Odisha news

ସର୍ବାସ୍ତ୍ରଧାରିଣୀ ଶକ୍ତିସ୍ଵରୂପିଣୀ

0

ଲାସ୍ୟମୟୀ ବର୍ଷାକୁ ଧରାପୃଷ୍ଠରୁ ବିଦାୟ ଦେଇ ଆଗମନ କରେ ଶରତ।ଶୁଭ୍ର ନିର୍ମଳ ଆକାଶର ଅପରୂପ ଶୋଭାରେ ହସି ଉଠେ ଧରଣୀ।ଶୁଭ୍ର କାଶତଣ୍ଡି ଫୁଲ ପ୍ରକୃତିର ଶୋଭାକୁ ଦ୍ଵିଗୁଣିତ କରି ଗଢିତୋଳେ।ପ୍ରକୃତିରାଣୀ ତା’ର ସୌନ୍ଦର୍ଯ୍ୟ ପସରା ମେଲାଇ ମାଆ ସର୍ବାସ୍ତ୍ରଧାରିଣୀ ଶକ୍ତିସ୍ଵରୂପିଣୀଙ୍କୁ ସ୍ଵାଗତ କରେ।ମା’ଙ୍କ ଆଗମନରେ ଏ ପୃଥିବୀ ହସିଉଠେ।ଶକ୍ତିସ୍ଵରୂପିଣୀ ହେଉଛନ୍ତି ମା’ ଦୁର୍ଗା ଯାହାଙ୍କର ଅନ୍ୟ ନାମ ହେଉଛି ଜଗତଜନନୀ ଦୁର୍ଗତିନାଶିନୀ।ଯିଏ ଏ ପୃଥିବୀପୃଷ୍ଠରୁ ଅନ୍ଧକାର ଦୂରକରି ଆଲୋକର ବର୍ତ୍ତିକା ଦେଖାନ୍ତି।ସେତିକି ନୁହେଁ ଏ ପୃଥିବୀରୁ ସମସ୍ତ ପ୍ରକାର ଅନ୍ୟାୟ,ଅତ୍ୟାଚାର,ଭ୍ରଷ୍ଟାଚାର, ରୋଗ,ଶୋକ ଦୂରକରି ମଣିଷ ମନରେ ଏକ ଦିବ୍ୟ ଚେତନା ଭରିଦିଅନ୍ତି।ଭାରତବର୍ଷରେ ମାଆଙ୍କର ଦୁଇଟି ପୂଜା ବିଶେଷ ଭାବରେ ପାଳନ କରାଯାଏ।ଗୋଟିଏ ବାସନ୍ତିକ ପୂଜା ଅନ୍ୟଟି ଶାରଦୀୟ ପୂଜା।ଭାରତରେ ୫୧ଟି ଶକ୍ତିପୀଠ ଅଛି।ସମସ୍ତ ଶକ୍ତିପୀଠ ମାନଙ୍କରେ ମାଆଙ୍କର ଶାରଦୀୟ ଉତ୍ସବ ବିପୁଳ ଆନନ୍ଦ,ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରାଯାଏ।

ମାର୍କଣ୍ଡେୟ ପୁରାଣରେ ବର୍ଣ୍ଣନା କରାଯାଇଅଛି ସୁରତ ରାଜା ଓ ସମାଧି ବୈଶ୍ୟ ପ୍ରଥମେ ମୃଣ୍ମୟୀ ଦୂର୍ଗାପୂଜା ଆରମ୍ଭ କରିଥିଲେ।ମଧ୍ୟ ଯୁଗରେ ମଧ୍ୟ ଏହାର ବର୍ଣ୍ଣନା କରାଯାଇଅଛି।ପରବର୍ତ୍ତୀ ସମୟରେ ଏହା ଭାରତବର୍ଷରେ ଏକ ମହାନ୍ ପର୍ବ ରୂପରେ ପରିଗଣିତ ହେଲା।ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହାକୁ ପାଳନ କରିବାକୁ ଆରମ୍ଭ କଲେ।ମା’ ଦୁର୍ଗା ହେଉଛନ୍ତି ସକଳ ଶକ୍ତିର ଆଧାର।ସେ ହେଉଛନ୍ତି ଆଦ୍ୟା ଶକ୍ତି।ପୁରାଣ କହେ ଶକ୍ତି ବିନା ଶିବ ମଧ୍ୟ ଶବରେ ପରିଣତ ହୋଇଛନ୍ତି।ତେଣୁ ସେ ହେଉଛନ୍ତି ଏକାଧାରାରେ ପାଳନକର୍ତ୍ତା,ପୋଷଣକର୍ତ୍ତା ଏବଂ ସଂହାରକର୍ତ୍ତା।ଉତ୍କଳୀୟ ପରମ୍ପରାରେ ମଧ୍ୟ ବହୁଳଭାବରେ ଶକ୍ତି ପୂଜା ଦେଖିବାକୁ ମିଳେ।ଆମ ରାଜ୍ୟରେ ମଧ୍ୟ ବିଭିନ୍ନ ପୀଠ ମାନଙ୍କରେ ମୃଣ୍ମୟୀ ଦେବୀଙ୍କୁ ପୂଜା କରାଯାଏ।କେତେକ ସ୍ଥାନରେ ମାଆଙ୍କର ଷୋଡ଼ଶ ଦିବସ ବ୍ୟାପି ପୂଜାର୍ଚ୍ଚନା କରାଯାଏ।

ଓଡ଼ିଶାକୁ ଛାଡ଼ି ଦେଲେ ବିଭିନ୍ନ ରାଜ୍ୟରେ ବିଶେଷ କରି ନବରାତ୍ରି ପୂଜା ରୂପରେ ଏହା ପାଳନ କରାଯାଏ।ମାଆଙ୍କୁ ସେଇ ଆଧାରରେ ମଧ୍ୟ ଆରାଧନା କରାଯାଏ।୧-ଶୈଳପୁତ୍ରୀ,୨-ବ୍ରହ୍ମଚାରିଣୀ,୩-ଚନ୍ଦ୍ରଘଣ୍ଟା,୪-କୁଷ୍ମାଣ୍ଡା,୫-ସ୍କନ୍ଦମାତା,୬-କାତ୍ୟାୟନୀ,୭-କାଳରାତ୍ରି,୮-ମହାଗୌରୀ,୯-ସିଦ୍ଧିଦାତ୍ରୀ।ଏହି ନବଦୁର୍ଗାଙ୍କ ବିଭିନ୍ନ ଶୃଙ୍ଗାର କରାଯାଏ।ଏହାକୁ ନବଦିନାତ୍ମକ ପୂଜା ମଧ୍ୟ କୁହାଯାଏ।ମା’ ଦୁର୍ଗା ହେଉଛନ୍ତି ତ୍ରିଶକ୍ତିର ପ୍ରତୀକ।ସେ ମହାକାଳୀ,ମହାଲକ୍ଷ୍ମୀ,ମହାସରସ୍ଵତୀ।ସେ ହେଉଛନ୍ତି ମା ବୈଷ୍ଣୋଦେବୀ।ମାଆଙ୍କର ନବରାତ୍ର ପୂଜା ଭିତରେ ନବମୀ ତିଥିରେ କୁମାରୀ ପୂଜନର ବିଧି ମଧ୍ୟ ରହିଛି।ଛୋଟ କନ୍ୟାଙ୍କୁ ନିଷ୍ଠା ଏବଂ ଭକ୍ତିରେ ପୂଜାକଲେ ପରିବାରର ଅନେକ ମଙ୍ଗଳ ହୁଏ।ଆମ ରାଜ୍ୟରେ ଶାରଦୀୟ ଉତ୍ସବ ରୂପେ ଦଶହରା ପାଳନ କରାଯାଏ।କାରଣ ଦଶହରା ସାର୍ବଜନୀନ ଅଟେ।ବିଭିନ୍ନ ଦୈବୀ ପୀଠ ମାନଙ୍କରେ ବେଲ୍ୱବରଣ ଠାରୁ ଦଶମୀ ବା ଦଶହରା ପର୍ଯ୍ୟନ୍ତ ମାଆଙ୍କର ପୂଜାର୍ଚ୍ଚନା କରାଯାଏ।ଦଶହରାକୁ ବିଜୟା ଦଶମୀ ମଧ୍ୟ କୁହାଯାଏ।ଏହି ଦିନ ପ୍ରଭୁ ଶ୍ରୀରାମ ମାଆଙ୍କର କୃପାଲାଭ କରି ରାବଣକୁ ବଧ କରିଥିଲେ।ଏହି ଦିନ ମାଆଙ୍କୁ ଅପରାଜିତା ରୂପେ ପୂଜା କରାଯାଏ।କେତେକ ଜାଗାରେ ବିଜୟା ଦଶମୀ ବା ଦଶହରାକୁ ସମରାଭ୍ୟାସର ଅନୁକୂଳ ଦିବସ ରୂପେ ପାଳନ କରାଯାଏ।

ମାତ୍ର ବାସନ୍ତିକ ଦୁର୍ଗାପୂଜା ବିଭିନ୍ନ ରାଜ୍ୟରେ ପାଳନ କରାଯାଏ।ପୁରାଣରେ ବର୍ଣ୍ଣିତ, ବରଦାନପ୍ରାପ୍ତ ମହିଷାସୁର ସମସ୍ତ ଦେବତାଙ୍କୁ ପରାଜିତ କରି ଆଧିପତ୍ୟ ବିସ୍ତାର କରିଥିଲା।ଦେବତାମାନେ ମହିଷାସୁରର ଅତ୍ୟାଚାର ସହିନପାରି ତ୍ରାହି ତ୍ରାହି ଡାକୁଥିଲେ।ସମସ୍ତ ଦେବତାଗଣ ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କର ଶରଣାଗତ ହେଲେ।ସମସ୍ତ ଦେବତାମାନେ ନିଜର ଆୟୁଧରୁ ଶକ୍ତି ଦାନକରି ଦେବୀ ଦୁର୍ଗାଙ୍କୁ ସର୍ବାସ୍ତ୍ରଧାରିଣୀ ଶକ୍ତିସ୍ଵରୂପିଣୀ କଲେ।ଦେବୀଦୁର୍ଗା ସମସ୍ତ ଶକ୍ତିରେ ବଳୀୟାନ୍ ହୋଇ ମହିଷାସୁରକୁ ବଧ କଲେ।ଏଣୁ ଅଧର୍ମକୁ ସଂହାର କରିବାପାଇଁ ମା’ ପୃଥିବୀପୃଷ୍ଠକୁ ଆସିଥିଲେ।
ଦୁର୍ଗା ପୂଜା ବା ଦଶହରା ଶକ୍ତି ଆରାଧନାର ପ୍ରତୀକ।ଯୁଗେ ଯୁଗେ ନାରୀ ଶକ୍ତିର ପରାକାଷ୍ଠା ରହିଆସିଛି।ନାରୀ ସେ ଦେବୀ ହୁଅନ୍ତୁ ବା ମାନବୀ ସେ ଶକ୍ତିମୟୀ ସେ ଆସାଧ୍ୟକୁ ସାଧନ କରିପାରେ।ଦୁର୍ଗାପୂଜାର ଆଡମ୍ବର ଭିତରେ ଆମେ ପ୍ରକୃତ ଶକ୍ତିକୁ ଚିହ୍ନି ପାରିନଥାଉ।ଆଜିର ଭ୍ରଷ୍ଟ

ଲୋଲୁପସମାଜ,ନାରୀ ଶକ୍ତିକୁ ଚିହ୍ନିନପାରି ତାକୁ କୁଠାରାଘାତ କରେ।ନାରୀ ଶକ୍ତି ମା’ ଦୁର୍ଗାଙ୍କର ଏକ ସ୍ୱରୂପ।ସେ କେବେ ଅବଳା ବା ଦୁର୍ବଳା ନୁହେଁ।ଏ ପାର୍ବଣ ଋତୁରେ ମାଆଙ୍କ ପାଖରେ ବିନମ୍ର ଗୁହାରି,ଏ ମଣିଷ ସମାଜକୁ ଉଚିତ୍ ମାର୍ଗ ଦେଖାନ୍ତୁ।ସମସ୍ତ ମାତୃଶକ୍ତିକୁ ଉପଯୁକ୍ତ ମର୍ଯ୍ୟାଦା ମିଳୁ।ମାତୃଶକ୍ତି ତା’ର ନିଜ ବଳରେ ତେଜୀୟାନ୍ ହୋଇ ପରିବାର,ସମାଜ ତଥା ରାଷ୍ଟ୍ରକୁ ରକ୍ଷା କରୁ।

 

 

Leave A Reply