ଭୁବନେଶ୍ୱର,(ନି.ପ୍ର): କୋଇଲା ଚୋରା ଚାଲାଣ ହୋଉଥିବାବେଳେ କ୍ରାଇମବ୍ରାଞ୍ଚର ଏସ୍ଟିଏଫ କୋଇଲା ବ୍ୟବସାୟୀଙ୍କୁ ଧରିବାରେ ସଫଳ ହେଉଛି । ଗତ ଗୁରୁବାର ଅପରାହ୍ନରେ ଏସଟିଏଫ୍ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ଉ କରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରୁ ଦୁଇଟି ଟ୍ରକକୁ ଜବତ କରିଥିଲେ । ଖାନତଲାସୀ କରିବା ବେଳେ ଟ୍ରକ ଭିତରେ ଟନ ଟନ କୋଇଲା ମହଜୁଦ ରହିଛି । ପରବର୍ତ୍ତି ସମୟରେ ତଦନ୍ତକାରୀ ଅଧିକାରୀମାନେ କୋଇଲା ବୋଝେଇ ଦୁଇଟି ଟ୍ରକକୁ ନେଇଯାଇଥିଲେ କାମାକ୍ଷାନଗର ପୋଲିସ ଷ୍ଟେସନକୁ । ଦୁଇଟି ଟ୍ରକରୁ ୪୦ ଟନ୍ରୁ ଅଧିକ କୋଇଲା ଥିବା ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଦୁଇ ଡ୍ରାଇଭରକୁ ଅଟକ ରଖି ଏସ୍ଟିଏଫ ପଚରାଉଚରା କରୁଛି । ଟ୍ରକର ମାଲିକ ହେଉଛନ୍ତି ଅରୁଣ ନାୟକ । ଅରୁଣଙ୍କୁ ଧରିବା ପାଇଁ ଏସ୍ଟିଏଫ ଟିମ୍ ଚଢ଼ଉ ଜାରି ରଖିଛି । ବିଶେଷ କରି କାମାକ୍ଷାନଗର ଅଞ୍ଚଳରେ ପ୍ରତ୍ୟେକ ଦିନ କୋଇଲା ଚୋରା ଚାଲାଣ ହେଉଥିଲେ ମଧ୍ୟ ଏଥି ପ୍ରତି ସ୍ଥାନୀୟ ପୋଲିସର ନିଘା ନାହିଁ । ଫଳରେ କୋଇଲା ବେପାରୀମାନେ ନିର୍ବିଘ୍ନରେ କୋଇଲା ଚୋରା ଚାଲାଣ କରୁଛନ୍ତି । ମାଲିକ ଅରୁଣ ନାୟକ ଧରାପଡିବା ପରେ ସେ କୋଇଲା କେଉଁଠାରୁ ଆଣୁଥିଲେ, କେଉଁଠିକୁ ସପ୍ଲାୟୀ କରିବାକୁ ଯୋଜନା କରୁଥିଲେ । ଏହି ଚୋରା ଚାଲାଣ ପଛରେ ଆଉ କେଉଁ କେଉଁମାନଙ୍କ ସମ୍ପୃକ୍ତି ରହିଛି କି ନାହିଁ ତାର ଖୋଳତାଡ ଜାରି ରଖିଛି ଏସ୍ଟିଏଫ ।