ମହାମାରୀ ଆଇନ ଓ ଧାରା-୧୪୪

ଡାକ୍ତର ନୀଳମାଧବ ପୃଷ୍ଟି : କେନ୍ଦ୍ରର ମୋଦୀ ସରକାର ଲକ୍ଡାଉନ-୪ କିଛି କୋହଳ ସୁଯୋଗ ଭିତରେ ବଢ଼ାଇଛନ୍ତି । କିନ୍ତୁ ସବୁକଥାରେ ରାଜନୀତିର ରଙ୍ଗ ଦେଉଥିବା ପଶ୍ଚିମବଙ୍ଗର ଦିଦି ସରକାର କେନ୍ଦ୍ର ସରକାରଙ୍କ ଜନବିରୋଧୀ ସର୍ତ୍ତକୁ ସ୍ୱୀକାର କରିବେ ନାହିଁ ବୋଲି ଘୋଷଣା କରିବା ପରେ କରୋନା ଭିତରେ ଭାରତୀୟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି । ପଶ୍ଚିମବଙ୍ଗରେ ମଈ ୩୧ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ବଳବତ୍ତର ରହିବ ବୋଲି ସେ ମାନିଥିଲେ ବି ରାଜ୍ୟରେ କଫୁ୍ୟ ଘୋଷଣା କରିବେ ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି ।
ରାତି କର୍ଫୁ୍ୟ ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ସମଗ୍ର ଭାରତରେ ଲାଗୁ ହୋଇଥିବାବେଳେ ତାଙ୍କର ବେପରୁଆ କଥା “କର୍ଫୁ୍ୟ ଶବ୍ଦଟା ହିଁ ମୋର ପସନ୍ଦ ନୁହେଁ’ କହିବା ପରେ ମହାମାରୀ ଆଇନ ଓ ଧାରା ୧୪୪କୁ ନେଇ ଜନସାଧାରଣଙ୍କ ଭିତରେ ଏକ ନୂଆ ବିତର୍କର ବାଟ ଫିଟାଇଛି । କରୋନା ପାଇଁ ଓଡ଼ିଶାରେ ମାର୍ଚ୍ଚ ୧୩ରୁ ଲାଗୁ ହୋଇଚି ୧୮୯୭ ମସିହା ମହାମାରୀ ରୋଗ ଆଇନ ବା ଏପିଡେମିକ୍ ଡିଜିଜ୍ ଆକ୍ଟ ।
ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଆଇନ ବଳରେ ସମସ୍ତ ଜିଲ୍ଲାପାଳ, ମୁ୍ୟନିସପାଲ କମିସନର ଓ ରାଜ୍ୟସ୍ତରରେ ଡିଏମଇଟି, ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଓ ସ୍ୱାସ୍ଥ୍ୟସେବା ନିଦେ୍ର୍ଦଶକଙ୍କୁ ଅତିରିକ୍ତ କ୍ଷମତା ପ୍ରଦାନ କରାଯାଇଛି । କରୋନାର ନିୟନ୍ତ୍ରଣ ଦିଗରେ ଏହି ଅଧିକାରୀମାନେ କାର୍ଯ୍ୟ କରିବେ । ରାଜ୍ୟରେ ଅନେକ କରୋନା ସନ୍ଦିଗ୍ଧ ହସ୍ପିଟାଲରୁ ଖସିଯିବା ଓ କିଛି ସନ୍ଦିଗ୍ଧ ବିଭିନ୍ନ ବାହାନା କରି ସ୍ୱାସ୍ଥ୍ୟ ବିଭାଗକୁ ସେମାନଙ୍କ ଯାତ୍ରା ସଂପର୍କିତ କୌଣସି ସୂଚନା ଦେଉନାହାନ୍ତି । ତେଣୁ ଏଭଳି ବ୍ୟକ୍ତିଙ୍କୁ କିଭଳି କ୍ୱାରାଣ୍ଟାଇନ୍ ବା ପୃଥକ ଭାବେ ରଖିବା ଦିଗରେ ଏହି ଆଇନ ବଳରେ ଅଧିକାରୀମାନେ ପଦକ୍ଷେପ ଗ୍ରହଣ କରିବେ । ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଏହି ଆଇନ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କରୋନା ସନ୍ଦିଗ୍ଧଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସ୍କ୍ରିନିଂ ବ୍ୟବସ୍ଥା କରିବା ଲାଗି କୁହାଯାଇଛି ।
ନିକଟରେ ରାଜ୍ୟର ବେସରକାରୀ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଡାକ୍ତରଖାନାରେ ସନ୍ଦିଗ୍ଧଙ୍କ ପୂର୍ବ ଯାତ୍ରା ସଂପର୍କରେ ରିପୋର୍ଟ କରାଯିବା ସହିତ ଯେଉଁ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କ ସମସ୍ତ ତଥ୍ୟ ରେକର୍ଡ଼ କରାଯିବ । କୌଣସି ବେସରକାରୀ ଡାକ୍ତରଖାନା ପରୀକ୍ଷାଗାରରେ କରୋନା ଭୂତାଣୁର ପରୀକ୍ଷାକୁ ବାରଣ କରାଯାଇଛି । ସଂପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜରିଆରେ ନମୁନାକୁ ପଠାଇବେ । ସ୍ୱାସ୍ଥ୍ୟ ବିଭାଗ ଆବଶ୍ୟକ ଗାଇଡ଼ଲାଇନ ଅନୁଯାୟୀ ନମୁନାକୁ ଆରଏମ୍ଆରସିକୁ ପଠାଇବାର ବ୍ୟବସ୍ଥା କରିବେ । ସେହିପରି ଗାଁ, ୱାର୍ଡ଼, କଲୋନୀରେ କେତେ ଲୋକ ଏକାଠି ହେବେ ସେ ସଂପର୍କରେ ସଂପୃକ୍ତ ଜିଲ୍ଳାର ଜିଲ୍ଲାପାଳ, ମୁ୍ୟନିସିପାଲ କମିସନର ଏ ସଂପର୍କରେ ନିଷ୍ପତ୍ତି ନେବେ । ସବୁ ବିଭାଗ ସମେତ କର୍ପୋରେଟ ସଂସ୍ଥା ଓ ଅନ୍ୟ ପ୍ରତିଷ୍ଠାନ ଗୁଡ଼ିକୁ ନିଦେ୍ର୍ଦଶାବଳୀ ଜାରି କରାଯାଇଛି ।
ରାଜ୍ୟର ପ୍ରମୁଖ ମେଡ଼ିକାଲ କଲେଜ ଓ କ୍ୟାପିଟାଲ ହସ୍ପିଟାଲରେ ଆଇସୋଲେସନ୍ ୱାର୍ଡ଼ ପ୍ରତିଷ୍ଠା କରାଯାଇଛି । ତେବେ ଯେଉଁ ଗଣମାଧ୍ୟମ ସଂସ୍ଥା କରୋନା ସଂପର୍କିତ କୌଣସି ମିଛ କିମ୍ବା ଗୁଜବର ପ୍ରଚାର କରିଥିବା ନଜରକୁ ଆସିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ରାଜ୍ୟରେ ଏବେ ଯଥେଷ୍ଟ ପରିମାଣର ଔଷଧ ଓ ଅନ୍ୟାନ୍ୟ ମେଡ଼ିକାଲ ଉପକରଣ ମହଜୁଦ ରହିଛି । ଯଦି ଆବଶ୍ୟକତା ପଡ଼େ ତେବେ ଜରୁରୀକାଳୀନ ପରିସ୍ଥିତିରେ ମେଡ଼ିକାଲ ଉପକରଣ କିଣାଯିବ ବୋଲି ଶ୍ରୀ ଧଳ ସୂଚନା ଦେଇଛନ୍ତି ।
ଜରୁରୀ ପରିସ୍ଥିତିରେ ସିଆରପିସିର ଧାରା ୧୪୪ ପ୍ରୟୋଗ କରାଯାଇ ପାରିବ । ଯଦି ଦେଖା ଦେଇଥିବା ପରିସ୍ଥିତିରେ ଏହି ଧାରାରେ ପ୍ରଦାନ କରାଯାଇଥିବା କ୍ଷମତା ପ୍ରୟୋଗ ପ୍ରସଙ୍ଗ ନେଇ ଏକଜିକୁ୍ୟଟିଭ ମାଜିଷ୍ଟ୍ରେଟ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଧାରା ୧୪୪ (୨)ରେ ଏଥିପାଇଁ ନିଦେ୍ର୍ଦଶନାମା ଜାରି କରି ପାରିବେ । ସର୍ବସାଧାରଣରେ ଅସ୍ୱାଭାବିକ ପରିସ୍ଥିତିକୁ ଏଡ଼ାଇବା ପାଇଁ ଏହି ଧାରାର ପ୍ରୟୋଗ କରାଯାଇଥାଏ । ଏଥି ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ଯେପରି ବ୍ୟାହତ ନ ହେବ, ତାହା ସୁନିଶ୍ଚିତ କରାଯାଏ । ମଣିଷ ଜୀବନ, ସ୍ୱାସ୍ଥ୍ୟ, ସୁରକ୍ଷା, ସାଧାରଣ ଶାନ୍ତି ଓ ସ୍ଥିରତା ପ୍ରତି ବିପଦ ସୃଷ୍ଟି ହେଲେ ବା ଦଙ୍ଗା, ଗଣ୍ଡଗୋଳ, ମୁହାଁମୁହିଁ ପରିସ୍ଥିତି ସମ୍ଭାବନା ଦେଖାଦେଲେ ପରିସ୍ଥିତିକୁ ଆୟତ୍ତରେ ରଖିବା ପାଇଁ ଏହି ଧାରାର ପ୍ରୟୋଗ ଜାରି କରାଯାଇଥାଏ ।
ଏଭଳି ବିଶେଷ ପରିସ୍ଥିତିର ମୁକାବିଲା ତଥା ନିୟନ୍ତ୍ରଣ ପାଇଁ ଆଇନରେ ଏହା ଏକ ବଳିଷ୍ଠ ବ୍ୟବସ୍ଥା । ଅପରପକ୍ଷଙ୍କୁ ନୋଟିସ୍ ନ ଦେଇ ପରିସ୍ଥିତିର ଗୁରୁତ୍ୱକୁ ଦେଖି ଧାରାରେ ନିଦେ୍ର୍ଦଶନାମା ଜାରି କରାଯାଇ ପାରିବ । ନିଦେ୍ର୍ଦଶ ଉଲ୍ଲଂଘନ ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଓଡ଼ିଶା ସରକାରଙ୍କ ୫-ଟି ସଚିବ ଓଡ଼ିଶାର ବିଭିନ୍ନ ସ୍ଥାନକୁ ତୋଫାନୀ ଗସ୍ତ କରି କୋଭିଡ଼ ହସ୍ପିଟାଲର ପ୍ରତିଷ୍ଠା ଓ ନବୀକରଣ କାର୍ଯ୍ୟ ତଦାରଖ ପାଇଁ ନିୟମିତ ଗସ୍ତ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସଞ୍ଜିବନୀ ସଦୃଶ ପ୍ରେରଣା ଯୋଗାଉଛନ୍ତି । ଓଡ଼ିଶା ସରକାର ମଧ୍ୟ କରୋନା ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଗ୍ରାଧିକାର ଦେଇ ଯେଉଁପରି ତ୍ୱରାନ୍ୱିତ ସେବା ପ୍ରଦାନ କରୁଛନ୍ତି ଏହାଦ୍ୱାରା ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ସଂକ୍ରମଣ କମିଛି । ତେବେ ଏ କ୍ଷେତ୍ରରେ କେବଳ ସରକାର ବା ଡାକ୍ତରଙ୍କ ଉପରେ ଦାୟିତ୍ୱ ଛାଡ଼ିଦେଲେ ଚଳିବ ନାହିଁ । ସରକାରଙ୍କ ସବୁ ନିୟମ କାନୁନକୁ ମାନି ଚଳିବା ଜଣେ ଉତ୍ତମ ରାଷ୍ଟ୍ରଭକ୍ତର ଶ୍ରେଷ୍ଠ ପରିଚୟ ।