Odisha news

ଗୁଣାତ୍ମକ ଶିକ୍ଷା ଉପରେ ଫୋକସ୍ ରହୁ

0

ସୌଭାଗ୍ୟ ରଂଜନ ମହାନ୍ତି(ରାଜା) : ଦେଶରେ ପ୍ରାଣଘାତୀ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଜୀବନ, ଜୀବିକା, ଅର୍ଥନୀତି, ପର୍ଯ୍ୟଟନ ପରେ ଆଉ ଯେଉଁ କ୍ଷେତ୍ର ସର୍ବାଧିକ ବିପର୍ଯ୍ୟାସ୍ତ ଏବଂ ପ୍ରଭାବିତ ହୋଇଛି, ତାହା ହେଉଛି ଶିକ୍ଷାକ୍ଷେତ୍ର ଏବଂ ଶିକ୍ଷା ବ୍ୟବସ୍ଥା । ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ ନକରି ଉଚ୍ଚତର ଏବଂ ବୈଷୟିକ ଶିକ୍ଷା କ୍ଷେତ୍ର ପ୍ରଭାବିତ ହୋଇଛି । ଅଙ୍ଗନବାଡି ଠାରୁ ଆରମ୍ଭ ନକରି ପ୍ରାଥମିକ ସ୍କୁଲ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ ଆଦି ଦୀର୍ଘ ଚାରି ମାସରୁ ଉଦ୍ଧ୍ୱର୍ ସମୟ ଧରି ବନ୍ଦ ରହିଛି ।

ଅଗଷ୍ଟ ୩୧ ତାରିଖ ପରେ ସ୍କୁଲ-କଲେଜ ଖୋଲିବ ବୋଲି କୁହାଯାଉଛି । କିନ୍ତୁ ଏବେ କରୋନା ଭୂତାଣୁ ସଂକ୍ରମଣ ଏବଂ ମୃତକଙ୍କ ସଂଖ୍ୟା ଯେପରି ଦ୍ରୃତ ଗତିରେ ବଢିଚାଲିଛି, ସେଭଳି ପରିସ୍ଥିତିରେ ସ୍କୁଲ, କଲେଜ ଯେ ଖୋଲିବ, ତାହା ଚିନ୍ତା କରାଯାଇନପାରେ । ନାମଲେଖା, ପରୀକ୍ଷା, ପରୀକ୍ଷାଫଳ ପ୍ରକାଶନ ସବୁ କିଛି ବାଧାପ୍ରାପ୍ତ ହୋଇଛି । ଛାତ୍ରଛାତ୍ରୀ ଏକ ଅଜଣା ଆଶଙ୍କାରେ ଥିବା ମନେହୁଏ । କରୋନା ଯୋଗୁଁ ଶିକ୍ଷା କ୍ଷେତ୍ର ଏବଂ ବ୍ୟବସ୍ଥା ଠପ୍ ହୋଇଯାଇଥିବା ବେଳେ ୮ଟି ରାଜ୍ୟର ଶିକ୍ଷା ବ୍ୟୟ ନେଇ ସେଂଟର ଫର ପଲିସ୍ ରିସର୍ଚ୍ଚସ୍ ଆକାଉଂଟବିଲିଟ ଇନସିଏଟିଭ୍ ନିକଟରେ ଯେଉଁ ବିଶେଷଣାତ୍ମକ ତଥ୍ୟ ପ୍ରଦାନ କରିଛି, ତାହା ଶିକ୍ଷା କ୍ଷେତ୍ରର ଦୟନୀୟ ସ୍ଥିତି ସଂପର୍କରେ ସଂକେତ ପ୍ରଦାନ କରିଛି ।

ଯାହାକି ଅତ୍ୟନ୍ତ ଉଦ୍ବେଗଜନକ । ରିପୋର୍ଟରେ କୁହାଯାଇଛି ଯେ, ଏଲିମେଂଟାରୀ ଏବଂ ସେକେଣ୍ଡାରୀ ସ୍କୁଲରେ ପ୍ରତି ଛାତ୍ର ବା ଛାତ୍ରୀ ପିଛା ୨୦୧୪-୧୫ ବର୍ଷ ତୁଳନାରେ ୨୦୧୭-୧୮ ବର୍ଷରେ ବ୍ୟୟଭାର ବଢିଥିବା ବେଳେ ଏହି ସମୟ ମଧ୍ୟରେ ସରକାରୀ ସ୍କୁଲରେ ନାମଲେଖା ଆଶାତୀତ ଭାବେ ହ୍ରାସ ପାଇଛି । ସରକାରୀ ସ୍କୁଲଗୁଡିକରେ ନାମଲେଖା ହ୍ରାସ ପାଇଥିବା ୮ଟି ରାଜ୍ୟ ମଧ୍ୟରେ ଓଡିଶା, ହିମାଚଳ ପ୍ରଦେଶ, ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତାମିଲନାଡୁ ରହିଛି । ନାମଲେଖା ବା ନୂତନ ଛାତ୍ରଛାତ୍ରୀଙ୍କ ପ୍ରବେଶ ହ୍ରାସ ସଂପର୍କରେ ଯେଉଁ କାରଣ ଦର୍ଶାଯାଇଛି ତାହା ମଧ୍ୟ ଚିନ୍ତାଜନକ । ଶିକ୍ଷକ ଅଭାବ, ଦୁର୍ବଳ ଶିକ୍ଷାଗତ ମାନ, ଦୁର୍ବଳ ଭିତିଭୂମି, କ୍ରମାଗତ ଅନୁପସ୍ଥିତି ବୋଲି କୁହାଯାଇଛି ।

ଏହା ସତ୍ୟ ଯେ, ଆମ ରାଜ୍ୟରେ ଏବେ ୩୭ ହଜାରରୁ ଉଦ୍ଧ୍ୱର୍ ଶିକ୍ଷକ ପଦବୀ ଖାଲିପଡ଼ିଛି । ବହୁ ଉଚ୍ଚ ମାଧ୍ୟମିତ ବିଦ୍ୟାଳୟ ବିନା ପ୍ରଧାନ ଶିକ୍ଷକରେ ଚାଲିଥିବା ବେଳେ କେଉଁଠି ବିଜ୍ଞାନ ଶିକ୍ଷକ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଛି ତ କେଉଁଠି ଇଂରାଜୀ ଶିକ୍ଷକ ନାହାଁନ୍ତି । ସରକାର ମାଗଣାରେ ପିଲାଙ୍କୁ ବହିପତ୍ର ଯୋଗାଉଥିଲେ ମଧ୍ୟ ତାହା ପାଉ ପାଉ ଶିକ୍ଷା ବର୍ଷ ଶେଷ ହୋଇଯାଉଛି । ଶିକ୍ଷକମାନେ ଯେତିକି ବେତନ ପାଉଛନ୍ତି, ତା’ର ୧ ପ୍ରତିଶତ ବା ତା’ଠାରୁ କମ୍ ସେମାନଙ୍କୁ ତାଲିମ ପ୍ରଦାନରେ ବ୍ୟୟ ହେଉଛି । ଏହା ନିଶ୍ଚିତ ଏଲିମେଂଟାରୀ ଏବଂ ମାଧ୍ୟମିକ ଶିକ୍ଷକଙ୍କ ବେତନରେ ବ୍ୟୟ ହେଉଥିବା ବେଳେ ଭିତିଭୂମି ବ୍ୟୟ ମଧ୍ୟ ସର୍ବନିମ୍ନ ରହିଛି ।

କେଉଁଠି ସ୍କୁଲ ଘର ଅଛି, କିନ୍ତୁ ପିଲା ନାହାଁନ୍ତି । ଯେଉଁଠି ପିଲା ଅଛନ୍ତି ଶିକ୍ଷକ ନାହାଁନ୍ତି । ଜଣେ ଶିକ୍ଷକରେ ଚାଲିଛି ୫ଟି ଶ୍ରେଣୀ । ସାଂପ୍ରତିକ ସମୟରେ ବିଜ୍ଞାନ ଶିକ୍ଷାର ଚାହିଦା ବଢିଥିବା ବେଳେ ସରକାରୀ ସ୍କୁଲରେ ଆବଶ୍ୟକୀୟ ଭିତିଭୂମିର ଅଭାବ । ଯେଉଁଥି ପାଇଁ ସରକାରୀ ସ୍କୁଲ ପ୍ରତି ଅଭିଭାବକ ଏବେ ବମୁଖ ହେବା ସହ ଘରୋଇ ସ୍କୁଲ ମୁହାଁ ହୋଇଛନ୍ତି । ସେହିପରି ସରକାରୀ ସ୍କୁଲରେ ଶିକ୍ଷାଦାନ ବ୍ୟବସ୍ଥା ନେଇ ନେଇ ଅଭିଭାବକ ମଧ୍ୟ କ୍ଷୁବ୍ଧ । ଶିକ୍ଷାର ଗୁଣାତ୍ମକମାନ ଏପରି ରହିଛି ଯେ, ଅଷ୍ଟମ ଶ୍ରେଣୀରେ ପଢୁଥିବା ପିଲା ନିଜ ନାମ ଇଂରାଜୀରେ ନିର୍ଭୁଲ ଭାବେ ଲେଖିପାରୁନାହିଁ କି ନିର୍ଭୁଲ ଭାବେ ଇଂରାଜୀରେ ବାକ୍ୟଟିଏ କହିପାରୁ ନାହିଁ ।

କେବଳ ଏତିକି ନୁହେଁ, ଷଷ୍ଠ ଶ୍ରେଣୀରେ ପଢୁଥିବା ଛାତ୍ର ଗଣିତର ମୌଳିକ ଧାରା ମିଶାଣ, ଫେଡାଣ, ଗୁଣନ, ହରଣ କରିପାରୁ ନାହିଁ, କିମ୍ବା ତୃତୀୟ ଶ୍ରେଣୀର ଗଣିତ ତାକୁ ଆସୁନାହିଁ । ଏବେ କରୋନା ଭୂତାଣୁ ସଂକ୍ରମଣ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି । ପ୍ରାଥମିକ ବିଦ୍ୟାଳୟଗୁଡିକୁ ଦୀର୍ଘ ୪ ମାସ ଧରି ଛୁଟି ଥିବାବେଳେ ଗତ ମେ’ ମାସରୁ ନାମ ଲେଖା ଆରମ୍ଭ ହୋଇଥିବା ସତ୍ୱେ ଆଶନୁରୂପ ନାମ ଲେଖା ହୋଇପାରିନାହିଁ । ଆମ ରାଜ୍ୟରେ ସରକାର ନାମ ଲେଖା ପ୍ରକ୍ରିୟାକୁ ଅଗଷ୍ଟ ୧୪ ଯାଏ ବୃଦ୍ଧି କରିଛନ୍ତି । ତେବେ ସେ ଯାହା ହେଉନା କାହିଁକି ଗୁଣାତ୍ମକ ଶିକ୍ଷାଦାନ ଅଭାବରୁ ସରକାରୀ ସ୍କୁଲ ଗୁଡିକ ଆଜି ପିଲା ଅଭାବ ଯୋଗୁଁ ଶୋଚନୀୟ ଅବସ୍ଥାରେ ଅଛନ୍ତି, ଏଥିରେ ସନେ୍ଦହ ନାହିଁ । ଗୁଣାତ୍ମକ ଶିକ୍ଷା ଉପରେ ଫୋକସ୍ କରିବା ସମୟ ଆସିଛି । ଅନ୍ୟଥା ସ୍ଥିତିକ ଆହୁରି ବିଗିଡିଯିବ ।

Leave A Reply