୋଗ ଚିହ୍ନଟ କରାଯାଏ । ସିଟି ସ୍କାନ୍, ବୋନ୍ ସ୍କାନ୍ ଆଦି ପରୀକ୍ଷା ମଧ୍ୟ ଏଥିପାଇଁ କରାଯାଇଥାଏ । ଉନ୍ନତ ଚିକିତ୍ସା ପଦ୍ଧତି ଦ୍ୱାରା ଏହାର ନିରାକରଣ କରାଯାଇଥାଏ ବୋଲି ଡାକ୍ତର ପାଇକରାୟ ମତବ୍ୟକ୍ତ କରିଛନ୍ତି ।

Leave A Reply