ବେତନଟୀ : ବେତନଟୀ ବ୍ଲକରେ ଆଉ ପାଞ୍ଚ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇ ଥିବାର ଜଣା ପଡିଛି । ବେତନଟୀ ବ୍ଲକର ନୋଡାଲ ସଂଗରୋଧ କେନ୍ଦ୍ରରେ ଥିବା ୩ ଜଣ ଓ ନଡପୁର ଉଚ୍ଚ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରେ ଥିବା ୨ ଜଣ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି । ଏହି ବ୍ୟକ୍ତି ମାନେ ବାହାରୁ ଫେରିବା ପରେ ସଂଗରୋଧ କେନ୍ଦ୍ରରେ ରହିଛନ୍ତି । ଏମାନଙ୍କ ନିକଟରୁ ସଂଗୃହୀତ ହୋଇ ଥିବା ନମୁନା ପଜିଟିଭ ବୋଲି ରିପୋର୍ଟ ଆସିବା ପରେ ଏମାନଙ୍କୁ ଗତକାଲି ରାତ୍ରୀରେ ବାଙ୍କିଶୋଳ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରା ଯାଇଛି । ଏହାକୁ ନେଇ ବେତନଟୀ ବ୍ଲକରେ ମୋଟ ୭ ଜଣ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇ ଥିବାର ଜଣା ପଡିଛି ।
ବେତନଟୀ ବିଡିଓ ସ୍ମୃତିରଞ୍ଜନ ମଲ୍ଲିକ, ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକ, ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡା. ସିପୁନ ପଣ୍ଡା, ବୈଶିଙ୍ଗା ଥାନା ଏସଆଇ ଶିଶିର ନାୟକ, ଏଏସଆଇ ସୁଶାନ୍ତ କୁମାର ମହାକୁଡ ଓ ଅନ୍ୟ କର୍ମଚାରୀ ମାନେ ଉଭୟ ସଂଗରୋଧ କେନ୍ଦ୍ରରେ ପହଞ୍ଚି ଏମାନଙ୍କୁ ନେବାର ବ୍ୟବସ୍ଥା ଦେଖି ଥିଲେ । ବେତନଟୀ ବ୍ଲକର ଦହିକୋଟୀ, ନଡପୁର ଓ ସଠିଲୋ ପଞ୍ଚାୟତରେ ମୋଟ ୭ ଜଣ ରୋଗୀ ବାହାରିବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖା ଯାଇଛି ।
ଘଟଣାର ଗୁରତ୍ୱ ଉପଲବ୍ଧି କରି ଆଜି ବଡସାହି ବିଧାୟକ ସନାତନ ବିଜୁଳି କରୋନା ଚିହ୍ନଟ ହୋଇ ଥିବା ପଞ୍ଚାୟତକୁ ଗସ୍ତ କରି ଥିଲେ । ଏହି ଗସ୍ତ ସମୟରେ ବିଧାୟକ ଜନ ସାଧାରଣଙ୍କୁ ରୋଗ ବିରୁଦ୍ଧରେ ଲଢ଼ିବାକୁ ଆହ୍ୱାନ ଦେଇ ଥିଲେ । ରୋଗୀ ଜଣେ ଆମ ଭଳି ମଣିଷ, ତେଣୁ ତାଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ବିଧାୟକ ପରାମର୍ଶ ଦେଇ ଥିଲେ । କରୋନା ସହିତ ସାରା ବିଶ୍ୱ ଲଢ଼ୁଛି ତେଣୁ ବିବ୍ରତ ନହୋଇ ସଂଘର୍ଷ ଜାରି ରଖିବାକୁ ବିଧାୟକ ଜନ ସାଧାରଣଙ୍କୁ କହି ଥିଲେ । ନଡପୁର ପଞ୍ଚାୟତରେ ୩୬ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ବ୍ରଜମୋହନ ବେହେରା, ସରପଞ୍ଚବାସନ୍ତୀ ମାଝୀ, ପିଇଓ ଶ୍ୱେତପଦ୍ମା ପରିଡା, ଏନଏମ ସାବିତ୍ରୀ ଜେନା ପ୍ରମୁଖ ଆଲୋଚନାରେ ଭାଗ ନେଇ ଥିଲେ । ସେହିପରି ଦହିକୋଟୀ ପଞ୍ଚାୟତରେ ସରପଞ୍ଚ ଧନଞ୍ଜୟ ମାରାଣ୍ଡି, ଜିଲ୍ଲା କୃଷକମୋର୍ଚ୍ଚାର ତପନ କୁମାର ନାୟକ, ସଞ୍ଜୟ କୁମାର ବେହେରା, ହିମାଂଶୁ କୁମାର କବାଟ, ଆଗଡା ଗ୍ରାମବାସୀ ମାନେ ବିଧାୟକଙ୍କ ସହିତ ଆଲୋଚନା କରି ଥିବାର ଜଣା ପଡିଛି ।