ନଗେନ୍ଦ୍ର ନାଥ ପଟ୍ଟନାୟକ : ସୁମନ ଦିନେ ରବିନ ଘରକୁ ଯାଇ କହିଲା –ସାଙ୍ଗ ! ତୁ କଅଣ ଜାଣିନୁ ଏଇ ବର୍ଷଟି ସରି ସରି ଆସୁଛି ବୋଲି । ଆଉ କିଛିଦିନ ପରେ ପରା ନୂଆ ବରଷର ରାଜ୍ ଚାଲିବ । କେତେ ନୂଆ ଉତ୍ସାହ ପ୍ରେରଣା ଓ ଭାବନାରେ ଏଇ ନୂଆ ବରଷର ପହିଲି ଦିନଟି କଟିଯିବ । ଆଛା ସାଙ୍ଗ ,ମୁଁ କଅଣ ଭାବୁଥିଲି ନା ,ଏଥର ଏଇ ନୂଆ ବରଷକୁ ଆମେ ଏକ ନିଆରା ଢଂଗରେ ପାଳିବା ।ଏବେ ସୁଦ୍ଧା ଆମେ କରୋନା କବଳରୁ ବରତିନାହୁଁ । ହେଲେ କରୋନା ମହାମାରି ତାର କାୟା ମେଲାଇ ଚାଲିଛି ଏଯାଏ । ଲକଡାଉନ, ସର୍ଟଡାଉନ ସିନା ଜାରିହେଲା କିନ୍ତୁ କରୋନା ଅଇରିର ଭାଉ ଥମିଲା ନାଇଁ । ଏଇଲେ ତ ଅନଲକ ବେଳ । ଚାରିଆଡେ ଖୋଲାମେଲା । ତଥାପି ଏଇ ଶୁଭ ନୂଆ ବରଷର ପହିଲି ଦିନରେ ଆମକୁ କୋଭିଡ ନିୟମକୁ ପାଳନକରି ଏଇ ନୂଆ ବରଷର ପହିଲି ଦିନକୁ ବେଶ୍ ନିରାଡମ୍ବରରେ ପାଳନ କରିବାକୁ ପଡିବ । ଘରୁ ଗୋଡ କାଢିବା ମାତ୍ରେ ମୁହଁରେ ତୁଣ୍ଡି ଭିଡିବା ତ ଏକପ୍ରକାର ଆମର ଅଭ୍ୟାସରେ ପଡିଗଲାଣି । ହେଲେ ଆମ ଭିତରୁ କେତେକ ସାମାଜିକ,ଶାରିରୀକ ଦୂରତା ନିୟମକୁ ପାଳନ କରୁଥିବାବେଳେ ଆଉ ଥୋକେ ଏଇ ନିୟମକୁ ଫୁ କରି ଉଡେଇ ଦେଉଛନ୍ତି । ଆଗରୁ ଯେତେ ସବୁ ନୂଆ ବରଷ ଆସିଛି ସେସବୁକୁ ଆମେ ଖୁବ ମଜା-ମଉଛରେ ପାଳନ କରିଛେ । ଏଥର ନୂଆ ବରଷକୁ ଏକ ଭିନ୍ନ ଢଂଗରେ ପାଳନ କରିବାକୁ ମୁଁ ମନରେ ଗୋଟେ କଥା ଭାଳିଛି ।
ରବିନ କହିଲା -ଆଛା ! ସେଇ ଭିତିରି କଥାଟି କଅଣ ତୁ ମୋ ଆଗରେ ଫିଟେଇ କହ ? କଥାଟି ମୋ ମନକୁ ପାଇଲେ ଯାଇ ଆମେ ସେ ଦିଗରେ ଆଗେଇବା । ତା ପାଟିରୁ କଥା ନ ସରୁଣୁ ବବୁନ ,ସିପୁନ ବାବୁନା ସୁକୁଟା ହେରିକା କୋଉଠି ଥିଲେ କେଜାଣି ତୀର ବେଗରେ ସାଏଁକିନା ଛୁଟିଆସିଲେ ସେ ଦୁହିିଁଙ୍କ ପାଖକୁ । ସୁମନ କହିଲା -ଆରେ ସାଙ୍ଗ ! ହେଇଟି ଦେଖୁଛୁନା,ଏମାନଙ୍କ କଥା ଆମେ ମନେ ପକାଉ ପକାଉ ଆସି କେମିତି ପହଁଚିଗଲେଣି । କଥାଟା କଅଣ କି,ଆମ ଘରଠୁ ଖଣ୍ଡେ ଦୂର ଗଲେ ପଡେ ବାଳାଶ୍ରମଟିଏ । ସେଇଠି ଅନାଥ ପିଲାମାନେ ବାପାମାଆକୁ ହରାଇ ବଡ ମନଦୁଃଖରେ ଦିନ କାଟୁଛନ୍ତି । ଆମର ସିନା ବାପା ବୋଉ ଅଛନ୍ତି ଯେ,ପାଠପଢା ସେବା-ଯତ୍ନ ସବୁ ନେଉଛନ୍ତି । ହେଲେ ହେଇଟି ଦେଖ,ଏଇ ବାପାମାଆ ଛେଉଣ୍ଡ ପିଲାଙ୍କୁ । ଏ ଦୁନିଆରେ ଏମାନଙ୍କର କେହି ବୋଲି ନିଜର ନାହାଁନ୍ତି । କେବଳ ସେଇ ଆଶ୍ରମରେ ଧାଈ ମାଆ ଓ ଧରମ ବାପା କେଇଜଣ ଦେଖାରଖା କରୁଛନ୍ତି ସେମାନଙ୍କୁ । ତୁ ତ ଜାଣିଛୁ ପ୍ରତି ନୂଆ ବରଷରେ ଆମେ ଚାନ୍ଦାଭେଦା କରି ପାଖ ଜଙ୍ଗଲରେ ବଣଭୋଜି କରି ମଜା ମଉଜ କରୁ । ଏଇ ନୂଆ ବରଷରେ କିନ୍ତୁ ଆମକୁ ବାପା ମାଆଙ୍କଠୁ ପାରୁପଣେ ଚାନ୍ଦା ଆଣି ବାଳାଶ୍ରମ ପିଲାଙ୍କଲାଗି ବଜାରରୁ ମାସ୍କ କିଣି ଆଣିବା । ଖାଲି ସେତିକି ନୁହେଁ ,ଚାରି ପାଂଚଟା ଅଟୋ ଭଡାରେ ଆଣି ସେମାନଙ୍କୁ ପାଖ ଜଂଗଲକୁ ନେଇଯିବା । ସେଇଠି ବଣଭୋଜି କରି ସେମାନଙ୍କୁ ପେଟପୂରା ଭୋଜି ଖାଇବାକୁ ଦେବା ଆଉ ଆମେ ବି ସେମାନଙ୍କ ସାଙ୍ଗରେ ଖାଇବା । କିନ୍ତୁ ଏସବୁ କଲାବେଳେ ଗୋଟିଏ କଥା ଧିଆନରେ ରଖିବା । ଶାରିରୀକ ଦୂରତା ନିୟମ ପାଳନ କରିବା । କଅଣ ଭାବୁଛ ଏଥର କଥାଟା ତମମାନଙ୍କ ମନକୁ ପାଇଲା ତ ? ‘ହଁ-ହଁ ସୁମନ, ତୁ ଠିକକଥାଟା କହିଛୁ । ତୋ ବୁଦ୍ଧିକୁ ମାନିବାକୁ ପଡିବ-ଏକ ସ୍ୱରରେ ସାଙ୍ଗ ପିଲାଏ କହିଉଠିଲେ ।
Prev Post