ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍. ସିଭିଲ୍, ଏମ୍.ଟେକ୍.(ପରିବେଶ), ଏଲ୍ଏଲ୍ବି : ଆମର ନୂତନ ଶିକ୍ଷାନୀତି ୨୦୨୦ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଦ୍ୱାରା ତା୨୧-୦୭-୨୦୨୦ରିଖରେ ଅନୁମୋଦନ କରାଯାଇଛି ବୋଲି ପ୍ରାୟେ ସମସ୍ତେ ଜାଣନ୍ତି । ଏହା ପୂର୍ବରୁ ଯେଉଁ ଶିକ୍ଷାନୀତି ପ୍ରଚଳିତ ଥିଲା ତାହା ୧୯୮୬ରେ ଲାଗୁ କରାଯାଇ ୧୯୯୨ରେ ସେଥିରେ ଅଳ୍ପକିଛି ପରିବର୍ତ୍ତନ କରାଯାଇଥିଲା । ବିଗତ ୩୦ବର୍ଷ ଭିତରେ ମହାନଦୀରେ କେତେପାଣି ବୋହି ବଙ୍ଗୋପସାଗରରେ ମିଶିଗଲାଣି କିଏ କହିବ! ସେକାଳ ପଖାଳ ଆଉ ଏକାଳେ ନାହିଁ । ବହୁତ କିଛି ବଦଳିଛି । ଆମର ପ୍ରଧାନମନ୍ତ୍ରୀ ଜୟ ଜବାନ ଜୟ କିସାନ ଜୟ ବିଜ୍ଞାନ ସାଙ୍ଗରେ ଜୟ ଅନୁସନ୍ଧାନ ଯୋଡିଲା ପରେ ଏବେ ଆତ୍ମ ନିର୍ଭର ଭାରତ ଡାକରା ଦେଲେଣି । ଏତେସବୁ ନୂଆ ସ୍ୱପ୍ନ ପାଇଁ ନୂତନ ଶିକ୍ଷାନୀତିଟିଏ ନିହାତି ଦରକାର ପଡୁଥିଲା ।
ନୂତନ ଶିକ୍ଷାନୀତି ଘୋଷଣା ହେବା ପରଠାରୁ ପ୍ରାୟ ପ ଚାଶ ଷାଠିଏଟି ପ୍ରବନ୍ଧ ଭିନ୍ନଭିନ୍ନ ଭାଷାରେ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରୁ ପଢି ସମସ୍ତଙ୍କର ବହୁତ ଜ୍ଞାନ ହେବଣି । ସାଧାରଣ ଜନତା ମଧ୍ୟ ଏହି ନୂଆ ନିୟମର ଅନେକ ଭିତରକୁ ପଶି ଯିବେଣି । ଟାଇମସ୍ ଅଫ ଇଣ୍ଡିଆ ସ୍ତମ୍ବକାର ଲେଖିଲେ ଏଥିରେ ଦାରଦ୍ର୍ୟତା ଦୂରହେବ ଏବଂ ଇଣ୍ଡିଆନ୍ ଏକ୍ସପ୍ରେସ୍ ସ୍ତମ୍ବକାର ଲେଖିଲେ ବିଶ୍ୱର ବିକଶିତ ଦେଶମାନଙ୍କରୁ ଏହି ପାଠ୍ୟକ୍ରମରେ ଜ୍ଞାନ ଆହରଣ କରିବାକୁ ଛାତ୍ର ଛାତୀମାନଙ୍କର ଆମଦେଶକୁ ସୁଅ ଛୁଟିବ । ଅନ୍ୟକେତେ ନିରାଶାବାଦୀ କହୁଛନ୍ତି ବହୁତ ଅସୁବିଧା ହେବ । ଆମ ଦେଶର ଛୁଆଙ୍କ ଭବିଷ୍ୟତ ଏକଦମ୍ ଚମ୍ପଟ୍ ହୋଇଯିବ । ନଇ ନଦେଖି ଲଙ୍ଗଳା ହେଲାପରି କେତେଲୋକ ଭୟଭିତ ହେଲାବେଳକୁ ଅନ୍ୟକିଛି ଆଶାବାଦୀ ଗୋଷ୍ଠି ଉତ୍ଫୁଲ୍ଲିତ ହୋଇ କୁରୁଳୁଛନ୍ତି । ଜଣେ କେହି ତା’ଙ୍କ ନିବନ୍ଧରେ ଲେଖିଛନ୍ତି ଯେ କେନ୍ଦ୍ରର ଏହି ଶିକ୍ଷାନୀତି ବଳରେ ଭାରତ ସମଗ୍ରବିଶ୍ୱର ଶିକ୍ଷାକେନ୍ଦ୍ର ହୋଇଯିବ ।
ସିଏ ବୋଧେ ନିଶ୍ଚିତ ପଦ୍ମଫୁଲିଆ ହୋଇଥିବେ! ତା’ପରେ ବିଶ୍ୱଗୁରୁର ଆକାଶ ଛୁଇଁବାକୁ ଆଉ ମାତ୍ର ଚାରିଆଙ୍ଗୁଳୁ ଖଣ୍ଡେ ବାକି ରହିଲେ ରହିପାରେ । ପ୍ରଥମେ ଏହି ଶିକ୍ଷାନୀତିର ଉପକାରିତା ଓ ଅପକାରିତା ଗୁଣଗୁଡିକ ଆଲୋଚନା ପୂର୍ବରୁ ଏହାର ପ୍ରଚ୍ଛଦପଟ କାହାଣୀ ବିଶେଷ ବାବରେ ଜାଣି ନେବା ଜରୁରୀ । ସ୍ୱଳ୍ପବାକ୍ୟରେ କହିବାକୁ ଗଲେ ପୁରୁଣା ଶିକ୍ଷାନୀତିକୁ ବଦଳେଇବାକୁ ବିଜେପି ଦଳ ୨୦୧୪ମସିହା ନିର୍ବାଚନ ଘୋଷଣାପତ୍ରରେ ସ୍ଥାନ ଦେଇଥିଲେ । କିନ୍ତୁ କିଛି ହୋଇପାରିଲାନି । ୨୦୧୯ନିର୍ବାଚନ ଜିତିବା ପରେପରେ ଏହା ଉପରେ ପ୍ରାଥମିକତା ଦିଆଗଲା । ସରକାର ଗଠନ ଆରମ୍ଭରୁ ନୂତନ ଶିକ୍ଷାନୀତି ଉପରେ ନାନାଦି ପ୍ରକାର ଆଲୋଚନା ପର୍ଯ୍ୟାଲୋଚନା ଚାଲିଲା ।
ବହୁତ ବଡବଡ ଶିକ୍ଷାବିତ୍ମାନଙ୍କ ସହ ବିଚାରବିମର୍ଶ କରି ଶେଷରେ ତା୩୧-୦୫-୨୦୧୯ରିଖରେ ନୂତନ ଶିକ୍ଷାନୀତିର ଡ୍ରାଫ୍ଟକପି ସରକାରୀ ୱେବ୍ସାଇଟ୍ରେ ଅପ୍ଲୋଡ କରାଯାଇ ସମସ୍ତଙ୍କର ମତାମତ, ସୁଝାବ ଏବଂ ଟିପ୍ପଣୀମାନ ସରକାରଙ୍କୁ ପଠେଇବାକୁ ଆହ୍ୱାନ କରାଗଲା । ପରେ ଏହା ସାଧାରଣ ଜନତାଙ୍କ ଅବଗତି ନିମନ୍ତେ ୨୨ଟି ଭାରତୀୟ ସ୍ଥାନୀୟ ଭାଷାରେ ଅନୁବାଦ କରାଯାଇ ସେହି ସରକାରୀ ୱେବ୍ସାଇଟ୍ରେ ଅପ୍ଲୋଡ କରାଗଲା । ସେ ଯାହାହେଉ ୪୮୪ପୃଷ୍ଠାର ଏହି ନୂତନ ଶିକ୍ଷାନୀତି ନିୟମାବଳୀ ଉପରେ ୨,୦୦,୦୦୦ ସୁଝାବ, ୨,୫୦,୦୦୦ ଗ୍ରାମପଂଚାୟତର ଟିପ୍ପଣୀ, ୬୬୦୦ ବ୍ଲକ୍ ଏବଂ ୬୦୦୦ ସହରୀ ଶିକ୍ଷାସଂସ୍ଥାମାନଙ୍କର ମତାମତ ସରକାରଙ୍କର ହସ୍ତଗତ ହୋଇଥିଲା । ତାପରେ ଦେଶର ଶିକ୍ଷା ସଚିବ ଏବଂ ଶିକ୍ଷାମନ୍ତ୍ରୀମାନଙ୍କ ମଧ୍ୟରେ ଅନେକ ସଭା ସମିତି ବସି ଶେଷରେ ଏହି ନୂତନ ଶିକ୍ଷା ପଦ୍ଧତିର କଳେବର ଚୁଡାନ୍ତ କରାଯାଇ ତା୦୭-୧୧-୨୦୧୯ରିଖରେ ସଂସଦୀୟ ସ୍ଥାୟୀସମିତିକୁ ସମର୍ପଣ କରାହେଲା ।
ସଂକ୍ଷିପ୍ତରେ କହିବାକୁ ଗଲେ ଏହି ନୂତନ ଶିକ୍ଷାନୀତିକୁ ତିଆରି କରିବାପାଇଁ ସରକାର ବହୁତ ବିଚାର ବିମର୍ଷ କରିଛନ୍ତି । ହେଲେ ମୋର ଛୋଟବୁଦ୍ଧି ମୁଣ୍ଡରେ କିଛିପ୍ରଶ୍ନ ବାରମ୍ବାର ଉଙ୍କି ମାରୁଛି । ଏବେକାର ଯେଉଁ ନୂତନ ଶିକ୍ଷାନୀତି ପ୍ରଚଳନ ହେବାକୁ ଯାଉଛି ତନ୍ମଧ୍ୟରେ ବୈଷୟିକ ଉଚ୍ଚଶିକ୍ଷା ବିଭାଗର ନୀତିନିୟମକୁ ତର୍ଜମା କଲେ ଜଣାଯାଏ ଯେ ସମସ୍ତେ ଗୋଟିଏ ପାଠ୍ୟକ୍ରମରେ ଏକାବେଳେ ଦାଖିଲା ନେବେ । ଯିଏ ପ୍ରଥମ ବର୍ଷପରେ ବାହାରିଯିବ ତା’କୁ ସାର୍ଟିଫିକେଟ୍ କୋର୍ଷ ଶେଷକରିଲା ବୋଲି ପ୍ରମାଣପତ୍ର ମିଳିବ ।
ଯିଏ ଦ୍ୱିତୀୟ ବର୍ଷପରେ ବାହାରିବ ସିଏ ଡିପ୍ଲୋମା ଏବଂ ତୃତୀୟବର୍ଷ ପାଠ ସହ ପ୍ରୋଜେକ୍ଟ ସରିଲେ ବ୍ୟାଚେଲର୍ ଡିଗ୍ରୀ ପ୍ରମାଣପତ୍ର ପାଇବାକୁ ଯୋଗ୍ୟ ବିବେଚିତ ହେବ । ତା’ପରେ ଏମ୍ଫିଲ୍ ଆଦିପାଇଁ ପଶ୍ଚିମିଦେଶ ଶିକ୍ଷା ପଦ୍ଧତି ଅନୁରୂପ ବ୍ୟବସ୍ଥା ହୋଂଛି । ଏଠି ପ୍ରଶ୍ନହେଲା ଯିଏ ଶହେମିଟର୍ ଦୌଡ, ଦୁଇଶହମିଟର୍ ଦୌଡ, ହଜାରେମିଟର୍ ଦୌଡ, ଦୁଇହଜାରମିଟର୍ ଦୌଡସହ ମାରାଥନ୍ ଦୌଡପରି ଭିନ୍ନଭିନ୍ନ ପ୍ରତିଯୋଗିତାରେ ଭାଗନେବାକୁ ପ୍ରସ୍ତୁତ ହେବାପାଇଁ ଗୋଟିଏଜାଗାରେ ଗୋଟିଏ କୋଚ୍ଦ୍ୱାରା ଏକାପରି ପ୍ରଶିକ୍ଷଣ ନେଲେ କ’ଣ ଚଳିବ! ମୋ’ହିସାବରେ ଛୁଆବେଳେ ପଢିଥିବା ସେ ଚାରିଅନ୍ଧଙ୍କ ଦ୍ୱାରା ହାତମାରି ହାତୀର ରୂପବର୍ଣ୍ଣନା କଲାପରି ଅନେକଛାତ୍ର ଏପରି ଶିକ୍ଷା ପଦ୍ଧତିରେ ଭୁଲ୍ଭାଲ୍ ଜ୍ଞାନ ଆହରଣ କରିପାରନ୍ତି ।
ଯିଏ ପ୍ରଥମବର୍ଷ ପଢି ବାହାରିଯିବ ସିଏ ପୁରା ଇଂଜିନିୟରିଂ ହାତୀପରି ଏକ ବିରାଟକୋର୍ଷର ଲାଞ୍ଜରେ ହାତମାରି ହାତୀଟା ଦଉଡିପରି କହିବ ଏବଂ ଯେଉଁ ଛାତ୍ରମାନେ ଗୋଡରେ ହାତମାରିବେ ସେମାନେ ଖୁଂଟ ବୋଲି ବଖାଣିବେ । ଅଳ୍ପକିଛି ଛାତ୍ର ଶୁଣ୍ଢରେ ହାତମାରି ସାପ ଏବଂ କିଛି ଚାରିଖୁଂଟକୁ ଦୁଇହାତରେ ଅଣ୍ଡାଳି ଘରପରି ଅନ୍ଦାଜ କରିପାରନ୍ତି । ଏପରି ଶିକ୍ଷାରେ ସାର୍ଟିଫିକେଟ୍, ଡିପ୍ଲୋମା ଓ ଡିଗ୍ରୀ ପାଠ୍ୟକ୍ରମ ଅୟଂଆରମ୍ଭ ପୂର୍ବରୁ ଜଣଙ୍କର ଯେଉଁ ମାନସିକସ୍ତରରେ ପ୍ରସ୍ତୁତିକରଣ ଦରକାର ତାହା କେମିତି ସମ୍ଭବ ହେବ! ଲମ୍ବାରେସ୍ର ଘୋଡାକୁ ଗଳିରେ ଦୈ÷ାଡେଇଲେ କ’ଣ ସୁଫଳ ମିଳିବା ସହଜ ହେବ!
ଏହା ଅକ୍ଷରେ ଅକ୍ଷରେ ସତ ଯେ କୌଣସି ଜାତିର ବିକାଶ ସେ ଦେଶର ଶିକ୍ଷାପଦ୍ଧତି ଏବଂ ବ୍ୟବସ୍ଥା ଉପରେ ଅନେକାଂଶରେ ନିର୍ଭର କରେ । ଶିକ୍ଷାଦ୍ୱାରା ବ୍ୟକ୍ତି ମାର୍ଜିତ ଏବଂ ଶୃଙ୍ଖଳିତ ହୋଇଥାଏ, ଯାହା କି ଏକ ସୁସ୍ଥ ସମାଜ ଗଠନ ପାଇଁ ଅନିବାର୍ଯ୍ୟ । ଦେଶର ଅଗ୍ରଗତିରେ ଶିକ୍ଷା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ସ୍ୱାଧୀନତା ପରେ ଆମଦେଶରେ ବହୁବାର ଶିକ୍ଷାପଦ୍ଧତିକୁ ଦୁରୁସ୍ତ କରିବାକୁ ବିଭିନ୍ନ କମିଶନମାନ ବସେଇ ଚିନ୍ତନ ମନ୍ଥନ କରାଯାଇଛି, ହେଲେ ପ୍ରଥମ ଥରପାଇଁ ଏହା ଏକ କ୍ରାନ୍ତିକାରୀ ପଦକ୍ଷେପ ବୋଲି ଅନେକ ବୁଦ୍ଧିଜୀବୀ ମତ ରଖୁଛନ୍ତି ।
ମାନବ ଚରିତ୍ରକୁ ମାର୍ଜିତ, ରୁଚିସମ୍ପନ୍ନ ଓ ପ୍ରଗତିଶୀଳ କରିବାପାଇଁ ଉଚିତ୍ ଶିକ୍ଷାପ୍ରଣାଳିର ଆବଶ୍ୟକତା ଯଥେଷ୍ଟ ଅଧିକ । ଦେଶ ଓ ଜାତିର ଆଶା ଆକାଂକ୍ଷାକୁ ପୁରଣ କରିବାକୁ ଜନସାଧାରଣଙ୍କୁ ଉଚ୍ଚଶିକ୍ଷିତ ହେବା ଜରୁରୀ । ଭାରତ ଏକ ଭିନ୍ନ ପ୍ରକାରର ଦେଶ ଯେଉଁଠି ବିବିଧତା ଭିତରେ ଏକତା ଆଣିବାକୁ ସରକାର ଅବିରତ ପ୍ରଚେଷ୍ଟା କରେ । ମହାରାଷ୍ଟ୍ରରେ ମୁସ୍ଲିମ୍ ଭାଇ ଗଣପତି ବାବା ମୋରିଆ କହି ନାଚିଲାବେଳେ ତେଲେଙ୍ଗାଣାରେ ହିନ୍ଦୁମାନେ ଇଦ୍ପର୍ବ ପାଳନ୍ତି । ଗୁଜୁରାଟରେ ଉଭୟେ ହିନ୍ଦୁ ମୁସ୍ଲିମ୍ ନବରାତ୍ରୀରେ ଦାଣ୍ଡିଆ ନାଚନ୍ତି ଏବଂ କୋଲକତାରେ ସବୁଧର୍ମର ଲୋକ ଦଶହରାରେ ବୁଲନ୍ତି । ଶିକ୍ଷାରେ ମନ ଓ ହୃଦୟର ପରିସୀମା ବିରାଟ ହୋଇଥାଏ ।
ଅଶିକ୍ଷିତ ଲୋକଙ୍କୁ ଭିନ୍ନଭିନ୍ନ ଧର୍ମ ଓ ଧର୍ମଗୁରୁଙ୍କ ମତାମତ ନାଁରେ ବହୁତ ଜଲଦି କବଳିତ କରି ସନ୍ତ୍ରାସବାଦୀରେ ରୂପାନ୍ତରଣ କରାଯାଇପାରେ । କିନ୍ତୁ ଶିକ୍ଷିତ ହୋଇଥିଲେ ନିଜର ବୁଦ୍ଧିଜ୍ଞାନ ଲଗାଇ ଭୁଲ୍କାମରୁ ନିଜକୁ ବଂଚିତ ରଖିବାକୁ ନାଗରିକଟିଏ ସମର୍ଥ ହେବ । ମଣିଷ ଜୀବନକୁ ସୁଶୃଙ୍ଖଳିତ ଏବଂ ରାଷ୍ଟ୍ରରେ ସମସ୍ତ ନାଗରିକଙ୍କୁ ଏକତା ସୂତ୍ରରେ ବାନ୍ଧିବାକୁ ଶିକ୍ଷାର ଏକ ବଡ ଭୂମିକା ଥିବାରୁ ବର୍ତ୍ତମାନର ଅସଂଖ୍ୟ ଶିକ୍ଷାମାଧ୍ୟମ ଓ ଶିକ୍ଷାପ୍ରଣାଳିର ଆମୂଳଚୂଳ ପରିବର୍ତ୍ତନ କରି ପୁରାଦେଶରେ ଏକ ସାଧାରଣ ସର୍ବଜନମାନ୍ୟ ଶିକ୍ଷାବ୍ୟବସ୍ଥାର ଆବଶ୍ୟକତା ଥିବାରୁ କେନ୍ଦ୍ର ସରକାର ଏବେ ଏହି ନୂତନ ଶିକ୍ଷା ନୀତି ୨୦୨୦କୁ ପ୍ରଣୟନ କରିବାକୁ ନିଶ୍ଚୟ କରିଛନ୍ତି ।
ଏହି ପ୍ରସଙ୍ଗରେ ଏବେ ଆଲୋଚନା କରାଯାଇପାରେ ଯେ କେବଳ ସୁନ୍ଦର ପ୍ରଣାଳୀ ଏବଂ ସୁଷମ ବ୍ୟବସ୍ଥାର ନିୟମ ଗଠନକରି ବସିଗଲେ ସବୁ କିଛି ଆପେଆପେ ହୋଇଯିବ ତା ଆଦୌ ନୁହେଁ । ଏମିତି ତ ଅନେକ ନିୟମ ଆମ ସମ୍ବିଧାନରେ ଆରମ୍ଭରୁ ଅଛି, ଯାହାର ସୁଫଳ ଏପର୍ଯ୍ୟନ୍ତ ଚାଖିବାକୁ ଏବେ ବି ବାକି ଅଛି । ନାରୀ ସଶକ୍ତି କରଣ, ଶିଶୁ ସୁରକ୍ଷା ଏବଂ ବାଳ ଅପରାଧ ସହ ଶିଶୁଶ୍ରମିକଙ୍କ ପାଇଁ ବହୁତ ଧାରା ଉପଧାରା ଥାଇ ମଧ୍ୟ ଲାଗୁ ହେଉଛି କି ନାହିଁ ଦେଖିବାକୁ କେହି ନାହିଁ । ଆମର ଏହି ନିବନ୍ଧଟିକୁ କେବଳ ଶିକ୍ଷାବ୍ୟବସ୍ଥାରେ ସୀମିତ ରଖି ଯଦି ନାଳନ୍ଦା କି ତକ୍ଷଶୀଳା ଦିନର ଗୁରୁଆଶ୍ରମ କଥା ମନେପକେଇବା ତେବେ ସେତେବେଳେ ନୀତିନିୟମ କିଛି କୌଣସି ଖାତାବହିରେ ଲେଖାନଥିଲା । କିନ୍ତୁ ସମଗ୍ରବିଶ୍ୱରେ ଆମର ସେହି ପ୍ରାଚୀନ ଐତିହ୍ୟ ଓ ଗୌରବପାଇଁ ଆମେ ବହୁତ ପ୍ରଶଂସା ସାଉଁଟିଛେ ।
ଭାଷାରେ ସେତେବେଳର ସେ ବ୍ୟବସ୍ଥାକୁ ବୈଦିକ ଶିକ୍ଷାପଦ୍ଧତି କୁହାଯାଇପାରେ । ସେଥିରେ ମୂଳଲକ୍ଷ ଥିଲା ଚରିତ୍ର ଗଠନ ଏବଂ ନୈତିକ ମୂଲ୍ୟବୋଧ ଉପରେ ବିଶେଷ ଗୁରୁତ୍ୱ । ଆଚାର୍ଯ୍ୟମାନେ ଶିଷ୍ୟମାନଙ୍କୁ ପରୋପକାର, ତ୍ୟାଗ, ଦୟା, ଧର୍ମ, ସଂଯମତା, କର୍ମପ୍ରବଣତା, ପୁରୁଷାର୍ଥର ଭିନ୍ନଭିନ୍ନ ଉପାୟ ସହ ନାନାଦି ଶାସ୍ତ୍ରଜ୍ଞାନ ପ୍ରଦାନ କରୁଥିଲେ । ଏପରି ଏକ ଶୃଙ୍ଖଳିତ ଓ ପବିତ୍ର ପରିବେଶରୁ ଛାତ୍ରମାନେ ବାହାରକୁ ବାହାରି ଗୃହସ୍ଥାଶ୍ରମକୁ ପ୍ରବେଶ ସମୟରେ ଆତ୍ମନିର୍ଭର ଏବଂ ଏକ ସାକାରତ୍ମକ ନାଗରିକ ରୂପରେ ଜୀବନ ନିର୍ବାହ କରିବାକୁ ଅତି ସହଜରେ ସମର୍ଥ ହେଉଥିଲେ । ଏବେ ଆମେ ବ୍ୟବସ୍ଥାର ପରିବର୍ତ୍ତନ ତ କଲେ, କିନ୍ତୁ ଏହାର ପ୍ରକୃତ ପ୍ରୟୋଗଶାଳା ଆମ ଗାଁରୁ ସହରଯାଏଁ ପ୍ରାଥମିକ ବିଦ୍ୟାଲୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଦୁରୁସ୍ତ କରିବାକୁ ହେବ । ଶିକ୍ଷକ ଓ ଛାତ୍ର ଉଭୟେ ନିଜନିଜର ଶତ ପ୍ରତିଶତ ସାକାରତ୍ମକ ଯୋଗଦାନ ଦେଲେ ଯାଇ ଏହି ନୂତନ ଶିକ୍ଷାବ୍ୟବସ୍ଥାର ପ୍ରକୃତ ସଦୁପଯୋଗ ହୋଇ ସୁଫଳ ମିଳିବା ସମ୍ଭବ ହେବ । ଏସବୁ ସମୟ କହିବ । ତିରିଶବର୍ଷ ପରେ ଯେତେବେଳେ ବହୁତ ବିଚାର ବିମର୍ଷ ପରେ ଏହି ନୂତନ ଶିକ୍ଷାନୀତି ପ୍ରଚଳିତ ହେବାକୁ ଯାଉଛି ସେତେବେଳେ ଆଶାବାଦୀ ହୋଇ ସୁଫଳକୁ ଅପେକ୍ଷା କରିବା ହିଁ ଉଚିତ୍ ହେବ ।