ହିମାଂଶୁ ଶେଖର ଆଚାର୍ଯ୍ୟ : ସରକାରୀ ସ୍କୁଲରେ ପଢିଲେ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଞ୍ଜିନିୟରିଂ ପଢିବା ପାଇଁ ସଂରକ୍ଷଣ ସୁବିଧା ମିଳିବ । ଆସନ୍ତା ଶିକ୍ଷା ବର୍ଷ ଠାରୁ ଏହି ସଂରକ୍ଷଣ ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ସୋମବାର (୨୮.୧୨.୨୦୨୦) ରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ନିଆଯାଇଛି । ଏହାଦ୍ୱାରା ଗ୍ରାମାଞ୍ଚଳର ଗରିବ ଓ ମେଧାବୀ ପିଲାମାନଙ୍କ ସ୍ୱପ୍ନ ସାକାର ହେବ । ରାଜ୍ୟ କ୍ୟାବିନେଟ୍ରେ ଏହି ଐତିହାସିକ ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାର ଧନ୍ୟବାଦର ପାତ୍ର । ଏହି ପ୍ରସ୍ତାବକୁ ଚୂଡାନ୍ତ ରୂପ ଦେବା ପାଇଁ ଗଠିତ ହେବ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ।
ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହେବ । ଡାକ୍ତରୀ ଓ ଇଞ୍ଜିନିୟରିଂ ଶିକ୍ଷା ପାଇଁ କେତେ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯିବ କମିଟି ତିନି ମାସ ମଧ୍ୟରେ ଏହି ରିପୋର୍ଟ ଦେବେ । କମିଟିର ସୁପାରିଶକୁ ଆଗାମୀ ଶିକ୍ଷା ବର୍ଷରୁ ଲାଗୁ କରାଯିବ । ରାଜ୍ୟରେ କ୍ୟାବିନେଟର ଏହି ନିଷ୍ପତ୍ତିକୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ମହଲରେ ସ୍ୱାଗତ କରାଯାଇଛି । ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପିଲାମାନଙ୍କ ମଧ୍ୟରେ ଉସôାହ ସୃଷ୍ଟି କରିବ, ସେମାନଙ୍କର ଆତ୍ମ ବିଶ୍ୱାସ ବଢାଇବ ।
ଶିକ୍ଷା ବ୍ୟବସ୍ଥାରେ ସମାନତା ଆଣିବା ପାଇଁ ଅତୀତରେ ବହୁ ମହାନ ବ୍ୟକ୍ତି ଉଦ୍ୟମ କରିଥିଲେ । ମହାନ ସଂସ୍କାରକ ଜ୍ୟୋତିରାଓ ଫୁଲେ ହଣ୍ଟର କମିଶନକୁ ରିପୋର୍ଟରେ କହିଥିଲେ ଯେ, ଶିକ୍ଷା ପ୍ରଦାନ କ୍ଷେତ୍ରରେ କେବଳ ଉଚ୍ଚବର୍ଗକୁ ସାହାଯ୍ୟ କରୁଛନ୍ତି, ଯଦିଓ ସରକାର ଅଧିକ ଆୟ ନିମ୍ନବର୍ଗଙ୍କ ପରିଶ୍ରମରୁ ପାଉଛନ୍ତି । ୧୯୧୧ ମସିହାରେ ଗୋଖେଲ ମଧ୍ୟ ଇମ୍ପେରିୟାଲ ଆସେମ୍ବ୍ଲିରେ ମାଗଣା ଓ ବାଧ୍ୟତାମୂଳକ ସ୍କୁଲ ଶିକ୍ଷା ବିଲ୍ ଉପସ୍ଥାପନା କରିଥିଲେ ତେବେ ଏହି ବିଲ୍କୁ ବିରୋଧ କରାଯାଇଥିଲା । ପରେ ଗାନ୍ଧିଜୀ ଓ ଆମ୍ବେଦକର ସମାନ ଆଉ ଅନିର୍ବାଯ୍ୟ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ୧୯୬୬ ମସିହାରେ କୋଠାରୀ କମିଶନଙ୍କ ନେବର ସ୍କୁଲ ପ୍ରସଙ୍ଗକୁ ଏଠାରେ ଉଲ୍ଲେଖ କରାଯାଇପାରେ । ସେ ସୁପାରିଶ କରିଥିଲେ ଯେ, ନିଜ ଇଲାକରେ ଏକ ସ୍କୁଲ ହେବ ଯେଉଁ ସ୍କୁଲରେ ସେହି ଇଲାକାର ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ ପିଲାଙ୍କୁ ପାଠ ପଢାଇବାକୁ ପଠାଇ ପାରିବେ ।
ଏହି ସ୍କୁଲରେ ଧନୀ-ଗରିବ, ଜାତି-ଧର୍ମ, ଉଚ୍ଚ-ନିଚ, ମାଲିକ-ଶ୍ରମିକ, ଜମିଦାର-କୃଷକ ଆଦି ଭେଦଭାବ ରହିବନାହିଁ ।ଏଥିସହିତ କୋଠାରୀ କମିଶନ ମଧ୍ୟ କେନ୍ଦ୍ର ବଜେଟ୍ର ୧୦ ଭାଗ ଓ ରାଜ୍ୟ ବଜେଟ୍ର ୩୦ ଭାଗ ଶିକ୍ଷାକ୍ଷେତ୍ରରେ ବ୍ୟୟ କରିବାକୁ ସରକାରଙ୍କୁ ସୁପାରିଶ କରିଥିଲେ । କିନ୍ତୁ ଏଯାବତ୍ କୌଣସି ଯୋଜନାରେ ଶିକ୍ଷା ପାଇଁ କେନ୍ଦ୍ର ବଜେଟ୍ର ୪ ଭାଗ ଓ ରାଜ୍ୟ ବଜେଟ୍ର ୨୪ ଭାଗ ଅତିକ୍ରମ କରିପାରିଲା ନାହିଁ । ଲୋକନାୟକ ଜୟପ୍ରକାଶ ନାରାୟଣ ମଧ୍ୟ କୋଠାରୀ କମିଶନଙ୍କ ସୁପାରିଶ ସପକ୍ଷରେ ମତ ଦେଇଥିଲେ । ଏସବୁ ସତ୍ତ୍ୱେ ଶିକ୍ଷା କ୍ଷେତ୍ରରେ ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ । ଏବେ ଏପରି ପରିସ୍ଥିତି ହୋଇଛି ଯେ, ପିଲାଙ୍କ ଶିକ୍ଷା କଥା ଉଠିଲେ ପ୍ରଥମେ ମନକୁ ଆସିଥାଏ ସରକାରୀ ସ୍କୁଲ ନା ବେସରକାରୀ ସ୍କୁଲ । ଏଥିସହିତ ସରକାରୀ ଓ ବେସରକାରୀ ସ୍କୁଲ ମଧ୍ୟରେ ତୁଳନା ଆରମ୍ଭ ହୋଇଯାଏ ।
ସ୍ଥିତି ଓ ସାମର୍ଥ୍ୟ ଅନୁସାରେ ଅଭିଭାବକ ମାନଙ୍କର ପ୍ରଥମ ପସନ୍ଦ ହୋଇଥାଏ ବେସରକାରୀ ସ୍କୁଲ । ଏହାର ଅନେକ କାରଣ ରହିଛି । ସରକାରୀ ସ୍କୁଲରେ ଭିତ୍ତି ଭୂମିର ଅଭାବ, ଶିକ୍ଷକ ଅଭାବ ଏବଂ ଅନ୍ୟାନ୍ୟ ସବୁଧାସୁଯୋଗର ଅଭାବ ଅଭିଭାବକମାନଙ୍କୁ ବେସରକାରୀ ସ୍କୁଲକୁ ଟାଣି ନେଇଥାଏ ।
ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ମୂଳଦୁଆ । ଏହା ଉପରେ ଦେଶର ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ସର୍ବୋପରି ମହାବିଦ୍ୟାଳୟର ଭବିଷ୍ୟତ ନିର୍ଭର କରେ । ମାତ୍ର ରାଜ୍ୟରେ ପ୍ରାଥମିକ ଶିକ୍ଷା ବିଗିଡିବାର ପ୍ରମୁଖ କାରଣ ହେଉଛି ଆବଶ୍ୟକ ଶିକ୍ଷକ ଓ ଭିତ୍ତିଭୂମିର ଅଭାବ । ଶିକ୍ଷା ଅଧିକାର ଆଇନ ଅନୁସାରେ ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରେ ୨ ଲକ୍ଷ ୨୪ ହଜାର ୩୩୦ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି । ଅଛନ୍ତି ୧ ଲକ୍ଷ ୧୫ ହଜାର ୮୩୩ ଜଣ ନିୟମିତ ଶିକ୍ଷକ । ବଳକା ୧ ଲକ୍ଷ ୮ ହଜାର ୪୯୭ ଜଣ ନିୟମିତ ଶିକ୍ଷକ ପଦବୀ ସ୍ଥାନରେ ୭୩ ହଜାର ୭୩୬ ଜଣ ନିୟମିତ ଶିକ୍ଷା ସହାୟକ ଓ ଗଣଶିକ୍ଷକଙ୍କୁ ନେଇ ଶିକ୍ଷା ବ୍ୟବସ୍ଥା ଚଲାଇଛନ୍ତିି ।
ଖାଲିଥିବା ଶିକ୍ଷକ ପଦବୀ ପୂରଣ ହେବା ତ ଦୂରର କଥା, କେଉଁଠି ୫ଟି ଶ୍ରେଣୀକୁ ଜଣେ ଶିକ୍ଷକ ତ ଆଉ କେଉଁଠି ୭ଟି ଶ୍ରେଣୀକୁ ଦୁଇ ବା ତିନି ଜଣ ଶିକ୍ଷକରେ ସ୍କୁଲ ଚାଲିଛି ।ସେହିପରି ଭିତ୍ତିଭୂମିର ଅଭାବ ଶିକ୍ଷାର ବିକାଶରେ ଏକ ପ୍ରମୁଖ ସମସ୍ୟା ରୂପେ ଉଭାହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ଥିବା ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାନୀୟଜଳ, ପରିମଳ ବ୍ୟବସ୍ଥା, ବିଜୁଳି ଆଲୋକ, ସୁସ୍ଥ ଶିକ୍ଷଣୀୟ ପରିବେଶ ଭଳି ଆବଶ୍ୟକତାକୁ ପୂରଣ କରାଯାଇପାରିନାହିଁ । ‘ଓପେପା’ ତରଫରୁ ମିଳିଥିବା ସୂଚନା ମୁତାବକ ରାଜ୍ୟରେ ଥିବା ମୋଟ ୫୧ ହଜାର ୦୯୪ଟି ସ୍କୁଲ ମଧ୍ୟରୁ ୧୨ ହଜାର ୩୬୪ଟି ସ୍କୁଲରେ ଶୌଚାଳୟ ନାହିଁ ।
୫୦ ପ୍ରତିଶତରୁ ଅଧିକ ସ୍କୁଲରେ ବାଳକ ଓ ବାଳିକାଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ ନାହିଁ । ସେହିପରି ୪୧ ହଜାର ୩୮୨ଟି ସ୍କୁଲରେ ଖେଳପଡିଆ ନଥିଲା ବେଳେ ୪୩ ହଜାର ସ୍କୁଲକୁ ବିଦୁ୍ୟତ୍ ସଂଯୋଗ ନାହିଁ । ୧୨ ହଜାର ୨୦୦ ସ୍କୁଲରେ ମଧ୍ୟାହ୍ନ ଭୋଜନ ରାନ୍ଧିବା ପାଇଁ ରୋଷେଇଘର ନଥିଲା ବେଳେ ୧୮ ହଜାର ୫୦୦ ସ୍କୁଲରେ ପାଚେରୀ ନାହିଁ । ସବୁଠାରୁ ପରିତାପର ବିଷୟ ଯେ ୩୫୦ ସ୍କୁଲର ନିଜସ୍ୱ ଘର ନାହିଁ । ଗୋଟିଏ ପଟେ ଶିକ୍ଷକମାନଙ୍କର ଅଭାବ ଓ ଅନ୍ୟପଟେ ଭିତ୍ତିଭୂମିର ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ଦକ୍ଷତା ହ୍ରାସ ପାଇବାରେ ଲାଗିଛି ।
କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକାରୀ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ନିମନ୍ତେ ସରକାର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ, ପୁଷ୍ଟିକର ଅଣ୍ଡା, ମାଗଣାରେ ପାଠ୍ୟ ପୁସ୍ତକ, ପୋଷାକ ଯୋଗାଇ ଦେଉଛନ୍ତି । ବିଦ୍ୟାଳୟକୁ ସର୍ବାଙ୍ଗ ସୁନ୍ଦର କରିବା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଉଛନ୍ତି । ଏସବୁ ସତ୍ତ୍ୱେ ସର୍ବଶିକ୍ଷା ଅଭିଯାନ ଦିଗହରା ହୋଇଛି । ଏକ ତଥ୍ୟ ଅନୁସାରେ ୨୦୧୧-୧୨ ମସିହାରେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲରେ ଷଷ୍ଠ ଶ୍ରେଣୀରେ ୫,୫୧,୬୮୬ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ୨୦୧୩-୧୪ ଶିକ୍ଷାବର୍ଷରେ ଅଷ୍ଟମ ଶ୍ରେଣୀରେ ପହଁଞ୍ଚିଲା ବେଳକୁ ଏହି ଛାତ୍ରଛାତ୍ରୀଙ୍କ ସଂଖ୍ୟା ଥିଲା ୨,୯୬,୩୫୩ । ଅବଶିଷ୍ଟ ଛାତ୍ରଛାତ୍ରୀ ବାଟରୁ କୁଆଡେ ଗଲେ ତା’ର ଏବେ ହିସାବ ମିଳୁନାହିଁ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ହିସାବ ମିଳୁନଥିବା ୨,୫୫,୩୩୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨,୪୯,୮୬୫ ହେଉଚନ୍ତି ସରକାରୀ ବିଦ୍ୟାଳୟର । ଏବେ ପ୍ରାୟ ଫେଲ୍ ବ୍ୟବସ୍ଥା ନାହିଁ । ଏସବୁ ସତ୍ତ୍ୱେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଢେଇ ଲକ୍ଷ କମିବା ବ୍ୟବସ୍ଥାଗତ ତ୍ରୁଟିକୁ ଅଙ୍ଗୁଳି ନିଦେ୍ର୍ଦଶ କରୁଛି ।
ସରକାରୀ ସ୍କୁଲର ଏଭଳି ଦୟନୀୟ ସ୍ଥିତି ଯୋଗୁଁ ଅଭିଭାବକ ମାନେ ଘରୋଇ ସ୍କୁଲ ଉପରେ ଅତି ମାତ୍ରାରେ ନିର୍ଭର କରୁଛନ୍ତି । ଏହି ପରିସ୍ଥିତିକୁ ଲକ୍ଷ୍ୟ କରି ୨୦୧୫ ମସିହାରେ ଆହ୍ଲାବାଦ ହାଇକୋର୍ଟ ଏକ ଐତିହାସିକ ରାୟରେ କହିଥିଲେ ଯେ, ମନ୍ତ୍ରୀ, ଅଫିସର ଓ ସରକାରୀ କର୍ମଚାରୀ ଯେଉଁମାନେ ସରକାରଙ୍କ ରାଜ କୋଷରୁ ଦରମା ନେଉଛନ୍ତି ସେମାନଙ୍କ ପିଲାମାନେ ସରକାରୀ ସ୍କୁଲରେ ପଢିବା ବାଧ୍ୟତାମୂଳକ ହେଉ ।
ଏପରି ହେଲେ ସରକାରୀ ସ୍କୁଲ ଗୁଡିକରେ ଶିକ୍ଷା ବ୍ୟବସ୍ଥା ସୁଧୁରିଯିବ । ସେତେବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ଅଖିଳେଶ ଯାଦବ । ସେତେବେଳେ ସେ ଯଦି ଏହି ପଦକ୍ଷେପ ଗ୍ରହଣ କରିଥାନ୍ତେ ତାହାଲେ ସାରା ଦେଶରେ ଏହାର ଉତ୍ତମ ପ୍ରଭାବ ପଡିଥାନ୍ତା । ମାତ୍ର ଏହା ହେଲାନାହିଁ । ଏପ୍ରସଙ୍ଗରେ ବ୍ୟାପକ ଭାବେ ବିଚାର କରିବାର ସମୟ ଆସିଛି । ଯେଉଁଦିନ ସମସ୍ତ ସରକାରୀ କର୍ମଚାରୀ ସେମାନଙ୍କ ପିଲାଙ୍କୁ ସରକାରୀ ସ୍କୁଲରେ ପଢାଇବା ବାଧ୍ୟତାମୂଳକ ହେବ, ସେଦିନ ସରକାରୀ ସ୍କୁଲର ସମସ୍ୟା ଅନେକାଂଶରେ ସମାଧାନ ହୋଇଯିବ । ଏବେ ରାଜ୍ୟ ସରକାର ଡାକ୍ତରୀ ଓ ଇଞ୍ଜିନିୟରିଂ ଶିକ୍ଷା ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି । ଏହା ଛାତ୍ରଛାତ୍ରୀଙ୍କୁ ସରକାରୀ ସ୍କୁଲରେ ପଢିବା ପାଇଁ କେତେ ଦୂର ସମର୍ଥ ହେବ ତାହା ସମୟ କହିବ!