ଗୋପ : ପୁରୀ ଜିଲ୍ଲା ଗୋପ ବ୍ଲକ ଚାଷୀ ମାନଙ୍କ ମୁଣ୍ଡରେ ଏବେ ଚଡକ ପଡିଲା ପରି ସମସ୍ୟା ଦେଖା ଦେଇଛି । ସବୁ ସମୟରେ ଚାଷୀକୂଳ ହତାସ ହୋଇ ପଡୁଥିବା ବେଳେ ଏବେ ଚାଷ କାର୍ଯ୍ୟକୁ ନେଇ ଚାଷୀ ମାନେ ପାଣି ଟୋପେ ପାଇଁ ଚାତକ ପରି ଚାହିଁ ବସିଛନ୍ତି । ସେପଟେ ତଳି କିଆରୀ ଫାଟି ଆଁ ମେଲା କରିଥିବା ବେଳେ ଚାଷ ପାଇଁ ଉଦିଷ୍ଟ ଜମିରେ ହଳ କରିବା ପାଇଁ ଟୋପେ ବି ପାଣି ନାହିଁ । ଏହି ସମୟରେ ଚାଷୀ ମାନଙ୍କୁ ସାଥ ଦେବା ପାଇଁ କୃଷି ବିଭାଗ କେଉଁ ଆଡେ ଉଭାନ ହୋଇ ଯାଇଛି । ନା ଅଛି ଉଠା ଜଳ ସେଚନ , ନା ମିଳୁଛି କେନାଲ ପାଣି । ଚାଷୀ ମାନେ ସବୁ ସମୟରେ ସମସ୍ୟାରେ ପଡି ନାହିଁ ନଥିବା ଦୁର୍ଦଶାର ସମୁଖୀନ ହେଉଥିବା ବେଳେ ସରକାର ଏମାନଙ୍କୁ ହାତ ବଢାଇବାରେ ପଛ ଘୁଞ୍ଚା ଦେଉଛନ୍ତି । ଗୋପ ବ୍ଲକରେ ଚାଷୀ ମାନଙ୍କୁ ସଠିକ ସମୟରେ ବିହନ ମିଳୁ ନଥିବା ବେଳେ ଯେଉଁ ବିହନ ମିଳୁଛି ତାହା ସଠିକ ଭାବେ ଗଜା ହେଉନାହିଁ ।
ଗଲା ଲଘୁଚାପ ବର୍ଷାରେ ଚାଷୀ ମାନେ ଧାନ ବୁଣିବା ସହ ବିଭିନ୍ନ କ୍ଷତରେ ତଳି ମଧ୍ୟ ପକାଇଥିଲେ । ଆଶା ରଖିିଥିଲେ ଆଗକୁ ଭଲ ବର୍ଷା ହେବ ଓ ଚାଷ କାର୍ଯ୍ୟ ସୁଚାରରୁପେ ଚାଲିବ । ଆଷାଢ ମାସ ସରିବାକୁ ବରିଥିବା ବେଳେ ବର୍ଷା ଟୋପେ ନହୋଇ ଡହ ଡହ ଖରା ହେଉଥିବାରୁ ବୁଣାଧାନ ଓ ତଳି ବିଲ ଫାଟି ଆଁ ମେଲା କରିଛି. କେଉଁଠି ତଳି ଜଳି ଗଲାଣୀ ତ କେଉଁଠି ବୁଣା ଧାନରେ ଗ୍ାଇ ଗୋରୁ ଚରିଲେଣି । ଗୋପ ବ୍ଲକରେ ୨୪ହଜାର ହେକ୍ଟର ଜମିରେ ଚାଷ ହେବାକୁ ଥିବା ବେଳେ ଏବେ ଚାଷ କାର୍ଯ୍ୟ ହୋଇ ପାରିବ କି ନାହିଁ ତାହା ଆଶଙ୍କା ସୃଷ୍ଟିକରିଛି । ଚାଷୀ ମାନେ ତଳି ବଞ୍ଚାଇ ରଖିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ପୋଖରୀରୁ ପାଣି ପମ୍ପ ମାଧ୍ୟମରେ ପାଣି ମଡାଉଛନ୍ତି । ହେଲେ ସରକାରଙ୍କ ଉଠା ଜଳ ସେଚନ କେଉଁ ଆଡେ ଉଭାନ ହୋଇଯାଇଛି । ତୁରନ୍ତ ଗୋପ ବ୍ଲକରେ ଚାଷୀ ମାନଙ୍କ ସମସ୍ୟା ଦୁର କରିବା ପାଇଁ ମୂଖ୍ୟ ମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି ହେଉଛି .