Odisha news

ସରକାର ବାତିଲ କଲେ ୟୁଜି ଓ ପିଜି ପରୀକ୍ଷା

0

ଭୁବନେଶ୍ୱର: କରୋନା କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଥିଲେ ବି ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିବା ଉଚ୍ଚଶିକ୍ଷା ବିଭାଗ ଶେଷରେ ଫାଇନାଲ୍ ପରୀକ୍ଷାକୁ ବାତିଲ୍ କରିଛି। କୋଭିଡ୍ ଭୂତାଣୁର ଭୟାବହତା ଏବଂ ଛାତ୍ରଛାତ୍ରୀଙ୍କ ବିରୋଧ ପରେ ଶେଷରେ ଏହି ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ। ଆଜି ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରୁ ଫିଡ୍‌ବ୍ୟାକ୍ ନେଇଥିଲେ ରାଜ୍ୟ ସରକାର। ପରାମର୍ଶପରେ ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମର ଫାଇନାଲ୍ ସେମିଷ୍ଟାରକୁ ବାତିଲ କରିବା ସହ ବିକଳ୍ପ ମୂଲ୍ୟାୟନ ଜରିଆରେ ମାର୍କ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଅପରପକ୍ଷେ କିଛି ଶିକ୍ଷାନୁଷ୍ଠାନ ଅନ୍‌ଲାଇନ୍ ଏକ୍‌ଜାମ୍ ପାଇଁ ଅଣ୍ଟା ଭିଡ଼ିଛନ୍ତି।

କରୋନା ଭୂତାଣୁର ଭୟାବହତା ଭିତରେ ପରୀକ୍ଷା ନିଷ୍ପତ୍ତି ବିରୋଧରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବିରୋଧର ସ୍ୱର ଦେଖିବାକୁ ମିଳିଥିଲା। ବିଜେବି ହେଉ ବିପିୟୁଟି, ରମାଦେବୀ ହେଉକି ଭିଏସ୍ଏସ୍‌ୟୁଟି, ସବୁଠି ଛାତ୍ରଛାତ୍ରୀଙ୍କ ଉଦ୍‌ବେଗ ପରେ ଶେଷରେ ଫାଇନାଲ୍ ସେମିଷ୍ଟାର ପରୀକ୍ଷାକୁ ବାତିଲ୍ କଲା ଉଚ୍ଚଶିକ୍ଷା ବିଭାଗ।

ଆଜି ରାଜ୍ୟର ସବୁ କଲେଜର ଅଧ୍ୟକ୍ଷ ଏବଂ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଭିଡ଼ିଓ କନଫରେନ୍ସିଂରେ ଆଲୋଚନ  କରିବା ପରେ ଉଚ୍ଚଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି।

ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ଫାଇନାଲ୍ ଏବଂ ଫାଇନାଲ୍ ସେମିଷ୍ଟାରର ବାକିଥିବା ସମସ୍ତ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ବିକଳ୍ପ ମୂଲ୍ୟାୟନ ଜରିଆରେ ପ୍ରତ୍ୟେକ ବିଷୟ ପାଇଁ ମୂଲ୍ୟାୟନ କରି ମାର୍କ ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି।

ସେପଟେ ଅନ୍‌ଲାଇନ୍ ଏକ୍‌ଜାମ୍ ପାଇଁ ଅଣ୍ଟାଭିଡିଛି କୋରାପୁଟ ସେଣ୍ଟ୍ରାଲ୍ ୟୁନିଭର୍ସିଟି। ଜୁଲାଇ ୬ରୁ ୨୭ ମଧ୍ୟରେ ଶେଷ ସେମିଷ୍ଟରର ଛାତ୍ରଛାତ୍ରୀ ଘରେ ରହି ପରୀକ୍ଷା ଦେବେ। ପରୀକ୍ଷାର ଘଣ୍ଟାଏ ପୂର୍ବରୁ ଗୁଗୁଲ ଫର୍ମସ, ହ୍ୱାଟସ ଆପ୍, ଇମେଲ୍‌ରେ ପ୍ରଶ୍ନପତ୍ର ପଠାଯିବ। ଆବଶ୍ୟକ ହେଲେ ଫୋନ୍‌ରେ ପ୍ରଶ୍ନ ଡକାଯିବ। ୩ ଘଣ୍ଟା ମଧ୍ୟରେ ଉତ୍ତର ଲେଖି ସାରିବା ପରେ ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ପୃଷ୍ଠାର ଫଟୋ କିମ୍ବା ସ୍କାନ କପି ଘଣ୍ଟାଏ ଭିତରେ ପରୀକ୍ଷା ନିୟନ୍ତ୍ରକଙ୍କ ନିକଟକୁ ପଠାଇବେ। ଏପରିକି ସ୍ପିଡ୍ ପୋଷ୍ଟରେ ବି ପଠାଇପାରିବେ।

ସେହିପରି ସମ୍ବଲପୁର ଭିଏସ୍ଏସ୍‌ୟୁଟି ବି ଛାତ୍ରଛାତ୍ରୀଙ୍କୁ ୩ଟି ବିକଳ୍ପ ଦେଇଛି। ପ୍ରଥମ ବିକଳ୍ପ ଭାବେ ଅନ୍‌ଲାଇନ-ଅଫ୍‌ଲାଇନର ମିଶ୍ରିତ ଉପାୟରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ। ଦ୍ୱିତୀୟ ବିକଳ୍ପ ଭାବେ ଶେଷ ସେମିଷ୍ଟାର୍‌ ୫୦% ଓ ଗତ ଇଣ୍ଟରନାଲ ପରୀକ୍ଷାର ୫୦ % ମାର୍କ ଆଧାରରେ ଫଳ ପ୍ରକାଶ ପାଇବ। ତୃତୀୟ ବିକଳ୍ପ ଭାବେ ୟୁନିଭର୍ସିଟି ଖୋଲିବା ପରେ ପରୀକ୍ଷା ଦେଇପାରିବେ ପିଲା।

ସେପଟେ କରୋନା ସ୍ଥିତିକୁ ଦେଖି ରାଉରକେଲା ଏନ୍ଆଇଟି ପ୍ରସ୍ତୁତ କରିଛି ଡିଜିଟାଲ କ୍ଳାସରୁମ୍। ଯେଉଁଠି ଏକା ଥରକେ ୨୩ଟି କ୍ଳାସରୁମ୍‌କୁ ସଂଯୋଗ କରାଯାଇପାରିବ। ହଜାର ହଜାର ପିଲା ପାଠ ପଢ଼ିପାରିବେ। ଜୁଲାଇ ୨୦ ସୁଦ୍ଧା ଯଦି କ୍ୟାମ୍ପସକୁ ପିଲା ନଫେରନ୍ତି, ତେବେ ଅନଲାଇନରେ ପଢ଼ାଯିବ ବୋଲି କହିଛନ୍ତି ଏନଆଇଟି କର୍ତ୍ତୃପକ୍ଷ।

Leave A Reply