ବାଦଲ ଭୂୟାଁ : “ଛୋଟ ମୋର ଗାଁଟି, ଭୂଗୋଳ ପୋଥି ପତରରେ ନାହିଁ ତାର ନାଆଁଟି’ – କାଳଜୟୀ ଓଡ଼ିଆ ସ୍ରଷ୍ଟାଙ୍କ ବିଲକ୍ଷଣ ଧାଡ଼ି ଚିରକାଳ ଉଲ୍ଲେଖନୀୟ, ପ୍ରାସଙ୍ଗିକ ଓ ସ୍ମରଣୀୟ । ବିଦ୍ୟାଳୟ ପାହାଚ ନ ମାଡ଼ି, ଭାଷା ସାହିତ୍ୟର ଅ, ଆ ନଜାଣି ଖଣ୍ଡି ଖଣ୍ଡି ଓଡ଼ିଆରେ କଥା କହୁଥିବା ଜଣେ ସାରସ୍ୱତ ସାଧନାର ଅଭିଯାତ୍ରୀଙ୍କ ସୁଲିତ କଣ୍ଠରୁ ଝରି ଚାଲିଛି ଶ୍ରୁତି ମଧୁରର ଭକ୍ତି ସଂଗୀତ । ଗତ ପାଞ୍ଚ ଦଶନ୍ଧି ଧରି ଆଧ୍ୟାତ୍ମିକତାର ଅନନ୍ୟ ନିଦର୍ଶନ ଏହି ବୟସ୍କା ମହିଳା ତାଙ୍କ ଆଜୀବନ ସାଧନାର ସ୍ୱୀକୃତି ସ୍ୱରୂପ କେନ୍ଦ୍ର ସରକାରଙ୍କ ଠାରୁ ପଦ୍ମଶ୍ରୀ ଉପାଧି ପାଇଁ ଯୋଗ୍ୟ ମନୋନୀତ ହେବାପରେ କେବଳ ଓଡ଼ିଶାରେ ନୁହେଁ ଭାରତର ପ୍ରମୁଖ ଗଣମାଧ୍ୟମରେ ତାଙ୍କ ବ୍ୟକ୍ତିତ୍ୱକୁ ନେଇ ଅନେକ ଚର୍ଚ୍ଚା । ଆଖପାଖ ଲୋକମାନଙ୍କ ତାଙ୍କ ପାଇଁ ଡାକ ଥାଏ ଟାଡି ସରୁ ବାଈ । ଯାହାର ଭାବାର୍ଥ ହେଉଛି ତୀଖ ପର୍ବତ ।
ଏହି ତୀଖ ପର୍ବତର ଉଚ୍ଚୁଙ୍ଗ ବ୍ୟକ୍ତିତ୍ୱର ପୂର୍ଣ୍ଣମାସୀ ହଜାର ହଜାର ଅନୁଗାମୀଙ୍କ ପାଇଁ ଆଦର୍ଶର ଚରିତ୍ର ପାଲଟିଛନ୍ତି । ୧୯୪୪ ମସିହାରେ ଖଜୁରୀପଡ଼ା ବ୍ଲକ ଦଳପଡ଼ାରେ ପିତା ନୀଳକଣ୍ଠ ଜାନି ଓ ମାତା ରାଣୀମାତାଙ୍କ କୋଳମଣ୍ଡନ କରିଥିଲେ । ପିଲାଦିନରୁ ସେ ଥିଲେ ମାତୃହରା । କୌଣସି ପାଠ ପଢ଼ି ପାରି ନଥିବାବେଳେ ବାଲ୍ୟ ବିବାହରେ ଆବଦ୍ଧ ହୋଇଥିଲେ ଆରାଧନା ଜାନିଙ୍କ ସହ । ଛଅଟି ସନ୍ତାନର ମାତା ହୋଇ ମଧ୍ୟ କ୍ରୁର ବିଧାତାର ନିଦେ୍ର୍ଦଶ ତାଙ୍କ ପାଇଁ ଅତ୍ୟନ୍ତ ଦୁଃଖଦ ଥିଲା । ଏହି ଅଳ୍ପାୟୁ ସନ୍ତାନମାନେ ତାଙ୍କ କୋଳ ଛାଡ଼ି ଯିବା ପରେ ଦୁଃଖର ପାହାଡ଼ ତାଙ୍କୁ ଆଧ୍ୟାତ୍ମିକତା ଭିତରକୁ ଟାଣି ନେଇଥିଲା ।
ସନ୍ନ୍ୟାସିନୀ କବି ପୂର୍ଣ୍ଣମାସୀ ଜାନିଙ୍କ ଆବେଗଭରା ଜଣାଣଟି ହେଉଛି “ଉଠ ଉଠ ବ୍ରଜମୋହନ ପାହିଲାଣି ରାତି, ସୁବର୍ଣ୍ଣଝରିରେ ପାରି ପଣ୍ଡାଏ ଆଣନ୍ତି, ମୁଖ ପଖାଳିବ ଉଠ ଆହେ ଯଦୁପତି । କୁକୁଟ କଲାଣି ରାବ ଉଠ ରାଧାମାଧବ, ପୂର୍ବ ଦିଗେ ସୂର୍ଯ୍ୟ ଉଇଁ ପ୍ରକାଶିଲେ ଛବି, ଚଉଦିଗରେ କିରଣ ପଡ଼ିଲାଣି ଭାବି । ରାବ ଦେଲାଣି କାଉ ଆକାଶରେ ଯାଇ, ଉଠ ଉଠ ପ୍ରେମମୟ ପ୍ରଭୁ ଭାବଗ୍ରାହୀ । ତୋ ମନ୍ଦିର ବେଢ଼ାରେ ପ୍ରଭୁ ଭକ୍ତଜନମାନେ, ଜଗନ୍ନାଥ ଜଗନ୍ନାଥ ଡାକନ୍ତି ସେମାନେ ।
କହେ ଟାଡି ସରୁ ବାଈ କେତେ ନିଦ୍ରା ଗଲ, ତୋ ମନ୍ଦିର ବେଢ଼ା ପ୍ରଭୁ ପଡ଼ିଲା ଗହଳ ।’ ସିଦ୍ଧି ପ୍ରାପ୍ତି ପରେ ପୂର୍ଣ୍ଣମାସୀଙ୍କ ଜୀବନ ଜୀବିକା ବେଶ ସାଧାରଣ ଥିଲା । ଜଙ୍ଗଲରୁ କାଠ ସଂଗ୍ରହ ଓ ଚାଷବାଷ କରି ସଂସାର ଡଙ୍ଗା ଚଳାଇ ନେଇଥିଲେ । ପରବର୍ତ୍ତୀ ସମୟରେ ସେ ଦୁଇ କନ୍ୟା ସନ୍ତାନଙ୍କ ମାତା ହେବାର ସୌଭାଗ୍ୟ ମଧ୍ୟ ପାଇଛନ୍ତି । ପୂର୍ଣ୍ଣମାସୀଙ୍କ ଈଶ୍ୱର ପ୍ରଦତ୍ତ ଧ୍ୟାନସ୍ଥ ହେବା ପରେ ତାଙ୍କ କଣ୍ଠରୁ ଅବିରତ ଝରୁଥିଲା ସୁମଧୁର ସଂଗୀତ । ଭାଗବତ, ରାମାୟଣ, ନୃସିଂହପୁରାଣ ପରି ଅନେକ ଆଧ୍ୟାତ୍ମିକ ଶାସ୍ତ୍ର ପୁରାଣ ଉପରେ ତାଙ୍କର ବେଶ ଦଖଲ ରହିଛି । କନ୍ଧମାଳର ଚାରିପଡ଼ା ଗ୍ରାମ ସନ୍ନିକଟରେ ରହିଛି ବାଲ୍ମିକୀ ପର୍ବତ ଯାହାକି ପୂର୍ଣ୍ଣମାସୀଙ୍କ ପାବନ ଆରାଧନା ସ୍ଥଳ । କୁହାଯାଏ ତାଙ୍କର ଆଧ୍ୟାତ୍ମିକ ଉପଲବ୍ଧିର ସାକ୍ଷୀ ହେଉଛି ଏହି ପାହାଡ଼ ।
ତାଙ୍କୁ ଯେଉଁମାନେ ଧ୍ୟାନସ୍ଥ ମୁଦ୍ରାରେ ଦେଖିଛନ୍ତି ସେମାନେ ତାଙ୍କୁ ରାମାୟଣର ଶବରୀ ମାତା ବୋଲି ମତବ୍ୟକ୍ତ କରନ୍ତି । ଗୁଢ଼ ଓ ନିଘନ ଆଧ୍ୟାତ୍ମିକ ତତ୍ତ୍ୱ ସବୁକୁ ସେ ଯେଉଁପରି ଅତି ସରଳ ଭାଷାରେ ବୁଝାଇ କହିଥାନ୍ତି ତାହା ଆଶ୍ଚର୍ଯ୍ୟ ଲାଗିଥାଏ । ଧ୍ୟାନସ୍ଥ ହୋଇ ସେ ମୁନୀଋଷିମାନେ ତାଙ୍କୁ ଅଦୃଶ୍ୟ ଭାବେ ତାଙ୍କ କଣ୍ଠରେ ବିଜେ କରି ସଂଗୀତ ସୃଷ୍ଟି କରନ୍ତି ବୋଲି ବିଶ୍ୱାସ କରାଯାଏ । ପୂର୍ଣ୍ଣମାସୀ ଜାନି ୧୯୯୩ରେ ଫୁଲବାଣୀ ପୁସ୍ତକ ଉତ୍ସବ, ୧୯୯୬ରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ମାନ, ୧୯୯୮ରେ ରାଜ୍ୟ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡ଼େମୀ ଦ୍ୱାରା ସମ୍ବର୍ଦ୍ଧିତ ହେବା ସହ ୨୦୧୬ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ମାନ ପାଇଛନ୍ତି । ତେବେ କନ୍ଧମାଳରୁ ସେ ହେଉଛନ୍ତି ପ୍ରଥମ ପଦ୍ମଶ୍ରୀ ଗୌରବ ବିଜୟିନୀ । କନ୍ଧମାଳ ଜିଲ୍ଳାର ଏକ ଅଖ୍ୟାତ ପଲ୍ଲୀର ଏହି ଅଲୌକିକ ପ୍ରତିଭାସମ୍ପନ୍ନ ଲୋକକବିଙ୍କ ସଂସ୍ପର୍ଶ ଯିଏ ପାଇଛି ସେ ଐଶ୍ୱରୀୟ ଗୁଣ ଓ ସରଳତାର ଅଦ୍ଭୁତ୍ପୂର୍ବ ସମାହାର ଦ୍ୱାରା ପ୍ରଭାବିତ ହୋଇଛି ।
ସରଳ ଓ ନିରାଡ଼ମ୍ବର ଜୀବନ ବିତାଇ କନ୍ଧମାଳର ଭୀମଭୋଇ ଭାବେ ଖ୍ୟାତ ପୂର୍ଣ୍ଣମାସୀ ଜାତୀୟ ସ୍ତରରେ ସ୍ୱୀକୃତି ପାଇବା ପରେ ପଦ୍ମଶ୍ରୀ ଉପାଧି ନେଇ ଗଣମାଧ୍ୟମରେ ତାଙ୍କ ଛୋଟିଆ ସରଳ ଉତ୍ତରଟି ରଖିଥିଲେ ସେ ବେଶ୍ ଖୋଲା ଭାବେ କହିଥିଲେ -“ପଦ୍ମଶ୍ରୀ ଉପାଧି କ’ଣ ତାହା ମୁଁ ଜାଣିନାହିଁ । କଟକରୁ ଜଣେ ପରିଚିତ ମୋତେ ଏହି ଖବର ଜଣାଇଥିଲେ’ । ଈଶ୍ୱର ଆରାଧନା ଓ ଆଧ୍ୟାତ୍ମିକତାରେ ଆଜୀବନ ଲୀନ ହୋଇ ଏହି ସଂଗୀତ ସ୍ରଷ୍ଟା ପୂର୍ଣ୍ଣମାସୀ ଜାନିଙ୍କୁ ଜଣେ ଓଡ଼ିଆ ପୁଅ ହିସାବରେ ଓଡ଼ିଶାବାସୀଙ୍କ ତରଫରୁ ତାଙ୍କୁ ମଥାନୁଅାଁ ପ୍ରଣାମ ଜଣାଇବା ସହ ଅଭିିନନ୍ଦନ ଜଣାଉଛି ।

Comments are closed.