ଫୁଲବାଣୀ : ବାଙ୍ଗାଲୋରରେ ଗତ ୧୪ ତାରିଖରେ ହୋଇଥିବା ରୋଷେଇ ଗ୍ୟାସ ବିସ୍ଫୋରଣ ଘଟି ସେଠାରେ ଥିବା କନ୍ଧମାଳ ଜିଲାର ୪ଜଣଙ୍କର ମୃତୁ୍ୟ ଘଟି ଥିଲା । ସେମାନଙ୍କ ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକର ସୋନପୁର ପଂଚାୟତର ଗାହାକିଆ ଗ୍ରାମର ଦୁଇ ଜଣ ଯୁବତୀଙ୍କର ଓ କୋଟଗଡ ବ୍ଳକର ଜଣେ ଯୁବର ଓ ରାୟଗଡା ଜିଲାର ବିଶମକଟକ ଜଣେ ଯୁବତୀଙ୍କର ମୃତୁ୍ୟ ହୋଇଥିଲା ।
ଏହି ଘଟଣା ପରେ ସେମାନଙ୍କର ଶବକୁ ସେମାନଙ୍କର ଗ୍ରାମକୁ ଆଣିବାକୁ ସେମାନଙ୍କର ପରିବାର ଲୋକମାନେ ଜିଲା ପ୍ରଶାସନ ନିକଟରେ ସହାୟତା ଲୋଡିଥିଲେ । ଜିଲା ପ୍ରଶାସନ ଏବଂ କନ୍ଧମାଳ ସାଂସଦ ଅଚୁ୍ୟତ ସାମନ୍ତଙ୍କ ପ୍ରଚେଷ୍ଟାରେ ରବିବାର ରାତିରେ କନ୍ଧମାଳ ଜିଲାର ତିନି ଜଣଙ୍କର ମୃତଦେହ ବାଙ୍ଗାଲୋରରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କନ୍ଧମାଳକୁ ବାହାରିଥିବା ମଙ୍ଗଳବାର ଦିନ ସକାଳେ ଦାରିଙ୍ଗବାଡିରେ ପହଂଚିଥିଲା । ଗ୍ରାମବାସୀ ମାନେ ଦାରିଙ୍ଗବାଡିରୁ ଆମ୍ବୁଲାନ୍ସକୁ ଗାହାକିଆ ଯାଏଁ ନେଇ ଆସିଥିଲେ ।
ସେମାନଙ୍କର ମୃତଦେହ ଦେଖିବାପରେ ଗ୍ରାରେ ଲୋକଙ୍କ ଭିତରେ ଶୋକାକୁଳ ପରିବେଷ ସୃଷ୍ଟି ହୋଇଥିଲା । ସେଠାରେ ସବୁ ଖ୍ରୀଷ୍ଟୀୟ ସମ୍ପ୍ରଦାୟର ହୋଇଥିବାରୁ ଖ୍ରୀଷ୍ଟୀୟ ପରମ୍ପରା ଅନୁସାରେ ସେମାନଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ସେହିପରି କୋଟଗଡର ଯୁବକଙ୍କ ମୃତ ଦେହକୁ ତାଙ୍କ ଗ୍ରାମକୁ ଆମ୍ବୁଲାନ୍ସ ଯୋଗେ ପଠାଇ ଦିଆଯାଇଥିଲା । ମୃତ ଯୁବତୀ ମାନେ ବାଙ୍ଗାଲୋରରେ ଯାଇ ସେଠାରେ କାମକରି ତାଙ୍କ ପରିବାର ଲୋକଙ୍କୁ ଟଙ୍କା ପଠାଉଥିଲେ ସେମାନଙ୍କର ମୃତୁ୍ୟରେ ତାଙ୍କର ପରିବାର ଅସହାୟ ହୋଇପଡିଥିବା ଜଣାପଡିଛି । କନ୍ଧମାଳ ସାଂସଦ ସେମାନଙ୍କର ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଥିବା ଜଣାପଡିଛି । ବାଙ୍ଗାଲୋରଠାରେ ସେହି ଗ୍ରାମର ଅଞ୍ଜଳି ପ୍ରଧାନ ଚିକିସôିତ ହେଉଥିବା ଜଣାପଡିଛି ।