Odisha news

ଗୋବିନ୍ଦପୁର-ଗୋପାଳପୁର କେନାଲ ବନ୍ଧ ରାସ୍ତା ଶୋଚନୀୟ

0

କଣ୍ଟାପଡ଼ା : କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁରଠାରୁ ଗୋପାଳପୁର ପର୍ଯ୍ୟନ୍ତ କାକଟପୁର ଶାଖା କେନାଲ ବନ୍ଧ ରାସ୍ତା ଶୋଚନୀୟ ଅବସ୍ଥାରେ ରହିଛି । ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବରୁ ରାସ୍ତାରୁ ପିଚୁ ଉଠି ଖାଲଖମାରେ ପରିପୂର୍ଣ୍ଣ ହୋଇଛି । ବର୍ଷା ଦିନେ ସେଥିରେ ପାଣି ଜମି ଛୋଟ ବଡ଼ ଦୁର୍ଘଟଣା ହେଉଛି । ବିଶେଷ କରି ରାତି ସମୟରେ ଯାତ୍ରୀମାନେ ଜାଣିନପାରି ଅଧିକାଂଶ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି ।

ଏହି ରାସ୍ତାରେ ଦୈନିକ ଝାରପଡ଼ା, ନାହାଳପୁର, ନୂଆଗାଁ, ତରଡ଼ପଡ଼ା, ମଜୁରାଇ, ଖେରସ, କୂଳବ୍ରାହ୍ମଣସାଇଲୋ, ବିରିଡ଼ି, ଅଲିପଡ଼ା, ତୀର୍ଥପଡ଼ା, ଶିରୋସୁନ୍ଦରପୁର, ଗୋପାଳପୁର, କୋରକରା, ଖଲର୍ଦ୍ଦା ଆଦି ଅଞ୍ଚଳର ଶହ ଶହ ଲୋକ କଟକ ଓ ଭୁବନେଶ୍ୱର ଯିବା ଆସିବା କରନ୍ତି । ମାତ୍ର ରାସ୍ତାର ଏପରି ଦୟନୀୟ ଅବସ୍ଥା ଯୋଗୁଁ ସେମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ପ୍ରାଚୀ ଡିଭିଜନ ଅଧିନ ପ୍ରତାପନଗରୀ ଜଳ ସମ୍ପଦ ବିଭାଗ ଅଧିନରେ ଏହି କେନାଲ ପରିଚାଳିତ ହେଉଥିଲାବେଳେ କଟକ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତାର ସୁଦୃଢ଼ୀକରଣ କାର୍ଯ୍ୟ ହୋଇଥିଲା ।

ମାତ୍ର ସମ୍ପୃକ୍ତ ବିଭାଗକୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି । ଅନ୍ୟପକ୍ଷରେ ଲଗାତାର ତିନି ଥର ବିଧାୟକ ହୋଇଥିବା ତଥା ଏଥର କଟକ ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପଦ ମଣ୍ଡନ କରିଥିବା ଡାକ୍ତର ପ୍ରମୋଦକୁମାର ମଲିକଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲେ ମଧ୍ୟ ସେ ଏଥିପ୍ରତି ଗୁରୁତ୍ୱ ଦେଉନଥିବା କୁହାଯାଉଛି । ଗୋବିନ୍ଦପୁର ଭଳି ଏକ ବ୍ୟସ୍ତବହୁଳ ତଥା ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳଭାବେ ସୁପରିଚିତ ଥିଲେ ହେଁ ଏହାର ମୁଖ୍ୟ ରାସ୍ତାର ଏଭଳି ବିକଳ ଚିତ୍ରରେ ଅଞ୍ଚଳବାସୀ ମ୍ରିୟମାଣ ।

କଟକ ଜିଲା ନିଆଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅପେକ୍ଷାକୃତ ଉନ୍ନତ କୁହାଯାଉଥିବା କଣ୍ଟାପଡ଼ା ବ୍ଲକର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଧାୟକଙ୍କ ସମେତ ଶାସକ ଦଳର ମଙ୍ଗୁଆଳମାନେ ଡିଣ୍ଡିମ ପ୍ରଚାର କରୁଥିଲାବେଳେ ଏହାର ବାସ୍ତବତା କେତେ ତାହା ଏହି ରାସ୍ତାର ନଗ୍ନ ଉଦାହରଣରୁ ସ୍ପଷ୍ଟ ବୁଝାପଡ଼ିବ । ଏହି ପରିପ୍ରେକ୍ଷୀରେ ଗୋପାଳପୁର (କଣ୍ଟାପଡ଼ା) ଠାରୁ ଗୋବିନ୍ଦପୁର ପର୍ଯ୍ୟନ୍ତ କେନାଲ ବନ୍ଧ ରାସ୍ତାର ତୁରନ୍ତ ମରାମତି ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦୃଢ଼ ଦାବି ହେଉଛି ।

Leave A Reply