ଗଂଜାମ ଜିଲ୍ଲାପାଳ ଭିଡିଓ କନଫରେନ୍ସିଂ ଜରିଆରେ କରୋନା ମୁକାବିଲା ନେଇ ବାଚସ୍ପତି, ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା
ଛତ୍ରପୁର ୧୦/୫ : ଗଂଜାମ ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ଏନେଇ ଜିଲ୍ଲା ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ସାଜିଛି । ଜିଲ୍ଲାରେ ଏପରି କରୋନା ପଜିଟିଭ୍ ବୃଦ୍ଧି ହେବା ଯୋଗୁଁ ଜିଲ୍ଲାବାସୀଙ୍କ୍ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗଂଜାମ ଜିଲ୍ଲାପାଳ ଏନେଇ ଜିଲ୍ଲାବାସୀଙ୍କୁ ଭୟଭୀତ ନହେବା ପାଇଁ କହି ଆସୁଛନ୍ତି । ଯେହେତୁ ଜିଲ୍ଲାରେ ଏପର୍ଯ୍ୟନ୍ତ ପ୍ରବାସୀ ଓଡ଼ିଆ ମାନେ ରହିଥିବା ବିଭିନ୍ନ ସଙ୍ଗରୋଧ ଗୃହରୁ ପଜିଟିଭ୍ଙ୍କ ସଂଖ୍ୟା ବାହାରିଛି ।
ତେଣୁ ସେମାନଙ୍କୁ ବ୍ୟାପକ ଭାବେ ପରୀକ୍ଷା କରାଯିବା ସହ ଓ ସଙ୍ଗରୋଧ ଗୃହରେ କଡ଼ା ସୁରକ୍ଷାରେ ରଖାଯାଇଛି । ସେମାନଙ୍କୁ ନିୟମିତ ବିଭିନ୍ନ ସୁଷମ ଖାଦ୍ୟ ଦେବା ସହ ଜଣେ ବ୍ୟକ୍ତି ଚାହିଁଲେ ୨୧ଦିନରୁ ୧୦ ଦିନ ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ବା ସ୍କୁଲ ପରିସରରେ ଉଦ୍ୟାନମୂଳକ କାର୍ଯ୍ୟ କରି ପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମ ଜାରି କରାଯାଇଛି । ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସଙ୍ଗରୋଧ ଗୃହକୁ ନଯିବା ନିମନ୍ତେ ବିଭିନ୍ନ ଆଇନ ପ୍ରଣୟନ କରାଯାଇଛି । ସଙ୍ଗରୋଧ ଗୃହରେ ରହିଥିବା ବ୍ୟକ୍ତିମାନେ କିପରି ସମଦୂରତା ସହ ବିଭିନ୍ନ ନିୟମ ଅନୁଯାୟୀ ରହିବାକୁ କୁହାଯିବା ସହ ତାଙ୍କ ସଂପର୍କିୟ ମାନଙ୍କ ସହ ନମିଶିବା ନିମନ୍ତେ କୁହାଯାଇଛି । ଏହା ସହ ସମ୍ପର୍କିୟ କିମ୍ବା କୌଣସି ବ୍ୟକ୍ତି ବିଶେଷ ମାନେ ଏହି ସଙ୍ଗରୋଧ ଗୃହ ନିକଟକୁ ନଯିବାକୁ କୁହାଯାଇଛି ।
ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି । ଯେଉଁ ମାନେ ଏହି ନିୟମକୁ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଅନ୍ୟ ଜିଲ୍ଲାର କ୍ୱାରେନଟାଇନ ସେଂଟରରେ ସେମାନଙ୍କୁ ରଖାଯିବ ବୋଲି ଜିଲ୍ଲାପାଳ ପୂର୍ବରୁ ସୂଚନା ଦେଇଛନ୍ତି । ଏନେଇ ଆଜି ଛତ୍ରପୁର ସ୍ଥିତ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଓସ୍ୱାନ୍ ଭିଡିଓ କନଫେରେନ୍ସିଂ ହଲ୍ ଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ସମସ୍ତ ବିଧାୟକ, ବିଧାୟିକା, ସାଂସଦ ମାନଙ୍କ ସହ ଭିଡ଼ିଓ କନଫେରେନ୍ସିଂ ଜରିଆରେ ଜିଲ୍ଲାରେ କରୋନା ମୁକାବିଲା ନେଇ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।
ଜିଲ୍ଲାକୁ ବର୍ତମାନ ପ୍ରବାସ ଓଡ଼ିଆ ମାନେ ଆସୁଅଛନ୍ତି । ସେମାନଙ୍କୁ କିପରି ସୁରକ୍ଷିତ ରଖାଯିବ ଓ ସଙ୍ଗରୋଧ ଗୃହକୁ କଡ଼ାକଡ଼ି ସୁରକ୍ଷା କରାଯିବ ସେଥି ନିମନ୍ତେ ବିଭିନ୍ନ ଜନପ୍ରତିନିଧି ମାନେ ସହଯୋଗ କରିବା ନିମନ୍ତେ କୁହାଯାଇଛି । ଏହା ସହ ସରପଂଚଙ୍କ ସମେତ ସମିତି ସଭ୍ୟ, ବ୍ଲକ୍ ଅଧ୍ୟକ୍ଷ ଓ ବିଧାୟକ ବିଧାୟିକା, ସାଂସଦ ମାନଙ୍କ ସମେତ ବହୁ ଜନପ୍ରତିନିଧି ମାନେ ଏକ କମିଟି ଗଠନ କରି କିପରି କରୋନାର ମୁକାବିଲା କରାଯିବ, ଜିଲ୍ଲାବାସୀ କିପରି ସୁରକ୍ଷିତ ରହିପାରିବେ ସେଥି ନିମନ୍ତେ ଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରବାସୀ ଓଡ଼ିଆ ମାନେ ଯଦି ଓଡ଼ିଶାକୁ ନଆସି ସେଠାରେ ରହିବାକୁ ଇଛୁକ ହୁଅନ୍ତି ସେମାନଙ୍କର ସୁବନେ୍ଦାବସ୍ତ କିପରି କରାଯିବ ସେସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଏଣିକି ଜନପ୍ରତିନିଧି ମାନେ ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ସହ କରୋନାର କିପରି ଜିଲ୍ଲାରୁ ମୁକୁଳିବ ସେଥି ନିମନ୍ତେ ଉଦ୍ୟମ କରିବା ଦରକାର ।
ବ୍ୟବସାୟୀ ମାନେ ମାସ୍କ, ସମଦୂରତା, ହାତରେ ଗ୍ଲୋବସ୍ ଓ ସରକାରଙ୍କ ବିଭିନ୍ନ ନିୟମ ମୁତାବକ ବ୍ୟବସାୟ କରିବା ଦରକାର । ସେହିପରି ଗ୍ରାମାଂଚଳରେ ଲୋକମାନେ କିପରି ସଚେତନ ହୋଇ ବାହାରେ ଏଣେ ତେଣେ ନବୁଲି ମାସ୍କ ବ୍ୟବହାର କରି ଘରେ ସୁରକ୍ଷିତ ରହିବେ ସେଥି ନିମନ୍ତେ ଜିଲ୍ଲା ପ୍ରଶାସନ ସଚେତନା କରିବା ସହ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପୁଲିସ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ କାର୍ଯ୍ୟ କରୁଛନ୍ତି । ଜିଲ୍ଲାରେ କିପରି ଅଧିକରୁ ଅଧିକ ପରୀକ୍ଷା ହୋଇପାରିବ ସେଥି ନିମନ୍ତେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାରେ ପ୍ରବାସୀ ଓଡ଼ିଆଙ୍କ ଆଗମନ ଦେଖି ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ୱାରେନଟାଇନ ସେଂଟର ଗୁଡ଼ିକ କରାଯାଇ ଅଛି । ଏହା ସହ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି । ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ଚିକିତ୍ସା ମଧ୍ୟ କରାଯାଉଛି ।
ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ମଧ୍ୟ ଏହି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇ ଜିଲ୍ଲାର ବିଧାୟକ ଓ ବିଧାୟିକା ଏବଂ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାରେ କରୋନା ମୁକାବିଲା ନେଇ ସ୍ଥିତି ପରିଖିଛନ୍ତି ବାଚସ୍ପତି । ଗଂଜାମରେ ଆଉ ଏକ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ବାଚସ୍ପତି ଶ୍ରୀ ପାତ୍ର ପ୍ରସ୍ତାବ ଦେଇଛନ୍ତି । ଜିଲ୍ଲାରେ ୨୦୦ ଶର୍ଯ୍ୟା ବିସିଷ୍ଟ କୋଭିଡ ହସ୍ପିଟାଲ ରହିଥିବା ବେଳେ ଏବେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ଶହେରୁ ଉଦ୍ଧ୍ୱର୍ ରେ ପହଞ୍ଚିଲାଣି । ଏହି ସଂଖ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ହସ୍ପିଟାଲ ପ୍ରତିଷ୍ଠା କୁ ପ୍ରାଧାନ୍ୟ ଦିଆଯାଉ ବୋଲି ସେ କହିଛନ୍ତି ।
ଜିଲ୍ଲାକୁ ବହୁ ସଖ୍ୟାରେ ପ୍ରବାସୀ ଓଡିଆ ଆସୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ତେଣୁ ଖୁବ୍ ଶ୍ରୀଘ୍ର ଆଉ ଏକ ହସ୍ପିଟାଲ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯାଉ ବୋଲି ଶ୍ରୀ ପାତ୍ର କହିଛନ୍ତି । ଆଉ ଏକ ହସ୍ପିଟାଲ କରୋନା ମୁକାବିଲା କୁ ନେଇ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି ଏବଂ ଏଥିପାଇଁ ପ୍ରଶଂସାର ହକଦାର ବୋଲି ଶ୍ରୀ ପାତ୍ର କହିଛନ୍ତି । ସେହିପରି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଧ୍ୟ ଭିଡିଓ କନଫେରେନ୍ସିଂରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।
ଛତ୍ରପୁରରେ ଆୟୋଜିତ ଭିଡିଓ କନଫେରେନ୍ସିଂରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା,ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ତଥା ଡୁଡା ପିଡି ସୁଦାମ ଚରଣ ମଣ୍ଡଳ ଡିଆରଡିଏ ପିଡ଼ି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବିଏମସି କମିସନର ଚକ୍ରବର୍ତ୍ତି ସିଂ ରାଠୋର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଦ ଦତ୍ତତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶରତ କୁମାର ପାତ୍ର ଉପସ୍ଥିତ ରହିଥିଲେ ।
ସେହିପରି ଛତ୍ରପୁର ବ୍ଲକ୍ କାର୍ଯ୍ୟାଳୟର ଭିଡିଓ କନଫେରେନ୍ସିଂ ହଲ୍ ଠାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡି, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ପ୍ରମୁଖ ଭିିଡ଼ିଓ କନଫେରେନ୍ସିଂରେ ଯୋଗ ଦେଇଥିଲେ ।
ସୂଚନା ଯୋଗ୍ୟ ଯେ ଜିଲ୍ଲାର କରୋନା ପଜିଟିଭ୍ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ତିନିଜଣ ଆଇଏସ୍ ଅଫିସର, ଜଣେ ବରିଷ୍ଠ ନୋଡ଼ାଲ୍ ଆଇଏସ୍ ଅଫିସର ଓ ୫ଜଣ ବରିଷ୍ଠ ଓଏସ୍ ଅଫିସର ବିଭିନ୍ନ କାର୍ଯ୍ୟକ୍ରମକୁ ତନଖି ଦେଖିବା ସହ ସେସଂପର୍କରେ ଆଲୋଚନା କରୁଛନ୍ତି । ଗତକାଲି ଏନେଇ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଗଞ୍ଜାମ ଜିଲ୍ଲାର ସମସ୍ତ ସରପଂଚଙ୍କ ସହିତ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ । ପୂର୍ବରୁ ଅତିରିକ୍ତ ପୁଲିସ ମହା ନିଦେ୍ର୍ଦଶକ ଏସ୍.କେ. ପ୍ରିୟଦର୍ଶନୀ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କ୍ୱାରେନଟାଇନ୍ ସେଂଟର ବୁଲି ଦେଖିବା ସହ ଜଗନ୍ନାଥପୁର ରେଲୱେ ଷ୍ଟେସନ୍ ଠାରେ ପ୍ରବାସୀ ଓଡ଼ିଆଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁଲିସର କଡ଼ା ସୁରକ୍ଷାର ସମୀକ୍ଷା କରିଥିଲେ । ଆଜି ପୁଲିସ ମହାନିଦେ୍ର୍ଦଶକ ଶ୍ରୀ ଅଭୟ ଗଞ୍ଜାମ ଜିଲ୍ଲାର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟଶୈଳୀ ଓ ଚେକ୍ ପୋଷ୍ଟ୍ ଗୁଡ଼ିକ ବୁଲି ଦେଖିଥିଲେ ।