Odisha news

ଭାରତୀୟ ସ୍ୱାଧୀନତା ସଂଗ୍ରାମର ମହାନାୟକ ମହାତ୍ମାଗାନ୍ଧୀ

0

ଯଦୁମଣି ପାଣିଗ୍ରାହୀ : ଭାରତୀୟ ସ୍ୱାଧୀନତା ସଂଗ୍ରାମର ମହାନାୟକ, ସତ୍ୟ ଓ ଅହିଂସାର ପୂଜାରୀ, ସମାଜ ସଂସ୍କାରକ, ମାନବ ଜାତିର ପଥ ପ୍ରଦର୍ଶକ, ଜାତିର ପିତା ଭାବେ ପରିଗଣିତ ମହାତ୍ମାଗାନ୍ଧୀ କେବଳ ଭାରତବର୍ଷରେ ନୁହେଁ ବରଂ ସମଗ୍ର ମାନବଜାତିର ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି । ଯାହାଙ୍କ ନୀତି ଓ ଆଦର୍ଶକୁ ଆଜି ସମଗ୍ର ମାନବ ଜାତି ଗ୍ରହଣ କରିବା ସହିତ ସେହି ପଥରେ ପଥିକ ହେବାକୁ ଆଜି ବିନା ଦି୍ୱଧାରେ ମାନସିକ ପ୍ରସ୍ତୁତି ହୋଇ ସାରିିଛନ୍ତି କହିଲେ ଭୁଲ ହେବନାହିଁ । ମାନବବାଦର ପ୍ରବକ୍ତା ତଥା ଯୋଗଜନ୍ମା ମହାତ୍ମାଗାନ୍ଧୀଙ୍କ ଆବିର୍ଭାବ ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ଏକ ନୂତନ ଦିଗଦର୍ଶନ ଦେଇଥିଲା । ୧୭୫୭ରୁ ପୁଣି ୧୮୫୭ ଦୀର୍ଘ ଶହେ ବର୍ଷର ବି୍ରଟିଶ ଶାସକଙ୍କ ଅନ୍ୟାୟ ଓ ଅତ୍ୟାଚାର ଯେତେବେଳେ ଚରମସୀମାରେ ପହଞ୍ଚି ଥିଲା ସେତେବେଳେ ସିପାହୀ ବିଦ୍ରୋହ ହିଁ ସେମାନଙ୍କ ସ୍ୱେଚ୍ଛାଚାରିତା ଓ ଅହଙ୍କାରକୁ ଅନେକ ମାତ୍ରାରେ ଦମନ କରିବାରେ ସହାୟକ ହୋଇଥିଲା ।

୧୮୫୭ରୁ ଆରମ୍ଭ ହୋଇଥିବା୨ୟ ପର୍ଯ୍ୟାୟ ସଂଗ୍ରାମ ବ୍ରିଟିଶ ଶାସକଙ୍କ ମନୋବଳକୁ ହ୍ରାସ କରିବାରେ ସେତେଟା ପ୍ରଭାବୀ ହୋଇପାରି ନଥିଲା । କାରଣ ସିପାହୀ ବିଦ୍ରୋହ ପରେ ବି୍ରଟିଶ ଶାସକଙ୍କ ବିରୋଧରେ ଯେତେ ଆନେ୍ଦାଳନ ହୋଇଛି ସେସବୁ ସର୍ବଭାରତୀୟ ନଥିଲା ଅର୍ଥାତ ଆନେ୍ଦାଳନ ଦେଶର ସବୁ ଅଞ୍ଚଳକୁ ବ୍ୟାପୀ ପାରିନଥିଲା କି ସମସ୍ତେ ଏଥିରେ ଅଂଶଗ୍ରହଣ କରିବାର ସୁଯୋଗ ନଥିଲା । ତେଣୁ ଆନେ୍ଦାଳନକୁ ଦମନ କରିବାକୁ ବ୍ରିଟିଶ ଶାସକଙ୍କୁ ବିଶେଷ କଷ୍ଟ କରିବାକୁ ପଡିନଥଲା । ପରବର୍ତ୍ତୀ ସମୟରେ ୧୮୮୫ରେ ଭାରତୀୟ ଜାତୀୟ କଂଗ୍ରେସ ଗଠନ ହେବା ଓ ଏକ ନିର୍ଦ୍ଦିଷ୍ଟ ସଙ୍ଗଠନ ମାଧ୍ୟମରେ ଯୋଜନାବଦ୍ଧ ତଥା ଶୃଙ୍ଖଳିତ ଭାବେ ସଂଗ୍ରାମକୁ ପରିଚାଳନା କରିବାର ସୁଯୋଗ ଆସିଲା । କେବଳ ସେତିକିନୁହେଁ ଭାରତୀୟ ମାନଙ୍କ ଭିତରେ ଧୀରେ ଧୀରେ ଜାତୀୟ ଚେତନାର ଉଦ୍ରେକ ବି ହୋଇଥିଲା ।

ତେବେ ଏକ ଘଡିସନ୍ଧି ସମୟ ଦେଇ ସଂଗ୍ରାମ ଆଗକୁ ବଢି ଚାଲିଥିବା ବେଳେ ୧୯୧୫ରେ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରୁ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ । ଦକ୍ଷିଣ ଆଫ୍ରକାରେ ଭାରତୀୟ ମାନଙ୍କ ସମସ୍ୟା ଗୁଡିକୁ ଅନେକାଂଶରେ ସମାଧାନ କରିବାରେ ସକ୍ଷମ ହୋଇଥିବା ଓ ସତ୍ୟ ଓ ଅହିଂସାର ଅମୋଘ ଅସ୍ତ୍ରକୁ ସେଠାରେ ପ୍ରୟୋଗ କରି ସଫଳ ହୋଇଥିବା ଗାନ୍ଧଜୀଙ୍କ ପ୍ରତ୍ୟାବର୍ତ୍ତନ ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ନୂତନ ଦିଗଦର୍ଶନ ଦେଇଥିଲା । ଭାରତୀୟ ମାନେ ଦୀର୍ଘର ପରାଧୀନତାର ଅର୍ଗଳି ମଧ୍ୟରୁ ଉଦ୍ଧାର ପାଇବାର ସବୁ ଭରସା ଓ ବିଶ୍ୱାସକୁ ହରାଇ ବସିଥିବା ବେଳେ ଗାନ୍ଧିଜୀଙ୍କ ଆଗମନ ସେମାନଙ୍କ ଭିତରେ ନୂତନ ଉନ୍ମାଦନା ସୃଷ୍ଟି କରାଇଥିଲା ।

ଗାନ୍ଧିଜୀଙ୍କ ଆହ୍ୱାନ ଯାଦୁମନ୍ତ୍ର ଭଳି ଏ ଦେଶର ଅଗଣିତ ଲୋକଙ୍କୁ ସଂଗ୍ରାମ ପ୍ରତି ସ୍ୱତଃ ଆକୃଷ୍ଟ କରାଇ ପାରିଥିଲା । ଗାନ୍ଧିଜୀଙ୍କ ନୀତି, ଆଦର୍ଶ, ଆଚରଣ ଓ କାର୍ଯ୍ୟଶୈଳୀ ଧୀରେ ଧୀରେ ସାରା ଦେଶବାସୀଙ୍କ ମଧ୍ୟରେ ପ୍ରସାରିତ ହେବା ପରେ ଦେଶବାସୀ ତାଙ୍କ କଥାକୁ ଗୁରୁମନ୍ତ୍ର ସଦୃଶ ଗ୍ରହଣ କରି ତାଙ୍କ ଡାକରାରେ ଲଢେଇ ପାଇଁ ଆଗେଇ ଆସିଥିଲେ । ୧୯୧୫ରୁ ଠାରୁ ପୁଣି୧୯୪୭ ଦେଶ ସ୍ୱାଧୀନ ହେବା ଯାଏଁ ପ୍ରାୟ ୩ ଦଶନ୍ଧିର ଅବଧି ମଧ୍ୟରେ ଗାନ୍ଧିଜୀ ବ୍ରିଟିଶ ବିରୋଧୀ ଆନେ୍ଦାଳନର ଗତିକୁ ଅଧିକ ପ୍ରଖର କରି ପାରିଥିଲେ । ସତ୍ୟ ଓ ଅହିଂସାକୁ ତାଙ୍କ ଆନେ୍ଦାଳନର ପ୍ରଧାନ ଆୟୁଧ ଭାବେ ଗ୍ରହଣ କରି ଏହାରି ମାଧ୍ୟମରେ ଆନେ୍ଦାଳନ ଚଳାଇଥିଲେ ।

ଭାରତୀୟ ମାନଙ୍କୁ ଜାତୀୟତା ମନ୍ତ୍ରରେ ଉଦବୁଦ୍ଧ କରାଇବା ସହିତ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଲଢେଇ ଜାରି ରଖିବାକୁ ଯୋଜନା ପ୍ରସ୍ତୁତ କରି ସେହି ଅନୁସାରେ ସଂଗ୍ରାମ ଆରମ୍ଭ କରିଥିଲେ । ସମଗ୍ର ଭାରତବର୍ଷର କୋଣ ଅନୁକୋଣ ଗସ୍ତ କରି ଭାରତୀୟଙ୍କ ମନରେ ଏକ ନୂତନ ଆଶା ସଞ୍ଚାର କରାଇ ପାରିଥିଲେ ସେ । ଦୀର୍ଘ ବର୍ଷର ପରାଧୀନତା ଭିତରେ ରହି ଏକରକମ ସ୍ୱାଧୀନତାର ଆଶା ଛାଡି ଦେଇଥିବା ଭାରତୀୟ ମାନଙ୍କୁ ସଙ୍ଗଠିତ କରି ୧୯୨୦ରେ ଅସହଯୋଗ, ୧୯୩୦ରେ ଆଇନ ଅମାନ୍ୟ ଓ ୧୯୪୨ରେ ଭାରତଛାଡ ଆନେ୍ଦାଳନ ମାଧ୍ୟମରେ ବ୍ରିଟିଶ ମାନଙ୍କ ମନୋବଳକୁ ଭାଙ୍ଗି ଦେବା ସହ ଭାରତର ସ୍ୱାଧୀନତାର ପଥକୁ ପରିଷ୍କାର କରିବାରେ ସମର୍ଥ ହୋଇଥିଲେ ଗାନ୍ଧିଜୀ । ଆଉ ଶେଷରେ ବ୍ରିଟିଶ ମାନଙ୍କୁ ଭାରତ ମାଟିରୁ ହଠାଇ ଦେବାକୁ ବାଧ୍ୟ କରିଥିଲେ । ତେବେ ଭାରତୀୟ ସ୍ୱାଧୀନତା ଆନେ୍ଦାଳନ ସହିତ ଗାନ୍ଧିଜୀ ଭାରତୀୟ ସମାଜରେ ରହିଥିବା ଅନେକ କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ଦୂର କରିବା ଦିଗରେ ନିରନ୍ତର ଉଦ୍ୟମ କରିଥିଲେ ।

ଭାରତବାସୀଙ୍କ ହୃଦୟରେ ନୈତିକ, ଆଧ୍ୟାତ୍ମିକ ଓ ବୌଦ୍ଧିକ ଚେତନାକୁ ଜାଗ୍ରତ କରାଇବା, ସେମାନଙ୍କ ମନୋବଳକୁ ଦୃଢ କରାଇବା ସହିତ ସେମାନଙ୍କୁ ଉଚ୍ଚ ମୂଲ୍ୟବୋଧର ଶିକ୍ଷା ପ୍ରଦାନ କରିବା ସର୍ବୋପରି ସେମାନଙ୍କ ଆତ୍ମ ନିର୍ଭରଶୀଳ କରାଇବା ଦିଗରେ ଅନେକ ପଦକ୍ଷେପ ମାନ ନେଇଥିଲେ । ସମାଜରୁ ଛୁଆଁଅଛୁଆଁ ଭେଦଭାବ ଦୂର କରିବା, ନିଶା ନିବାରଣ,ସ୍ୱାସ୍ଥ୍ୟ ରକ୍ଷା ଲାଗି ପରିଷ୍କାର ପରିଚ୍ଛନ୍ନତା, ନାରୀ ଶିକ୍ଷା ଓ ସୁରକ୍ଷା ଆଦି ଉପରେ ସେ ଯଥେଷ୍ଟ ଗୁରୁତ୍ୱ ଦେଇଥିଲେ । ସେହିପରି ମୌଳିକ ଶିକ୍ଷାର ପ୍ରଚଳନ, କୃଷିର ଉନ୍ନତି ଓ କୁଟୀର ଶିଳ୍ପକୁ ମଧ୍ୟ ସେ ବିଶେଷ ଗୁରତ୍ୱ ଦେଉଥିଲେ । ସମାଜର ସବୁଠାରୁ ତଳ ପାହାଚରେ ଥିବା ମଣିଷ ମାନଙ୍କର ସର୍ବାଙ୍ଗୀନ ବିକାଶ ସହିତ ଗାଁ ଗହଳିର ବିକାଶ ନେଇ ସେ ସର୍ବଦା ଚିନ୍ତା ପ୍ରକଟ କରୁଥିଲେ । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମାଜରେ ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ମିଳିବା ସାଙ୍ଗକୁ ସମସ୍ତଙ୍କୁ ସାମାଜିକ ନ୍ୟାୟ ଓ ସୁଖଶାନ୍ତି ଯେପରି ପ୍ରାପ୍ତ ହୁଏ ସେଥିଲାଗି ସେ ପ୍ରୟାସ କରିଥିଲେ ।

ସ୍ୱାଧୀନତା ପ୍ରାପ୍ତି ପରେ ଏ ଦେଶରେ ରାମରାଜ୍ୟର ପ୍ରତିଷ୍ଠା କରିବାର ସ୍ୱପ୍ନରେ ଗାନ୍ଧିଜୀ ବିଭୋର ଥିଲେ ମଧ୍ୟ ତାହା ଯେ ଅଧୂରା ରହିବ ଏକଥା ସେ ଜୀବିତା ଅବସ୍ଥାରେ ହୃଦୟଙ୍ଗମ କରିଥିଲେ । କାରଣ ଭାରତ ସ୍ୱାଧୀନତା ପ୍ରାପ୍ତି ହେବା ପୂର୍ବରୁ ତତକାଳୀନ ନେତୃବୃନ୍ଦଙ୍କ ମଧ୍ୟରେ ନିହିତ ଥିବା ନ୍ୟସ୍ତ ସ୍ୱାର୍ଥକୁ ସେ ବେଶ ଭଲ ଭାବେ ନିରୀକ୍ଷଣ କରି ପାରିଥିଲେ ।

ତେଣୁ ଦେଶ ଯେତେବେଳେ ସ୍ୱାଧୀନତାର ଆନନ୍ଦରେ ଆନନ୍ଦିତ ହେଉଥିଲା ସେତେବେଳେ ସେ ଏକ ନିର୍ଜନ କୋଠରୀରେ ଚୁପଚାପ ବସି ରହି ଆକôରୁ ଲୁହ ଗଡାଉଥିଲେ । ଦେଶର ଅଗଣିତ ସ୍ୱାଧୀନତାକାମୀ ଲୋକଙ୍କର ଯେ ଆଶା ପୂରଣ ହୋଇ ପାରିବନି ଏହା ସେ ବେଶ ଭଲ ଭାବେ ବୁଝି ସାରିଥିଲେ । ସେ ଯାହାହେଉ ମହାତ୍ମାଗାନ୍ଧୀଙ୍କ ବିନା ଯେ, ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସ ଅପୂର୍ଣ୍ଣ ରହି ଯାଇଥାନ୍ତା ଏହା ଅନସ୍ୱୀକାର୍ଯ୍ୟ ।

ଆଜି ଗାନ୍ଧିଜୀ ଆମ ଗହଣରେ ନାହାନ୍ତି । ତାଙ୍କ ସ୍ୱପ୍ନର ଭାରତ ଗଠନକୁ ସାକାର କରିବାକୁ ଦଳ ମତ ନିର୍ବିଶେଷରେ ପ୍ରୟାସ କରାଯିବା ଆବଶ୍ୟକ । ତାଙ୍କ ଆଦର୍ଶକୁ ଆଜିର ଯୁବ ପିଢି ମାନି ଚଳିଲେ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ହେବା ସହିତ ସାମାଜିକ ଶାନ୍ତି ଓ ସହାବସ୍ଥାନ ପ୍ରତିଷ୍ଠା ହୋଇପାରିବ । ତାଙ୍କ ପ୍ରଦର୍ଶିତ ସତ୍ୟ ଓ ଅହିଂସାର ମାର୍ଗ ଆଜିର ସମୟ ପାଇଁ ପୁଣି ଥରେ ଜରୁରୀ ବୋଲି ଅନେକ ବୁଝି ସାରିଥିବା ବେଳେ ଏହାକୁ କାର୍ଯ୍ୟରେ ଲଗାଇବାକୁ ଆଉ ଡେରି କରିବା ଅନାବଶ୍ୟକ ।

Leave A Reply