ଗୋପ : ମଙ୍ଗଳବାର ସନ୍ଧ୍ୟା ସୁଧା କୁଶଭଦ୍ରାରେ ବନ୍ୟାଜଳ ବିପଦ ସଂକୁଳ ଠାରୁ ୦.୪୧ ମିଟର ଉଚ୍ଚରେ ପ୍ରଭାବିତ ହେଉଥିବା ଗୋପ ଜଳସଂପଦ ବିଭାଗ ପକ୍ଷରୁ ସୂଚନା ମିଳିଛି । କୁଶଭଦ୍ରାରେ ୭.୭୨ ମିଟର ଜଳସ୍ତର ବିପଦ ସଂକୁଳ ଥିବାବେଳେ ବର୍ତ୍ତମାନ ୮.୧୩ ମିଟରରେ ବନ୍ୟା ଜଳ ପ୍ରଭାବିତ ହେଉଥିବା ଜଣାପଡ଼ିଛି । ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଘଳିଆ ସୃଷ୍ଟି ହୋଇଥିବାବେଳେ ଜଳସଂପଦ ବିଭାଗ ଯନ୍ତ୍ରୀମାନେ ଦିନ ରାତି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି ।
ସେହିପରି ବିପଦ ସଂକୁଳ ନଦୀବନ୍ଧ ଉପରେ ତୀକ୍ଷ୍ନ ନଜର ରଖାଯାଇଥିବାବେଳେ କେତେକ ସ୍ଥାନରେ ରାତ୍ରୀ ପେଟ୍ରୋଲିଂ ମଧ୍ୟ କରାଯାଉଥିବା ଜଣାପଡ଼ିଛି । ଘଣ୍ଟାକୁ ଘଣ୍ଟା ବନ୍ୟା ଜଳ ସଂପର୍କରେ ରିପୋର୍ଟ ପ୍ରସ୍ତୁତ କରାଯାଉଥିବାବେଳେ ଦିନେ ଦୁଇ ଦିନ ମଧ୍ୟରେ ବନ୍ୟା ଜଳ କମିବ ବୋଲି ପୂର୍ବାନୁମାନ କରାଯାଇଛି । ସେହିପରି ପର୍ଯ୍ୟାପ୍ତ ପରିମାଣର ବାଲିବସ୍ତା ମହଜୁଦ ଥିବାବେଳେ ଜରୁରୀକାଳିନ ପରିସ୍ଥିତିକୁ ଆଖି ଆଗରେ ରଖି ଠିକାଦାରଙ୍କୁ ମଧ୍ୟ ସଜାଗ ରହିବାକୁ କୁହାଯାଇଛି । କୌଣସିସ୍ଥାନରେ ଘଳିଆ ସୃଷ୍ଟି ହେବା ମାତ୍ରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଗ୍ରାମ କେଶରୀ ମହାନ୍ତି ସୂଚନା ଦେଇଛନ୍ତି ।