ଖୋର୍ଦ୍ଧା,୨୩ା୪(ସ.ବୁ୍ୟ): ଉକ୍ରଳୀୟ ସଂସ୍କୃତିର ପ୍ରତୀକ ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ପୁରୁଷୋତମ କ୍ଷେତ୍ରରେ ବିଜେ କରିଛନ୍ତି ବ୍ରହ୍ମାଣ୍ଡ ଠାକୁର ଶ୍ରୀଜଗନ୍ନାଥ । ମହାପ୍ରଭୁଙ୍କ ଦର୍ଶନ ଭକ୍ତଙ୍କୁ ଟାଣି ଆଣେ ଶ୍ରୀକ୍ଷେତ୍ରକୁ । ମାନବୀୟ ଲୀଳା କରୁଛନ୍ତି ଲୀଳମୟ ଠାକୁର । ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟ ତିଥିରେ ଅନୁଷ୍ଠିତ ହୋଇଥାଏ ମହାପ୍ରଭୁଙ୍କ ଘୋଷଯାତ୍ରା । ଭକ୍ତର ଭଗବାନ କାଳିଆ ସାଆନ୍ତ ବଡଠାକୁର, ସାନ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଥିରେ ଧରି ନବଦିନାତ୍ମକ ଘୋଷଯାତ୍ରାରେ ବାହାରିଥାନ୍ତି । ମହାପ୍ରଭୁଙ୍କ ସେବା ଅନନ୍ୟ । ପ୍ରତିବର୍ଷ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ରଥଯାତ୍ରା ତଥା ବର୍ଷସାରା ପର୍ବପର୍ବାଣୀ ଲାଗି ସୂତା ଓ ପାଟବସ୍ତ୍ର ଯୋଗାଉଛନ୍ତି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଳକ ରାଉତପଡା ପଂଚାୟତ ରାଉତପଡା ଗ୍ରାମର ବୁଣାକାର । ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଧାରିତ ସମୟରେ ଏହି ପାଟବସ୍ତ୍ର ଶ୍ରୀମନ୍ଦିର କାର୍ଯ୍ୟାଳୟ ପହଂଚାଇବା ତାଲିକା ପାଇବା ପରେ ମହାପ୍ରଭୁଙ୍କ ସେବାରେ ଲାଗିପଡିଥାନ୍ତି ଏହି ବୁଣାକାର । ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି କାର୍ଯ୍ୟ ସାରି ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଏହି ପାଟବସ୍ତ୍ର ଯୋଗାଇଥାନ୍ତି ।
ତେବେ ଚଳିତ ବର୍ଷ କୋଭିଡ-୧୯(କରୋନା ଭୁତାଣୁ ସଂକ୍ରମଣ) ର ମୁକାବିଲା ଲାଗି ଦେଶରେ ଲକଡାଉନ ଜାରି ରହିଛି । ଏହାର ପ୍ରଭାବରେ ଦେଶରେ ଆନ୍ତ ରାଜ୍ୟ ବସ, ଟ୍ରେନ ଚଳାଚଳ ବନ୍ଦ ରହିଛି । ଫଳରେ କଂଚାମାଲ ଆସିବାରେ ବିଳମ୍ବ କାରଣରୁ ଚଳିତ ବର୍ଷ ରଥଯାତ୍ରାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପାଟବସ୍ତ୍ର ଯୋଗାଣରେ ଅନିଶ୍ଚିତତା ପ୍ରକାଶ କରିଛନ୍ତି ବରିଷ୍ଠ ବୁଣାକାର ଗୋପିନାଥ ଦାସ । ଗୋପିନାଥ କୁହନ୍ତି ସାଧାରଣତଃ ସୂତା ଖୋର୍ଦ୍ଧାରୁ ସଂଗୃହୀତ ହେଉଥିବା ବେଳେ କଟନ କଂଚାମାଲ କଲିକତା ର ମାଲଦାରୁ ଆସିଥାଏ । ମାତ୍ର ଲକଡାଉନ ଯୋଗୁ ଏହି କଂଚାମାଳ ଆସିବାରେ ବିଳମ୍ବ ହେଉଛି । ୭୦ପ୍ରତିଶତ କାମ ସରିଥିବାବେଳେ ୩୦ପ୍ରତିଶତ କାମ କେବଳ କଂଚାମାଲ୍ ଅଭାବରୁ ଅଟକି ରହିଛି । ତେବେ ଯୁଦ୍ଧକାଳୀନ ଭିତିରେ ଏହା ସାରିବାକୁ ଉଦ୍ୟମ କରାଯିବ ବୋଲି କହିଛନ୍ତି ଗୋପିନାଥ ।
ଚଳିତ ରଥଯାତ୍ରା ଲାଗି ପତନି ୨୫୦ମୂର୍ତି(ଖଣ୍ଡ), ବୋଇରାଣୀ ୩୦୦ମୂର୍ତି, ମଲମଲ ୧୬୦ମୂର୍ତି, ଗଦିଫେଟା ୧୬୦ ମୂର୍ତି, ୧୨ହାତି ଗଡା ୧୫୦୦ ମୂର୍ତି, ୧୬ହାତି ଗଡା୨୦୦ ମୂର୍ତି, ନିଉଛାଳି ୧୮୦ମୂର୍ତି, ନେତଫୁଟା୨୦ ମୂର୍ତି, ସୁତାଫୁଟା ୩୦ ମୂର୍ତି, ନେତ ଖଣ୍ଡୁଆ ୬ମୂର୍ତି, ଶ୍ରୀମୁଖ ଓତା ୬ମୂର୍ତି, ଟଣାଖସା(ବଡ) ୪ମୂର୍ତି, ଟଣାଖସା(ସାନ) ୩ ମୂର୍ତି, ଅଧର ଗାମୁଛା ୯ ମୂର୍ତି, ନାଲି(ଲାଲ) ଚେହେଲି ୫୦ଗଜ, ନେଳି(ସବୁଜ) ଚେହେଲି ୪୮ ଗଜ ଓ ହଳଦିଆ ଚେହେଲି ୪୦ଗଜ ପ୍ରଭୃତି ୧୭ ପ୍ରକାର ସୂତା ଓ ପାଟବସ୍ତ୍ର ଯୋଗାଇବା ଲାଗି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ନିଦେ୍ର୍ଦଶ ପାଇଛନ୍ତି ।
ବୁଣାକାର ଗୋପିନାଥ ଦାସ କୁହନ୍ତି ୧୯୯୩ ମସିହାରେ ବାପା ମଧୁସୁଦନ ଦାସଙ୍କ ସମୟରୁ ଏହି ପାଟବସ୍ତ୍ର ଯୋଗାଇ ଆସୁଛନ୍ତି । ଗତ ୨୭ ବର୍ଷ ଧରି କ୍ରମାଗତ ଭାବେ ମହାପ୍ରଭୁଙ୍କ ରଥଯାତ୍ରା ଓ ବର୍ଷସାରା ପର୍ବପର୍ବାଣୀ ଲାଗି ସୂତା ଲୁଗା ଓ ପାଟବସ୍ତ୍ର ଯୋଗାଇ ଆସୁଛନ୍ତି ରାଉତପଡାର ଏହି ବୁଣାକାରମାନେ । ଏହି ଗ୍ରାମର ୨୫ ପରିବାରର ପ୍ରାୟ ୧୨୦ରୁ ଉଦ୍ଧ୍ୱର୍ ସଦସ୍ୟ ମହାପ୍ରଭୁଙ୍କୁ ଏହି ସେବାରେ ଲାଗିଛନ୍ତି । ୧୯୯୬ ଓ ୨୦୧୫ ନବକଳେବର ମହାପ୍ରଭୁଙ୍କୁ ଲାଗି ସୂତା ଓ ପାଟବସ୍ତ୍ର ପଠାଇବାର ସୁଯୋଗ ପାଇଥିଲେ ଏହି ବୁଣାକାର । ମହାପ୍ରଭୁଙ୍କ ସେବାରେ ଗ୍ରାମର ରାମଚନ୍ଦ୍ର ଦାସ ଗୋପିନାଥ, ଭଗବାନ ଦାସ ଓ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ପରିବାର ସମେତ ଅଶୋକ ଦାସ, କୌଳଶ ଚନ୍ଦ୍ର ଦାସ, ରବିନ୍ଦ୍ର ଦାସ ଓ କାର୍ତିକ ପାତ୍ର ପ୍ରମୁଖ ପରିବାର ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି । ଏହି ସେବାରେ ଅପୂର୍ବ ଆନନ୍ଦ ମିଳିଥାଏ ବୋଲି ଏହି ବୁଣାକାରମାନେ କହିଛନ୍ତି ।
ତେବେ ବୁଣାକାର ଗୋପିନାଥ କୁହନ୍ତି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ମହାପ୍ରଭୁଙ୍କ ରଥଯାତ୍ରା ଲାଗି ପାଟବସ୍ତ୍ର ଯୋଗାଇବା ନିମନ୍ତେ ତାଲିକା ପାଇବା ପରେ ଏହି ଗ୍ରାମର ବୁଣାକାର ମାନେ ସେବାରେ ଲାଗିପଡନ୍ତି । ଚଳିତ ରଥଯାତ୍ରା ଲାଗି ଚେହେଲି ପାଟ, ବଡସିଂହାର ଲାଗି ଗୀତଗୋବିନ୍ଦ ପାଟ, ସାତବାର ଲାଗି ୭ପ୍ରକାର ଖଣ୍ଢୁଆ ପାଟ, ସୂତାରେ ପ୍ରସ୍ତୁତ ଦୁଇ ପ୍ରକାର ଘୋଡଣି, ଦେବସ୍ନାନ ପୂର୍ଣ୍ଣମୀ ୧୦୮ଗରାବଡୁ ଜଳ ପାଇଁ ଗାମୁଛା, ମହାପ୍ରଭୁଙ୍କ ଗୁପ୍ତ ସେବା ଲାଗି ଲାଲ/ସବୁଜ/ହଳଦିଆ ରଙ୍ଗର ଏକ ସେଟ ଲେଖାଏଁ ଚେହେଲି ପାଟ ପ୍ରସ୍ତୁତି ଚାଲିଛି । ଏଥିସହିତ ‘ଚନ୍ଦନ ଚର୍ଚ୍ଚିତ ନୀଳକଳେବର ପୀତବସନ ବନମାଳୀ କେଳି ଚଳନ୍ମଣି କୁଣ୍ଡଳ ମଣ୍ଡିତ ଗଣ୍ଡଯୁଗ ସ୍ମିତଶାଳୀ’ ଲେଖାଥିବା ଠାକୁରଙ୍କ ବଡସିଂହାର ବେଶ ଲାଗି ଗୀତଗୋବିନ୍ଦ ପାଟ ପଠାଯାଇଥାଏ । ସେହିପରି ସପ୍ତବିଗ୍ରହ ଯଥା ମାଧବ, ଶ୍ରୀ ସୁଦର୍ଶନ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଶ୍ରୀଦେବୀ,ଭୂଦେବୀଙ୍କ ଲାଗି ସୁତାର ୨ପ୍ରକାର ଘୋଡଣି ସମେତ ମହାପ୍ରଭୁଙ୍କ ବର୍ଷସାରା ଅନ୍ୟ ସେବା ଲାଗ ୩୦ରୁ ୩୫ପ୍ରକାର ଲୁଗା ଯଥା ନେତଫୁଟା, ବୋଇରାଣୀ, ପତନୀ, ଟଣାଖୋସା, ମଲମଲ, ଶ୍ରୀମୁଖ ଓତା, ଗଦିଫୁଟା ଆଦି ବସ୍ତ୍ର ପ୍ରସ୍ତୁତି ଚାଲିଛି ।