Odisha news

ହସ୍ତଶିଳ୍ପ ବ୍ୟବସାୟୀ ଗୋଷ୍ଠୀ ମୁହାଁମୁହିଁ  ପୁଲିସ ଫୋର୍ସ ମୁତୟନ      

0
କୋଣାର୍କ ଦୀର୍ଘ ଦୁଇ ବର୍ଷ ହେଲା ହସ୍ତଶିଳ୍ପ ବ୍ୟବସାୟୀଙ୍କୁ ଉଛେଦ ଓ ଥଇଥାନକୁ ନେଇ ଦୁଇ ବ୍ୟବସାୟୀ ଗୋଷ୍ଠୀଙ୍କ ମଧ୍ୟରେ ଛକପଞ୍ଝା ଲାଗି ରହିଛି । ପ୍ରଶାସନର ଉଦାସୀନତା ଯୋଗୁଁ ଏଭଳି ହୋଇଥିବା ଅଭିଯୋଗ ହୋଇଛି । ସୋମବାର ସୂର୍ଯ୍ୟମନ୍ଦିର ସମ୍ମୁଖରେ ଦୁଇ ହସ୍ତଶିଳ୍ପ ବ୍ୟବସାୟୀ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପ୍ରାୟ ଦୁଇ ଘଣ୍ଟା ଧରି ଦୁଇ ପକ୍ଷ ମଧ୍ୟରେ ଠେଲାପେଲା,ମାରପିଟ ଲାଗିରହିଥିଲା। ଖବରପାଇ କୋଣାର୍କ ପୁଲିସ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ଉଭୟପକ୍ଷଙ୍କୁ ଥାନାକୁ ଡ଼କାଇ ପଚରାଉଚୁରା ଚଳାଉଛି। ସୂର୍ଯ୍ୟମନ୍ଦିର ସମ୍ମୁଖରେ ଏକ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସୂର୍ଯ୍ୟମନ୍ଦିର ଚତୁଃପାର୍ଶ ସୌନ୍ଦର୍ଯ୍ୟକରଣ ଯୋଜନାରେ ଗତ ୨୦୨୧ରେ ସୂର୍ଯ୍ୟମନ୍ଦିର ସମ୍ମୁଖରୁ ବ୍ୟବସାୟୀଙ୍କୁ ଉଛେଦ କରାଯାଇ ସରକାରୀ ଜମିରେ ମଙ୍ଗଳା ମନ୍ଦିର ନିକଟରେ କୋଣାର୍କ ଏନଏସି ପକ୍ଷରୁ ଥଇଥାନ କରାଯାଇଥିଲା । ଥଇଥାନରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଦୁଇ ବ୍ୟବସାୟୀ ଗୋଷ୍ଟିଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । କେତେକ ବ୍ୟବସାୟୀ ସୂର୍ଯ୍ୟମନ୍ଦିର ରାସ୍ତା ଉଭୟ ପାର୍ଶ୍ଵରେ ବସି ରହିଥିବାବେଳେ ଅନ୍ୟମାନେ ନୂଆ ପ୍ଲଟରେ ବ୍ୟବସାୟ ଖୋଲିଥିଲେ। ଫଳରେ ନୂଆ ପ୍ଲଟ ନେଇ ଦୋକାନ ଖୋଲିଥିବା ବ୍ୟବସାୟୀଙ୍କ ବେପାରରେ ମାନ୍ଦା ଅବସ୍ଥା ଦେଖାଦେଇଥିଲା । ମଙ୍ଗଳା ମନ୍ଦିର ରାସ୍ତା ଉଭୟ ପାର୍ଶ୍ଵରୁ ବ୍ୟବସାୟିଙ୍କୁ ପୂନର୍ବାର ଗତ ଅଗଷ୍ଟ ୧୦ତାରିଖରେ ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଥିଲା । ଏଠାରୁ ବ୍ୟବସାୟୀଙ୍କୁ ଉଛେଦ କରାଯାଇଥିଲେ ମଧ୍ୟ ଦୁଇଦିନ ମଧ୍ୟରେ ପୁନର୍ବାର ବ୍ୟବସାୟୀମାନେ ଖଟ ପକାଇ ଦୋକାନ ଖୋଲିଥିଲେ । ଆଉ କେତେକ ନବଗ୍ରହ ମୁଖ୍ୟ ରାସ୍ତା ଉପରେ ଜବରଦଖଲ କରି ଦୋକାନ ଖୋଲିଛନ୍ତି । ସୂର୍ଯ୍ୟମନ୍ଦିର ସମ୍ମୁଖ ରାସ୍ତାକୁ ବ୍ୟବସାୟୀ,ଉଠା ବ୍ୟବସାୟୀ ଦଖଲ କରିବା ଫଳରେ ପର୍ଯ୍ୟଟକ,ସ୍ଥାନୀୟ ବାସିନ୍ଦା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି। ରାସ୍ତା ଜବରଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜିଛି। ଏହି ଘଟଣାକୁ ନେଇ ପ୍ରଶାସନ ଚୁପ ରହୁଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଖୁବଶୀଘ୍ର ଏହାର ସମାଧାନ ନହେଲେ ଏକ ବଡ଼ ଧରଣର ଗଣ୍ଡଗୋଳ ଆଶଙ୍କା ଦେଖାଦେଇଛି।
Leave A Reply