Odisha news

ଦେବୀ ଦୁର୍ଗା ଓ ପ୍ରକୃତି

0

ଡକ୍ଟର ବିଜୟଲକ୍ଷ୍ମୀ ଭୂୟାଁ : ଜଗଜ୍ଜନନୀ କଲ୍ୟାଣୀ ମା’ଦୁର୍ଗା ଦୁର୍ଦ୍ଦାନ୍ତ ଅସୁର ମହିଷାସୁରକୁ ବଧ କରି ଦେବତା ମାନବ, ମୁନିଋଷି ସମସ୍ତଙ୍କୁ ତାର ଉତ୍ପୀଡ଼ନରୁ ରକ୍ଷା କରିଥିବାରୁ ମହିଷାସୁର ମର୍ଦ୍ଦିନୀ ନାମ ଧାରଣ କରିଛନ୍ତି । ମା’ସର୍ବଦା ତାର ସନ୍ତାନର କଲ୍ୟାଣ କରିବା ପାଇଁ ସମସ୍ତ ପ୍ରକାର କଷ୍ଟ ସ୍ୱୀକାର କରିଥାଏ । ସେହିପରି ଭାବରେ ଦୁର୍ଗତିନାଶିନୀ ମୋକ୍ଷପ୍ରଦାୟିନୀ ପତିତପାବନୀ ଅନ୍ନପୂର୍ଣ୍ଣା ମା’ଦୁର୍ଗା ଦୀର୍ଘ ଶହେବର୍ଷର ଅନାବୃଷ୍ଟିରୁ ଜଗତକୁ ଉଦ୍ଧାର କରି ପୃଥିବୀବାସୀଙ୍କୁ ଅନ୍ନ, ଜଳ, ଫଳ, ଶାକ, ଓ ବନସ୍ପତି ପ୍ରଦାନ କରି ଶାକମ୍ବରୀ ନାମ ବହନ କରିଛନ୍ତି । ଏହାଦ୍ୱାରା ମା’ବଞ୍ଚô ରହିବା ପାଇଁ ପ୍ରକୃତିକୁ କିପରି ସର୍ବାଗ୍ରେ ପ୍ରାଧାନ୍ୟ ଦେବା ଆବଶ୍ୟକ ତାହାର ନିଦର୍ଶନ ସ୍ୱରୂପ ନିଜେ ଫୁଲ, ଫଳ ଓ ପତ୍ରର ଗଜରାମାଳରେ ମଣ୍ଡି ହୋଇ ସୁସଜ୍ଜିତ ହୁଅନ୍ତି, ସେଇ ମା’ଶାକମ୍ଭରୀଙ୍କ ବିଷୟ ଆଜିର ଆଲୋଚ୍ୟ ବିଷୟ ।

ଦୁର୍ଗମ ନାମକ ଏକ ଦୁଷ୍ଟ ରାକ୍ଷସକୁ ବିନାଶ କରିଥିବାରୁ ମା’ଦୁର୍ଗା ନାମ ଧାରଣ କରିଛନ୍ତି । ହିରଣ୍ୟାକ୍ଷ ବଂଶରେ ଦୈତ୍ୟ ରୁରୁର ପୁତ୍ର ଥିଲେ ଦୁର୍ଗମ । ଦୁର୍ଗମ ବ୍ରହ୍ମାଙ୍କୁ ତପସ୍ୟାରେ ସନ୍ତୁଷ୍ଟ କରି ବରପ୍ରାପ୍ତ ହୋଇ ମହାପରାକ୍ରମଶାଳୀ ହୋଇପାରିଥିଲା । ବରପ୍ରାପ୍ତି ଫଳରେ ସେ ବ୍ରହ୍ମାଙ୍କ ଠାରୁ ଚାରିବେଦ ମଧ୍ୟ ମାଗିଆଣିଥିଲା । ଫଳରେ ବୈଦିକ ରୀତିନୀତି, ଯାଗଯଜ୍ଞାଦି ବନ୍ଦ ହେବାରୁ ଦେବତାମାନେ ଯଜ୍ଞର ହବିର୍ଭାଗ ନପାଇ ଦୁର୍ବଳ ଅନୁଭବ କଲେ । ତାର ପ୍ରଭାବରେ ମର୍ତ୍ତ୍ୟରେ ଏକ ଶହ ବର୍ଷ ପର୍ଯ୍ୟନ୍ତ ବର୍ଷା ହେଲାନାହିଁ । ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିିନିଲୋକରେ ହାହାକାର ଖେଳିଗଲା । ଏହାପରେ ଦୁର୍ଗମ ନିଜର ଅଧିକାରକୁ ସ୍ୱର୍ଗପୁରରେ ଜାହିର କଲା । ଦେବତାମାନେ ଦୁର୍ଗମ ଅତ୍ୟାଚାରରେ ସ୍ୱର୍ଗପୁର ତ୍ୟାଗକରି ହିମାଳୟ ପର୍ବତକୁ ପଳାୟନ କଲେ ଏବଂ ଶକ୍ତିଭୂତା ସନାତନୀ, ଭଗବତୀ ମାହେଶ୍ୱରୀଙ୍କୁ ସ୍ମରଣ କଲେ ।

ଦେବୀ ତତ୍କ୍ଷଣାତ ପ୍ରକଟିତା ହେଲେ । ଦୈତ୍ୟର ପ୍ରଭାବରେ ତ୍ରିଲୋକରେ ଏପରି ବ୍ୟାକୁଳତା ଭରିଯାଇଥିଲା ଯେ ଏହା ଦେଖି ମା’ଙ୍କ ଆଖିରୁ ଅବିରତ ଅଶ୍ରୁ ନିର୍ଗତ ହେବାକୁ ଲାଗିଲା । ବେଦନାକୁ ଧୋଇ ଦେବା ପାଇଁ ମା’ଙ୍କ ମୁଖମଣ୍ଡଳରେ ପ୍ରକଟିତ ହେଲା ଶହେଟି ନେତ୍ର, ତେଣୁ ମା’ଙ୍କର ଅନ୍ୟ ଏକ ନାମ “ଶତାକ୍ଷୀ’ । ଦେବୀଙ୍କ ଚକ୍ଷୁର ନୀର ତିନିଲୋକରେ ବୃଷ୍ଟିର ରୂପ ନେଲା । ନଦୀ ନାଳ ହ୍ରଦ ଅଗାଧ ଜଳରେ ପୂର୍ଣ୍ଣ ହୋଇଗଲା । ସକଳ ବନସ୍ପତି ପରିତୃପ୍ତ ହେଲେ । ପୃଥିବୀ ଶସ୍ୟଶ୍ୟାମଳା ହେଲା ଓ ବୃକ୍ଷମାନ ଫଳଫୁଲରେ ସୁଶୋଭିତ ହେଲେ । ଏହି ସମୟରେ ମା’ଭଗବତୀ ସଭିଁଙ୍କୁ ସ୍ୱହସ୍ତରେ ଅନେକ ପ୍ରକାର ଶାକ ଓ ସ୍ୱାଦିଷ୍ଟ ଫଳ ପ୍ରଦାନ କଲେ । ତେଣୁ ତାଙ୍କ ନାମ ହେଲା “ଶାକମ୍ବରୀ’ ।

ମା’ପାର୍ବତୀ ଶାକମ୍ବରୀ ରୂପରେ ଆବିର୍ଭୁତା ହୋଇ ପ୍ରବଳ ପ୍ରତାପୀ ଦୁର୍ଗମାସୁରକୁ ବଧ କଲେ । ଦେବୀ ଶାକମ୍ବରୀଙ୍କ ଅନୁକମ୍ପାରେ ଦେବ, ମାନବ, ଋଷିମୁନି ସମସ୍ତେ ଉପକୃତ ହେଲେ । ମା’ବ୍ରହ୍ମାଙ୍କୁ ବେଦ ପ୍ରଦାନ କଲେ ଓ ଇନ୍ଦ୍ରଙ୍କୁ ସ୍ୱର୍ଗପୁରୀ ଫେରାଇ ଦେଲେ । ମା’ଶାକମ୍ବରୀ ଦେବୀଙ୍କ ମହିମା ମହାଭାରତ ଓ ଶିବପୁରାଣରେ ବର୍ଣ୍ଣନା କରାଯାଇଛି ।

ରାଜସ୍ଥାନର ସାମ୍ଭର ଓ ଉତ୍ତର ପ୍ରଦେଶର ସହରାନପୁର ଠାରେ ମା’ଶାକମ୍ବରୀଙ୍କର ପ୍ରସିଦ୍ଧ ମନ୍ଦିର ଅବସ୍ଥିତ । ପ୍ରତିବର୍ଷ ପୌଷମାସରେ ଅଷ୍ଟମୀ ତିଥିରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏଠାରେ ଶାକମ୍ବରୀ ନବରାତ୍ରୀ ଓ ଶାକମ୍ବରୀ ପୂର୍ଣ୍ଣିମା ପାଳନ କରାଯାଏ । ମା’ଙ୍କୁ ବିଭିନ୍ନ ପ୍ରକାର ଫଳ, ପରିବା, ଶାକ ଓ ବନସ୍ପତିର ମାଳ ପ୍ରସ୍ତୁତ କରାଯାଇ ପିନ୍ଧାଯାଏ ଏବଂ ନବପଲ୍ଲକରେ ସୁସଜ୍ଜିତ କରାଯାଏ । ଶାକ ଅର୍ଥ ସବୁଜ ବନସ୍ପତି ଓ ଅମ୍ଭରୀ ଅର୍ଥ ଯେ ଏହାକୁ ଧାରଣ କରିଥାନ୍ତି । ତେଣୁ ମା’ଙ୍କ ଶାକମ୍ବରୀ ବେଶ ହେଉଛି ସୁନ୍ଦର ସବୁଜ ବନାନୀର ଚିତ୍ର ।

ଯେଉଁ ବୃକ୍ଷଲତା ଭରା ସବୁଜ ବନାନୀକୁ ଆମେ ମା’ଶାକମ୍ଭରୀ ରୂପେ ଦର୍ଶନ କରୁ ତାକୁ ସୁରକ୍ଷିତ ରଖିବା ମା’ର ପୂଜା କରିବା ସହ ସମାନ । ଏଥିରେ ମା’ଅଧିକ ପ୍ରସନ୍ନ ହେବେ । ହେଲେ ଆଜି ମଣିଷ କ’ଣ ତାହା ବୁଝୁଛି? ନ୍ୟସ୍ତସ୍ୱାର୍ଥର ବଶବର୍ତ୍ତୀ ହୋଇ କାଟି ଚାଲିଛି ବୃକ୍ଷ ପରେ ବୃକ୍ଷ । ତା ସ୍ଥାନରେ ଗଢ଼ି ଉଠୁଛି କଳକାରଖାନା ଓ ଅସଂଖ୍ୟ କୋଠାବାଡ଼ି । ବୃକ୍ଷରୋପଣ ଓ ସବୁଜ ବନାନୀ ସୃଷ୍ଟି କରିବାର ବାହାନାରେ ବହୁ ନେତା ଓ ସ୍ୱେଚ୍ଛାସେବୀମାନେ ସଭାସମିତିରେ ଭାଷଣ ଦେଇ ଅର୍ଥ ଆତ୍ମସାତ କରୁଛନ୍ତି ।

ମଣିଷ ଶରୀର ପଞ୍ଚଭୂତରେ ଗଢ଼ା । ଏହି ପଞ୍ଚଭୂତ – ମୃତ୍ତିକା, ଜଳ, ବାୟୁ, ଅଗ୍ନି ଏବଂ ଆକାଶ ମଧ୍ୟରେ ସମତା ରକ୍ଷାକରି ଜୀବ ଜଗତକୁ ବଞ୍ଚôବାର ରାହା ଯୋଗାଏ । ମୃତ୍ତିକା ବୃକ୍ଷକୁ ରକ୍ଷାକରେ । ଆଉ ବୃକ୍ଷ ମଧ୍ୟ ମୃତ୍ତିକାକୁ ସୁରକ୍ଷା ପ୍ରଦାନ କରେ । ଆମ ଶରୀରର ଜଳ ଏକ ପ୍ରଧାନ ଉପାଦାନ । ବୃକ୍ଷ ଯୋଗୁଁ ବୃଷ୍ଟି ହୁଏ । ବନ ନଷ୍ଟକରଣ ହେତୁ ବର୍ଷା ନିୟମିତ ହେଉନାହିଁ, ଫଳରେ ଅସମୟରେ ବର୍ଷା, ବନ୍ୟାହୁଏ ଏବଂ ମରୁଡ଼ି ଆଦି ଦୁର୍ବିପାକ ମଧ୍ୟ ସଂଘଟିତ ହୋଇଥାଏ । ପଚନ ହେଉଛି ଶରୀର ପାଇଁ ଅନ୍ୟ ଏକ ଅପରିହାର୍ଯ୍ୟ ଅଂଶ । ଯାହା ବୃକ୍ଷଦ୍ୱାରା ଶୁଦ୍ଧ ହୋଇଥାଏ । ମନୁଷ୍ୟ ନିଶ୍ୱାସରୁ ଉତ୍ପନ୍ନ ଅଙ୍ଗାରକାମ୍ଳକୁ ଗ୍ରହଣ କରି ବୃକ୍ଷ ଅମ୍ଳଜାନ ପ୍ରଦାନ କରିଥାଏ ।

ଅଗ୍ନି ବା ଉତ୍ତାପ ହେଉଛି ଶରୀର ପାଇଁ ଭିନ୍ନ ଅତ୍ୟାବଶ୍ୟକୀୟ ଉପାଦାନ । ଅଗ୍ନିର ମୂଳ ଉତ୍ସ ହେଉଛି ସୂର୍ଯ୍ୟ । ସୂର୍ଯ୍ୟଙ୍କ ପ୍ରଖର କିରଣକୁ ନିୟନ୍ତ୍ରଣ କରିବା ପାଇଁ ବୃକ୍ଷ ଅତ୍ୟନ୍ତ ଆବଶ୍ୟକ । ଆଜିକାଲି ବୃକ୍ଷ ନଷ୍ଟ ହେବା ଫଳରେ ବାୟୁମଣ୍ଡଳରେ ତାପମାତ୍ରା ଅତ୍ୟଧିକ ଭାବରେ ବଢ଼ି ଚାଲିଛି । ସେହିପରି ଆକଶ ତତ୍ତ୍ୱ ହେଉଛି ଶରୀରର ଅନ୍ୟ ଏକ ଉପାଦାନ । ଯାହା ମନୁଷ୍ୟ ଚଳପ୍ରଚଳ କରିବା ପାଇଁ ଭାରସାମ୍ୟ ରକ୍ଷାକରେ । ବୈଜ୍ଞାନିକ ଗବେଷଣାରୁ ଜଣାଯାଏ ଯେ ବାୟୁମଣ୍ଡଳର ଓଜୋନ ସ୍ତରରେ କ୍ଷତ ସୃଷ୍ଟି ହୋଇ ସୂର୍ଯ୍ୟଙ୍କର ପ୍ରଖର ତାପ ପ୍ରଦାନ କରୁଥିବା ଅତି ବାଇଗଣି ରଶ୍ମି ବାୟୁମଣ୍ଡଳକୁ ପ୍ରବେଶ କରିବା ଦ୍ୱାରା ଆମକୁ ନାହିଁ ନଥିବା ରୋଗ ଭୋଗ କରିବାକୁ ପଡ଼ୁଛି । ଏହି କ୍ଷତିକାରକ ଅତିବାଇଗଣି ରଶ୍ମିର ନିୟାନ୍ତ୍ରକ ହେଉଛି କେବଳ ବୃକ୍ଷ ।

ମା’ଦୁର୍ଗ ଶାକମ୍ଭରୀ ହୋଇ ସବୁଜବନାନୀ ସୃଷ୍ଟି କରି ଜୀବଜଗତ ତଥା ଦେବତା ମାନଙ୍କୁ ରକ୍ଷା କରିଥିଲେ । ତେଣୁ ଦୁର୍ଗାପୂଜାରେ ଆମେ ବୃକ୍ଷରୋପଣ କରି ଓ ତାର ଉପଯୁକ୍ତ ଯତ୍ନ ନେଇ ସବୁଜ ବନାନୀ ସୃଷ୍ଟି କଲେ ତାହା ହେବ ମା’ଶାକମ୍ଭରୀଙ୍କ ପାଇଁ ଉପଯୁକ୍ତ ପୂଜାଅର୍ଚ୍ଚନା । ଏହି ଅନ୍ନଦାତ୍ରୀ ପ୍ରକୃତିରାଣୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଆଜି ଏହି ପବିତ୍ର ଦଶହରା ଉତ୍ସବରେ ଚାଲନ୍ତୁ ପରିବେଶର ସୁରକ୍ଷା ଓ ବୃକ୍ଷରୋପଣ ପାଇଁ ଶପଥ ନେବା ।

Leave A Reply