Odisha news

କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୪୪ ଜଣ କରୋନା ପଜିଟିଭ ଚିହ୍ନଟ : ସଂକ୍ରମିତଙ୍କ ସଂଖ୍ୟା ପହଂଚିଲା ୨୫୦ରେ

0

ଫୁଲବାଣୀ :  ଆଜି କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୪୪ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ଚିନ୍ତାରେ । ବର୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ୨୫୦ ଜଣ କରୋନା ରୋଗରେ ସଂକ୍ରମିତ ହୋଇଛନ୍ତି ।  ହେଲେ ସେଥରରୁ , ୧୯୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୫୧ ଜଣ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସହରରେ କରୋନା ସଂକ୍ରମଣ ବଢିବା ଆଶଙ୍କା କରି କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି. ଫୁଲବାଣୀ ମୁ୍ୟନିସିପାଲଟିର ୧୩ଟି ୱାର୍ଡ ମଧ୍ୟରୁ ୨ନଂ ୱାର୍ଡକୁ ଛାଡିଦେଲେ ଆଉ ୧୨ଟି  ୱାର୍ଡକୁ ଅନିର୍ଦ୍ଧିଷ୍ଟ ସମୟ  ପାଇଁ  କଣ୍ଟେନମେଣ୍ଟ ଜୋନ ଭାବରେ  ଘୋଷଣା କରିଛନ୍ତି । ସେହିପରି ବାଲିଗୁଡାର ଅନେକ ଅଂଚଳ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ଏଥିସହ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓ ବାଲିଗୁଡାରେ ସଟଡାଉନ୍ ମଧ୍ୟ ଜାରୀ ରହିଛି ।

ଦୋକାନ ବଜାର, ଗାଡିମଟର ଚଳାଚଳ ସବୁ ବନ୍ଦ । କେବଳ ମେଡିସିନ ଦୋକାନକୁ ଛାଡିଦେଲେ ସବୁ ବନ୍ଦ । ହେଲେ କିଛି ଅମାନିଆ କଣ୍ଟେନମେଣ୍ଟ ଜୋନକୁ ନମାନି ବାଇକ ଧରି ବୁଲୁଥିବା ଦେଖିବାକୁ ମିଳୁଛି । ସବୁ କଣ୍ଟେନମେଣ୍ଟ ସ୍ଥାନରେ ପୋଲିସ ନଥିବା ଫଳରେ ଅମାନିଆ ମାନେ ବେଶ୍ ଆରାମରେ ବୁଲୁଥିବା ଦେଖାଯାଉଛି । ପୋଲିସ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ଅମାନିଆଙ୍କ ପ୍ରତି । ସେହିପରି ବାଲିଗୁଡା ସହରରେ ମଧ୍ୟ ଏକା ଅବସ୍ଥା । ସେଠାରେ ବି କଣ୍ଟେନମେଣ୍ଟ ଜୋନରୁ ବାହାରି ଅମାନିଆ ମାନେ କିଏ ବାଇକ ଧରି, କିଏ ଚାଲି ଚାଲି ବୁଲୁଥିବା ଦେଖିବାକୁ ମିଳୁଛି ।

ଏପଟେ ଫୁଲବାଣୀ ମୁ୍ୟନିସିପାଲଟି ଓ ବାଲିଗୁଡା ଏନଏସି ଅଂଚଳରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ ଓ ଶିକ୍ଷୟତ୍ରୀ ମାନେ ଘରକୁ ଘର ବୁଲି ଥର୍ମାଲ ସ୍କ୍ରିନିଂ କରିବା ସହ ସମସ୍ତଙ୍କର ତଥ୍ୟ ସଂଗ୍ରହ କରୁଛନ୍ତି । ବାଲିଗୁଡା ଅଂଚଳର ଜଣେ ଆଇନଜୀବୀ ଫୁଲବାଣୀ ଆସି ପ୍ରତିଦିନ ସହର ସାରା ବୁଲାବୁଲି କରି ଲୋକଙ୍କୁ ଭେଟିଥିବା ପରେ ତାଙ୍କର କରୋନା ପଜିଟିଭ ବାହାରିବା ପରେ ସହରରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ସେହିପରି ଆଇନଜୀବୀଙ୍କ ସଂସ୍ପଶ୍ୱର୍ରେ ଆସି ଟାଉନଥାନାର ଜଣେ ମହିଳା ପୋଲିସ କର୍ମଚାରୀ ମଧ୍ୟ କରୋନା ସଂକ୍ରମଣର ଶୀକାର ହୋଇଛନ୍ତି ।

ସହର ସାରା ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍ କରିବା ସହ ଥାନାକୁ ମଧ୍ୟ ସାନିଟାଇଜ୍ କରାଯାଇଛି । ପୋଲିସ କର୍ମଚାରୀ ଜଣକ ଥାନାରେ ଅନ୍ୟ ସହକର୍ମୀଙ୍କ ସହ ମିଳାମିଶା କରିଥିବାରୁ ପୋଲିସ କର୍ମଚାରୀ ମାନେ ଭୟଭୀତ ହୋଇପଡିଛନ୍ତି । ଜିଲ୍ଲାର ଟିକାବାଲି, ସାରଙ୍ଗଡ, କ.ନୂଆଗାଁ , ବାଲିଗୁଡା, ଫୁଲବାଣୀ, ରାଇକିଆ, ଜି.ଉଦୟଗିରି, କୋଟଗଡ ଆଦି ଅଂଚଳରେ କେତେକ ସ୍ଥାନକୁ ମଧ୍ୟ ପ୍ରଶାସନ କଣ୍ଟେନମେଣ୍ଟ ଘୋଷଣା କରିଛି । ଜିଲ୍ଲାରେ କରୋନା ସଂକ୍ରମଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ନିଆଯାଉଛି ହେଲେ ଏହା ଯଥେଷ୍ଟ ନୁହେଁ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି । ଅଧିକା କାର୍ଯ୍ୟାନୁଷ୍ଠାନ ଦରକାର ବୋଲି କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।

 

 

Nalco

Leave A Reply