ବାଲେଶ୍ୱର-୧୭/୧୦ : ସିପିଆଇ ବାଲେଶ୍ୱର ଜିଲ୍ଲା କମିଟିର ପୂର୍ବାହ୍ନ ବୈଠକ ପରେ ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ପାର୍ଟିର ରାଜ୍ୟ ସଂପାଦକ ଆଶିଷ କାନୁନଗୋ ଦେଶ ଓ ରାଜ୍ୟର ସାଂପ୍ରତିକ ରାଜନୈତିକ ସ୍ଥିତି ସଂପର୍କରେ ସାମ୍ବାଦିକମାନଙ୍କୁ ଅବଗତ କରିଥିଲେ । କରୋନା ମହାମାରୀ ଆଳରେ ଲକ୍ଡାଉନ୍, ସଟ୍ଡାଉନ୍ କରାଇ ଲୋକଙ୍କୁ ଘରେ ବନ୍ଦ ରଖି, ସେମାନଙ୍କ ପ୍ରତିବାଦର ସ୍ୱରକୁ ମାସ୍କ ଭିତରେ ବନ୍ଦ କରି ଦେଶରେ ବିଜେପି ସରକାର ସମ୍ବିଧାନ ବିରୋଧୀ, ଶ୍ରମିକ ବିରୋଧୀ, କୃଷକ, ଛାତ୍ର-ଶିକ୍ଷକ ଓ ମହିଳା ବିରୋଧୀ ଆଇନ ସବୁ ପ୍ରଣୟନ କରି ଦେଶର ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ବିପର୍ଯ୍ୟୟ ଆଣିଦେଇଛି ।
ବିଜେପି ବିରୋଧରେ ଜନଗଣଙ୍କର ଅସନ୍ତୋଷ ବଢ଼ିଚାଲିଛି । ବିଜେପି ବିରୋଧରେ ବିଜେଡ଼ି ଓଡ଼ିଶାରେ ଲୋକଦେଖାଣିଆ ଲଢ଼େଇ କରୁଥିଲାବେଳେ କେନ୍ଦ୍ରରେ ବିଜେପି ସରକାରର ସମସ୍ତ ଜନବିରୋଧୀ ନୀତିକୁ ସମର୍ଥନ ଦେଇଆସିଛି । ବିଜେପି ଓ ବିଜେଡ଼ି ସରକାର ଉଭୟ ଦୁର୍ନୀତିରେ ବୁଡ଼ି ରହିଛନ୍ତି ।
ଆଗାମୀ ବାଲେଶ୍ୱର ବିଧାନସଭା ଉପନିର୍ବାଚନରେ ସିପିଆଇ ନିଜର ପ୍ରାର୍ଥୀ ଦେଇନଥିଲେ ବି ଦେଶ ଓ ରାଜ୍ୟର ହିତଦୃଷ୍ଟିରୁ ବିଭିନ୍ନତା ମଧ୍ୟରେ ଏକତା, ଦେଶର ସମ୍ବିଧାନ, ଧର୍ମନିରପେକ୍ଷତା ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଆସନ୍ତା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବ ବୋଲି ଶ୍ରୀ କାନୁନଗୋ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସିପିଆଇର ରାଜ୍ୟ ସହସଂପାଦକ ଡାକ୍ତର ପ୍ରଶାନ୍ତ ମିଶ୍ର, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଜୟନ୍ତ ଦାସ, ବାଲେଶ୍ୱର ଜିଲ୍ଲା ସଂପାଦକ ନିରଞ୍ଜନ ବାରିକ, ସହସମ୍ପାଦକ ଭାଗବତ ପ୍ରତିହାରୀ ଓ ଅନାମ ପ୍ରସାଦ ବାରିକ, କାର୍ଯ୍ୟକାରୀ କମିଟି ସଦସ୍ୟ ଗୌରାଙ୍ଗ ପାଣିଗ୍ରାହୀ ଓ ମାୟାଧର ନାୟକ, ସହର କମିଟି ସଂପାଦକ ଜୟନ୍ତ ମହାନ୍ତି, ଶ୍ୟାମସୁନ୍ଦର ଜେନା ପ୍ରମୁଖ ଉପସ୍ଥିତ ଥିଲେ