Odisha news

ଅନନ୍ୟ କାଳଜୟୀ ସ୍ରଷ୍ଟା ରାମକୃଷ୍ଣ ନନ୍ଦ : ଅକ୍ଟୋବର ୨୮ ତାରିଖ ଖାତନାମା ଶିଶୁ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ୨୬ ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ…

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଆଧୁନିକ ଓଡିଆ ସାହିତ୍ୟର ଜଣେ ଅନନ୍ୟ ଶିଶୁ ସାହିତି୍ୟକ ହେଉଛନ୍ତି ରାମକୃଷ୍ଣ ନନ୍ଦ । ତାଙ୍କ ଶିଶୁ ସାହିତ୍ୟ ଏପରି ରସଯୁକ୍ତ ଓ ପ୍ରାଣବନ୍ତ ଥିଲା ଯେ ସେଥିରେ ଶିଶୁପ୍ରାଣ ଆତ୍ମହରା ହୋଇଉଠିଥିଲା । ଅନ୍ୟ ଭାବରେ କହିଲେ ଶିଶୁ ପ୍ରାଣର ଆଶା,ଆକାଂକ୍ଷା ଓ ସୁଖ- ଦୁଃଖର ସେ ଥିଲେ ସାର୍ଥକ ରୂପକାର । କେବଳ ଶିଶୁ ସାହିତି୍ୟକ ବା କବି ନୁହଁନ୍ତି, ଜଣେ ସଫଳ ଅନୁବାଦକ ଓ ପ୍ରଖ୍ୟାତ ସମ୍ପାଦକ ଭାବେ ସେ ସ୍ୱକୀୟ ଦକ୍ଷତାର ପ୍ରମାଣ ଛାଡିଯାଇଛନ୍ତି ।

ତାଙ୍କ ରଚିତ କାଳଜୟୀ ଭକ୍ତି ସଂଗୀତ ‘ଆହେ ଦୟାମୟ ବିଶ୍ୱ ବିହାରୀ’ ପାଇଁ ସେ ଓଡିଶାର ଘରେ ଘରେ ପରିଚିତ । ଏହି ଗୀତର ଲୋକପ୍ରିୟତା ଏତେ ଥିଲା ଯେ ୧୯୭୮ ମସିହାରେ ଓଡିଆ ଚଳଚିତ୍ର ‘ବଳିଦାନ’ରେ ଏହା ସ୍ଥାନ ପାଇଥିଲା । ଏବେବି ଏହି ଗୀତର ଲୋକପ୍ରିୟତା ଅତୁଟ ରହିଛି । ଆଜି ହେଉଛି ତାଙ୍କର ୨୬ ତମ ଶ୍ରାଦ୍ଧବାର୍ଷିକୀ । ତାଙ୍କର ସାରସ୍ୱତ ପ୍ରତିଭାର ସମ୍ୟକ ସ୍ମୃତିଚାରଣ କରିବା ଏହି କ୍ଷୁଦ୍ର ଆଲେଖ୍ୟର ଉଦେ୍ଦଶ୍ୟ ।
ସେଦିନ ଥିଲା ୧୯୦୬ ମସିହା ଫେବୃଆରୀ ୧୫ ତାରିଖ । ଏହିଭଳି ଏକ ଶୁଭ ତିଥିରେ ନିଆଳି ବ୍ଲକ ଅନ୍ତର୍ଗତ ବାଇରୋଇ ଗ୍ରାମରେ ଜନ୍ମ ନେଇଥିଲେ ରାମକୃଷ୍ଣ । ତାଙ୍କ ପିତାଙ୍କ ନାମ ମଧୂସୁଦନ ନନ୍ଦ ।

ତୁଳସୀ ଦୁଇପତ୍ରରୁ ବାସିଲାପରି ବାଲ୍ୟକାଳରୁ ତାଙ୍କ ପ୍ରତିଭାର ଉନ୍ମେଷ ହୋଇଥିଲା । ବୟସର ବୃଦ୍ଧି ହେବା ସଙ୍ଗେ ସଙ୍ଗେ ରାମକୃଷ୍ଣଙ୍କ ହୃଦୟରେ ଦେଶପ୍ରେମ ବୀଜ ଅଙ୍କୁରିତ ହେଲା । ସେତେବେଳକୁ ସ୍ୱାଧୀନତା ସଂଗ୍ରାମ ଆନେ୍ଦାଳନ ଜୋର ଧରିଥାଏ । ମହାତ୍ମାଗାନ୍ଧୀଙ୍କ ଡାକରାରେ ଦେଶର କୋଣଅନୁକୋଣରେ ଦେଶପ୍ରେମ ଭାବନାରେ ଉଦ୍ବୃଦ୍ଧ ହୋଇ ଅନେକ ଛାତ୍ରଛାତ୍ରୀ ସ୍ୱାଧୀନତା ସଂଗ୍ରାମ ଆନେ୍ଦାଳନରେ ସାମିଲ ହୋଇଥିଲେ । ଏହାର ପ୍ରଭାବ ମଧ୍ୟ ରାମକୃଷ୍ଣଙ୍କ ଉପରେ ପଡିଥିଲା । କଣ୍ଟାପଡା ପ୍ରାଥମିକ ଶିକ୍ଷା, ରେଭେନ୍ସା କଲିଜିଏଟ୍ ସ୍କୁଲରୁ ମାଧ୍ୟମିକ ଶିକ୍ଷା ଓ ରେଭେନ୍ସା କଲେଜରୁ ଉଚ୍ଚ ଶିକ୍ଷା ଶେଷ କରିଥିଲେ ।ଶିକ୍ଷକତାରୁ କର୍ମମୟ ଜୀବନ ଆରମ୍ଭ କରିଥିଲେ ସିଏ ବାଙ୍କି ଉଚ୍ଚ ବିଦ୍ୟାଳୟରୁ । ପରେ ବାରିପଦା ଉଚ୍ଚ ବିଦ୍ୟାଳୟ ଏବଂ ଶେଷରେ ଭିଙ୍ଗାରପୁର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ ।

ଶିକ୍ଷକତା ଜୀବନ ଭିତରେ ଅନେକ ସୁନାମଧନ୍ୟ ଛାତ୍ର ତିଆରି କରିଥିଲେ ସେ ଯେଉଁମାନେ କି ପରବର୍ତ୍ତୀ ଜୀବନରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିଲେ । ତନ୍ମଧ୍ୟରେ ପ୍ରତିଷ୍ଠିତ ରାଜନୀତିଜ୍ଞ ତଥା ଭାରତର ପୂର୍ବତନ ବାଚସ୍ପତି ରବି ରାୟ ଓ ସୁସାହିତି୍ୟକ ମହାପାତ୍ର ନୀଳମଣି ସାହୁଙ୍କ ନାମ ଉଲ୍ଲେଖ ଯୋଗ୍ୟ । ଶିକ୍ଷକତା ଜୀବନ କାଳ ଭିତରେ ରାମକୃଷ୍ଣ ନନ୍ଦ ଶିକ୍ଷାକୁ ଜୀବନର ପରମ ବ୍ରତ ରୂପେ ଗ୍ରହଣ କରିନେଇôରଲେ । ଜଣେ ଆଦର୍ଶ ଶିକ୍ଷକ ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା ।

ଜଣେ ଅନନ୍ୟ ପ୍ରତିଭାସମ୍ପନ୍ନ ସାହତ୍ୟ ସାଧକ ଭାବେ ରାମକୃଷ୍ଣ ନନ୍ଦ ନିଜ ପାଇଁ ଏକ ନିଆରା ପରିଚୟ ସୃଷ୍ଟି କରିପାରିଥିଲେ । ଏକାଧାରରେ ସିଏ ଥିଲେ ଜଣେ ଖ୍ୟାତନାମା ଶିଶୁ ସାହିତି୍ୟକ, ପ୍ରଖ୍ୟାତ ସମ୍ପାଦକ ଓ ସର୍ବୋପରି ଜଣେ ପ୍ରବୀଣ ଶିକ୍ଷକ । ଜଣେ ସ୍ରଷ୍ଟା ଭାବେ ସାହିତ୍ୟର ବିଭିନ୍ନ ବିଭାଗରେ ସେ ସଫଳ ହୋଇଥିଲେ ଓ ଓଡ଼ିଆ ଶିଶୁ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ସବୁଦିନ ପାଇଁ ଅବିସ୍ମରଣୀୟ ହୋଇ ରହିବେ । ରାମକୃଷ୍ଣ ଜାଣିଥିଲେ ଶିଶୁପ୍ରାଣ ସରଳ, ନିଷ୍ପାପ ଓ କୋମଳ ।

ଶିଶୁ ମନରେ ଆନନ୍ଦ, ବିଷାଦ, ମାନ, ଅଭିମାନ ଭରି ରହିଅଛି । ଏହି କଥାକୁ ମର୍ମେ ମର୍ମେ ଉପଲବ୍ଧି କରିଥିଲେ ସେ । ଜଣେ ପାଠ୍ୟ ପୁସ୍ତକ ରଚୟିତା ଭାବେ ତାଙ୍କର ବେଶ ସୁନାମ ଥିଲା । ସାହିତ୍ୟ ସୋପାନ ସାହିତ୍ୟ ବୋଧ, ରଚନା ଦର୍ପଣ ଆଦି ପାଠ୍ୟ ପୁସ୍ତକ ସେତେବେଳେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷା ସ୍ତରରେ ପ୍ରଚଳନ କରାଯାଇଥିଲା ।

ଏଥିମଧ୍ୟରୁ ସାହିତ୍ୟ ସୋପନ ଥିଲା ତାଙ୍କର ପ୍ରଥମ ପାଠ୍ୟ ପୁସ୍ତକ । ୧୯୪୬ ମସିହାରେ ସେ ଚାକିରି ଛାଡି କଟକ ଆସିଥିଲେ ଏବଂ ୧୯୪୭ ଜୁଲାଇ ୨୧ରେ ପାରିଜାତ ପ୍ରେସ୍ ପ୍ରତିଷ୍ଠା କରିଥିଲେ । ୧୯୫୨ ମସିହାରେ ସେ ସଂସାର ପତ୍ରିକା ପ୍ରକାଶ କରିଥିଲେ । ଏହାଥିଲା ତାଙ୍କ ଜୀବନର ଏକ ମାଇଲ ଖୁଣ୍ଟ । ଏ ପତ୍ରିକାଟିର ମାନ ବହୁ ଉଚ୍ଚରେ ଥିଲା ଓ ଶିଶୁ ସାହିତ୍ୟ ପ୍ରସାର ପ୍ରଚାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

ଖାଲି ସେତିକି ନୁହେଁ, ଶିଶୁର ମନସ୍ତତ୍ତ୍ୱକୁ ଅତି ସୁନ୍ଦର ଭାବେ ବୁଝି ପାରିଥିଲେ ରାମକୃଷ୍ଣ ନନ୍ଦ । ପିଲା ମାନଙ୍କ ପାଇଁ ବିଭିନ୍ନ ବହି ଓ ଗୀତ ଲେଖି ଚାଲିଥିଲେ । ୧୯୩୦ ମସିହାରେ ତୁଳସୀ ଦାସ, ୧୯୩୧ ରେ ତୁଳସୀ ଦାସ ଦୋହାବଳୀ, ୧୯୩୩ରେ ପ୍ରତିଧ୍ୱନି, ୧୯୩୪-୩୭ରେ ସାହିତ୍ୟ ସୋପନ, ୧୯୩୮ରେ ସାହିତ୍ୟ ବୋଧ, ୧୯୪୦ରେ ରଚନା ଦର୍ପଣ, ୧୯୪୪-୪୫ରେ ପାଠ ସୋପାନ, ୧୯୩୬-୪୬ ସଂଗ୍ରାମ ଓ ସାଧନା (ପ୍ରଥମ ଭାଗ ଓ ଦ୍ୱିତୀୟ ଭାଗ) , ୧୯୪୯ରେ ବିଜ୍ଞାନର କୁହୁକ, ୧୯୬୨ରେ ବିଶ୍ୱ ପରିଚୟ(ଓଡିଆ ଭାଷା କୋଷ), ୧୯୭୫ରେ ଝୁମୁକା, ୧୯୮୨ ଓଡିଆ ଶିଶୁ ସାହିତ୍ୟ ଓ ସଂଗୀତ ସଂକଳନ, ୧୯୮୨ରେ ଇନ୍ଦ୍ରଧନୁ (ଅନୁବାଦ) ୧୯୮୩ ଆମ ବଣ ଜଙ୍ଗଲ, ୧୯୮୩ରେ ଆମ ଶରୀର(ଅନୁବାଦ), ୧୯୮୫ରେ ଆମ ଜାତୀୟ ପତାକା ଓ ଜାତୀୟ ସଂଗୀତ, ୧୯୮୬ରେ ଜୀବନ ରହସ୍ୟ, ୧୯୮୯ ଅଦେଖା ବଣର ଫୁଲ, ୧୯୮୯ ପଞ୍ଚତନ୍ତ୍ର କାହାଣୀ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାଗ , ୧୯୯୨ରେ ଲେଖନୀର ପାଠଶାଳା, ୧୯୯୩ ଭାବି ଦେଖନ୍ତୁ ଓ ୧୯୯୪ରେ ବିଶ୍ୱ ପରିଚୟ ଦ୍ୱିତୀୟ ଭାଗ, ତାଙ୍କ ସୁଜନ ଶୀଳତାର କଥା କହେ ।

ଏସବୁ ପୁସ୍ତକ ଓଡିଆ ଶିଶୁ ସାହିତ୍ୟର ଗୋଟିଏ ଗୋଟିଏ ଅମୁଲ୍ୟ ଗ୍ରନ୍ଥ । ଏତଦ୍ ବ୍ୟତୀତ ୧୯୬୯ ମସିହାରେ ତାଙ୍କ ରଚିତ ଆତ୍ମ ଜୀବନୀ ‘ଜୀବନ ତରଙ୍ଗ’ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର ଗୁରୁତ୍ୱରଖେ । ଏହାକୁ ଯେ କେହି ସ୍ୱୀକାର କରିବେ ।

ଆଜିକାଲି ଅନେକ ଶିଶୁ ସାହିତି୍ୟକଙ୍କ ଆବିର୍ଭାବ ଘଟିଛି । ଅନେକ ଶିଶୁ ସାହିତ୍ୟ ଲେଖା ମଧ୍ୟ ହେଉଛି । କିନ୍ତୁ ଆମ ଶିଶୁ ସାହିତ୍ୟରେ ଏବେ ଘୋର ଅଭାବ ଦେଖାଦେଇଛି ଶିଶୁର ମନସ୍ତତ୍ୱକୁ ନେଇ ଲେଖା ଲେଖିବାର । ଏଥିସହିତ ବୈଜ୍ଞାନିକ ଚିନ୍ତା ଓ ଚେତନାର । ଏହି କଥାକୁ ସେତେବେଳେ ଅନୁଭବ କରି ରାମକୃଷ୍ଣ ନନ୍ଦ ଅତି ସୁନ୍ଦର ଓ ସରଳ ଭାବରେ ବିଭିନ୍ନ ପୁସ୍ତକ ଲେଖିଯାଇଛନ୍ତି । ଏହାହିଁ ଥିଲା ରାମକୃଷ୍ଣ ନନ୍ଦଙ୍କ ସୃଷ୍ଟିର ବିଶେଷତ୍ୱ । କେବଳ ସେତିକି ନୁହେଁ ଅନୁବାଦ କ୍ଷେତ୍ରରେ ମଧ୍ୟ ସିଏ ଜଣେ ସଫଳ ସ୍ରଷ୍ଟା ଥିଲେ । ସବୁଠାରୁ ବଡ଼ କଥା ହେଉଛି ଏହି ପୁସ୍ତକ ଗୁଡ଼ିକ ଅନୁଦିତ ହୋଇଥିଲେ ମଧ୍ୟ ସବୁଥିରେ ତାଙ୍କ ନିଜସ୍ୱ ମୌଳିକତାର ଛାପ ସ୍ପଷ୍ଟ ବାରିହୋଇ ପଡୁଥିଲା । ତାଙ୍କର ଏହି ସାମଗ୍ରିକ ସାହିତ୍ୟ କୃତି ପାଇଁ ଅନେକ ସମ୍ମାନର ଅଧିକାରୀ ହୋଇପାରିଥିଲେ ସେ ।

ଆଜି ରାମକୃଷ୍ଣ ନନ୍ଦ ଆମ ଗହଣରେ ନାହାଁନ୍ତି । ୧୯୯୪ ମସିହା ଅକ୍ଟୋବର ୨୮ତାରିଖରେ ତାଙ୍କର ଦେହାବସାନ ଘଟିଛି । ହେଲେ ତାଙ୍କ ରଚିତ କାଳଜୟୀ ଭକ୍ତି ସଂଗୀତ ‘ଆହେ ଦୟାମୟ ବିଶ୍ୱ ବିହାରୀ’ ପାଇଁ ସେ ସବୁଦିନ ପାଇଁ ଓଡିଆ ଜନମାନସରେ ସ୍ମରଣୀୟ ହୋଇ ରହିଥିବେ ।

Leave A Reply