ଡ଼ ପ୍ରତିଭା ମହାରଥୀ : ମାଟିରୁ ଆକାଶ ଯାଏଁ ପରିବ୍ୟାପ୍ତ ଯାହାର ସ୍ନେହ, ମମତା, ନିଃସର୍ତ୍ତ ଭଲପାଇବା, ସେଇ ମାଆ କାଳେ କାଳେ ଏକ ଅମୃତର ମନ୍ଦାକିନୀ, ଆଶିଷର, କଲ୍ୟାଣର ନିର୍ଝରିଣୀ । ନିଖିଳ ବ୍ରହ୍ମାଣ୍ଡର ସୃଷ୍ଟି, ସ୍ଥିତି, ପ୍ରଳୟର ସେ ଉତ୍ସ । ସେ ହିଁ ଆଦ୍ୟାଶକ୍ତି । ମା ଥିଲେ ଘର ସୁନ୍ଦର, ମା ହିଁ ମମତାର ମନ୍ଦିର । ସେ ହିଁ ମାତୃଶକ୍ତି ରୂପେ ପୂଜିତା । ଦେବୀ ଦୁର୍ଗା, ବିଶ୍ୱଜନନୀ ଓ ବିଶ୍ୱେଶ୍ୱରୀ । ବ୍ରାହ୍ମଣୀ ରୂପେ ସେ ସୃଷ୍ଟିକର୍ତ୍ତ୍ରୀ । ବୈଷ୍ଣବୀ ରୂପେ ପାଳନକର୍ତ୍ତ୍ରୀ, ଶିବାନୀ ରୂପେ ସେ ଧ୍ୱଂସକତ୍ର୍ତ୍ରୀ ।
ଶ୍ରୀ ଚଣ୍ଡୀରେ ଦେବୀଙ୍କୁ ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ ରୂପେ ବର୍ଣ୍ଣନା କରାଯାଇଛି । ଅଧର୍ମ, ଅନ୍ୟାୟ, ଅସତ୍ୟର ବିନାଶ ପାଇଁ ଯୁଗେ ଯୁଗେ ମାଆଙ୍କର ଆରାଧନା କରାଯାଏ, ଦୁର୍ଗାପୂଜା ତାହା ମଧ୍ୟରେ ସର୍ବୋକ୍ରୃଷ୍ଟ ଏକ ଗଣପର୍ବ । ଏହି ଦୁର୍ଗାପୂଜା ବା ଦଶହରା ସାଧାରଣତଃ ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ବାସନ୍ତିକ ନବରାତି୍ର ଭାବେ ପାଳନ କରାଯାଏ । ସେହିପରି ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ଶାରଦୀୟ ନବରାତ୍ରୀ ନାମରେ ପାଳନ କରାଯାଏ । ସକଳ ଦୁର୍ଗତିର ଉଦ୍ଧାର କରୁଥିବାରୁ ଦେବୀଙ୍କ ନାମ ଦୁର୍ଗା ।
ଶରତ ଋତୁ ମନଲୋଭା ଋତୁଟିଏ, ପାର୍ବଣ ସାଥୀଟିଏ । ନିର୍ମଳ ଧରିତ୍ରୀ, ନିର୍ମଳ ଆକାଶରେ ମେଞ୍ଚାମେଞ୍ଚା ଭାସମାନ ଧଳା ବାଦଲର ମାଳା, ଶୀତଳ ସମୀରଣର ମନ୍ଦମନ୍ଦ ଗୁଞ୍ଜରଣ, ରାସ୍ତା ଧାରେଧାରେ ଧବଳ କାଶତଣ୍ଡୀର ମନଛୁଅାଁ ନୃତ୍ୟ, ସରସୀରେ ଫୁଟନ୍ତା ପଦ୍ମ ଓ କଇଁର ସ୍ୱର୍ଗୀୟ ସୁଷମା, ମନ, ପ୍ରାଣ, ଚେତନାକୁ ସତେ ଅବା ଟାଣିନିଏ ଭିନ୍ନ ଏକ ପରିସରକୁ, ମାତୃପୂଜାର ମଣ୍ଡପକୁ ଦେବୀପୀଠକୁ, ଦେବାଳୟକୁ ।ଯେତେବେଳେ ଦେବତା ଓ ଦାନବଙ୍କ ଭିତରେ ବିବାଦ ସୃଷ୍ଟି ହୋଇଥିଲା, ମହିଷାସୁର ଦାନବଙ୍କ ପ୍ରତୀକ ସାଜିଥିବା ବେଳେ ଦେବୀ ଦୁର୍ଗା ପ୍ରତିନିଧିତ୍ୱ କରିଥିଲେ ଦେବଦେବୀଙ୍କର ।
“ମହିଷ’ର ଅର୍ଥ ମଇଁଷୀ, ଯାହାର ମୋଟା ମୋଟା ଚମଡ଼ା ସାଙ୍ଗକୁ ବଡ଼ ବଡ଼ ଶିଙ୍ଘ ଦୁଇଟି, ବଡ଼ ଭୟଙ୍କର, କୁତ୍ସିତ, କଦାକାର ଚେହେରା । ମୋଟା ଚମଡ଼ାର ଅର୍ଥ ମୋଟାବୁଦ୍ଧିଆ ବା ମୂର୍ଖ । ସେଥିପାଇଁ ଏହି ଦଶହରା ବା ବିଜୟା ଦଶମୀକୁ ମଧ୍ୟ ଅନ୍ଧାର ଉପରେ ଆଲୋକର ବିଜୟ, ଅନ୍ୟାୟ ଉପରେ ନ୍ୟାୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ, ଅସତ୍ୟ ଉପରେ ସତ୍ୟର ବିଜୟ, ଅଜ୍ଞାନତା ଉପରେ ଜ୍ଞାନର ବିଜୟ, ଆସକ୍ତି ଉପରେ ଅନାସକ୍ତିର ବିଜୟ, ଆସୁରୀ ଶକ୍ତି ଉପରେ ଦୈବୀଶକ୍ତିର ବିଜୟ ବୋଲି କୁହାଯାଏ ।
ପୁନଶ୍ଚ ଏହା ପ୍ରମାଣ କରିବାକୁ ଚାହେଁ ଯୁଗେ ଯୁଗେ “ନାରୀ’ ହିଁ ଶକ୍ତିମୟୀ । ସେ ଜନନୀ, ଭଗିନୀ, ଜାୟା ଓ କନ୍ୟା ରୂପେ ଏ ସୃଷ୍ଟିକୁ ବଞ୍ଚାଇ ରଖେ, ସେ ଶକ୍ତିମୟୀ, ସେ ଅବଳା କିମ୍ବା ଦୁର୍ବଳା ନୁହେଁ । ଦଶାନନ ରାବଣ ହେଉ କିମ୍ବା ମହିଷାସୁର ହେଉ, ତାକୁ ନିଧନ କରିବା ପାଇଁ ପଶ୍ଚତରେ ରହିଛି ଦେବୀଙ୍କର ଭୂମିକା । ରାବଣ ଓ ମହିଷାସୁରର ଅହଙ୍କାର, ଆସକ୍ତି ଓ କାମନା ହିଁ ତାଙ୍କ ବିନାଶକୁ ଡାକି ଆଣିଥିଲା ।
ଅନ୍ୟ କାହା ଅପରାଧ ନିମନ୍ତେ ନୁହେଁ, ପ୍ରତ୍ୟେକଙ୍କୁ ସ୍ୱକୃତ ଅପରାଧର ଶାସ୍ତି ଭୋଗିବାକୁ ପଡ଼ିଥାଏ । ତେବେ ବେଳେବେଳେ ମଣିଷ ଅସତ୍ୟର ଆଶ୍ରୟ ନ ନେଇ ଠିକ୍ ଭାବି ଏଭଳି ଭୁଲ କରିଥାଏ, ଯାହା ଜୀବନକୁ ଦୁର୍ବିସହ କରିଦେଇଥାଏ । ଏହିଭଳି ଏକ ଘଟଣା ଘଟିଥିଲା ପାଣ୍ଡୁଙ୍କ ଜୀବନରେ । ଧୃତରାଷ୍ଟ୍ର ହସ୍ତିନାର ରାଜସିଂହାସନରେ ଅଭିଷିକ୍ତ ହୋଇସାରିଥାନ୍ତି । ରାଜପ୍ରାସାଦର ବ୍ୟସ୍ତବିବ୍ରତ ଜୀବନଧାରା ଓ ଜନବହୁଳ ଜନପଦ ଅପେକ୍ଷା ଅରଣ୍ୟାନୀର ଶାନ୍ତସୁନ୍ଦର, କମନୀୟ ପରିବେଶ ଅଧିକ ଆକୃଷ୍ଟ କରୁଥିଲା ଅମ୍ବାଳିକା ନନ୍ଦନ ପାଣ୍ଡୁଙ୍କୁ । ଜ୍ୟେଷ୍ଠଭ୍ରାତା ଧୃତରାଷ୍ଟ୍ର ସିଂହାସନରେ ଅଧିଷ୍ଠିତ ହେବାପରେ ଶତଶୃଙ୍ଗ ଗିରି ଉପତ୍ୟକା ଓ ସବୁଜ ଅରଣ୍ୟାନୀ ହିଁ ଥିଲା ପାଣ୍ଡୁଙ୍କ ସାମ୍ରାଜ୍ୟ । ମୃଗୟା ଥିଲା ଚିତବିନୋଦନର ମାଧ୍ୟମ ।
ଶେଷରେ ଏହାହିଁ ତାଙ୍କ ନିମନ୍ତେ ଭୟଙ୍କର ଶାପର କାରଣ ହୋଇଥିଲା । ଆଷାଢ଼ର ଏକ ମେଘମେଦୁର ଅପରାହ୍ନ । ଘଞ୍ଚ ଅରଣ୍ୟାନୀ ବୃକ୍ଷଲତାର ସବୁଜ ପତ୍ରରୁ ଜଳବିନ୍ଦୁ ଟପଟପ କରି ଝରି ପଡ଼ୁଥାଏ । ମେଘଢଙ୍କା ଆକାଶ ଅରଣ୍ୟକୁ ଆହୁରି ଅନ୍ଧକାରାଚ୍ଛନ୍ନ କରିଦେଇଥାଏ ଯଦିଚ ସୂର୍ଯ୍ୟାସ୍ତ ହେବାରେ ଅନେକ ବିଳମ୍ବ ଥାଏ । ମୃଗୟା ଉଦେ୍ଦଶ୍ୟରେ ଇତସ୍ତତ ବୁଲିବା ସମୟରେ ହଠାତ୍ ଶୁଣିବାକୁ ପାଇଲେ ମୃଗଦମ୍ପତିଙ୍କ ସ୍ୱର । ଶିକାର ଲାଳସା ରୂପୀ ଅଦମନୀୟ କାମନା ନିକଟରେ ନୈତିକତା ହଜିଗଲା । ମୃଗଦମ୍ପତି ମୈଥୁନରତ ଥାଇ ମଧ୍ୟ ଶିକାର ନିମିତ ଶର ନିକ୍ଷେପ କଲେ । ଶର ନିକ୍ଷିପ୍ତର ପରମୁହୂର୍ତ୍ତରେ ମୃଗଦମ୍ପତ୍ତିଙ୍କ ଆର୍ତ୍ତସ୍ୱର ପରିବର୍ତ୍ତେ ମନୁଷ୍ୟ କଣ୍ଠର ଆର୍ତ୍ତଚିକ୍ରାରରେ ବନଭୂମି ପ୍ରକମ୍ପିତ ହୋଇଗଲା ।
ଏହାଶୁଣି ରାଜା ପାଣ୍ଡୁଙ୍କ ବକ୍ଷ ଶତଧା ବିଦୀର୍ଣ୍ଣ ହୋଇଗଲା ଭଳି ଲାଗିଲା । ତୀବ୍ର ବେଗରେ ତତକ୍ଷଣାତ୍ ସେହି ସ୍ୱର ଆସୁଥିବା ଦିଗକୁ ଧାଇଁଗଲେ । ପତ୍ର ଗହଳରେ ଶରବିଦ୍ଧ ଅବସ୍ଥାରେ ଯିଏ ଯନ୍ତ୍ରଣାରେ ଚିକ୍ରାର କରୁଥିଲେ ସିଏ ଥିଲେ ମଣିଷ – କିନ୍ଦମ ମୁନି ଓ ତାଙ୍କ ପତ୍ନୀ । ଅବ୍ୟର୍ଥ ଶରାଘାତରେ ସର୍ବାଙ୍ଗ ଲହୁଲୁହାଣ । ଓଦାମାଟି ଆହୁରି ସିକ୍ତ ହୋଇଯାଉଥାଏ ମୁନିଙ୍କ ଲାଲରକ୍ତରେ । ଏହି ଅନାକାଙକ୍ଷିତ ଦୃଶ୍ୟ ପାଣ୍ଡୁଙ୍କୁ ସ୍ତବ୍ଧ କରିଦେଇଥିଲା । ନତଜାନୁ ହୋଇ ସମ୍ମୁଖରେ ବସିପଡ଼ିଲେ ସେ ଓ ମାଦ୍ରୀ – ମୃଗ ଭ୍ରମ ବଶତଃ ତୀରଚାଳନା କରିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି – କମ୍ପିତ କଣ୍ଠରେ ଦୁଃଖରେ ମି୍ରୟମାଣ ପାଣ୍ଡୁ କ୍ଷମା ମାଗିଲେ । ଯନ୍ତ୍ରଣା ଜର୍ଜରିତ ମୁନିଙ୍କ ଉପରେ କିନ୍ଦୁ ଏହା କୌଣସି ପ୍ରଭାବ ପକାଇ ନଥିଲା ।
ଶେଷ ନିଃଶ୍ୱାସ ତ୍ୟାଗ ପୂର୍ବରୁ ଅଭିଶାପ ଦେଲେ – “ରେ ମୂଢ଼! ବର୍ଷାସିକ୍ତ ଅରଣ୍ୟାନୀର ଦୃଶ୍ୟ ଉପଭୋଗ ପାଇଁ ମୁଁ ଏଭଳି ନିକାଞ୍ଚନ ସ୍ଥାନଟିଏ ବାଛି ନେଇଥିଲି । ପତ୍ନୀଙ୍କ ସହ କେତୋଟି ମୁହୂର୍ତ୍ତ ବିତାଇଥାନ୍ତି । ହେଲେ ତୁ ବଇରୀ ସାଜିଲୁ । ଜାଣିରଖ ପତ୍ନୀ ସମ୍ଭୋଗ ତୋର ମୃତୁ୍ୟର କାରଣ ହେବ ।’ ନିରପରାଧ ମୁନିଙ୍କର ଏହି ପ୍ରଚଣ୍ଡ ଅଭିଶାପ ହିଁ ପାଣ୍ଡୁଙ୍କ ଜୀବନର ପରିସମାପ୍ତି ଘଟାଇଥିଲା । ଆସକ୍ତିବଶତଃ ପାଣ୍ଡୁ ଶରନିକ୍ଷେପ କରିଥିଲେ ମୃଗଦମ୍ପତିଙ୍କ ଉଦେ୍ଦଶ୍ୟରେ, ସେହି ଆସକ୍ତି ହେତୁ ସେ ଭୁଲି ଯାଇଥିଲେ ମୁନିଙ୍କ ଶାପ, ଯାହା ଶେଷରେ ତାଙ୍କ ମୃତୁ୍ୟର କାରଣ ହୋଇଥିଲା ।
ଏବେ ଘୋର କଳିକାଳ ଉପସ୍ଥିତ । ବେଳକୁ ବେଳ “ପାପ’ର ଭାର ବଢ଼ିବଢ଼ି ଚାଲିଛି । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କେବଳ ଜଗଜ୍ଜନନୀ ମା ହିଁ ସୃଷ୍ଟିର ମଙ୍ଗଳ ବିଧାନ ପାଇଁ ସନ୍ତାନକୁ କ୍ଷମା କରିଦେଇ ସତ୍ମାର୍ଗରେ ପ୍ରେରିତ କରିବ । ସେଥିପାଇଁ ଶ୍ରୀ ଶଙ୍କରାଚାର୍ଯ୍ୟକୃତ “ଦେବୀଅପରାଧ କ୍ଷମାପନ୍ନସ୍ତୋତ୍ରଂ’ରେ ବର୍ଣ୍ଣିତ କୁପୁତ୍ରୋ ଜାୟେତ କ୍ୱଚିଦପି କୁମାର୍ତାନଭବତି ।
ଶ୍ରୀ ଦୁର୍ଗା ହେଉଛନ୍ତି ଦଶ ମହାବିଦ୍ୟା । ତାହା ହେଲା କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ, ଛିନ୍ନମସ୍ତା, ଧୂମାବତୀ, ବଗଳା, ମାତଙ୍ଗୀ ଓ କମଳା, ଦେବୀ ଦୁର୍ଗା ସମସ୍ତ ଦେବତାମାନଙ୍କର ତେଜରୁ ଜନ୍ମ, ଅଯୋନିସମ୍ଭୂତା ଓ ପରମପୂଜ୍ୟା । ଏଣୁ ଶ୍ରୀ ଦୁର୍ଗାଙ୍କର ପୂଜା ପରେ ଦଶମହାବିଦ୍ୟାଙ୍କର ପୂଜା ହୋଇଥାଏ ।
ପୁରାଣରେ ଶିବଙ୍କ ଅନ୍ୟ ନାମ ରୁଦ୍ର ବୋଲି ବର୍ଣ୍ଣନା ରହିଛି । ରୁଦ୍ରର ଅର୍ଥ ହେଉଛି ଭୟାନକ । ରୁଦ୍ର ହେଉଛନ୍ତି ସଂହାରର ଦେବତା ଏବଂ କଲ୍ୟାଣକାରୀ । ବିଦ୍ୱାନଙ୍କ ମତରେ ରୁଦ୍ର ଜୀବାତ୍ମାକୁ ମୋକ୍ଷ ପ୍ରଦାନ କରିଥାନ୍ତି । ଭଗବାନ ଶିବଙ୍କ ୧୦ଟି ରୁଦ୍ରାବତାର ରହିଛି । ସେଥି ମଧ୍ୟରୁ ପ୍ରଥମ ହେଉଛି ମହାକାଳ । ରୁଦ୍ରାବତାରଙ୍କ ଶକ୍ତି ହେଉଛନ୍ତି ମାତା ମହାକାଳୀ । ଶିବଙ୍କ ଦ୍ୱିତୀୟ ରୁଦ୍ରାବତାର ହେଉଛି ତାର । ଏହାଙ୍କ ଶକ୍ତି ହେଉଚନ୍ତି ତାରା ଦେବୀ । ତୃତୀୟ ରୁଦ୍ରାବତାର ହେଉଛନ୍ତି ବାଳ ଭୁବନେଶ୍ୱର । ଏହାଙ୍କ ଶକ୍ତି ହେଉଛନ୍ତି ବାଳ ଭୁବନେଶ୍ୱରୀ । ଚତୁର୍ଥ ରୁଦ୍ରାବତାର ହେଉଛନ୍ତି ଷୋଡ଼ଶ ଶ୍ରୀବିଦ୍ୟେଷ ।
ଏହାଙ୍କ ଶକ୍ତି ହେଉଛନ୍ତି ଷୋଡ଼ଶୀ ଶ୍ରୀବିଦ୍ୟେଶ୍ୱରୀ । ପଞ୍ଚମ ରୁଦ୍ରାବତାର ହେଉଛନ୍ତି ଭୈରବ । ଏହାଙ୍କ ଶକ୍ତି ହେଉଛନ୍ତି ଭୈରବୀ ଗିରିଜା ଦେବୀ । ମହାଦେବଙ୍କ ଷଷ୍ଠ ରୁଦ୍ରାବତାରରେ ଅଛନ୍ତି ଛିନ୍ନମସ୍ତକ । ଏହାଙ୍କ ଶକ୍ତି ହେଉଛନ୍ତି ଦେବୀ ଛିନ୍ନମସ୍ତା । ସପ୍ତମ ରୁଦ୍ରାବତାର ହେଲେ ଧୂମବର୍ଣ୍ଣ । ଏହାଙ୍କ ଶକ୍ତି ହେଉଛନ୍ତି ଧୂମାବତୀ । ଅଷ୍ଟମ ରୁଦ୍ରାବତାରରେ ଅଛନ୍ତି ବଗଳାମୁଖ । ଏହାଙ୍କ ଶକ୍ତି ହେଉଛନ୍ତି ବଗଳାମୁଖୀ ଦେବୀ । ନବମ ରୁଦ୍ରାବତାରରେ ଅଛନ୍ତି ମାତଙ୍ଗ ।
ଯାହାଙ୍କ ଶକ୍ତି ଦେବୀ ହେଉଛନ୍ତି ମାତଙ୍ଗୀ । ମହାଦେବଙ୍କ ପ୍ରସିଦ୍ଧ ଦଶଟି ରୁଦ୍ରାବତାର ମଧ୍ୟରୁ ଦଶମ ଅବତାର ହେଉଛନ୍ତି କମଳ ଅବତାର । ଏହି ଅବତାରର ଶକ୍ତି ଦେବୀ ହେଉଛନ୍ତି ଦେବୀ କମଳା । ଆସନ୍ତୁ କାୟମନୋବାକ୍ୟରେ ଦିବ୍ୟଜନନୀଙ୍କର ଆରାଧନା କରି ଆପଣା ଆପଣାର ଅନ୍ତଃଶତ୍ରୁ ଓ ବହିଃଶତ୍ରୁକୁ ବିନାଶ କରିବା, ସୃଷ୍ଟିକୁ ପାପ ଭାରରୁ ମୁକ୍ତ କରିବାରେ ସହାୟକ ହେବା ଏବଂ ସମ୍ମିଳିତ ସ୍ୱରରେ ଗାନ କରିବା-
ଦେହିସୌଭାଗ୍ୟମାରୋଗ୍ୟଂ ଦେହି ମେ ପରମସୁଖମ୍
ରୂପଂ ଦେହି ଜୟଂ ଦେହି ଯଶୋଦେହି ଦ୍ୱିଷୋଜହି ।