Odisha news

କ୍ଷେତରେ ପଡ଼ିଛି କଟା ଆଖୁ; ଚିନ୍ତାରେ ଚାଷୀ

0

ଫୁଲନଖରା : -ଚାଷୀମାନେ ବ୍ୟାଙ୍କ ଓ ଅନ୍ୟାନ୍ୟ ଘରୋଇ ସଂସ୍ଥାରୁ ଋଣ ଆଣି ଆଖୁ ଚାଷ କରିଥିଲେ । ଆଶା ଥିଲା ଭଲ ଦି’ ପଇସା ରୋଜଗାର ହେବ, ମାତ୍ର ଶକ୍ତି ସୁଗାର କମ୍ପାନୀ ଧୋକା ଦେବାରୁ ଚାଷୀମାନେ ପ୍ରଭୁତ କ୍ଷତିର ସମ୍ମୁଖିନ ହୋଇଥିବା ଅଭିଯୋଗ ହୋଇଛି । ଏବେ ମଧ୍ୟ ବିଲରେ କଟା ଆଖୁ ଖରାରେ ପଡ଼ି ଶୁଖୁଛି ଏବଂ ଏକର ଏକର ପରିମିତ ଆଖୁ କଟା ହୋଇନପାରି କ୍ଷେତରେ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ଏ ନେଇ ସମ୍ପୃକ୍ତ ଚାଷୀମାନେ କମ୍ପାନୀ ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କୁ ଯେତେ ନେହୁରା ହେଲେ ମଧ୍ୟ ସେମାନେ ଏଥିପ୍ରତି କର୍ଣ୍ଣପାତ କରୁନଥିବାରୁ ଏହା ଚାଷୀଙ୍କୁ ହତାଶ କରିଛି ।

ବାରଙ୍ଗ ବ୍ଲକ ୩୩ ନମ୍ବର ଜୋନ ଅନ୍ତର୍ଗତ ଶିଶୋ, ମହୁରା, ଖଲୋର, ଗବବସ୍ତ, ହରିଅନ୍ତା, ବମ୍ବିଲୋ ସମେତ ୱାଉଜଙ୍ଗ ଓ ପାଟସୁନ୍ଦରପୁର ଆଦି ଅଞ୍ଚଳରେ ଚଳିତ ବର୍ଷ ୩ଶହ ଏକରରୁ ଊଦ୍ଧ୍ୱର୍ ପରିମିତ ଅଞ୍ଚଳରେ ଆଖୁ ଚାଷ ହୋଇଥିଲା । ଏଥି ନିମନ୍ତେ ବେସରକାରୀ ସଂସ୍ଥା ଶକ୍ତି ସୁଗାର୍ସ ଲିଃ. ପକ୍ଷରୁ ସମ୍ପୃକ୍ତ ଚାଷୀମାନଙ୍କ ସହ ବୁଝାମଣା ପତ୍ର କରାଯାଇ ଆବଶ୍ୟକ କୃଷି ଓ ବୈଷୟିକ ପରାମର୍ଶ ସହିତ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଇଥିଲା । ଚାଷୀମାନେ ଅଧିକ ଲାଭ ଆଶାରେ କମ୍ପାନୀ ସର୍ତ୍ତରେ ରାଜି ହୋଇ ଅନ୍ୟ ଫସଲ ପରିବର୍ତ୍ତେ ଆଖୁ ଚାଷରେ ମନ ଦେଇଥିଲେ । ମାତ୍ର ଅମଳ ସମୟରେ କମ୍ପାନୀର ଅସହଯୋଗ ଏବଂ ସାମ୍ପ୍ରତିକ ଲକଡ଼ାଉନ ଜନିତ ପ୍ରତିକୂଳ ପରିସ୍ଥିତିରେ ସମ୍ଭାବ୍ୟ ଆର୍ଥିକ କ୍ଷତିକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି ।

ଏକ ପକ୍ଷରେ କମ୍ପାନୀ ବିଲରୁ ଆଖୁ ଉଠାଉନଥିଲାବେଳେ ଅନ୍ୟ ପକ୍ଷରେ ଆଖୁ କାଟିବାକୁ ଶ୍ରମିକଙ୍କ ଅଭାବ ଚାଷୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ବହୁ କଷ୍ଟ ସ୍ୱୀକାର କରି ଚାଷୀମାନେ ନିଜ ଉଦ୍ୟମରେ କିଛି ଆଖୁ କାଟିବାରେ ସଫଳ ହୋଇଥିଲେ ମଧ୍ୟ କମ୍ପାନୀ ଏହାକୁ ନେଉନଥିବାରୁ ତାହା ବିଲରେ ପଡ଼ି ଶୁଖୁଛି । ସେହିପରି ଲକଡ଼ାଉନ କାରଣରୁ ଶ୍ରମିକମାନେ ନିଜ ଗାଁକୁ ପଳାଇଥିବାରୁ ଶ୍ରମିକଙ୍କ ଅଭାବ ଯୋଗୁଁ ବାକି ଥିବା ଆଖୁ କଟାଯାଇପାରୁନାହିଁ; ଫଳରେ ଗାଈଗୋରୁ ଓ ବିଲୁଆଙ୍କ ପ୍ରାଦୁର୍ଭାବରେ ଆଖୁ କ୍ଷେତ ନଷ୍ଟ ହେବାରେ ଲାଗିଛି ।

ଏପରିସ୍ଥଳେ ଉଭୟ କମ୍ପାନୀ ଏବଂ ସରକାର କ୍ଷତିଗ୍ରସ୍ତ ଚାଷୀଙ୍କ ସମସ୍ୟାକୁ ବୁଝି ପ୍ରୋତ୍ସାହନ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଉଲ୍ଲାସ ମହାପାତ୍ର, ଅଶୋକ ମହାନ୍ତି, ଭଗବାନ ଭୋଇ, ସଂଗ୍ରାମ ମହାପାତ୍ର, ଘନଶ୍ୟାମ ସାହୁ, ହେମନ୍ତ ସାହୁ, ଦିଲନୱାଜ ଖାଁ, ବିକ୍ରମ ମହାପାତ୍ର, କାଳନ୍ଦୀ ଭୋଇ, ବିଜୟ ଦାସ, ଜୟରାମ ଭୋଇ, ତ୍ରିଲୋଚନ ପ୍ରଧାନ, ଗୌରାଙ୍ଗ ଭୋଇ, ଲୋକନାଥ ପ୍ରଧାନ, ବିପିନ ପ୍ରଧାନ, ଶିଶିର ପ୍ରଧାନ ପ୍ରମୁଖ ଅଗ୍ରଣୀ ଆଖୁ ଚାଷୀ ଦାବି ଜଣାଇଛନ୍ତି ।

Leave A Reply