ହାଟଡ଼ିହି : ଶାଳଣିଆଁରୁ୫ ଓ ଆମ୍ବୋ ଓ ସୁଲଣରୁ ଜଣେ ଲେଖାଏଁ କରୋନା ପଜେଟିଭ ଚିହ୍ନଟ, ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ରେ ପହଞ୍ଚିଲା
ହାଟଡ଼ିହି : ହାଟଡିହି ବ୍ଲକ ଶାଳଣିଆଁ କ୍ୱାରେଣ୍ଟାଇନ ସେଣ୍ଟରରୁ ଆଜି ୫ଜଣ, ଆମ୍ବୋରୁ ଜଣେ ଓ ସୁଲଣରୁ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ହାଟଡିହି ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ରେ ପହଞ୍ଚିଛି । ତନ୍ମଧ୍ୟରୁ ୨୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଆଉ ୮ଜଣ ଚିକିତ୍ସିତ ହେଉଛନ୍ତି । ଗତ ୨୧ତାରିଖ ଦିନ ଶାଳଣିଆଁ କ୍ୱାରେଣ୍ଟାଇନ ସେଣ୍ଟରୁ ଜଣେ ୩୦ବର୍ଷୀୟ ଦିଲ୍ଲୀ ଫେରନ୍ତା ଯୁବକ କରୋନା ଆକ୍ରାନ୍ତ ହେବାପରେ କ୍ୱାରେଣ୍ଟାଇନରୁ ୨୫ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା ।
ତନ୍ମଧ୍ୟରୁ ଆଜି ୫ଜଣଙ୍କର ପଜେଟିଭ ଆସିଥିବା ଜଣାଯାଇଛି । ମୋନଙ୍କ ମଧ୍ୟରୁ ୪ଜଣ ବାଙ୍ଗାଲୋର ଫେରନ୍ତା ହୋଇଥିବା ବେଳେ ଜଣେ ଦିଲ୍ଲୀ ଫେରନ୍ତା । ଗତ ୯ତାରିଖ ଦିନ ବାଙ୍ଗାଲୋରରୁ ଦୁଇଜଣ ଆସିଥିବାବେଳେ ୧୬ତାରିଖରେ ଜଣେ ଓ ୧୯ତାରିଖରେ ଜଣେ ବାଙ୍ଗାଲୋର ଓ ଅନ୍ୟ ଜଣେ ଦିଲ୍ଲୀରୁ ଆସି କ୍ୱାରେଣ୍ଟାଇନରେ ଥିଲେ । ରିପୋର୍ଟ ଆସିବାପରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ନାୟକ,ଡାକ୍ତର ସଂଗ୍ରାମ କେଶରୀ ବ୍ରହ୍ମ, ଡାକ୍ତର ମନୋରଞ୍ଜନ ସ୍ୱାଇଁ, ଡାକ୍ତର ଦେବଦୁର୍ଲଭ ଦାସ ବିନ୍ଦାର, ସରପଞ୍ଚ ଶ୍ରୀଧର ବେହେରା ପ୍ରମୁଖ ଉପସ୍ଥିତ ରହି ସେମାନଙ୍କୁ କୋଭିଡ-୧୯ ହସପିଟାଲକୁ ପଠାଇଛନ୍ତି ।
ସେହିପରି ଆମ୍ବୋ କ୍ୱାରେଣ୍ଟାଇନ ସେଣ୍ଟରରୁ ଜଣେ ଚେନାଇ ଫେରନ୍ତା ବ୍ୟକ୍ତିଙ୍କ ପଜେଟିଭ ରିପୋର୍ଟ ଆସିବାପରେ ତାଙ୍କୁ କୋଭିଡ-୧୯ ହସପିଟାଲକୁ ନିଆଯାଇଛି । ମାତ୍ର ତାଙ୍କ ସହିତ ଆସିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ନମୁନା ପରୀକ୍ଷା କରାଯାଇ ନଥିବାବେଳେ ସେ ଗତ ଦୁଇଦିନ ତଳେ କ୍ୱାରେଣ୍ଟାଇନ ଅବଧି ସମାପ୍ତ କରି ଘରକୁ ପଳାଇଥିଲେ । କିନ୍ତୁ ଏହାକୁ ଗ୍ରାମବାସୀମାନେ ବିରୋଧ କରିବାରୁ ତାଙ୍କୁ ପୁନର୍ବାର କ୍ୱାରେଣ୍ଟାଇନକୁ ଅଣାଯାଇ ରଖାଯାଇଛି । ସେହିପରି ସୁଲଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଜଣେ ପଜେଟିଭ ଚିହ୍ନଟ ହୋଇଛନ୍ତି । ସେ ମହାରାଷ୍ଟ୍ରରୁ ଗତ ୫ଦିନ ତଳେ ଫେରିଥିଲେ । ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲା । ନମୁନା ରିପୋର୍ଟ ପଜେଟିଭ ଆସିବାପରେ ଗତକାଲି ରାତିରେ ତାଙ୍କୁ କୋଭିଡ ହସପିଟାଲକୁ ପଠାଇ ଦିଆଯାଇଛି ।