ସୁଶ୍ରୀ ସୌଭାଗ୍ୟବତୀ ଗିରି : ପଡୋଶୀ ମିଶ୍ରବାବୁ ସହରରେ ରୁହନ୍ତି। ସଫ୍ଟୱୟାର୍ ଇଞ୍ଜିନିୟର୍ । ଏବେ ୱାର୍କ ଫ୍ରମ୍ ହୋମ୍ ଚାଲିଥିବାରୁ ଚାରି ବର୍ଷର ପୁଅ ଆଉ ପତ୍ନୀଙ୍କୁ ଧରି ଗାଁକୁ ଚାଲି ଆସିଛନ୍ତି। ଦୁଇଦିନ ତଳେ ତାଙ୍କର ଝିଅଟିଏ ହେଇଛି। କାଲି ଆମ ଘରକୁ ମିଠା ନେଇ ଆସିଲେ। ଝିଅ ହେବାର ଅଭିନନ୍ଦନ ଜଣାଇବା ସହିତ ମଜାରେ ମଜାରେ କହିଲି – ଭାଇ,ପୁଅ ଏକୋଇଶିଆ ତ ବହୁତ୍ ଧୁମଧାମ୍ ରେ ହେଇଥିଲା। ଝିଅ ଏକୋଇଶିଆଟା ସେମିତି ହେଇ ପାରିବନି ଲାଗୁଛି। ଏବେ ତ କରୋନା ସମୟ। ହଠାତ୍ ଉତ୍ତର ମିଳିଲା – ନା.. ମ,ଭୋଜି ଆଉ କ’ଣ ? ପୁଅଟେ ହେଇଥିଲେ ପୁଣିଥରେ ଆଗଭଳି ଭଲକି ଭୋଜିଟେ ଦେଇ ଥାଆନ୍ତି। କିନ୍ତୁ ଝିଅଟେ ହେଇଛି। ଆଉ କି ଭୋଜି। ଏବେ ତ ଖାଅ କି ନ ଖାଅ,ତା ବାହାଘର ପାଇଁ ଟଙ୍କା ସଞ୍ଚିବାକୁ ପଡିବ। ଏତିକି କହୁକହୁ ମିଶ୍ରବାବୁଙ୍କ ମୁହଁଟା ଏମିତି ହେଇଗଲା ଯେମିତି କ’ଣ ଗୋଟେ ବଡ ଧରଣର କ୍ଷତି ହେଇଯାଇଛି ତାଙ୍କର। ହଉ ଆସୁଛି କହି ଚାଲିଗଲେ ସେ।
ହେଲେ ଏଇଟା କେବଳ ମିଶ୍ରବାବୁଙ୍କ ମନର କଥା ନୁହେଁ। ଅନେକ ଲୋକଙ୍କ ମନର କଥା। ଆମ ଭାରତୀୟ ସମାଜ ହେଉଛି ଏକ ପୁରୁଷ ପ୍ରଧାନ ସମାଜ। ଏଠାରେ ସବୁବେଳେ ଝିଅଟିଏ ଅପେକ୍ଷା ପୁଅକୁ ଅଧିକ ଗୁରୁତ୍ୱ ଦିଆଯାଏ। ଏବେ ମଧ୍ୟ ଗାଁ ମାନଙ୍କରେ ପୁଅଟିଏ ଜନ୍ମ ହେଲେ ଉତ୍ସବ ପାଳନ କରାଯାଉଥିବା ବେଳେ ଝିଅଟିଏ ହେଲେ ସେପରି କିଛି କରାଯାଏ ନାହିଁ। ବରଂ ବିଷାଦର ଛାୟା ଖେଳିଯାଏ। ମା’ର ଗର୍ଭ ହେଉଛି ଦୁନିଆର ସବୁଠୁ ସୁରକ୍ଷିତ ସ୍ଥାନ। ହେଲେ ଏକଥାକୁ ବି କିଛି ଲୋକ ଭୁଲ୍ ପ୍ରମାଣିତ କରନ୍ତି। ଝିଅଟିଏ ଜନ୍ମ ହେବ ବୋଲି ଯଦି ମାତୃଗର୍ଭରୁ ଜଣା ପଡିଯାଏ ତାହାଲେ ଭୃଣହତ୍ୟା କରିବାକୁ ବି ପଛାନ୍ତି ନାହିଁ। ଯେତେ ଚେଷ୍ଟା କଲେ ବି ଏ କୁତ୍ସିତ ଚିନ୍ତାଧାରାକୁ ବଦଳା ଯାଇ ପାରୁନାହିଁ । ଯଦି ଝିଅଟିଏ ଜନ୍ମ ହୁଏ ସେ ପ୍ରତି ମୁହୁର୍ତ୍ତରେ ପୁରୁଷର ଅହମିକାର ଶିକାର ହୁଏ। ଝିଅଟିକୁ ଆଗେଇବା ପାଇଁ ସୁଯୋଗ ଦିଆଯାଏ ନାହିଁ। ଝିଅଟିର ସବୁ ସ୍ୱପ୍ନକୁ ମାଟିରେ ମିଶେଇ ଦିଆଯାଏ। ତାର ସ୍ୱାଭିମାନ ପ୍ରତି ବାରମ୍ବାର କୁଠାରଘାତ କରାଯାଏ। ନାରୀ ବି ପୁରୁଷ ସହିତ କାନ୍ଧ ମିଶେଇ ପାରେ ଏକଥାକୁ କେହି ବିଶ୍ୱାସ କରନ୍ତି ନାହିଁ। ପରିବାରର ବ୍ୟକ୍ତି ଯଥା ବାପା ଓ ଭାଇମାନଙ୍କ ପରି ପୁରୁଷମାନେ ନିଜ ପୁରୁଷପଣିଆ ଜାହିର୍ କରିବାକୁ ଯାଇ ଝିଅଟିର ପ୍ରଗତିରେ ବାଧା ସୃଷ୍ଟି କରନ୍ତି। କୌଣସି ବିଷୟରେ ତାର ଇଚ୍ଛାଅନିଚ୍ଛା ପଚରା ନଯାଇ ନିଜକୁ ଯାହା ଭଲ ଲାଗେ ସେଇଟା ତା ଉପରେ ଲଦି ଦିଆଯାଏ। “ଝିଅଟିଏ ଆତ୍ମନିର୍ଭର ହେଲେ ବି କ’ଣ ଅଛି। ସେ ତ ଶାଶୁଘରକୁ ଚାଲିଯିବ।” ଏମିତି ଭାବନା ରଖି କିଛି ଲୋକ ଝିଅକୁ ଆଗକୁ ବଢିବାକୁ ଦିଅନ୍ତି ନାହିଁ ।
ବାପାମା’ ଅତି କମ୍ ବୟସରୁ ପୁଅଝିଅ ଭିତରେ ଭେଦଭାବ କରିବା ଆରମ୍ଭ କରି ଦିଅନ୍ତି। ଛୋଟ ଝିଅଟା କିଛି ଜାଣି ପାରୁ ନଥିବ ବୋଲି ଭାବି ନିଅନ୍ତି। କିନ୍ତୁ ସେମିତି ଭାବିବା ହେଉଛି ସବୁଠୁ ବଡ ମୂର୍ଖାମୀ l ଝିଅଟି ଯେତେ ସାନ ଥିଲେ ବି ସବୁ ଅନୁଭବ କରେ। ଭାଇଟିକୁ ବାପାମା’ ଭଲ ପାଉଥିବାର ଦେଖି ଝିଅଟି ମନରେ ଅବସାଦ ଆସେ। ନିଜକୁ ସେ ହୀନମନା ଅବା ଭାଗ୍ୟହୀନ ବୋଲି ଭାବେ। କିନ୍ତୁ ସେ ନିଜ ମନକଥା କାହାକୁ କହି ନପାରି ଚୁପ୍ ରହେ। ଯାହା ତାକୁ ମାନସିକ ଭାବରେ ବିଷାଦଗ୍ରସ୍ତ କରେ। ହୁଏତ କିଛି ଖୋଲି କହିବା ପାଇଁ ଝିଅଟିଏ ସାହସ ସଞ୍ଚୟ କରିପାରେ ନାହିଁ। ତା ଭାବନା କୁ ମନଖୋଲି ପ୍ରକାଶ ବି କରିପାରେ ନାହିଁ। କିନ୍ତୁ ଇତିହାସର ସେ ବୀରାଙ୍ଗନା ରାଣୀ ଲକ୍ଷ୍ମୀବାଈ ହୁଅନ୍ତୁ ଅବା ଏବେର କଳ୍ପନା ଚାୱଲା, ଏମାନଙ୍କ ପରି ହେବାକୁ ସେ ବି ସ୍ୱପ୍ନ ଦେଖେ। କିନ୍ତୁ ତାର ସବୁ ସ୍ୱପ୍ନକୁ ପୁଟୁଳିରେ ବାନ୍ଧି କେଉଁ ଅଗନାଅଗନି ବନସ୍ତକୁ ଫିଙ୍ଗି ଦିଆଯାଏ କେଜାଣି,ସେ ଯେତେ ଖୋଜିଲେ ବି ପାଏନି। ଯଦି କୌଣସି ନାରୀ ପ୍ରତିବାଦର ସ୍ୱର ଉତ୍ତୋଳନ କରେ ତାକୁ ଚୁପ୍ କରେଇବା ପାଇଁ ଏ ପୁରୁଷ ସମାଜ ଲାଗିପଡେ।
ସମସ୍ତଙ୍କର ମନ ଭିତରେ ଏଇ ଧାରଣା ଅଛି ଯେ ପୁଅ ବାହାହେଇ ଘରକୁ ବୋହୁ ଆଣିବ। ବୋହୁ ସମସ୍ତଙ୍କ ସେବାଯତ୍ନ କରିବ। ପଡନ୍ତ କାଳକୁ ସାହା ହେବ । କିନ୍ତୁ ବାସ୍ତବରେ ସେପରି କିଛି ହୁଏ କି ନାହିଁ ସେ ବିଷୟରେ ଏଠି କହିବା ଅନାବଶ୍ୟକ। ଆଜିର ଶାଶୁଶ୍ୱଶୁର ବୋହୂଠାରୁ କି ସେବାଯତ୍ନ ପାଉଛନ୍ତି ସେକଥା କେବଳ ସେମାନେ ହିଁ କହି ପାରିବେ। ସବୁ ଜାଣିବା ପରେ ବି କନ୍ୟାସନ୍ତାନ ଦୁନିଆ ଦେଖିବା ଆଗରୁ ଆଖି ବୁଜିଦେବାର ଗୋଟେ ପ୍ରମୂଖ କାରଣ ଜଳଜଳ ହୋଇ ଆମ ଆଖିକୁ ଦିଶିଯାଉଛି। ସେଇ କାରଣଟି ହେଲା ଆମ ସମାଜରେ ଥିବା ଅନେକ କୁପ୍ରଥା ମଧ୍ୟରୁ ମୂଖ୍ୟ କୁପ୍ରଥା ଯୌତୁକପ୍ରଥା।
ଯୌତୁକଲୋଭୀମାନେ ହତ୍ୟା ଉପଦ୍ରବ ଦେଖାଇ ବାପାମା’ଙ୍କୁ ଏମିତି ଡରାଇ ରଖିଛନ୍ତି ଯେ ଝିଅ ଜନ୍ମ ହେଉହେଉ ବାପାମା’ ଭାବୁଛନ୍ତି ଗୋଟେ ବୋଝ ଆସି ପହଞ୍ଚି ଗଲା। ଏବେ ନିଜେ ପେଟରେ ଓଦାକନା ରଖି ୟା ବାହାଘର ପାଇଁ ଟଙ୍କା ସାଇତିବାକୁ ପଡିବ।
କୁପ୍ରଥାର ଶୀକାର ହୋଇ ଏମିତି ପରିସ୍ଥିତି ହେଲାଣି ଯେ ଧୀରେଧୀରେ ସମାଜରୁ ଝିଅ ସଂଖ୍ୟା କମିବାରେ ଲାଗିଛି। ଏପର୍ଯ୍ୟନ୍ତ ଲୋକ ବୁଝିପାରୁ ନାହାଁନ୍ତି ଏହା ଅତ୍ୟନ୍ତ ଦୁଃଖଦ।
କିନ୍ତୁ ଆଉ ସମୟ ନାହିଁ। ଯେତେ ଶୀଘ୍ର ପାରିବେ ଲୋକମାନେ ନିଜ ମାନସିକତା ବଦଳାନ୍ତୁ। କନ୍ୟାଭୃଣହତ୍ୟା ନୁହଁ ବରଂ ସମାଜରେ ଥିବା କୁପ୍ରଥା କୁ ହତ୍ୟା କରିବା ପାଇଁ ଆଗେଇ ଆସନ୍ତୁ । “ସେ ପୁଅ ହେଉ ବା ଝିଅ l ସମସ୍ତେ ଆମ ପିଲା ” ଏଇ ଭାବନା ରଖି ବାପାମା’ ମାନେ ଭେଦଭାବଠୁ ଦୂରେଇ ରୁହନ୍ତୁ।ପୁଅ ପରି ଝିଅକୁ ମଧ୍ୟ ଆଦର ସମ୍ମାନ ମିଳିଲେ ସେ ବି ପୁଅଠୁ କିଛି ଗୁଣରେ କମ୍ ହେବନି।
ଆମେ କେବଳ ନିଜକୁ ଆଗେଇଛୁ ବୋଲି କହୁଛୁ। ମାତ୍ର ବାସ୍ତବରେ ଆମେ ବୋଧହୁଏ ଆଦିମ ମାନବ ସହିତ ସମାନ। ଭାରତବର୍ଷ, ଯାହାର ଇତିହାସ ଦିନେ କହିଥିଲା “ଦଶ ପୁତ୍ର ସମାଃ କନ୍ୟା”। ସେଇ ଭାରତବର୍ଷରେ ଆଜି ଝିଅମାନଙ୍କ ଦୁଃଖ କହିଲେ ନସରେ। ଯଦି ଅଭିଭାବକ ମାନେ ନ ବଦଳନ୍ତି ଓ ସେଇ ଭେଦଭାବ କରିବା ଜାରି ରଖନ୍ତି,ଏହା ବି ଭବିଷ୍ୟତରେ ଏକ ମହାମାରୀର ରୂପ ନେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।