ଭୁବନେଶ୍ୱର,(ନି.ପ୍ର): ଫ୍ଲାଟ ଦେବାକୁ କହି ୨୫ ଲକ୍ଷ ଟଙ୍କା ନେବାର ୮ବର୍ଷ ବିତିଯାଇଥିଲେ ମଧ୍ୟ ନାଁ ମିଳିଥିଲା ଫ୍ଲାଟ, ନାଁ ମିଳିଥିଲା ଟଙ୍କା । ଏ ନେଇ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ ହେବାପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଘଯଣାର ତଦନ୍ତ କରି ପୂର୍ବରୁ ରିଅଲି ଇଷ୍ଟେଟ୍ କମ୍ପାନୀର ଏମଡିଙ୍କୁ ଗିରଫ କରିଥିବାବେଳେ ଶୁକ୍ରବାର କମ୍ପାନିରେ କାର୍ଯ୍ୟ କରୁଥିବା ମହିଳା ଏଜେଣ୍ଟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଗିତାଞ୍ଜଳି ଆଚାର୍ଯ୍ୟ ।
୨୦୧୧-୧୨ରେ ରଘୁପତି ଇଷ୍ଟେଟ୍ ଆଣ୍ଡ ହୋଲଡିଂ ପ୍ରାଇଭେଟ୍ ଲିମିଟେଡର ନିଦେ୍ର୍ଦାକ ପ୍ରଭାତ କୁମାର ନନ୍ଦ କଟକ ଭାନପୁର ମୌଜାରେ ‘ପ୍ରିଷ୍ଟିନ୍ ପାର୍କ ’ ନାମରେ ଏକ ପ୍ରୋଜେକ୍ଟ କରିଥିଲେ । ଯେଉଁଥିରେ ସେ ଲୋକମାନଙ୍କୁ ସୁଳଭ ମୂଲ୍ୟରେ ଫ୍ଲାଟ ଯୋଗାଇ ଦେବାକୁ କହିଥିଲେ । ସେଥିପାଇଁ ଦେବଜ୍ୟୋତି ଦତ୍ତ ଏବଂ ମମତା ବାରିକଙ୍କ ଠାରୁ ସେ ଫ୍ଲାଟ ଦେବାକୁ କହି ୨୫ ଲକ୍ଷ ଟଙ୍କା ନେଇଥିଲେ । ଟଙ୍କା ନେବାର ଆଠ ବର୍ଷ ବିତିଯାଇଥିଲେ ମଧ୍ୟ ସେ ନାଁ ଫ୍ଲାଟ ଦେଇଥିଲେ, ନାଁ ଟଙ୍କା ଫେରାଇଥିଲେ । ବାରମ୍ବାର ଟଙ୍କା ମାଗିବା ପରେ ୨୦୧୯ ଡିସେମ୍ବର ମାସରେ ଗିତାଞ୍ଜଳି ମାମତାଙ୍କୁ କିଛି ଚେକ୍ ଦେଇଥିଲେ । ହେଲେ ଆକାଉଣ୍ଟରେ ଯଙ୍କା ନଥିବାରୁ ସେଗୁଡିକ ବାଉନ୍ସ ହୋଇଯାଇଥିଲା । ଏ ନେଇ ଦେବଜ୍ୟୋତି ଇଓଡବ୍ଲୁରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁକରି ଘଟଣାର ତଦନ୍ତ କରି ପୂର୍ବରୁ ନିଦେ୍ର୍ଦଶକ ପ୍ରଭାତ କୁମାର ନନ୍ଦଙ୍କୁ ଗିରଫ କରିଥିବାବେଳେ, ଶୁକ୍ରାବର କାର୍ଯରତ ଥିବା ମହିଳା ଏଜେଣ୍ଟ ଗିତାଞ୍ଜଳି ଆଚାର୍ଯ୍ୟାଙ୍କୁ ଗିରଫ କରି କଟକ ଓପିଆଇଡି କୋର୍ଟକୁ ଚାଲାଣ କରିଛି । ଜାମିନ୍ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
