ଵ୍ରହ୍ମପୁର , ୪/୫- ଅବକାରୀ ଗୁଇନ୍ଦା ଟିମ ଗୁରୁବାର ଗଞ୍ଜାମ ଜିଲ୍ଲା ଚିକିଟି ଧାନଘର ନିକଟରୁ ୩୨୦ କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣକାରୀଙ୍କୁ ପୋଲିସ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ଦିଗପହଣ୍ଡି ଥାନା ଅନ୍ତର୍ଗତ ଅଢାସିଙ୍ଗି ଗ୍ରାମର ବିକ୍ରମ କୁମାର ସୁବୁଦ୍ଧି(୨୬)। ଜବତ ଗଞ୍ଜେଇ ମୁମ୍ବାଇ ଚାଲାଣ ହେଉଥିଲା ବୋଲି ଟିମ ପକ୍ଷରୁ ସୂଚନା ମିଳିଛି।
ଅବକାରୀ ମାମଲା ନମ୍ବର ୬୫/୨୩-୨୪ ଅନୁଯାଇ ବିକ୍ରମଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି।ଜବତ ଗଞ୍ଜେଇ, ଟ୍ରକ , କାର, ଗାଡ଼ିର ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ଅବକାରୀ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ ସୂଚନା ଦେଇଛନ୍ତି।ଘଟଣାରୁ ପ୍ରକାଶ ଯେ, ବୁଧବାର ବିଳମ୍ବିତ ରାତ୍ର ୪’ଟା ସମୟରେ ଚିକିଟି ଧାନଘର ଛକରୁ କେଲୁଆ ଛକ ମଧ୍ୟରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକରେ ଗଞ୍ଜେଇ ଭର୍ତ୍ତି କରାଯାଉଥିବା ନେଇ ଅବକାରୀ ଟିମ ଖବର ପାଇଥିଲା। ସେଠାରେ ଚଢ଼ାଉ କରି ଏକ ଟ୍ରକ ନମ୍ବର ଏଚଆର ୩୮କ୍ୟୁ – ୯୮୫୭ ଗାଡ଼ି ଯାଞ୍ଚ କରିଥିଲା। ସେଥିରେ ଥିବା ୬୪ ପକେଟରେ ଗଞ୍ଜେଇ ରହିଥିବା ବେଳେ ମୋଟ ୩୨୦ କେଜି ଗଞ୍ଜେଇ ଜବତ କରିଛି। ସେହିପରି ଏହି ଗଞ୍ଜେଇ ଚାଲାଣ ରେ ବ୍ୟବହୃତ ହୋଇଥିବା ଏକ କାର ନମ୍ବର ୟୁପି-୧୬ଏଜେ – ୯୯୯୮ , ଗୋଟିଏ ବୁଲେଟ ନମ୍ବର ଓଡ଼ି ୦୭ଏଜି- ୦୦୯୭ ଓ ଗୋଟିଏ ଟିଭିଏସ ଅପାଚି ନମ୍ବର ଓଡ଼ି ୩୨ଏଚ- ୩୩୬୧ ଗାଡି ଜବତ କରାଯାଇଛି। ଚଢଉରେ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ, ଏସଆଇ ଅଶୋକ ସାହୁ, ଏଏସଆଇ ବ୍ରଜବିହାରି ନାୟକ, ଅନ୍ତର୍ଯ୍ୟମି ସାହୁ, କନେଷ୍ଟେବଲ,ସୁଶାନ୍ତ ପାତ୍ର, କପିଳାଶ ଭତ୍ରା , କୁମୁଦ ଚନ୍ଦ୍ର ପ୍ରଧାନ , ବଳରାମ ଜେନା ସନ୍ତୋଷ ନାୟକ ପ୍ରମୁଖ ସାମିଲ ଥିଲେ।