କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ରାମଚଣ୍ଡୀଙ୍କ ନିଆରା ପର୍ବ ହାଣ୍ଡିଭଙ୍ଗା ଯାତ ଓ ମହାଲକ୍ଷ୍ମୀ ବେଶ ମା ରାମଚଣ୍ଡୀ ବଜାର କମିଟି ତରଫରୁ ଅନୁଷ୍ଠିତ ହୋଇଯାଇଛି। କାହିଁ କେଉଁ ଆବାହମାନ କାଳରୁ ଏହି ହାଣ୍ଡି ଭଙ୍ଗା ଯାତ ଧାର୍ମିକ ରୀତିନୀତି ଅନୁଯାୟୀ ପାଳିତ ହୋଇଆସୁଛି। ବୈଶାଖ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିର ଶେଷ ଗୁରୁବାର ପାରମ୍ପରିକ ରୀତିରେ ଟିକନା ଓ ଖାଲକାଟାପାଟଣା ଗାଁର ମହିଳାମାନେ ରାମଚଣ୍ଡୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ମହିଳାମାନେ ମନ୍ଦିର ପାର୍ଶ୍ୱରେ ହାଣ୍ଡିରନ୍ଧା ଚୂଲିରେ ଖେଚୁଡି ପ୍ରସ୍ତୁତ କରିଥିଲେ। ମାନସିକ ଧାରୀ ମହିଳା ମାନେ ବ୍ଯଞ୍ଜନ ପ୍ରସ୍ତୁତି କରିବା ପରେ ସେବନ କରିଥିଲେ। ଏହାପରେ ବଳକା ବ୍ଯଞ୍ଜନ ହାଣ୍ଡି ଧରି ହାଣ୍ଡି ଭଙ୍ଗା ବନ୍ତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ପୂଜକ ଖେଚୁଡ଼ି ହାଣ୍ଡିକୁ ଧରି ଆଗେଆଗେ ଯାଉଥିବା ବେଳେ ମହିଳାମାନେ ହୁଳହୁଳି ପକାଇ ହାଣ୍ଡିଭଙ୍ଗା ବନ୍ତରେ ପହଞ୍ଚିଥିଲେ। ବନ୍ତ ଚୂଡାରେ ଥିବା ଶିଳା ଚାରିପଟେ ୭ଥର ପରିକ୍ରମା କରିବା ପରେ ଶିଳା ଉପରେ ନିଜ ହାଣ୍ଡିକୁ କଚାଡି ଭାଙ୍ଗିଥିଲେ। ଏହାପରେ ମହିଳାମାନେ ଏକ ମୁହାଁ ହୋଇ ଗ୍ରାମଦେବତୀ ଖାଲକୋଠୀଙ୍କୁ ମୁଣ୍ଡିଆ ମାରି ଘରକୁ ଫେରିଥିଲେ। ଏହି ଅବସରରେ ମା’ଙ୍କ ପୀଠରେ ତିନି ଦିନ ଧରି ଚଣ୍ଡୀ ମହାଯଜ୍ଞ, ସଙ୍କୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ସନ୍ଧ୍ୟା ସମୟରେ କମିଟି ପକ୍ଷରୁ ହାଣ୍ଡି ଭଙ୍ଗା ଯାତ ଅବସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଭଜନ କାର୍ଯ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ କମିଟିର ସଭାପତି ଓ କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।