ଭୁବନେଶ୍ୱର, ଗୁଡିଆପୋଖରୀ (ବ୍ରହ୍ମାକୁମାର ବିଜୟ) :ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଇତିହାସରେ ଅଗଷ୍ଟ ୨୫ ତାରିଖକୁ ବିଶ୍ୱ ବନ୍ଧୁତ୍ୱ ଦିବସ ରୂପେ ପାଳନ କରାଯାଉଛି । ୨୦୦୭ ମସିହା ଅଗଷ୍ଟ ୨୫ ତାରିଖ ଦିନ ସଂସ୍ଥାର ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଦାଦି ପ୍ରକାଶମଣୀଙ୍କର ଦେହାନ୍ତ ହୋଇଥିଲା । ସେହିଦିନଠାରୁ ଏହି ଦିନକୁ ବିଶ୍ୱ ବନ୍ଧୁତ୍ୱ ଦିବସ ରୂପେ ପାଳନ କରାଯାଉଛି ।
୧୯୩୬ ମସିହାରେ ପ୍ରଜାପିତା ବ୍ରହାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ପିତାଶ୍ରୀ ପ୍ରଜାପିତା ବ୍ରହ୍ମାଙ୍କଦ୍ୱାରା ପରିଚାଳିତ “ଓଁ ମଣ୍ଡଳୀ” ବ୍ରହ୍ମାବାବାଙ୍କ ନିଜ ଘରେ ଅର୍ଥାତ୍ ପାକିସ୍ଥାନସ୍ଥିତ ହାଇଦରାବାଦ ସିନ୍ଧ୍ରେ ଆରମ୍ଭ ହୋଇଥିଲା । ସେଠାରେ ପ୍ରତିଦିନ ସନ୍ଧ୍ୟାରେ ଓଁ ଧ୍ୱନି କରାଯାଉଥାଏ । ବ୍ରହ୍ମାବାବାଙ୍କର ନିଜ ସମ୍ପର୍କୀୟ ମାନେ ଏଥିରେ ଯୋଗ ଦେଇ ଭିନ୍ନ ଭିନ୍ନ ସାକ୍ଷାତକାର ଅନୁଭବ କରୁଥିଲେ । କାହାକୁ ମୟୂର ମୁକୁଟଧାରୀ ଶ୍ରୀକୃଷ୍ଣଙ୍କର, କାହାକୁ ଲକ୍ଷ୍ମୀ-ନାରାୟଣଙ୍କର, କାହାକୁ ସତ୍ୟଯୁଗୀ ନୂଆ ଦୁନିଆର ଦିବ୍ୟ ସାକ୍ଷାତକାର ମାନ ହୋଇଥାଏ ।
୧୯୨୦ ମସିହାରେ ୧୬ ବର୍ଷ ବୟସରେ ଦାଦି ପ୍ରକାଶମଣୀଙ୍କର ଆବିର୍ଭାବ ହୁଏ । ସେ ତାଙ୍କ ମାଆଙ୍କ ସହିତ ବ୍ରହ୍ମାବାବାଙ୍କ ଘରେ ଆସି ଓଁ ଧ୍ୱନୀରେ ଅଂଶଗ୍ରହଣ କରି ବ୍ରହ୍ମାବାବାଙ୍କୁ ଦେଖି ମୂରଲୀ ମନୋହର ଶ୍ରୀକୃଷ୍ଣଙ୍କ ବଂଶୀବାଦନ କରୁଥିବାର ଏବଂ ନାଚ କରୁଥିବାର ଅନୁଭବ କରିଥିଲେ । ସେ ସିନ୍ଧ୍ର ଏକ ଉଚ୍ଚ ସମ୍ଭ୍ରାନ୍ତ ପରିବାର ଓ ଭକ୍ତି ସଂସ୍କାରର ପରିବାରରେ ବାପା-ମାଆଙ୍କର ୪ର୍ଥ କନ୍ୟା ରୂପେ ଜନ୍ମ ନେଇଥିଲେ । ତାଙ୍କ ପିଲାଦିନର ନାମ ରାମା ଥିଲା । ତାଙ୍କ ବାପା ଜ୍ୟୋତିଷ୍କ ବିଦ୍ୟାରେ ନିପୁଣ ଥିବାରୁ ଦାଦିଙ୍କର ଜନ୍ମ ବେଳେ ସେ ତାଙ୍କୁ ମୀରା ରୂପରେ ଅନୁଭବ କରୁଥିଲେ ଏବଂ ଜାଣି ପାରିଥିଲେ ଯେ ସେ ଭବିଷ୍ୟତରେ ଏକ ଖ୍ୟାତନାମା ସନ୍ନ୍ୟାସିନୀ ରୂପେ ପରିଚିତ ହେବେ । ସେ ଯେତେବେଳେ ମାଟ୍ରିକ୍ ପାଶ୍ କଲେ ତା ପରେ ମାଆଙ୍କ ସହିତ ନିତ୍ୟ ପ୍ରତିଦିନ ସତ୍ସଙ୍ଗ କରିବା ନିମନ୍ତେ ବ୍ରହ୍ମାବାବାଙ୍କ ଘରକୁ ଯିବା ଆରମ୍ଭ କରିଥିଲେ । ତାଙ୍କୁ ଓଁ ଧ୍ୱନି କରିବାରେ ବହୁତ ଆନନ୍ଦ ମିଳୁଥାଏ ।
ବ୍ରହ୍ମା ବାବା ମଧ୍ୟ ଅନୁଭବ କଲେକି ଉକ୍ତ କନ୍ୟା ଭବିଷ୍ୟତରେ ପରମାତ୍ମାଙ୍କର ଅନେକ ସେବା କରିବେ ଏବଂ ଦାଦି କିଛିି ଦିନ ପରେ ଓଁ ମଣ୍ଡଳୀରେ ସମର୍ପିତ ହୋଇ, ବ୍ରହ୍ମା ବାବା ଓଁ ମଣ୍ଡଳୀ ପାଇଁ ଯେଉଁ ଛାତ୍ରାବାସ ଖୋଲିଥିଲେ, ସେଥିରେ ସେ ଶିକ୍ଷୟିତ୍ରୀ ରୂପେ ଦାୟିତ୍ୱ ସମ୍ପାଦନ କଲେ । ସେଠାକୁ ଆସୁଥିବା କୁମାରୀ କନ୍ୟା ମାନଙ୍କୁ ଈଶ୍ୱରୀୟ ଜ୍ଞାନ ସହିତ ଶାରିରୀକ ଶିକ୍ଷା ମଧ୍ୟ ପ୍ରଦାନ କରିଚାଲିଲେ । ସେ ବ୍ରହ୍ମାବାବାଙ୍କ ସହିତ ୧୪ ବର୍ଷ କାଳ କରାଚି ସଂଗଠନରେ ରହି ଜୀବନଯାପନ କରିଥିଲେ । ସେତେବେଳେ ମାତା-କନ୍ୟା-ଭାଇ ଏପରି ୩୮୫ ଜଣ ଶିକ୍ଷାଲାଭ କରୁଥିଲେ । ପରେ ୧୯୫୦ରେ ଭାରତ ସ୍ୱାଧୀନତା ଲାଭ ପରେ ମାଉଂଟ୍ ଆବୁ ଫେରି ପରମପିତା ପରମାତ୍ମା ତ୍ରିମୂର୍ତୀ ଶିବଙ୍କ ନିଦେ୍ର୍ଦଶରେ ପ୍ରଜାପିତା ବ୍ରହ୍ମା ଓ ମାତେଶ୍ୱରୀ ଜଗଦମ୍ବା ସରସ୍ୱତୀଙ୍କ ତତ୍ୱାବଧାନରେ ମୁଖ୍ୟାଳୟ ମାଉଂଟ୍ ଆବୁରେ ସ୍ଥାପନା ହୋଇଥିଲା । ମାତେଶ୍ୱରୀ ଜଗଦମ୍ବାଙ୍କର ସେ ଅତିଘନିଷ୍ଠ ସହପାଠିନୀ ଥିଲେ ଏବଂ ଦୁହେଁ ଏକାଠି ପାଠ ପଢି ମାଟ୍ରିକରେ ଫାଷ୍ଟ ଡିଭିଜନ ପାଇଥିଲେ ।
ଓଁ ମଣ୍ଡଳୀର ବିଶେଷତା ଥିଲା କି ଏହା ଏକ ଯଜ୍ଞ ରୂପେ କାମ କରୁଥିଲା । ଏହାର ନାମ ରାଜସ୍ୱ ଅଶ୍ୱମେଧ ଅବିନାଶୀ ଋଦ୍ର ଗୀତା ଜ୍ଞାନ ଯଜ୍ଞ ରଖାଯାଇଥିଲା । ୧୯୩୭ରୁ ୧୯୬୫ ପର୍ଯ୍ୟନ୍ତ ମାତେଶ୍ୱରୀ ଜଗଦମ୍ବା ଏହାର ପ୍ରଥମ ମୁଖ୍ୟ ପ୍ରଶାସିକା ଏବଂ ଯଜ୍ଞ ମାତା ରୂପେ ପରିଚିତ ଥିଲେ । ୧୯୬୫ରେ ମାତେଶ୍ୱରୀଙ୍କ ଦେହାନ୍ତପରେ ଦିଦି ମନମୋହିନୀଙ୍କୁ ଯଜ୍ଞ ମାତା ରୂପେ ସଂସ୍ଥାର ଦାୟିତ୍ୱ ଦିଆଗଲା । ୧୯୬୯ ରେ ପ୍ରଜାପିତା ବ୍ରହ୍ମାଙ୍କ ଅବ୍ୟକ୍ତ ହେବା ପରେ ଦାଦି ପ୍ରକାଶମଣୀ ସଂସ୍ଥାର ମୁଖ୍ୟ ପ୍ରଶାସିକା ରୂପେ ପରିଚାଳନା ଦାୟିତ୍ୱ ନେଲେ । ସେ ସେହି ପଦରେ ୧୯୬୯ ମସିହା ଜାନୁୟାରୀ ୧୮ ତାରିଖରୁ ୨୦୦୭ ମସିହା ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩୮ ବର୍ଷ ରହି ସହଜ ରାଜଯୋଗ ଶିକ୍ଷା ଏବଂ ଈଶ୍ୱରୀୟ ସେବା କ୍ଷେତ୍ରରେ ସଂସ୍ଥାର କଳେବରକୁ ବିସ୍ତାର କରିଥିଲେ । ସଂସ୍ଥା ମଧ୍ୟ ସମାଜରେ ବହୁତ ଉଚ୍ଚ ପ୍ରଶଂସିତ ହେବାକୁ ଲାଗିଲା । ବ୍ରହ୍ମାବାବାଙ୍କ ସମୟରେ ସଂସ୍ଥାରେ କେତୋଟି ହାତ ଗଣତି ସେବା କେନ୍ଦ୍ର ଖୋଲା ଯାଇଥିଲା । ଦାଦିଙ୍କ ସମୟରେ ସେବାର କାୟା ବିସ୍ତାରିତ ହୋଇ ବିଶ୍ୱରେ ପ୍ରାୟ ୮୫୦୦ ସେବା କେନ୍ଦ୍ର ଏବଂ ନଅ ଲକ୍ଷ ଭାଇଭଉଣୀ ଈଶ୍ୱରୀୟ ନିୟମରେ ପରିଚାଳିତ ହୋଇ ଜୀବନକୁ ପରିବର୍ତନ କରିଥିଲେ । ଭାରତ ବାହାରେ ପ୍ରାୟ ୧୩୭ଟି ଦେଶରେ ଶାଖା କେନ୍ଦ୍ର ମାନ ଖୋଲା ଯାଇ ଲଣ୍ଡନରେ ମୁଖ୍ୟ କେନ୍ଦ୍ର ରୂପେ ଦାଦି ଜାନକୀଙ୍କୁ ପରିଚାଳନା ଦାୟିତ୍ୱ ଦିଆଗଲା ।
୧୯୫୪ ମସିହାରେ ଦାଦିଙ୍କ ସହିତ ୪ ଜଣ ଜାପାନ ଯାଇ ବିଦେଶରେ ବାବାଙ୍କର ପ୍ରଥମ ଶାଖା କେନ୍ଦ୍ର ସ୍ଥାପନା କଲେ । ଏହା ପରେ ୧୯୭୨ ମସିହାରୁ ବିଦେଶ ସେବା ରୀତିମତ ଭଗିନୀ ଜୟନ୍ତୀକୁ ନେଇ ବିସ୍ତାରିତ ହେଲା । ଦାଦିଙ୍କ ସମୟରେ ୧୯୮୩ ମସିହାରେ ଓଁ ଶାନ୍ତି ଭବନ ଆରମ୍ଭ ହୋଇ ଅନ୍ତରାଷ୍ଟ୍ରୀୟ କନଫରେନ୍ସର ଶୁଭ ଉଦ୍ଘାଟନ ହେଲା । ଓଁ ଶାନ୍ତି ଭବନ ପରେ ଜ୍ଞାନସରୋବର, ଗ୍ଲୋବାଲ ହସ୍ପିଟାଲ, ପିସ୍ ପାର୍କ, ମ୍ୟୁଜିୟମ୍, ଶାନ୍ତିବନ, ମନମୋହିନୀ କମ୍ପ୍ଲେକ୍ସ୍, ଟ୍ରମା ସେଂଟର, ସେବା କ୍ଷେତ୍ରରେ ଭିନ୍ନ ଭିନ୍ନ ବର୍ଗିକରଣର ସେବା ମଧ୍ୟ ଆରମ୍ଭ ହେଲା । ବର୍ଷକୁ ଥରେ ମୁଖ୍ୟ ମୁଖ୍ୟ ଭାଇ ଭଉଣୀ ମାନଙ୍କର ବାର୍ଷିକ ମିଟିଂ ମଧ୍ୟ କରାଗଲା । କୁମାରୀ, କୁମାର, ଗୃହସ୍ଥି, ମାତାମାନଙ୍କର ମଧ୍ୟ ଆଧ୍ୟାତ୍ମିକ ଶିକ୍ଷାକୁ ଉନ୍ନତ କରାଇବା ନିମନ୍ତେ ଯୋଗ ଭଟି, ୧୫ ବର୍ଷ ତଳକୁ ଛୋଟ ଛୋଟ ପିଲାଙ୍କ ପାଇଁ ବାର୍ଷିକ ସମ୍ମିଳନୀ, (ଚିଲଡ୍ରେନସ୍ ପ୍ରୋଗାମ) ମଧ୍ୟ ଆୟୋଜନ କରାଗଲା ।
ଦାଦିଙ୍କ ଉଦ୍ୟମରେ ପ୍ରତିବର୍ଷ ଯୋଗ ଶିବିର, ଶିବ ବାବାଙ୍କ ଅବତରଣ ପ୍ରୋଗାମ ମଧ୍ୟ ଶୁଭାରମ୍ଭ ହେଲା । ଏହାଦ୍ୱାରା ସାରା ବିଶ୍ୱରୁ ଗଣ୍ୟ ମାନ୍ୟ ବ୍ୟକ୍ତି ବିଶେଷଙ୍କର ମୁଖ୍ୟାଳୟକୁ ଆଗମନ ହେଲା । ମାଉଂଟ୍ଆବୁ ବିଶ୍ୱର ଆଲୋକସ୍ତମ୍ଭ ରୂପେ ମାର୍ଗଦର୍ଶନ କରାଇବା ପାଇଁ ପ୍ରସିଦ୍ଧି ଲାଭ କଲା । ସେବା କେନ୍ଦ୍ର ପରିଚାଳିକାଙ୍କ ପାଇଁ ବିଶେଷ ପ୍ରଶିକ୍ଷଣ ଦେବା ପାଇଁ ପ୍ରତିବର୍ଷ ସେମାନଙ୍କ ପାଇଁ ଟ୍ରେନିଂ ପ୍ରୋଗାମ, ଆକାଉଂଟସ୍ ଏବଂ ଅଡିଟ୍ ପାଇଁ ମଧ୍ୟ ଟ୍ରେନିଂ ଦିଆଗଲା । ସାରା ଭାରତରେ ଯୁବ ପଦଯାତ୍ରାର ଶୁଭାରମ୍ଭ ହୋଇ, ସାଇକେଲ ଯାତ୍ରା ମଧ୍ୟ ଭାରତର ବିଭିନ୍ନ ପ୍ରାନ୍ତରୁ ଆରମ୍ଭ ଦିଲ୍ଲୀରେ ବଡ ପ୍ରୋଗ୍ରାମକରି ସମାପ୍ତି ସମାରୋହ ଅନୁଷ୍ଠିତ ହୋଇଥିଲା । ମିଲିୟନ୍ ମିନିଟସ୍ ପିସ୍ ଆପିଲ, ବିଶ୍ୱଶାନ୍ତି ନିମନ୍ତେ ଦାଦିଙ୍କୁ ୬ଟି ପିସ୍ ମେସେଞ୍ଜର ଆୱାର୍ଡ ମିଳିଥିଲା । ଜାତିସଂଘର ଆସିଷ୍ଟାଂଟ୍ ସେକ୍ରେଟାରୀ ଜେନେରାଲ ମଧ୍ୟ ଦାଦିଙ୍କୁ ସମ୍ମାନିତ କରିଥିଲେ । ଜାତିସଂଘ ତରଫରୁ ବ୍ରହ୍ମାକୁମାରୀ ସଂସ୍ଥାକୁ ବିଶେଷ ମାନ୍ୟତା ପ୍ରଦାନ କରାଗଲା । ଏଥିପାଇଁ ଜାତିସଂଘରେ ରାଜଯୋଗିନୀ ବ୍ରହ୍ମାକୁମାରୀ ମୋହିନୀ ଅସ୍ଥାୟୀ ସଦସ୍ୟ ରୂପେ ଅବସ୍ଥାନ କରିଥିଲେ ।
ଭାରତରେ ଅନେକ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତି, କେନ୍ଦ୍ରମନ୍ତ୍ରୀ ଗଣ, ରାଜ୍ୟମନ୍ତ୍ରୀ ଗଣ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ମାନେ, ବିଚାରପତିଗଣ, ମୁଖ୍ୟସଚିବ, ସଚିବ, ବିଭିନ୍ନ ଦେଶର ହାଇକମିଶନର, ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ମେୟର, ବାଚସ୍ପତି, ଉପବାଚସ୍ପତି, ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ସମୁହ, ସାଂସଦ, ବିଧାୟକ, ଭାରତ ସରକାରଙ୍କର ଉଚ୍ଚପଦାଧିକାରୀ ରାଜ୍ୟମାନଙ୍କରେ ଉଚ୍ଚପଦାଧିକାରୀ, ବିଶିଷ୍ଟ ରାଜନେତା, ବୈଜ୍ଞାନିକ, ଅଭିନେତା, ଅଭିନେତ୍ରୀ, ସ୍ପୋର୍ଟସରେ ଭିନ୍ନ ଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ମାନେ ମାଉଂଟ୍ଆବୁ ପରିଦର୍ଶନରେ ଆସି ଦାଦିଙ୍କ ସହିତ ମିଶି ଆଶିର୍ବାଦ ନେଇଯାଉଥିଲେ । ରାଜସ୍ଥାନ ସ୍ଥିତ ସୁଖାଡିଆ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ଡକ୍ଟରେଟ୍ ପ୍ରାପ୍ତ ହୋଇଥିଲା ।
ସେ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ମଦରଟେରେସା, ଦଲାଇଲାମା, ବିଭିନ୍ନ ବିଶ୍ୱବିଦ୍ୟାଳୟ କୂଳପତି, ବିଭିନ୍ନ ରାଷ୍ଟ୍ରର ମେୟରଙ୍କ ସହିତ ମିଶି ତାଙ୍କୁ ବାବାଙ୍କର ପରିଚୟ ଦେଇ ଆପଣାର କରିପାରିଥିଲେ ।
ଦାଦିଜୀ ବାବାଙ୍କର ସମସ୍ତ ଗୁଣର ଓ ବିଶେଷତାର ଅଧିକାରୀ ହୋଇ ନିଜ ଜୀବନରେ ଧାରଣ କରିପାରିଥିଲେ ଜନ୍ମରୁ ତାଙ୍କର ଲିଡରସିପ କ୍ୱାଲିଟି ରହିଥିଲା । ସେଥିପାଇଁ ସେ ବିଶ୍ୱବନ୍ଦନୀୟା, ବିଶ୍ୱଜନନୀ, ସର୍ଦାସ୍ନେହୀ, ସର୍ବଂଶତ୍ୟାଗୀ, ନିର୍ମୋହି, ନିରହଂକାରୀ, ନିରାକାରୀ, ନିର୍ବିକାରୀ, ନିର୍ମଳ ସ୍ୱଭାବବାଦୀ, ଦୟାଶୀଳା,ନିଷ୍କପଟୀ, ପରମ ସୌଭାଗ୍ୟଶାଳୀ, ବିଶ୍ୱ କଲ୍ୟାଣକାରୀ କ୍ଷମାପ୍ରଦାୟିନୀ, ସେ କେବେ ମୁଁ ଏବଂ ମୋର ବୋଲି କହନ୍ତିନି, ସଦାବେଳେ ଏ ସଂସ୍ଥା ବାବାଙ୍କର ଏବଂ ନିଜର ବିଚାରକୁ ଦାଦିଙ୍କ ବିଚାର ବୋଲି କହନ୍ତି, ସମସ୍ତଙ୍କ ସହିତ ମିଳନ ସାର, ରମଣିକ, ସମସ୍ତଙ୍କୁ ସମ୍ମାନ ଦେଇଥିଲେ, ବାଲବ୍ରହ୍ମଚାରୀଣି, ସଦାହର୍ଷିତମୁଖି, ଭଗବାନଙ୍କ ଉପରେ ସଦା ଅତୁଟ ବିଶ୍ୱାସ, ଧୈର୍ଯ୍ୟତା, ସହନଶୀଳତା, ନମ୍ରତା, ପରୋପକାରୀ, ୮୭ ବର୍ଷ ଜୀବନ କାଳରେ ସେ ଗୋଟିଏ ଶବ୍ଦ ମିଛ କହିନାହିାଁନ୍ତି । କେବେ ଥକି ଯିବାର କେହି ଦେଖିନାହାନ୍ତି, ନିର୍ମାଣତା ନିର୍ଭିକତା, ନଶ୍ଚୟ, ନିଶ୍ଚିନ୍ତତା, ନିର୍ବିଘ୍ନ, ନିର୍ମଳ ବାଣୀ, ନିଃସାର୍ଥଭାବ, ସମସ୍ତଙ୍କ ପାଇଁ ପ୍ରେରଣା ପ୍ରଦାୟକ ଓ ଆଦର୍ଶ ଥିଲେ । ପ୍ରକୃତିଜିତ୍, ନୃତ୍ୟ, ଗୀତ, ସଂଗୀତରେ ବହୁତ ରୂଚି ରଖିଥିଲେ ।
ବିଶାଳ ହୃଦୟର ମାଲିକ ଥିଲେ । ସହନଶୀଳତାର ପ୍ରତିମୂର୍ତୀ, ଉମଙ୍ଗ ଉତ୍ସାହରେ ଭରପୁର, ଦାଦିଙ୍କ ବିନା ଏବେ ମଧୁବନ ଶୂନଶାନ୍ ଲାଗୁଛି । ଦାଦିଙ୍କର ଚରଣ ପଡିଲେ ଚୈତନ୍ୟ ଫୁଲବାଡି ହସି ଉଠୁଥିଲା । ଦାଦି ଦିବ୍ୟଗୁଣର ଖଣିଥିଲେ । ଦାଦିଙ୍କ ଜୀବନ ଶିକ୍ଷଣୀୟ ଭରିରହିଥିଲା । ଦାଦିଙ୍କର ବାଣୀ ସଦା ବରଦାନ ଥିଲା । ସତ୍ୟତା ଏବଂ ପବିତ୍ରତାର ଦେବୀ ଥିଲେ । ଭିତର ବାହାର ସଦା ଏକ ଥିଲା । କର୍ମାତୀତ ଅବସ୍ଥାରେ ପହଁଚି ସାରିଥିଲେ । ସଦା ନିଜ ସେବା ଏବଂ ବିଶ୍ୱସେବାର ସନ୍ତୁଳନ ରଖିଥିଲେ । ଉଦାରଚିିତ ଏବଂ ବିନମ୍ର ଥିଲେ । ସମସ୍ତଙ୍କୁ ମାନ ସମ୍ମାନ ଦେଉଥିଲେ । ନିଜେ ସନ୍ତୁଷ୍ଟ ରହି ସମସ୍ତଙ୍କୁ ସନ୍ତୁଷ୍ଟ ରଖିପାରୁଥିଲେ । ଦାଦିଙ୍କ ପାଖରେ ଏପରି ବିଶେଷତା ଥିଲା ଯେ ଦେଖୁଥିଲା ଆନନ୍ଦର ସ୍ରୋତରେ ଭାସି ଯାଉଥିଲା । ଭଗବାନଙ୍କୁ ଖୁଦା ଦୋସ୍ତ ଭାବେ ଭାବୁଥିଲେ । ଦାଦିଙ୍କର ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲା । ଦାଦି ସମସ୍ତଙ୍କ ଭିତରେ ନମ୍ବରୱାନ ଥିଲେ । ସ୍ୱଚ୍ଛତା ଏବଂ ସଦାଚାରର ଅବତାର ଥିଲେ । କେବେଭି ନିଜର ମହିମା ସ୍ୱୀକାର କରୁ ନ ଥିଲେ । ମାଆ ପରି ପାଳନା ଦିଅନ୍ତି । ସମସ୍ତଙ୍କୁ ଶ୍ୱେତବସ୍ତ୍ରରେ ରହିବାକୁ କୁହନ୍ତି । କ୍ରୋଧର ଅବିଦ୍ୟା ଥିଲା ।
ସମସ୍ତଙ୍କୁ ଧ୍ୟାନ ରଖୁଥିଲେ । ୨୦୦୭ ରକ୍ଷାବନ୍ଧନ ଉତ୍ସବ ତାଙ୍କର ଶେଷ ସେବା ଥିଲା । ଦାଦିଙ୍କ ମହାବାକ୍ୟ ଆଜି ଅନ୍ଧକାରରେ ଦୀପ ଶିଖା ପରି ଆଲୋକ ପ୍ରଦାନକାରୀ, ଦାଦି ଦିଦିଙ୍କ ଯୋଡି ବହୁତ ସୁନ୍ଦର ଥିଲା । ଦାଦି ପ୍ରକାଶମଣି ଓଡିଶାକୁ ୪୦ ବର୍ଷ ମଧ୍ୟରେ ୪ ଥର ଆସି ଭିନ୍ନ ଭିନ୍ନ ସେଂଟର ପରିଭ୍ରମଣ କରିଥିଲେ । ତାଙ୍କୁ ୪ ଥର ଯାକ ଓଡିଶା ସରକାରଙ୍କ ତରଫରୁ ଷ୍ଟେଟଗେଷ୍ଟ୍ କରାଇବାରେ ଏ ଆତ୍ମା ନିମିତ ବନିଥିଲା । ପ୍ରାୟ ୩୭ ଜଣ ଓଡିଶାର ମନ୍ତ୍ରୀମାନଙ୍କ ସହିତ ଏ ଆତ୍ମା ମାଉଂଟ୍ଆବୁ ଯାଇଥିଲା, ସେଠାରେ ବରିଷ୍ଠ ଦାଦି ମାନଙ୍କର ଏବଂ ଭାଇମାନଙ୍କର ଆଶିର୍ବାଦ ପ୍ରାପ୍ତ ହୋଇଥିଲା ।
ମନ୍ତ୍ରୀ ଯେହେତୁ ଏ ଆତ୍ମା ସାଙ୍ଗରେ ଯାଇଛନ୍ତି, ତେଣୁ ମନ୍ତ୍ରୀଙ୍କ ସାଙ୍ଗରେ ଭୋଜନ କରିବା ତାଙ୍କ ସହିତ ରହି ବିଭିନ୍ନ ସ୍ଥାନ ପରିଭ୍ରମଣ କରିବାର ସୁଯୋଗ ମଧ୍ୟ ଏ ଆତ୍ମାକୁ ମିଳିଥିଲା । ଦାଦି ପ୍ରକାଶମଣୀ, ମୋହିନୀ ଦିଦି, ମୁନିଦିଦି, ଦିଦି ମନମୋହିନୀ, ଦାଦି ଗୁଲଜାର, ମନୋହର ଇନ୍ଦ୍ରା ଦାଦି, ଦିଦି ନିର୍ମାଲା ଶାନ୍ତା, ଶାନ୍ତା ମଣି ଦାଦି, ଦାଦି ଚନ୍ଦ୍ରମଣୀ, ରନôମୋହିନୀ ଦାଦି, ଭ୍ରାତା ଜଗଦିଶ, ନିର୍ଭର, ରମେଶ, ବ୍ରଜମୋହନ, ଇତ୍ୟାଦି ଏକାଠି ମିଶି ଏକ ବଡ ହଲରେ ମନ୍ତ୍ରୀଙ୍କ ସହ ବସି ଖାଇବାର ସୁଯୋଗ ମଧ୍ୟ ଏ ଆତ୍ମାକୁ ମିଳିଥିଲା । ବ୍ରହ୍ମାବାବା ଅବ୍ୟକ୍ତ ହେଲାବେଳେ ଯେପରି ୩ଟି ଉପଦେଶ ଦେଇଥିଲେ, ସେହିପରି ଦାଦି ପ୍ରକାଶମଣୀ ମଧ୍ୟ ତିନୋଟି ଉପଦେଶ ଦେଇ ଯାଇଛନ୍ତି । ନିମିତ, ନିର୍ମାଣ ଏବଂ ନିର୍ମଳ ବନ ।
ଆଜିର ଶୁଭ ଦିନରେ ଏ ଆତ୍ମା ଅନ୍ତର ମନରୁ ଦାଦିଙ୍କ ଆତ୍ମାପ୍ରତି କୋଟି କୋଟି ପ୍ରଣାମ କରୁଛି ଏବଂ ହୃଦୟଭରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଅଛି ।