Odisha news

ନବରାତ୍ର ଓ ମାତୃଶକ୍ତି ପରମ୍ପରା

0

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର : ଭାରତୀୟ ସଂସ୍କୃତିରେ ସର୍ବ ପ୍ରଥମେ ବୈଦିକ ଦୁର୍ଗାସୂତରେ ସୂକ୍ଷ୍ମଦୃଷ୍ଟିରେ ଦୁର୍ଗାଙ୍କର ମହିମା ବର୍ଣ୍ଣିତ । ଏହି ଦୁର୍ଗାସୂତ୍ରର ମନ୍ତ୍ର ପଠନ ଦ୍ୱାରା ସମସ୍ତ ଦୁଃଖ ଦୂରୀଭୂତ ହେବାସହ କୁପ୍ରବୃତ୍ତିର ବିନାଶ ହୋଇଥାଏ । ଓଡ଼ିଶାର ପୁରପଲ୍ଲୀରେ ବନଦୁର୍ଗାଙ୍କୁ ପ୍ରସ୍ତର ବା କାଷ୍ଠସ୍ତମ୍ଭରେ ଉପଲବ୍ଧି କରାଯାଇ ସ୍ତମ୍ଭେଶ୍ୱରୀ ରୂପେ ଗ୍ରାମଦେବୀ ଉପାସନା ବହୁଳ ଭାବରେ ପ୍ରଚଳିତ ହୋଇଥିଲା । ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟର ଆରମ୍ଭରେ ଯେଉଁ ଦିଅଁ ମଙ୍ଗୁଳା କରାଯାଏ ତାହା ହିଁ ସର୍ବପ୍ରାଚୀନ ଦୁର୍ଗାପୂଜା ବା ଦେବୀପୂଜା ରୂପେ ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଗୃହୀତ ହୋଇଛି ।
ଯୁଗପୁରୁଷୋତ୍ତମ ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଛନ୍ତି – ଭଗବତୀ ପୂଜା କରିବା ଅର୍ଥ ନିଜ ମା’ଙ୍କୁ ହିଁ ଉପାସନା କରିବା । ମା’ କେବଳ ପୂଜାର ବେଦୀରେ ଦଶଭୁଜା ପ୍ରତିମା ନୁହଁନ୍ତି, ଘରେ ଘରେ ଜୀବନ୍ତ ଦ୍ୱିଭୁଜା ଜନନୀ । ଘରର ମା’ ଓ ଜଗତର ମା’ଙ୍କର ଏକ ରୂପ । ଦଶଭୁଜା ଅର୍ଥ ହେଉଛି ଦୁଇ ହାତରେ ମା’ ଦଶହାତର କାମ କରନ୍ତି । ମା’ଙ୍କର ଦଶହାତରେ ତ୍ରିଶୂଳ, ପାଶ, ପରଶୁ ଓ ଧନୁର୍ବାଣ ଇତ୍ୟାଦି ଦଶ ପ୍ରକାର ଅସ୍ତ୍ର ରହିଛି । ତେଣୁ ମା’ହେଉଛନ୍ତି ଦଶପ୍ରହର ଧାରିଣୀ । ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଲେ – ଏହି ଅସ୍ତ୍ର ହେଉଛି ମାତୃ ଐଶ୍ୱର୍ଯ୍ୟର ବିଭିନ୍ନ ଶକ୍ତି ଯାହାଦ୍ୱାରା ମା’ ଅସତ୍ ବା ଅସୁରଶକ୍ତିକୁ ପରାଭୂତ ଓ ପ୍ରତିହତ କରନ୍ତି ସ୍ୱୀୟ ସନ୍ତାନକୁ ରକ୍ଷା କରିବା ପାଇଁ ।

ଶ୍ରୀ ଶ୍ରୀ ଠାକୁର କହିଲେ – ମା’ଦୁର୍ଗତି ନାଶିନୀ ହୋଇ ଦଶପ୍ରହରଣ ଧାରଣ କରି ସନ୍ତାନ ସଂରକ୍ଷଣରେ ନିୟୋଜିତା । ଚଣ୍ଡ, ମୁଣ୍ଡ, ଶୁମ୍ଭ, ନିଶୁମ୍ଭ ଓ ମହିଷାସୁର ପ୍ରଭୃତି ଅସୁରଦଳକୁ ଦମନ କରିଛନ୍ତି ମା’ଦୁର୍ଗା । ଶ୍ରୀ ଶ୍ରୀ ଠାକୁର ବିଜୟା ଉପଲକ୍ଷେ ପ୍ରଦତ୍ତ ବାଣୀରେ କହିଛନ୍ତି – ଏହି ମା’ମୋର ଐଶ୍ୱର୍ଯ୍ୟଶାଳିନୀ, ଦଶପ୍ରହରଣୀ ଯାହାଙ୍କ ପାଖରେ ଅଚୁ୍ୟତ ଆନତି ହିଁ ମୋର ଦୁର୍ଗ, ସେହି ଆନତି ଭିତର ଦେଇ ଯେତେବେଳେ ମା’ଙ୍କ ଚରଣରେ ମୁଁ ଆନତ ହୁଏ ସ୍ୱତଃସମ୍ବିତ ଓ ସକ୍ରିୟତାରେ ସେତେବେଳେ ମା’ମୋର ଦୁର୍ଗତିନାଶିନୀ ଦୁର୍ଗ । ମା’ସିଂହବାହିନୀ । ମହାପରାକ୍ରମୀ ପଶୁରାଜର ପୃଷ୍ଠରେ ମା’ଙ୍କର ଚରଣ ନ୍ୟସ୍ତ, ତାର ଅର୍ଥ ପଶୁଭାବର ଉପରେ ମାତୃଭାବର ପ୍ରତିଷ୍ଠା ।

ଦୁର୍ଗାପୂଜା ଶରତ ଋତୁରେ ପାଳିତ ହୁଏ ବୋଲି ମା’ଦୁର୍ଗାଙ୍କର ଅନ୍ୟ ଏକ ନାମ ଶାରଦା । କିନ୍ତୁ ଶ୍ରୀ ଶ୍ରୀ ଠାକୁର କହିଲେ – ଶାରଦା ବା ଶରତ ଆସିଛି ଶୃ ଧାତୁ ଠାରୁ – ଅର୍ଥ ବଧ ଓ ହିଂସା । ହିଂସାତ୍ମକ ଯାହା କିଛିକୁ ନିହତ କରି ମା’ରକ୍ଷାକୁ ସମ୍ବୁଦ୍ଧକରି ତୋଳନ୍ତି । ସେ ଅସତ୍ ନିରୋଧି ପ୍ରଚଣ୍ଡା । ମା’ଦୁର୍ଗାଙ୍କ ଧ୍ୟାନମନ୍ତ୍ରରେ ମଧ୍ୟ ଅଛି ତାଙ୍କର ଅଷ୍ଟଶକ୍ତିର କଥା – ଉଗ୍ରଚଣ୍ଡା, ପ୍ରଚଣ୍ଡା, ଚଣ୍ଡୋଗ୍ରା, ଚଣ୍ଡନାୟିକା, ଚଣ୍ଡା, ଚଣ୍ଡବତୀ, ଚଣ୍ଡରୂପା ଓ ଅତି ଚଣ୍ଡିକା । ମା’ହେଉଛନ୍ତି ଶିବଙ୍କ ଘରଣୀ – ଶିବାନୀ ଅର୍ଥାତ୍ ମଙ୍ଗଳବିଧାୟିନୀ । ମା’ସବୁ ସନ୍ତାନଙ୍କର ମଙ୍ଗଳ କାମନା କରନ୍ତି । ସମସ୍ତଙ୍କୁ କୋଳରେ ଧରନ୍ତି । ତେଣୁ ତାଙ୍କର ଅନ୍ୟ ନାମ ଜଗଦ୍ଧାତ୍ରୀ । ସେ ବିକ୍ଷୁବ୍ଧତା ଓ ବିଚ୍ଛିନ୍ନତାକୁ ସୁସଂଶ୍ଲିଷ୍ଟ କରିଉଠାନ୍ତି । ତେଣୁ ଦୁର୍ଗାପୂଜା କେବଳ ମାତ୍ର ପୁଷ୍ପବିଲ୍ୱପତ୍ରର ପୂଜା ନୁହେଁ, ଏହା ମାନବତାର ଏକ ବିରାଟ ମିଳନ ଉତ୍ସବ ।

ଶ୍ରୀ ଶ୍ରୀ ଠାକୁର କହିଲେ – ମା’ ଆସିଛନ୍ତି, ପୁତୁଳା ପରି ତାଙ୍କୁ ପୂଜା କଲେ ଆମ୍ଭମାନଙ୍କ ପ୍ରାଣରେ ତାଙ୍କର ପ୍ରତିଷ୍ଠା ହେବନାହିଁ । ସେ ପୂଜା ସମ୍ବର୍ଦ୍ଧନା ଓ ଚାରିତ୍ରିକ ଦୁ୍ୟତି ଆଣିପାରିବ ନାହିଁ । ପୂଜା ସମୟରେ ପ୍ରତିମାରେ ଚକ୍ଷୁଦାନ ଓ ପ୍ରାଣପ୍ରତିଷ୍ଠା କରାହୁଏ । ଶ୍ରୀ ଶ୍ରୀ ଠାକୁର କହିଲେ – ପ୍ରକୃତ ଚକ୍ଷୁଦାନ ହେଉଛି – ମୋର ଚକ୍ଷୁ ତାଙ୍କର ଚକ୍ଷୁରେ ଦାନ କରିବା । ମୋର ଚକ୍ଷୁ ଯେପରି ତାଙ୍କର ଚକ୍ଷୁ ହୋଇଉଠେ । ମା’ବ୍ୟକ୍ତି, ବିଷୟ ଓ ବ୍ୟାପାରକୁ ଯେଭଳି ଭାବରେ ଦେଖିବା ପସନ୍ଦ କରନ୍ତି ଆମ୍ଭେମାନେ ଯେଭଳି ସେହିଭାବରେ ଦେଖିବାରେ ଅଭ୍ୟସ୍ତ ହେବୁ । ଆଉ ପ୍ରାଣ ପ୍ରତିଷ୍ଠା ହେଉଛି ଦେବତାଙ୍କର ଦିବ୍ୟଗୁଣରାଜି ଅନୁଶୀଳନ ଭିତରେ ନିଜ ନିଜ ଚରିତ୍ରରେ ଫୁଟାଇ ଉଠାଇବା ।

ପୌରାଣିକ ଦୁର୍ଗାଙ୍କୁ “ଶ୍ରୀ ଶ୍ରୀ ଚଣ୍ଡୀ’ ପୁରାଣରେ ଯେଉଁ ସବୁ ରୂପ, ମୂର୍ତ୍ତିକଳ୍ପନା ଓ ଆୟୁଧ ସହିତ ବର୍ଣ୍ଣନା କରାଯାଇଥିଲା, ଭୌମକର ରାଜବଂଶର କୀର୍ତ୍ତିଗୁଡ଼ିକରେ ତାହାକୁ ସର୍ବ ପ୍ରଥମେ ବିଭିନ୍ନ ମନ୍ଦିର ମଧ୍ୟରେ ଓ ମନ୍ଦିର ବାହାରେ ଜୀବନ୍ତ ଭାବରେ ରୂପାୟିତ କରାଯାଇଥିଲା । ବାସ୍ତବରେ ତୈତରୀୟ ଉପନିଷଦରେ ବର୍ଣ୍ଣିତ “ଦୁର୍ଗୀ’ କିମ୍ବା “ଶ୍ରୀ ଶ୍ରୀ ଚଣ୍ଡୀ’ରେ ବର୍ଣ୍ଣିତ ଚାମୁଣ୍ଡା, ସପ୍ତମାତୃକା, ନବଦୁର୍ଗା କିମ୍ବା ଶବରୀତନ୍ତ୍ରର “ବନଦୁର୍ଗା’ଙ୍କୁ ଏହି ସପ୍ତମ/ଅଷ୍ଟମ ଶତାବ୍ଦୀରେ ଓଡ଼ିଶାରେ ବିଭିନ୍ନ ଶକ୍ତିପୀଠ, ସହର, ଗ୍ରାମ ପ୍ରଭୃତିରେ ବହୁଳ ଭାବରେ ପ୍ରତିଷ୍ଠା କରାଯାଇଥିଲା । ଶ୍ରୀ ଶ୍ରୀ ଠାକୁର କହିଲେ – ଭାବ ନାହିଁ, ମା’ଙ୍କୁ ବିଜୟା ଦଶମୀରେ ବିସର୍ଜ୍ଜନ ଦେଇଛ, ବରଂ ଭାବ, ଏହି ଦଶଭୁଜା, ଦଶପ୍ରହରଣ ଧାରିଣୀ, ଅସୁରଦଳନୀ ମା’ ତୁମ ଠାରେ ଉତ୍ସୃଜିତ ହୋଇ ଜୀବନ୍ତ ଦୀପ୍ତିରେ ତୁମ ଜୀବନରେ ଜୀବନ୍ତ ହୋଇଉଠିଛନ୍ତି । ବିଜୟା ମା’ଙ୍କର ବିଲୟ ନୁହେଁ, ବିସର୍ଜ୍ଜନମାନେ ହେଉଛି ବିଶେଷ ବିସୃଷ୍ଟି ।

Leave A Reply