ହାଟଡ଼ିହି, ୨୭/୯ : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହଦଗଡରେ ଆଜି ବିଶ୍ୱପର୍ଯ୍ୟଟନ ଦିବସ ଉପଲକ୍ଷେ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । କୋଭିଡ କଟକଣା ସତ୍ତ୍ୱେ ହଦଗଡରେ ଆଜି ଶହଶହ ପର୍ଯ୍ୟଟକ ହଦଗଡର ପ୍ରାକୃତିକ ସୌନ୍ଦର୍ଯ୍ୟର ଶୋଭାରାଜିକୁ ମନଭରି ଉପଭୋଗ କରିବା ସହିତ ଭୋଜି ଭାତ କରି ମଜା ଉଠାଇଥିଲେ । ଏହି ପର୍ଯ୍ୟଟନ ସ୍ଥଳୀଟି ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ଜଣାଶୁଣା ଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗ ଏହାର ବିକାଶ ପାଇଁ କୌଣସି ପଦକ୍ଷେପ ନେଉ ନଥିବାରୁ ପର୍ଯ୍ୟଟନ କ୍ଷେତ୍ରଟି ଅବହେଳିତ ହୋଇ ପଡି ରହିଛି । ବିଶେଷକରି ଡିସେମ୍ବର ଠାରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି ।
କିନ୍ତୁ ଏଠାରେ ପାନୀୟଜଳ ଏକ ମୁଖ୍ୟ ସମସ୍ୟା ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉ ନଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପର୍ଯ୍ୟଟକମାନେ ଦୁର ଦୁରାନ୍ତରୁ ଏଠାକୁ ବୁଲିବାକୁ ଆସୁଥିବାବେଳେ ଭୋଜି ଭାତ କରିବାପାଇଁ ପାଣି ପାଉ ନାହାନ୍ତି । ଏପରିକି ପାଣିଟୋପେ ପିଇବା ପାଇଁ ବାହାରୁ ଧରି ଆସିବାକୁ ପଡୁଛି । ଏନେଇ ପ୍ରତିବର୍ଷ ପ୍ରଶାସନକୁ ଜଣାଯାଉଥିଲେ ମଧ୍ୟ ପ୍ରଶାସନ କିମ୍ବା ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକ ମାନଙ୍କ ପାଇଁ କୌଣସି ସୁବ୍ୟବସ୍ଥା କରାଯାଉ ନଥିବାରୁ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ବ୍ଲକର ଏହି ପର୍ଯ୍ୟଟନ କ୍ଷେତ୍ରକୁ ପାନୀୟ ଜଳଯୋଗାଣ ସହିତ ଏହାର ଉନ୍ନତି କରିବା ଦିଗରେ ବ୍ୟବସ୍ଥା କରାଇବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।