Odisha news

ଦୀପଦାନର ମହାପର୍ବ : ଦୀପାବଳି    

0

ସାଇପ୍ରସାଦ ସାହୁ : ପ୍ରତ୍ୟେକ ଧର୍ମ ସଂସ୍କୃତିରେ ଦୀପ ପ୍ରଜ୍ବଳନକୁ ଏକ ମଙ୍ଗଳମୟ କାର୍ଯ୍ୟ ବୋଲି ଗ୍ରହଣ କରାଯାଇଥାଏ । ହିନ୍ଦୁ ଧର୍ମ ଅନୁସାରେ ଦାନ ଦିଆଯାଇ ଧର୍ମ ଅର୍ଜନ କରାଯାଏ ବୋଲି ବିଶ୍ୱାସ ରହିଛି । ଦାନ କରିବା ଦ୍ୱାରା ସୁଖ, ସ୍ୱର୍ଗ ଓ ମୋକ୍ଷ ପ୍ରାପ୍ତି ହୋଇଥାଏ । ଧର୍ମୀୟ ଓ ସାମାଜିକ ପରମ୍ପରାରେ ଭୂଦାନ, କନ୍ୟାଦାନ,ଗୋଦାନ, ପିଣ୍ଡଦାନ, ଅନ୍ନଦାନ, ବିଦ୍ୟାଦାନ,ଜଳଦାନ, ଦୀପଦାନର ପ୍ରଶସ୍ତି ରହିଛି । ଏ ସମସ୍ତ ଦାନ ମଧ୍ୟରୁ ଭାରତୀୟ ଜନମାନସରେ ଦୀପଦାନ ଏକ ପରମ ପୁଣ୍ୟ ପ୍ରଥା ଓ ପରମ୍ପରା । ଦୀପ ମନୁଷ୍ୟର ଆତ୍ମିକ ଜ୍ୟୋତି ତଥା ଉତ୍ତରାୟଣର ପ୍ରତୀକ । ଭାରତୀୟ ସଂସ୍କୃତି ଦୀପକୁ ପାପର ବିନାଶ ରୂପେ ସର୍ବଶ୍ରେଷ୍ଠ ଆସନରେ ଅଧିଷ୍ଠିତ କରିଛି । ଯେକୌଣସି ଶୁଭ କାର୍ଯ୍ୟର ପ୍ରାରମ୍ଭରେ ଦୀପ ପ୍ରଜ୍ବଳନ କରାଯାଏ । ଦୀପ ଐଶ୍ୱର୍ଯ୍ୟ ଓ ସମୃଦ୍ଧିର ପ୍ରତୀକ । ସେଥିପାଇଁ ଭାରତୀୟ କୀମ୍ବଦନ୍ତୀ ଓ ଜନମାନସରେ ଦୀପଦାନ ମହାପୁଣ୍ୟ ଭାବେ ସ୍ଵୀକୃତ । କାର୍ତ୍ତିକ ମାସରେ ଦୀପଦାନ କରୁଥିବା ଶ୍ରଦ୍ଧାଳୁ ଅସୀମ ପୁଣ୍ୟ ଅର୍ଜନ କରିଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।

ଦୀପ ଅଗ୍ନିଙ୍କ ପ୍ରତୀକ । ଦୀପ ଜଳାଇବା ଅର୍ଥ  ଅଗ୍ନି ଦେବଙ୍କୁ ଆମନ୍ତ୍ରଣ କରିବା । ମନୁଷ୍ୟର ଜୀବନ ଯାତ୍ରା ସହ ଅଗ୍ନିର ଉପାଦେୟତା ଓ ଆବଶ୍ୟକତା ଓତଃପ୍ରୋତ ଭାବେ ଜଡ଼ିତ । ବେଦ କହେ ଅଗ୍ନି ଓ ଜଳର କ୍ରୀଡାରୁ ଜୀବଜଗତର ସୃଷ୍ଟି । ଅଗ୍ନି ଓ ଜଳ ମଧ୍ୟ ବିନାଶର  କାରଣ ହୋଇଥାଆନ୍ତି । ଦୀପ ଜଳାଇଲେ ଆଲୋକ ବା ଜ୍ୟୋତି ବିଚ୍ଛୁରିତ ହୁଏ । ଉପନିଷଦ କହେ ଆମ ହୃଦୟ ଅଜ୍ଞାନ ଅନ୍ଧକାରର ଗନ୍ତାଘର । ଜ୍ୟୋତି ଜ୍ଞାନର ପ୍ରତୀକ ।  ଦୀପ ଅଜ୍ଞାନରୂପୀ ଅନ୍ଧକାରକୁ ଦୂର କରି ଆମ ଭିତରେ ଜ୍ଞାନର ବର୍ତ୍ତିକା ଜାଗ୍ରତ କରିଥାଏ । ତେଣୁ ଦୀପ ଅନ୍ଧକାରରୁ ଆଲୋକର ପ୍ରତୀକ ଓ ନିରାଶାରୁ ଆଶାର ଦ୍ୟୋତକ ଅଟେ ।  ନିଜ ଭିତରେ ଥିବା ଅଜ୍ଞାନ ଓ ଆଳସ୍ୟ ଭାବ ଦୂର କରି ବିକାଶ ପଥର ଯାତ୍ରୀ ହେବା ପାଇଁ ଦୀପଶିଖା ଶିକ୍ଷା ଦିଏ । ଦୀପ ସୃଷ୍ଟି , ସ୍ଥିତି ଓ ବୈଭବର ପ୍ରତୀକ । ଦୀପ ଜ୍ୟୋତି ପୁଣି ପାପ ବିନାଶକ । ଏହି ସୃଷ୍ଟି ପାଞ୍ଚୋଟି ମହାଭୂତିକୁ ନେଇ ପ୍ରତିଷ୍ଠିତ । ସେମାନେ ହେଲେ ଜଳ, ସ୍ଥଳ, ଆକାଶ, ବାୟୁ ଓ ଅଗ୍ନି । ପଞ୍ଚ ମହାଭୂତ ମଧ୍ୟରୁ ମାଟି ହେଉଛି ଗୋଟିଏ । ମାଟି ନିର୍ମିତ ଦୀପଟି ମନୁଷ୍ୟ ଶରୀରର ପ୍ରତୀକ ଅଟେ । ମନୁଷ୍ୟର ରକ୍ତ , ମାଂସ ଶରୀରକୁ ମାଟି ପିଣ୍ଡ ବୋଲି କୁହାଯାଏ । ଦୀପରେ ତେଲ ବା ଘିଅ ଦେଲେ ତାହା ଜଳେ । ମନୁଷ୍ୟର ଏହି ମାଟି ସଦୃଶ ଦେହରେ ତା’ର  ଜୀବନୀ ଶକ୍ତି ହିଁ ତେଲ ସଦୃଶ । ଦୀପ ଜଳାଇବା ଦ୍ଵାରା ମନୁଷ୍ୟ ତେଜସ୍ଵୀ ଓ ଉଚ୍ଚାକାଂକ୍ଷୀ ହୁଏ । ତେଣୁ ଦୀପକୁ ଐଶ୍ୱର୍ଯ୍ୟ ଓ ସମୃଦ୍ଧିର ପ୍ରତୀକ ବୋଲି ଗ୍ରହଣ କରାଯାଇଥାଏ । ଏହି ଦୀପ ଆମକୁ ଅସତ୍ୟ , ଅହିଂସା ଓ ଅନୀତିଠାରୁ  ଦୂରେଇ ସତ୍ ପଥରେ ଚାଲିବାର ମାର୍ଗ ଦେଖାଇଥାଏ । ଅସତ୍ୟରୁ ସତ୍ୟ , ଅନ୍ଧକାରରୁ ଆଲୋକ  ଓ ମୃତ୍ୟୁରୁ ଅମୃତ୍ୟୁକୁ ଦୀପ ନେଇଥାଏ ।

ଦୀପ ବିଭିନ୍ନ ପ୍ରକାରର ଯଥା ; ଏକମୁଖୀ ,  ତ୍ରୟମୁଖୀ, ଷଡମୁଖୀ, ସପ୍ତମୁଖୀ,ଏକଶତ ଆଠମୁଖୀ ଓ ସହସ୍ରମୁଖୀ । ତ୍ରିନାଥ ପୂଜା ସମୟରେ ତ୍ରୟମୁଖୀ ଦୀପ , ଦେବାଦେବୀ ମନ୍ଦିରରେ ଆରତୀ ସମୟରେ ପଞ୍ଚମୁଖୀ ଦୀପ, କାର୍ତ୍ତିକେୟଙ୍କ ପୂଜା ବିଧିରେ ଷଡମୁଖୀ ଦୀପ , ବିବାହ କର୍ମରେ ସପ୍ତମୁଖୀ ଦୀପ , ଆଶ୍ୱିନ ମାସ ଦୁର୍ଗାପୂଜା ଓ ମଙ୍ଗଳା ଓଷାରେ ଏକଶତ ଆଠମୁଖୀ ଦୀପ , ରୁଦ୍ରାଭିଷେକ ସମୟରେ ଏକଶତ ଏକୋଇଶିମୁଖୀ ଦୀପ ପ୍ରଜ୍ବଳନ କରାଯାଇଥାଏ । ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାଠାରେ ଥିବା ମହିମା ଗୋସାଇଁ ପୀଠରେ ବର୍ତ୍ତମାନ ମଧ୍ୟ ଅଖଣ୍ଡ ଦୀପ ଏବେ ବି ପ୍ରଜ୍ବଳିତ ହେଉଛି । ପୁରୀ ଶ୍ରୀମନ୍ଦିରରେ ପ୍ରତି ଏକାଦଶୀରେ ମହତ ଉଦ୍ଦେଶ୍ୟରେ ମହାଦୀପ ଉଠେ । ପବିତ୍ର କାର୍ତ୍ତିକ ମାସରେ ଆକାଶ ଦୀପ ଜଳାଯିବାର ପରମ୍ପରା ରହିଛି । ପିତୃପୁରୁଷ ତଥା ପ୍ରେତପୁରୁଷଙ୍କ ଅନ୍ଧକାରଛନ୍ନ ଦୁର୍ଗମ ପଥକୁ ଆଲୋକିତ କରିବା ପାଇଁ ଓଡ଼ିଶାର ଘରେ ଘରେ ତୁଳସୀ ଚଉରା ନିକଟରେ ଆକାଶ ଦୀପ ଜଳାଯାଏ । ଏହି ଦୀପ ଜଳାଇବା   ଦ୍ଵାରା ଘରର ପରିବେଶ ପବିତ୍ର ତଥା ସକରାତ୍ମକ ଉର୍ଜା ଶକ୍ତିରେ ଭରପୁର ହୋଇଥାଏ । ଯେଉଁମାନେ ମାସ ସାରା ଆକାଶ ଦୀପ ଜଳାଇ ପାରନ୍ତି ନାହିଁ ସେମାନେ କାର୍ତ୍ତିକ ପଞ୍ଚକ ପାଞ୍ଚ ଦିନ ଆକାଶ ଦୀପ ପ୍ରଜ୍ଜ୍ୱଳନ କରିଥାନ୍ତି । ଆକାଶ ଦୀପ ପ୍ରଜ୍ଜ୍ୱଳନ ସତ୍ୟ, ଦିବ୍ୟ ଚେତନା ଓ ଆଶାର ସଂକେତ ବହନ କରିଥାଏ ।

ଆନନ୍ଦ ଓ ଆଲୋକର ଉତ୍ସବ ଦୀପାବଳିର ଆଦର୍ଶ ଏବଂ ଆବେଦନ ଯେତିକି ଗୁରୁତ୍ଵପୂର୍ଣ୍ଣ ସେତିକି ଗରିମାମୟ । ବହୁ କୀମ୍ବଦନ୍ତୀ ଓ ବିଶ୍ୱାସ ଧାରା ସହ ଆନନ୍ଦର ପର୍ବ ଦୀପାବଳି ଜଡ଼ିତ । ଦୀପାବଳି ପର୍ବର ଅର୍ଥ ଦୀପ ସମୂହ । ଏହା ଦୀପ ଓ ଆବଳୀ ଶବ୍ଦର ସମାହାର । ଜୀବଜଗତରୁ ଅନ୍ଧକାର ରୂପକ ଅନ୍ୟାୟ , ଭ୍ରଷ୍ଟାଚାର, ଦୁର୍ନୀତି ଓ ହତ୍ୟା ଦୂର କରି ଆଲୋକ ରୂପକ ଶାନ୍ତିର ଛାୟା ବିଛାଇ ହୋଇ ରହୁ ଏହା ହିଁ କାମନା ବା ଦୀପାବଳିର ମୂଳ ଉଦ୍ଦେଶ୍ୟ । ଭାରତ ବର୍ଷରେ ପାଳନ କରାଯାଉଥିବା ପର୍ବପର୍ବାଣୀ ମଧ୍ୟରେ ଦୀପାବଳିର ସାମାଜିକ ଓ ଧାର୍ମିକ ଦୃଷ୍ଟିକୋଣରୁ ଅଧିକ ମହତ୍ତ୍ଵ ରହିଛି । ଏହାକୁ ଦୀପତ୍ସୋବ ମଧ୍ୟ କୁହାଯାଏ । ଆମ ରାଜ୍ୟରେ କାର୍ତ୍ତିକ ମାସର କୃଷ୍ଣ ତ୍ରୟୋଦଶୀଠାରୁ ଆରମ୍ଭ କରି ଶୁକ୍ଳପକ୍ଷ ଦ୍ଵିତୀୟା ଯାଏଁ ଆଲୋକର ପର୍ବ ଦୀପାବଳି ପାଳିତ ହୁଏ । ଏଥିମଧ୍ୟରୁ କାର୍ତ୍ତିକ ଅମାବାସ୍ୟାଟିକୁ ବଡ଼ ଦୀପାବଳି ରୂପେ ପାଳନ କରାଯାଏ ।

କାରଣ ଏହି ଦିନ ଲକ୍ଷ୍ମୀ ଓ ଗଣେଶଙ୍କୁ ଆବାହନ କରାଯାଇଥାଏ ଓ ପିତୃପୁରୁଷଙ୍କୁ  ପିଣ୍ଡଦାନ ଓ ଶ୍ରାଦ୍ଧ ପୂର୍ବକ ବଡ଼ବଡିଆ ଡକାଯାଏ । ଏହାର ପୂର୍ବଦିନ ଅର୍ଥାତ୍ କୃଷ୍ଣ ଚତୁର୍ଦ୍ଦଶୀକୁ ଛୋଟ ଦୀପାବଳି ବୋଲି କୁହାଯାଏ । ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟରେ କେବଳ ଅମାବାସ୍ୟା ଦିନ ହିଁ ଦୀପାବଳି ପର୍ବର ପ୍ରଧାନ୍ୟତା ରହିଥାଏ । କେବଳ ହିନ୍ଦୁମାନେ ନୁହଁନ୍ତି ; ଶିଖ୍ , ଜୈନ ଓ  ଵୌଦ୍ଧ ଧର୍ମାବଲମ୍ବୀମାନେ ମଧ୍ୟ ଏହାକୁ ପାଳନ କରିଥାନ୍ତି । ଅନ୍ଧକାର ଉପରେ ଆଲୋକର ଏହି ବିଜୟର ପର୍ବ ସମାଜରେ ଉଲ୍ଲାସ, ଭାତୃତ୍ବ ଓ ପ୍ରେମର ବାର୍ତ୍ତା ପରିବ୍ୟାପ୍ତ କରିଥାଏ ।  ସାମୂହିକ ଓ ବ୍ୟକ୍ତିଗତ ଭାବେ ପାଳନ କରାଯାଉଥିବା ଏଭଳି ଏକ ବିଶିଷ୍ଟ ପର୍ବ ; ଯାହା ଧାର୍ମିକ , ସାଂସ୍କୃତିକ ଓ ସାମାଜିକ ବିଶେଷତ୍ଵ ରଖିଥାଏ ।

 

   

Leave A Reply