ବିମଳ ପ୍ରସନ୍ନ ଦାସ : ମଧ୍ୟଯୁଗୀୟ ସାହିତ୍ୟରେ ସଂଗୀତ ଏତେ ନିବୀଡ ଓ ଅଙ୍ଗାଗୀ ଭାବରେ ଜଡ଼ିତ ଯେ ଗୋଟିଏ ଜଳର ଗଭୀରତା ହେଲେ ଅନ୍ୟଟି ତାର ନୀଳିମା । ସେ ଯୁଗର କବିମାନଙ୍କର କାବ୍ୟକୃତି ଏହାର ଯଥାର୍ଥତା ପ୍ରତିପାଦନ କରିବା ସଙ୍ଗେ ସଙ୍ଗେ ଏହାର ପ୍ରାଧାନ୍ୟକୁ ବଜ୍ରନିର୍ଘୋଷ ସ୍ୱରରେ ସ୍ୱୀକାର କରିଛି । ସଙ୍ଗୀତ ଏକ ନୈସର୍ଗିକ କଳା । ଏହା ଜୀବନର ସବୁ ସ୍ତରରେ ପରିବ୍ୟାପ୍ତ ଓ ଏହାର ସାର୍ବଜନୀନ ଆବେଦନ ଯୁଗେ ଯୁଗେ ରହି ଯାଇଛି । ସେଥିପାଇଁ ସଙ୍ଗୀତ ସାହିତ୍ୟ ଓ ରସ ଅନଭିଜ୍ଞଙ୍କ ସଂଖ୍ୟା ଏ ସଂସାରରେ ନିଶ୍ଚିତ ସ୍ୱଳ୍ପ । ଜନୈକ କବିଙ୍କ ଭାଷାରେ –
“ସାହିତ୍ୟ ସଙ୍ଗୀତ କଳା ବିହୀନ
ସାକ୍ଷାତ ପଶୁପୁଚ୍ଛ ବିଶାଣ ହୀନ” ।
ପଦ୍ମତୋଳାର ଝଙ୍କାରରେ ବିଷଧର ଭୂଜଙ୍ଗ ମଧ୍ୟ ଶାନ୍ତ ହୋଇଯାଏ । ଶ୍ରୀକୃଷ୍ଣଙ୍କ ମୋହନ ମୂରଲୀର ମଧୂର ମୂର୍ଚ୍ଛନା ମଧ୍ୟ ସେହିପରି ଗୋବୃନ୍ଦ, ଗୋପାଙ୍ଗନା ଓ ଗୋପାଳ ବାଳକମାନଙ୍କୁ ମୂର୍ଚ୍ଛତ କରିଥିଲା । ସେଥିପାଇଁ ସାହିତ୍ୟ, ସଙ୍ଗୀତ ଓ ସଂସ୍କୃତିର ରସରେ ଅନଭିଜ୍ଞ୍ୟ ବ୍ୟକ୍ତିଙ୍କୁ ଲଞ୍ଜ ଓ ସିଙ୍ଗହୀନ ପଶୁଙ୍କ ସହିତ ତୁଳନା କରାଯାଇଛି । ସମାଲୋଚକ ମାନଙ୍କ ଉକ୍ତ ମତାମତ ମୃତୁ୍ୟପରି ସତ୍ୟ । ସାହିତ୍ୟ ସହିତ ଜୀବନ ଓ ସମାଜ ଯେପରି ନିବୀଡ, ସଙ୍ଗୀତ ଓ ସଂସ୍କୃତି ସହିତ ସଙ୍ଗୀତ ସମ୍ବନ୍ଧ ଅପରିହାର୍ଯ୍ୟ । ସାହିତ୍ୟ ଓ ସଙ୍ଗୀତ ଦୁଇଟି ମୁଖ୍ୟ ମାଧ୍ୟମ । ସଙ୍ଗୀତର ମୋହନ ମାଧୁରୀ ଓ ମଧୂର ମୂର୍ଚ୍ଛନା ଯେଉଁଦିନ ନିଃଶେଷ ହୋଇଯିବ, ହେି ମୁହୂର୍ତ୍ତରେ ରୂପ-ରସ-ଗନ୍ଧ ଭରା ଏହି ପୃଥିବୀରେ ମରୂର ହାହାକାର ହିଁ ତିଷ୍ଠି ରହିବ ।
ଯେ କୌଣସି ସାହିତ୍ୟରେ ପଦ୍ୟଠାରୁ ଗଦ୍ୟର ସୃଷ୍ଟି ଅଟାଚୀନ । ଗଦ୍ୟ ଭାଷାର ମାଧ୍ୟମରେ ଆତ୍ମପ୍ରକାଶ କଲାବେଳେ, ସଙ୍ଗୀତ ଓ ପଦ୍ୟ ହୃଦୟର ଆବେଗମୟତାର ଆତ୍ମପ୍ରକାଶ । ହୃଦୟର ଗଭୀରତମ ପ୍ରଦେଶରୁ ଏହାର ସୃଷ୍ଟି ଓ ସେହିଠାରେ ହିଁ ଏହାର ବିଲୟ । ସାହିତ୍ୟ ବହୁ ପୂର୍ବରୁ ସଙ୍ଗୀତର ସୃଷ୍ଟି । ଓଁକାର ସୃଷ୍ଟିର ଆଦ୍ୟ ସଙ୍ଗୀତ, ନୀରବ, ନିସ୍ପନ୍ଦ ସୃଷ୍ଟି ଏହି ପ୍ରଥମ ଶବ୍ଦରେ ଶବ୍ଦାୟିତ ହୋଇଛି ।
ଏହି ପରିପ୍ରେକ୍ଷୀରେ ଗଣକବି ବୈଷ୍ଣବ ପାଣିଙ୍କ କୃତି ଓ କୀର୍ତ୍ତି ବିଚାର୍ଯ୍ୟା, ବିଶେଷତଃ ତାଙ୍କ ରଚିତ ଗୀତିନାଟ୍ୟ, ଯାତ୍ରା, ନୃତ୍ୟ ସଙ୍ଗୀତର ଅନବଦ୍ୟ ସୃଷ୍ଟି ସମ୍ଭାର, ତାଙ୍କ ପ୍ରତିଭାର ଅଲିଭା ସ୍ୱାକ୍ଷର ।
ଓଡ଼ିଆ ଯାତ୍ରା- ସାହିତ୍ୟର କ୍ରମବିକାଶ ଦିଗରେ ଯେଉଁମାନେ ବତିଖୁଣ୍ଟ ପରି ଆମ ଜନ ଜୀବନକୁ ଆଲୋକିତ କରିଛନ୍ତି, ସେମାନଙ୍କ ମଧ୍ୟରେ ଗଣକବି ବୈଷ୍ଣବ ପାଣି ଅଗ୍ରଗଣ୍ୟ । କାରଣ ଗୋପାଳ ଦାସ, ଜଗନ୍ନାଥ ପାଣି, ବାଳକୃଷ୍ଣ ମହାନ୍ତି, ରାମଚନ୍ଦ୍ର ସ୍ୱାଇଁ ଓ କୃଷ୍ଣପସାଦ ବସୁ – ଏମାନଙ୍କ ତୁଳନାରେ ପାଣିକବିଙ୍କ ଗୀତିନାଟ୍ୟ ଓ ଯାତ୍ରା – ସାହିତ୍ୟ ଜନ ମାନସକୁ ଗଭୀର ଭାବେ ସ୍ପର୍ଶ କରି ପାରିଛି । ପୌରାଣିକ କଥାବସ୍ତୁକୁ ଗ୍ରାମୀଣ ଭାଷାରେ ପରିବେଷଣ, ନିଜସ୍ୱ ଅର୍ନ୍ତଦୃଷ୍ଟି, ସମାଜ ଓ ଜୀବନ ପ୍ରତି ଶାଣିତ ଦୃଷ୍ଟିଭଙ୍ଗୀ, ଶ୍ରୁତିମଧୁର ଶବ୍ଦ ସମ୍ଭାର ଏବଂ ସର୍ବୋପରି ଆଶୁ କବିତ୍ୱର କାଉଁରୀ ସ୍ପର୍ଶ, ତାଙ୍କର ବୈଷିଷ୍ଟ୍ୟ ଓ ସଫଳ ସ୍ୱାକ୍ଷର । ଏସବୁ ବିରଳ ବିଭବର ସମାହାର ତାଙ୍କୁ ଜନ ମାନସରେ ମୁକୁଟ ବିହୀନ ସମ୍ରାଟ ଭାବରେ ଅଭିଷିକ୍ତ କରିଛି ।
ଯାତ୍ରା ଆମ ନାଟ୍ୟ ସାହିତ୍ୟର ସୁପ୍ରାଚୀନ କଳା କାବ୍ୟେଷୁ “ନାଟକମ୍ ରମ୍ୟଂ । ପାଣି ସାହିତ୍ୟ ଏହି ଭକ୍ତିର ସାର୍ଥକ ପ୍ରତିଛବି । ପ୍ରାଚୀନ ଓଡ଼ିଶୀ ଯାତ୍ରାକୁ ଆଧୁନିକ କରିବାରେ ଆନେ୍ଦାଳନକାରୀ ହେଉଛନ୍ତି ବୈଷ୍ଣବ ପାଣି । ପାଶ୍ଚାତ୍ୟ ପ୍ରଭାବରେ ସେତେବେଳେ ଓଡ଼ିଆ ନାଟ୍ୟକଳା ବିଲୁପ୍ତ ପ୍ରାୟ, ସେତିକିବେଳେ ନିଜ ପ୍ରତିଭାର ଯାଦୁକରୀ ସ୍ପର୍ଶରେ ପୂର୍ଣ୍ଣ-ପ୍ରଚଳିତ ଭାବ, ଭାଷା ଓ ଶୈଳୀକୁ ମାର୍ଜିତ କରି ଯାତ୍ରା ସାହିତ୍ୟକୁ ପାଣି ନୂତନ ରୂପ ଓ ରଙ୍ଗ ଦେବାକୁ ସମର୍ଥ ହୋଇଥିଲେ । ସେଥିପାଇଁ ସେ ପ୍ରାଚୀନ ଓ ଆଧୁନିକ ନାଟ୍ୟ ଶୈଳୀର ସେତୁ ଭାବରେ ଅଭିନନ୍ଦିତ । ଗୁଣାତ୍ମକ ଦୃଷ୍ଟିକୁ ତାଙ୍କର ଗୀତିନାଟ୍ୟ ଗୁଡିକ ଅନବଦ୍ୟ ସୃଷ୍ଟି ।
ତାଙ୍କର ଅମର ଲେଖନୀରୁ ଜନ୍ମ ନେଇଛି “ମେଘନାଦ ବଦ୍ଧ”, “ରଙ୍ଗସଭା”, “ନଳ ଦମୟନ୍ତୀ”, “ଧ୍ରୁବ ଚରିତ”, “ଦାନବୀର ହରିଶ୍ଚନ୍ଦ୍ର”, “ଦୁର୍ଯେ୍ୟଧନ ଘୋଷଯାତ୍ରା”, “ଦକ୍ଷଯଜ୍ଞ”, “ଅଭିମନୁ୍ୟ ବଦ୍ଧ”, “ରାବଣ ବଦ୍ଧ”, “କୀଚକ ବଦ୍ଧ”, “ବ୍ରଜଲୀଳା”, “ସାକ୍ଷୀଗୋପାଳ”, “ଶୁକଦେବ ଜନ୍ମ”, “କପଟ ପାଶା”, “ଭକ୍ତ ସୁଦାମା”, “ବସନ୍ତ ରାସ”, “କଳା ପାହାଡ” ଇତ୍ୟାଦି । ଏହିସବୁ ସାରସ୍ୱତ ସୃଷ୍ଟି ଯାତ୍ରା ସାହିତ୍ୟକୁ ପ୍ରତିଷ୍ଠିତ କରିବା ସଙ୍ଗେ ସଙ୍ଗେ ନୂତନ ମୂଲ୍ୟବୋଧ ସୃଷ୍ଟି କଲା । ମୁକ୍ତ ରଙ୍ଗମଞ୍ଚରେ ସାମାନ୍ୟ ବାଦ୍ୟ ଯନ୍ତ୍ରକୁ ସମ୍ବଳ କରି ବିଶାଳ ଜନ-ଅରଣ୍ୟକୁ ଆକୃଷ୍ଟ କରିବାରେ ପାଣିଙ୍କର ଯାଦୁକରୀ ଶକ୍ତି ଥିଲା । ଦର୍ଶକ ମନର ରସ କଦମ୍ବରେ ଶିହରଣ ସୃଷ୍ଟି କରି ପାରିଲା ଭଳି ସଂଳାପ ଓ ସଙ୍ଗୀତ ତାଙ୍କ ନୈସର୍ଗିକ କବି ପ୍ରତିଭାର ଉଜ୍ଜ୍ୱଳ ସ୍ୱାକ୍ଷର । ତାଙ୍କ ରଚିତ ଗୀତିନାଟ୍ୟ ଗୁଡିକ ଯେତିକି ରସପୂର୍ଣ୍ଣ, ସଙ୍ଗୀତମୟ ସଂସ୍କାର ଧର୍ମୀ, ସେତିକି ସାହିତ୍ୟ ସଙ୍ଗୀତ ଓ ସଂସ୍କୃତିର ମଞ୍ଜୁଳ ସମାହାର ।
ବାଲ୍ୟ ଓ କୈଶୋର ଜୀବନ ଅକଥନୀୟ ଦାରିଦ୍ର୍ୟର ଦଂଶନରେ କ୍ଷତବିକ୍ଷତ । ସେଥିପାଇଁ ଷଷ୍ଠ ଶ୍ରେଣୀ ପରେ ତାଙ୍କ ଅଧ୍ୟୟନର ଉଦ୍ୟାପନ । କୋଠପଦା ମହନ୍ତ ମହାରାଜଙ୍କ ମଠରେ ମାତ୍ର ଏଗାର ଟଙ୍କା ମାସିକ ବେତନରେ ଫୁଲ ତୋଳାଳୀ, ଗାଇ ଯଗୁଆଳୀ ଏପରିକି ମାସିକ ମାତ୍ର ଅଢେଇଟଙ୍କା ବେତନରେ ପୂଜାରୀ କାମ ତାଙ୍କୁ କରିବାକୁ ହୋଇଛି । ଜୀବନର ମଧ୍ୟାହ୍ନରେ “ହର” ନାମ୍ନୀ ଏକ ବିବାହିତା ରଜକୀର ପ୍ର୍ରେମରେ ଆବଦ୍ଧ ହୋଇ ଜୀବନସାଥୀ ଭାବରେ ଗ୍ରହଣ କରିବାରୁ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରୁ ବିତାଡିତ ହେବାକୁ ପଡିଛି । ଯେଉଁ ଦାରୁଦେବତାଙ୍କ କୃପା ତାଙ୍କ ଜୀବନାଦର୍ଶ । ଶେଷରେ ଜୀବନର ଅନ୍ତିମ ପର୍ଯ୍ୟାୟରେ ବ୍ୟାଧିଗ୍ରସ୍ତ ହୋଇ ତାଙ୍କ ଅନୁତପ୍ତ ତଥା ଅଭିମାନୀ ହୃଦୟ “ନୀଳାଚଳ ବିହାରୀ”ଙ୍କ ଉଦେ୍ଦଶ୍ୟରେ ଅଜସ୍ର ଭକ୍ତି ସଙ୍ଗୀତ ଦରଦୀ ଅର୍ଘ୍ୟ ସ୍ୱରୂପ ଅର୍ପଣ କରି ଯାଇଛନ୍ତି । ତାଙ୍କ ଭକ୍ତି ବିଭୋର ବ୍ୟାକୁଳ ହୃଦୟ ଅସହ୍ୟ ରୋଗଯନ୍ତ୍ରଣା ଭିତରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ କବିସୂର୍ଯ୍ୟଙ୍କ ଭଙ୍ଗୀରେ ଭସôର୍ନା କରି ଗାଇ ଉଠିଛି –
“ଛାଡ ମାଡଖିଆ ବୁଦ୍ଧହେ ବଡ ଦେଉଳେ ବଡ ଗୋସାଇଁ ଯେ ମଇଳା ମାଡ଼ ସେ ହୋଇଲା ବଡ ବାଡ ଦେଲୁ ତାକୁ ତୁହି । ମାଡ଼ ଦେଲା ଗୋପେ ଗଉଡୁଣୀ ରାଧା ତା ଗୋଡ଼ ଧରିକୁ ଯାଇ ନନ୍ଦ ରାଟ ଛାଟ ଆଣ୍ଟେ ପିଟିବାରୁ ଦେଲୁ ବଇକୁଣ୍ଠ ଭୂଇଁ । ମାଡୁଆ ମୋହନ ମାଡ଼ବିନୁ ଆନ ଗତି ତୋ କପାଳେ ନାହିଁ ବଇଷ୍କବ ଭକ୍ତି କଡ଼ିଆ ଧରିଛି, କରେ ଲଗାଇବା ପାଇଁ ।”
ଶିଶୁପାଳ, କଂଶ ଆଦି ତାଙ୍କୁ ବିରୋଧ କରି ମୋକ୍ଷ ଲାଭ କଲେ । ଅଥଚ କବି ତାଙ୍କୁ ଅତ୍ୟନ୍ତ ଆପଣାର ମନେ କରି ଯେତେ ଭକ୍ତି କଲେ ମଧ୍ୟ ତାଙ୍କ ଆକୁଳ ନିବେଦନ ସେ ଘେନା କରି ନାହାନ୍ତି । ତେଣୁ ସେ ତାଙ୍କ୍ୁ ଥଟା କରି ଗାଇଛନ୍ତି :-
“ମିଛେ ନୀଳାଚଳ ନାଥ ବସିିଅଛୁ ନୀଳାଚଳେ
ପଣ୍ଡାର ରନ୍ଧା ଭାତ ଡାଲି ଗିଳିଣ ବଡ ଦେଉଳେ” ।
କେବଳ ଏତିକିରେ ତାଙ୍କ ଯନ୍ତ୍ରଣା ଜର୍ଜରିତ ପ୍ରାଣ ସନ୍ତୁଷ୍ଟ ହୋଇନାହିଁ । ଅଭିମାନୀ, ବେଦନା ବିଧୂର କବି ପ୍ରାଣ ତାଙ୍କୁ ଆହୁରି ଭସôର୍ନା କରିଛି ।
“ଭାତ ବିକା ଜଗନ୍ନାଥ ଚାତର ସରିଚ ହେ
କାତରେ ଡାକି ଖାତରେ ପଡନ୍ତେ ଗରିବ ହେ
ଇତର କରିବେ ଥଟା ହେବୁ କେତେ ହଟହଟା
ଉତ୍ତର ତୁଣ୍ଡରୁ ସେତେବେଳେ ନ ସ୍ଫୁରିବ ହେ ।
ଗୋଚର ମରା ଗୋବିନ୍ଦ ଭିତରେ ତୋ ବଡମନ୍ଦ
ଭୁଞ୍ଜିବା ପତରେ ଧୂଳି କେ ଦେଇ ପାରିବ ହେ
ଶୁଣିଛି ସୃଷ୍ଟି ଭିତରେ ତାରିଛ କେତେ ପାତରେ
ମିଛ ବୋଲି ଏ ଅନ୍ତରେ ମଣଇ ସରବ ହେ” ।
ଶିଶୁପାଳ, କଂଶ, ହିରଣାକ୍ଷ୍ୟ ଓ ରାବଣ ପ୍ରଭୃତି ଅସୁରମାନେ ତାଙ୍କୁ ବିରୋଧ କରି ମୋକ୍ଷ ଲାଭ କଲେ । ଅବଶ୍ୟ ବୈଷ୍ଣବ ପାଣି ଭଗବାନଙ୍କୁ ନିଶ୍ଚିତ ବିରୋଧ କରିଛନ୍ତି । ତାଙ୍କ ଇଛାକୁ ଥଟା, ପରିହାସ, ସମାଲୋଚନା କରିଛନ୍ତି ଏବଂ ପରେ ଅନୁତପ୍ତ ହୋଇଛନ୍ତି । ତାଙ୍କରି ବେଦନାରିକ୍ତ ପ୍ରାଣରୁ ପୂନର୍ବାର ଝରିଆସିଛି :-
“ଚକ୍ରଧର ଚଉବାହା
ଚରଣ କମଳେ ନ ମିଳିଲେ ରାହା
ଜଗବନ୍ଧୁ ହେ, ମୋତେ ଚରଣେ ହେବକି ସାହା
ବିଦାୟୀ ଶରରେ ଅପୂର୍ବ ଶୋଭା ସମ୍ଭାର ଓ ସବୁଜିମାରେ ଜନ୍ମ ହୋଇ ପୂର୍ଣ୍ଣମୀ ଚନ୍ଦ୍ର ପରି ଓଡ଼ିଆ ସାହିତ୍ୟାକାଶକୁ ଜ୍ୟୋସ୍ନାୟିତ କରି ୧୯୫୫ ମସିହା ବଇଶାଖୀ ଅମାବାସ୍ୟା ତିଥିରେ ସେ ଇହଳୀଳା ସମ୍ବରଣ କଲେ । ସତେ ଯେପରି ତାଙ୍କ ଆବିର୍ଭାବ ଓ ତିରୋଭାବ ଓଡ଼ିଶାର ସାରସ୍ୱତ ଗଗନରେ ଆଲୋକ ଓ ଅନ୍ଧକାରରେ ପ୍ରତୀକ । ସେହି ମହାନ କାଳଜୟୀ ପ୍ରତିଭାଙ୍କର ପବିତ୍ର ଜୟନ୍ତୀ ସପ୍ତାହ ପାଳନ ଅବସରରେ କବିବରଙ୍କ ଭକ୍ତିକୁ ଉଦ୍ଧାର କରି ତାଙ୍କ ଆମ୍ଲାନ ସ୍ମୃତି ଉଦେ୍ଦଶ୍ୟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ନିବେଦନ କରୁଛି ।
“ଧନ୍ୟ ପାଣି ତୁମ ଜନ୍ମ ଶୁଭକ୍ଷଣେ
ମୃତୁ୍ୟଞ୍ଜୟ ତୁମେ ଉକôଳ ଭୂବନେ
ତୁମ ମାଟି ଦେଇ ଗ୍ରାସିଛି ଶ୍ମଶାନ
ମାତ୍ର ଯଶ ଦେଲେ ତୁମେ ଆୟୁଷ୍ମାନ”