Odisha news

ମୂଲ୍ୟବୋଧ ହରାଉଛି ରାଜନୀତି

0

ଯଦୁମଣି ପାଣିଗ୍ରାହୀ : ଆଜିର ରାଜନୀତି ନୀତି ଆଦର୍ଶ ବିବର୍ଜିତ । ଉଭୟ ରାଜନୈତିକ ଦଳ ଓ ରାଜନେତା ମାନଙ୍କର ମୂଲ୍ୟବୋଧ ଭିତ୍ତିକ ରାଜନୀତିରୁ ଧୀରେ ଧୀରେ ଦୂରେଇ ଯାଉଛନ୍ତି । ଫଳରେ ରାଜନୈତିକ ଦଳ ଓ ରାଜନେତାମାନେ ସବୁ ମାନ ମର୍ଯ୍ୟାଦାକୁ ଜଳଞ୍ଜଳି ଦେଇ ଅଶାଳୀନ ମନ୍ତବ୍ୟ ଦେବା ସହ ପରସ୍ପର ଉପରକୁ କାଦୁଅ ଫିଙ୍ଗିବାକୁ ପଛଘୁଞ୍ଚା ଦେଉନାହାନ୍ତି । ଲୋକଙ୍କ ସ୍ୱାର୍ଥ ଓ ସମସ୍ୟା ପାଇଁ ନୁହେଁ ବରଂ ନ୍ୟସ୍ତ ସ୍ୱାର୍ଥ ଆଧାରରେ ରାଜନୀତି କରୁଛନ୍ତି ଆଜିର ରାଜନେତା । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଶାସନକୁ ଲୋକାଭିମୁଖୀ କରିବା ଓ ଏହାକୁ ସଫଳ କରିବାର ଗୁରୁ ଦାୟିତ୍ୱ ଉଭୟ ରାଜନୈତିକ ଦଳ ଓ ରାଜ ନେତା ମାନଙ୍କର ରହିଛି । ନିର୍ବାଚିତ ଜନ ପ୍ରତିନିଧିମାନେ ସମଦର୍ଶୀ ଓ ସମର୍ପିତ ଭାବଧାରା ନେଇ କାର୍ଯ୍ୟ କରୁନାହାନ୍ତି । ଗଣତନ୍ତ୍ର ଶାସନରେ ସାଧାରଣ ଲୋକେ ସବୁ କ୍ଷମତାର ଉତ୍ସ ହୋଇଥିବାରୁ ଶାସନରେ ସେମାନଙ୍କର ଭାବ ଓ ଭାବନାକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ଲୋକଙ୍କ ସମର୍ଥନରେ କ୍ଷମତାକୁ ଆସୁଥିବା ରାଜନୈତିକ ଦଳ ଓ ରାଜନେତାମାନେ ସର୍ବଦା ଲୋକଙ୍କ ହିତ ଓ ସମାଜର ମଙ୍ଗଳ ଲାଗି ଦାୟବଦ୍ଧ ହେବା ଅପରିହାର୍ଯ୍ୟ ଅଟେ ।

ଏଥିପାଇଁ ରାଜନେତାମାନେ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତୀ ସମ୍ପନ୍ନ ହେବା ଜରୁରି । ସେମାନଙ୍କ ବ୍ୟକ୍ତିତ୍ୱରେ ନମ୍ରତା, ଶାଳୀନତା ଓ ସାଧୁତାର ଭାବ ଫୁଟି ଉଠିବା ଆବଶ୍ୟକ । ସେମାନେ ନୀତିବାନ ଓ କର୍ତ୍ତବ୍ୟ ପରାୟଣ ଓ ସଚ୍ଚରିତ୍ରବାନ ହେବା ନିହାତି ଆବଶ୍ୟକ । ଅନ୍ୟପକ୍ଷେ ରାଜନୈତିକ ଦଳ ଗୁଡିକ ଏହିଭଳି ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ନେତାଙ୍କୁ ଦଳରେ ସାମିଲ କରାଇ ପାରିଲେ ସାଧାରଣ ଲୋକଙ୍କ ଦ୍ୱାରା ସେମାନେ ଗ୍ରହଣୀୟ ହୋଇପାରିବେ । ମାତ୍ର ସାଂପ୍ରତିକ ରାଜନୀତି ଧୀରେ ଧୀରେ କଳୁଷିତ ହେବାରେ ଲାଗିଛି । ରାଜନୈତିକ ଦଳ ଗୁଡିକରେ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତୀ ସମ୍ପନ୍ନ ନେତାମାନଙ୍କର ଅଭାବ ପରିଲକ୍ଷିତ ହେଉଛି । ଏବେ ରାଜନୀତି କରୁଥିବା ଅଧିକାଂଶ ରାଜନେତା ମାନଙ୍କର ନୀତି, ଆଦର୍ଶ ଓ ମୂଲ୍ୟବୋଧ ବୋଲି କିଛି ନାହିଁ । ସମାଜର ମଙ୍ଗଳ ବିଧାନ ଓ ସାଧାରଣ ଲୋକଙ୍କ ଉନ୍ନତି ସାଧନ ପ୍ରତି ରାଜନେତା ମାନଙ୍କର ଅଙ୍ଗୀକାରବଦ୍ଧତା ନାହିଁ । ଦୁର୍ନୀତି, ଅନୀତି ଓ ପ୍ରିୟାପ୍ରୀତି ତୋଷଣରେ ଅଧିକାଂଶ ନେତା ଜଡିତ ରହୁଥିବାରୁ ଗଣତନ୍ତ୍ର ଶାସନର ସୁଫଳ ଲୋକେ ପାଇପାରୁନାହାନ୍ତି । ଅପରିପକ୍ୱ ଓ ଲୋକ ସମ୍ପର୍କ ନଥିବା ଅନେକ ବିତ୍ତଶାଳୀ ଓ ଦୁର୍ନୀତିଖୋର ଲୋକ ରାଜନୀତିକୁ ଅନୁପ୍ରବେଶ କରି କ୍ଷମତାର ଦୂରୁପଯୋଗ କରିବା ସହ ଅନ୍ୟାୟ ଓ ଅସତ୍ ବାଟରେ ନିଜ ସ୍ୱାର୍ଥକୁ ଚରିତାର୍ଥ କରୁଛନ୍ତି । ଏମାନେ ରାଜନୀତିକୁ ପ୍ରଧାନ ଆୟୁଧ ଭାବେ ଗ୍ରହଣ କରି ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଲଗାତର ଉପେକ୍ଷା କରି ଚାଲିଛନ୍ତି ।

ରାଜ୍ୟ ଶାସନରେ ରାଜା ପାଳନ କରୁଥିବା ନୀତିକୁ ରାଜନୀତି କୁହାଯାଏ । ଏହା ହିଁ ଶ୍ରେଷ୍ଠ ନୀତି ବୋଲି ପୁରାଣ ଶାସ୍ତ୍ରରେ ବର୍ଣ୍ଣନା ରହିଛି । ରାଜଧର୍ମ ଅଥବା ରାଜାଙ୍କର ଧର୍ମ କ’ଣ ହେବା ଉଚିତ ତା’ ଉପରେ ଅନେକ ଉଦାହରଣ ବି ଉପସ୍ଥାପନ କରାଯାଇଛି । ପୁରାଣ ଯୁଗରେ ରାଜ ସିଂହାସନରେ ଆସୀନ ହେବା ପୂର୍ବରୁ ଉତ୍ତମ ମାଗଦର୍ଶକଙ୍କ ଠାରୁ ରାଜଧର୍ମର ନୀତିନିୟମ ଶିକ୍ଷା କରିବାକୁ ପଡୁଥିଲା । ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ପ୍ରଜା ମାନଙ୍କର ସର୍ବାଙ୍ଗୀନ ମଙ୍ଗଳ ସାଧନ କରିବା ଥିଲା ରାଜାଙ୍କର ପ୍ରଧାନ ଧର୍ମ ଓ କର୍ମ । ସେହି ଅନୁସାରେ ଜଣେ ରାଜା ନିଜ ଜୀବନର ସବୁ ମୂଲ୍ୟ ବିନିମୟରେ ପ୍ରଜାଙ୍କୁ ସୁଖ, ଶାନ୍ତି ଓ ସୁରକ୍ଷା ପ୍ରଦାନ କରିବା ଲାଗି ପ୍ରତିଶ୍ରୁତି ବଦ୍ଧ ଥିଲେ । ସମାଜରୁ କଷଣ ଓ ଶୋଷଣକୁ ପ୍ରତିହତ କରି ସମସ୍ତଙ୍କୁ ଉଚିତ୍ ସେବା ଓ ନ୍ୟାୟ ପ୍ରଦାନ କରିବା ଥିଲା ରାଜାଙ୍କର ପ୍ରମୁଖ କର୍ତ୍ତବ୍ୟ । ପ୍ରଜାମାନେ ଯେପରି ଅତ୍ୟାଚାର ଓ ଉତ୍ପୀଡନର ଶିକାର ନ ହୁଅନ୍ତି ସେଥିପ୍ରତି ରାଜାମାନେ ବେଶ ଯତ୍ନବାନ ଥିଲେ । ନାରୀମାନଙ୍କୁ ଯଥୋଚିତ ମର୍ଯ୍ୟାଦା କରାଯାଉଥିଲା । ଜ୍ଞାନୀଗୁଣୀ ଓ ପଣ୍ଡିତ ମାନଙ୍କୁ ଉପଯୁକ୍ତ ସମ୍ମାନ ମିଳୁଥିଲା । ସମାଜରେ ବରିଷ୍ଠ ଓ ଗୁରୁଜନଙ୍କୁ ବି ଯଥାର୍ଥ ସମ୍ମାନ ପ୍ରଦାନ କରାଯାଉଥିଲା । ପ୍ରଜା ମାନଙ୍କ ଆପତ୍ତି, ଅଭିଯୋଗ ଓ ପରାମର୍ଶ ଉପରେ ଗୁରୁତ୍ୱାରୋପ କରାଯାଉଥିଲା ।

ରାଜକୋଷର ଅର୍ଥ କେବଳ ପ୍ରଜାଙ୍କ ହିତ ଓ ସମାଜର ମଙ୍ଗଳ ସାଧନରେ ବ୍ୟୟିତ୍ୱ ହେଉଥିଲା । ଦୁର୍ନୀତି ଓ ଅନୀତିର ସ୍ଥାନ ସମାଜରେ ନଥିଲା । କହିବାକୁ ଗଲେ ପ୍ରଜାନୁରଞ୍ଜନ ଥିଲା ରାଜକୀୟ ଧର୍ମ । ରାଜନୀତିରେ ଥିଲା ମୂଲ୍ୟବୋଧ ଓ ସାଧୁତା । ବ୍ୟକ୍ତିଗତ ସ୍ୱାର୍ଥ ଚରିତାର୍ଥର ପ୍ରଶ୍ନ ଆଦୌ ନଥିଲା । ଏହାର ଏକ ଜ୍ୱଳନ୍ତ ଉଦାହରଣ ଭାବେ ଅଯୋଧ୍ୟ ରାଜ୍ୟ ଓ ଏଠାରେ ଶାସନ କରୁଥିବା ରାଜା ରାମଚନ୍ଦ୍ରଙ୍କୁ ହିଁ ନିଆ ଯାଇପାରେ । ଜଣେ ରାଜାଙ୍କର ନୀତିମୟ ଓ ଆଦର୍ଶ ଜୀବନଯାପନର ପରୋକ୍ଷ ପ୍ରଭାବ କିପରି ସମଗ୍ର ଅଯୋଧ୍ୟାବାସୀଙ୍କୁ ସୁଖ ,ଶାନ୍ତି ଓ ଶୃଙ୍ଗଳା ମଧ୍ୟରେ ବାନ୍ଧି ରଖିଥିଲା ତାହାର ନିଚ୍ଛକ ପ୍ରମାଣ ରାଜା ରାମଚନ୍ଦ୍ରଙ୍କ ଠାରୁ ଶିଖିବାକୁ ମିଳିଥାଏ । ସେଥିପାଇଁ ଜାତିର ଜନକ ମହାତ୍ମାଗାନ୍ଧୀ ବୋଧେ ରାମ ରାଜ୍ୟ ଗଠନର ସ୍ୱପ୍ନରେ ବିଭୋର ହେଉଥିଲେ । ଆଜି ଦେଶ ସ୍ୱାଧୀନତା ଓ ମହାତ୍ମାଗାନ୍ଧୀଙ୍କ ମୃତୁ୍ୟର ୭ ଦଶନ୍ଧି ପରେ ସେ ସ୍ୱପ ଯେ, ଭାଙ୍ଗିରୁଜି ଛାରଖାର ହୋଇଯାଇଛି ଏକଥାରେ କେହି ଦ୍ୱିମତ ହେବାର ନାହିଁ ।

ଆଜି ରାଜନୀତି ଏକ ଉତ୍ତମ ଓ ଲାଭବାନ ବ୍ୟବସାୟରେ ପରିଣତ ହୋଇଛି । ରାଜନୀତିରେ ନୀତି ଓ ନୈତିକତା ବୋଲି କିଛି ନର୍ହିିଁ । ରାଜନୈତିକ ଦଳ ଗୁଡିକ ନିର୍ବାଚନ ବେଳେ ଲୋକଙ୍କ ଲାଗି ପ୍ରସ୍ତୁତ କରୁଥିବା ଏଜେଣ୍ଡା ପାଳନରେ ଅସମର୍ଥ ହେଉଛନ୍ତି । ସେହିପରି ରାଜନେତା ମାନେ ଭୋଟ ବେଳେ ଲୋକଙ୍କୁ ନାନା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସୁଥିବା ବେଳେ ସେ ପ୍ରତିଶ୍ରୁତି ରକ୍ଷା ଦିଗରେ ବିଫଳ ହେଉଛନ୍ତି । ସାଧାରଣ ଲୋକଙ୍କ ଲାଗି ପ୍ରସ୍ତୁତ ହେଉଥିବା ଯୋଜନା ସମୂହର ସଫଳ ରୂପାୟନ କିପରି ହୋଇପାରିବ ଓ ଏଥିନେଇ ସେମାନଙ୍କର ଦାୟିତ୍ୱ କ’ଣ ହେବା ଉଚିତ ସେକଥା ରାଜନେତାମାନେ ଭୁଲି ଯାଉଛନ୍ତି ।

ୱାର୍ଡ ସ୍ତରରୁ ଆରମ୍ଭ କରି ବିଧାନସଭା ଓ ସଂସଦରେ ପ୍ରତିନିଧିତ୍ୱ କରୁଥିବା ଜନ ପ୍ରତିନିଧି ମାନଙ୍କର ଲୋକଙ୍କ ପ୍ରତି ଆଭିମୂଖ୍ୟ ଭଲ ରହୁନି । ସାଧାରଣ ଲୋକଟିଏ କିପରି ଯୋଜନାରୁ ଉପକୃତ ହୋଇପାରିବେ ତଥା ସର୍ବନିମ୍ନ ସରକାରୀ ସୁବିଧା ଓ ସୁଯୋଗ ପାଇପାରିବ ସେଥିପ୍ରତି ରାଜନେତା ମାନେ ଉଦାସୀନ ରହୁଛନ୍ତି । ନିଜ ଗାଁ, ଅଞ୍ଚଳ ଓ ସର୍ବୋପରି ନିର୍ବାଚନମଣ୍ଡଳୀରେ କିପରି ସର୍ବାଙ୍ଗୀନ ବିକାଶ ହୋଇପାରିବ, ଗମନାଗମନ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଜୁଳି ଆଦି ଅତ୍ୟାବଶ୍ୟକ ସେବାର ସୁଫଳ ଲୋକେ କିପରି ପାଇପାରିବେ ସେଥିପ୍ରତି ରାଜନେତା ମାନେ ଗୁରୁତ୍ୱ ଦେଉନାହାନ୍ତି । କେବଳ ସେତିକି ନୁହେଁ ଗାଁ ଗହଳିରେ ରାଜନୀତି କରୁଥିବା ବିଭିନ୍ନ ରାଜନୈତିକ ଦଳର ଅନୁଗତ ଓ କର୍ମୀଙ୍କ ଦ୍ୱାରା ସାଧାରଣ ଲୋକେ ମଧ୍ୟ ନାନା ଭାବେ ଆର୍ଥିକ ଶୋଷଣ ଓ ନିର୍ଯାତନାର ଶିକାର ହେଉଛନ୍ତି ।

ସାଧାରଣ ଲୋକଙ୍କୁ ପ୍ରତାରିତ କରି ରାଜନେତାମାନେ କେବଳ ନିଜ ସ୍ୱାର୍ଥ ସାଧନରେ ଲାଗିଛନ୍ତି ସିନା ହେଲେ ଲୋକଙ୍କ ସମସ୍ୟା ଦିନକୁଦିନ ବଳି ପଡୁଛି । କେବଳ ନିଜର କାହିଁକି ରାଜନୀତିରେ ରହି ଆଜି ଏମାନେ ନିଜ ଆତ୍ମୀୟସ୍ୱଜନ ଓ ସମ୍ପର୍କୀୟଙ୍କୁ ବି ସୁବିଧା ସୁଯୋଗ ଯୋଗାଇ ଦେବାକୁ ପଛାଉ ନଥିବା ବେଳେ ବିଧାନସଭା ଓ ସଂସଦରେ ନିଜ ଇଲାକାର ଜନ ସମସ୍ୟା ଉପସ୍ଥାପନ କରି ସରକାରଙ୍କ ଦୃଷ୍ଟିକୁ ଆଣିବାର ସାମାନ୍ୟତମ ଦାୟିତ୍ୱକୁ ବି ନିର୍ବାହ କରୁ ନାହାନ୍ତି । ଏପରିସ୍ଥିତିରେ ଗଣତନ୍ତ୍ର ଶାସନ ସଫଳ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ସାଂପ୍ରତିକ ରାଜନୀତିରେ ସୁଧାର ଆଣିବାକୁ ହେଲେ ମୂଲ୍ୟବୋଧ ଭିତ୍ତିକ ରାଜନୀତିରେ ରୁଚି ରଖିଥିବା ବୁଦ୍ଧିଜୀବୀ ବର୍ଗଙ୍କୁ ଏଥିରେ ସାମିଲ ହେବାକୁ ପଡିବ । ଶିକ୍ଷିତ, ଦକ୍ଷ ଓ ଉଚ୍ଚ ଆଦର୍ଶ ସମ୍ପନ୍ନ ଲୋକେ ରାଜନୀତିକୁ ଆସି ପାରିଲେ ଲୋକେ ଗଣତନ୍ତ୍ରର ସୁଫଳ ପାଇବାକୁ ସକ୍ଷମ ହୋଇପାରନ୍ତେ ।

Leave A Reply