ଭାରତ ଗୋଟିଏ ଏଭଳି ଦେଶ ଯାହା ବିଭିନ୍ନ ରଙ୍ଗର ସମାହାର କହିଲେ ଅତ୍ୟୁକ୍ତି ହେବ ନାହିଁ, ବିଭିନ୍ନ ରଙ୍ଗ ଅର୍ଥାତ ବିଭିନ୍ନ ଧର୍ମ, ଜାତି, ସମ୍ପ୍ରଦାୟ, ସହିତ ବିଭିନ୍ନ ଉତ୍ସବ ପାଳନ, ପର୍ବପର୍ବାଣି ର ସମାହାର ରେ ଭାରତ ନିର୍ମିତ l ଯାହା ବିଶ୍ୱ ର କୌଣସି ସ୍ଥାନରେ ଦେଖିବାକୁ ମିଳି ନଥାଏ l କିନ୍ତୁ ବିଦେଶ ର ଯେଉଁ ସ୍ଥାନରେ ଭାରତୀୟ ମାନେ ରହିଛନ୍ତି ସେଠାକାର ମାଟି ଓ ପାଣି ପବନ ରେ ଏହାର ସୁଗନ୍ଧ କୁ ଭରି ଦେଇଛନ୍ତି ଓ ସେହି ଦେଶର ବ୍ୟକ୍ତିଙ୍କୁ ଏହିସବୁ ରେ ସାମିଲ କରି ପାରିଛନ୍ତି l ଯାହାର କୌଣସି ତୁଳନା ନାହିଁ l
ଯେଉଁଠି ହିନ୍ଦୁ ଙ୍କ ହୋଲି ଓ ଦୀପାବଳୀ ଯେତିକି ଧୁମ ଧାମ ରେ ପାଳିତ ହୋଇଥାଏ, ମୁସଲମାନ ଙ୍କ ଇଦ ମଧ୍ୟ ସେତିକି ଧୁମ ଧାମ ରେ ପାଳିତ ହୁଏ l ଏହାଛଡା ଖ୍ରୀଷ୍ଟିଆନ ଗୁଡ଼ ଫ୍ରାଇଡେ ଓ ଡିସେମ୍ବର ୨୫ ମଧ୍ୟ ସେତିକି ସୁନ୍ଦର ଭାବରେ ପାଳିତ ହୋଇଥାଏ l ଏହି ସମୟରେ ଚର୍ଚ୍ଚ ଗୁଡିକ ସୁନ୍ଦର ଆଲୋକ ରେ ସୁସଜ୍ଜିତ ହୋଇଥାଏ l
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ବୈଶାଖ ମାସ ହେଉଛି ବର୍ଷର ପ୍ରଥମ ମାସ ଏହି ମାସରେ ମହାବିଷୁବ ସଂକ୍ରାନ୍ତୀ ବା ପଣା ସଂକ୍ରାନ୍ତି ରେ ସୁସ୍ୱାଦୁ ପଣାର ସ୍ୱାଦ ଓ ବୈଶାଖୀ ପର୍ବ ଯାହା କେବଳ ଭାରତରେ ଅନୁଭବ କରିହୁଏ ଓ ଏଥି ସହିତ ଅକ୍ଷୟ ତୃତୀୟl ଯେଉଁ ଦିନଟି ଅନ୍ନ ଦାତା ଚାଷୀ ଭାଇ ମାନଙ୍କ ପାଇଁ ଙ୍କ ଗୋଟିଏ ବଡ଼ ଦିନ ଅଟେ l ଏହାପରେ ଆସିଥାଏ ଜ୍ୟେଷ୍ଠ ମାସ, ଯେଉଁ ମାସରେ ଗ୍ରୀଷ୍ମ ପ୍ରକୋପ ରେ ମିଠାଳିଆ ଫଳ ର ସୁଗନ୍ଧ ରେ ଭାରିଜାଈ ଥାଏ ଚତୁର୍ଦିଗ ଓ ଫଳ ମାନଙ୍କର ସମ୍ଭାରରେ ପାଳିତ ହୁଏ ସାବିତ୍ରୀ ବ୍ରତ , ଏହା କେବଳ ଓଡିଶା ନୁହେଁ ଭାରତର ବିଭିନ୍ନ ରାଜ୍ୟରେ ପାଳିତ ହୋଇଥାଏ l
ଆଷାଢ଼ ମାସ ଆରମ୍ଭରେ ବର୍ଷାର ପ୍ରଥମ ବିନ୍ଦୁକୁ ସ୍ପର୍ଶ କରି ଓଡ଼ିଶାର ପୁରପଲ୍ଲୀ ରୁ ସହର ପର୍ଯ୍ୟନ୍ତ ସୁସଜ୍ଜିତ ହୋଇଥାଏ ରଜ ଉତ୍ସବ ରେ, ବିଦେଶ ରେ ଥିବା ଓଡ଼ିଆ ଭାଇ ମାନଙ୍କର ହୋଇଥାଏ ଘର ବାହୁଡା l ଭଳିକି ଭଳି ପିଠା ମିଠା ରେ ପୁରି ଉଠେ ଘର ଦ୍ୱାର l ଏହି ମାସରେ ପଡିଥାଏ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପର୍ବ, ଯାହା ଓଡ଼ିଆ ଜାତିକୁ ବିଶ୍ୱ ଦରବାରରେ ଦେଇଛି ସ୍ୱତନ୍ତ୍ର ପର୍ବ l ଶ୍ରାବଣ ମାସ ଆସିବା ମାତ୍ରକେ ଢ଼ୋ ଢ଼ୋ ବର୍ଷା ସାଙ୍ଗକୁ ଆରମ୍ଭ ହୋଇଥାଏ ଶୈବ ଭକ୍ତ ମାନଙ୍କର କାଉଡି ଯାତ୍ରା, ଯାହାକୁ କୁହାଯାଇ ଥାଏ ବୋଲବମ ଯାତ୍ରା l ଭାରତର ପ୍ରତ୍ୟେକ ଶୈବ ପୀଠ ହୋଇଥାଏ ଲୋକାରଣ୍ୟ l
ଭାଦ୍ରବ ମାସ ଆସିବା କ୍ଷଣି ଭାରତୀୟ ବଜାର ସୁସଜ୍ଜିତ ହୋଇଥାଏ ସୁନ୍ଦର ରାକ୍ଷୀ ର ପସରା ରେ, ଯାହାକୁ ନେଇ ପ୍ରତ୍ୟେକ ଭଉଣୀ ଚାହିଁ ବସିଥାଏ ନିଜ ଭାଇ ର ବାଟ l ଏହି ପର୍ବ ହେଉଛି ଭାଈ – ଭଉଣୀ ଙ୍କ ସ୍ନେହ ର ବନ୍ଧନ ର ପର୍ବ l ଏହାଛଡା ଅନେକ ଗୁଡିଏ ପର୍ବ ର ସମାହାର ନେଇ ଆସିଥାଏ ଏହି ମାସଟି ଖୁଦୁରୁକୁଣୀ ଯାହାକି ଓଡିଶା ରେ ବାଳ ଦେଖିବାକୁ ମିଳିଥାଏ l ଶ୍ରୀକୃଷ୍ନ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ନୂଆଖାଇ ପର୍ବ ବିଶେଷ ଭାବରେ ଏହି ଗୋଟିଏ ମାସରେ ପାଳିତ ହୋଇଥାଏ l ବର୍ଷା ସରିସରି ଆସୁଥିବା ବେଳେ ପାଦ ଥାପି ଧୀରେକି ଆସିଥାଏ ଆଶ୍ୱିନ ମାସ, ଯେଉଁ ମାସରେ ଆମେ ଦେଖିଥାଉ ପୃଥିବୀ ପୃଷ୍ଠରେ କାଶତଣ୍ଡୀ ଫୁଲ ର ସମାହାର l ସତେ ଯେମିତି ଲାଗିଥାଏ ଧଳା ଧଳା କାଶ ତଣ୍ଡି ଫୁଲ ମା ଜଗତଜନନୀ ମା ଦୁର୍ଗା ଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଛନ୍ତି l ଏହି ସମୟରେ ଭାରତର ପ୍ରତ୍ୟେକ ଗାଁ ଗହଳୀ ଓ ସହର ଲୋକାରଣ୍ୟ ହୋଇ ଯାଇଥାଏ l ମା ଧରାପୃଷ୍ଠ କୁ ଅବତରି ଥାଆନ୍ତି ଓ ନିଜ ଭକ୍ତ ମାନଙ୍କ ଦୁଃଖ ଦୂର କରନ୍ତି l ଭାରତର ପ୍ରତ୍ୟେକ ସ୍ଥାନରେ ଗୋଟିଏ ପବିତ୍ର ବାତାବରଣ ଦେଖା ଦେଇଥାଏ l
କାର୍ତିକ ମାସ ହେଉଛି ଧର୍ମର ମାସ, ଏହି ମାସଟି ଭାରତର ପ୍ରତ୍ୟେକ ରାଜ୍ୟରେ ହିନ୍ଦୁମାନେ ପାଳନ କରିଥାଆନ୍ତି l ଏହି ମାସ ସାରା ବିଷ୍ଣୁ ଙ୍କୁ ପୂଜା କରାଯିବାର ମାନ୍ୟତା ରହିଛି l ଏହି ମାସରେ ବିଶେଷ ଭାବରେ ବୋଇତ ବନ୍ଦାଣ କରାଯାଇଥାଏ, ଯାହା ଓଡ଼ିଆ ଜାତିକୁ ଗୋଟିଏ ନୂଆ ପରିଚୟ ଦେଇଛି l କାର୍ତିକ ର ଶେଷ ସୁଧା ଶୀତଋତୁ ର ଆଗମନ ହୋଇ ଯାଇଥାଏ, ସାମାନ୍ୟ ଶୀତ ସହିତ ପର୍ବପର୍ବାଣୀ ମଜା କିଛି ନିଆରା l ଏହାଛଡା ଏହି ମାସରେ ଆଲୋକର ପର୍ବ ଦୀପାବଳୀ ଭାରତର ସମସ୍ତ ସ୍ଥାନରେ ପାଳନ ହୋଇଥାଏ, ଯାହାକୁ ଆଜି ପ୍ରତ୍ୟେକ ଭାରତୀୟ ବିଦେଶ ରେ ମଧ୍ୟ ପାଳନ କରୁଛନ୍ତି l
ଏହାପରେ ଆସିଥାଏ ପୌଷ ମାସ , ଏହି ମାସରେ ଛୋଟ ଛୋଟ ଅନେକ ଉତ୍ସବ ପାଳନ ହୋଇଥାଏ, l ମାଘ ମାସରେ ବାଘ ଭଳି ଥଣ୍ଡା ସହିତ ମକର ସଂକ୍ରାନ୍ତୀ ସହିତ ବିଦ୍ୟାର ଦେବୀ ମା ସରସ୍ବତୀ ଙ୍କୁ ବିଧିବଧ ଭାବରେ ପୂଜା କରାଯାଇ ଥାଏ l ଏହି ସମୟରେ ବସନ୍ତ ଋତୁର ଆଗମନ ରେ ଚାରିଆଡ ନୂତନ ପତ୍ର ଓ ପୁଷ୍ପ ରେ ପଲ୍ଲବିତ ହୋଇଥାଏ l ତେଣୁ ସରସ୍ବତୀ ପୂଜା ଦିନ ଟିକୁ ବସନ୍ତ ପଞ୍ଚମୀ ଭାବରେ ଆମେ ପାଳନ କରିଥାଉ l ତ୍ରିବେଣୀ ଅମାବାସ୍ୟା ହେଉଛି ମାଘ ମାସର ଗୋଟିଏ ପ୍ରସିଧ ପର୍ବ, ଏହିଦିନ ଶ୍ରଦ୍ଧାଳୁ ମାନେ ପବିତ୍ର ନଦୀ ଗୁଡିକ ରେ ଓ ତ୍ରିବେଣୀ ସଙ୍ଗମ ରେ ମହା ସ୍ନାନ କରି ଥାଆନ୍ତି l
ଫାଲ୍ଗୁନ ମାସ ରେ ମହାଦେବ ଙ୍କ ନିମନ୍ତେ ମହାଶିବରାତ୍ରୀ ହିନ୍ଦୁ ମାନେ ପାଳନ କରି ଥାଆନ୍ତି l ଏହାପରେ ପଲାଗୁନ ମାସର ପୂର୍ଣିମା କୁ ଦୋଳ ପୂର୍ଣିମା ଭାବରେ ପାଳନ କରନ୍ତି ଓ ବିଭିନ୍ନ ରଙ୍ଗର ପସରାରେ ଭାରତର କୋଣ ଅନୁକୋଣ ସଜ୍ଜିତ ହୋଇଥାଏ l ଏହାପରେ ଆସିଥାଏ ଚୈତ୍ର ମାସ, ଯେଉଁ ମାସରେ ହୋଲି ଉତ୍ସବ ସହିତ ରାଧାକୃଷ୍ଣ ମେଳଣ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ l ଚୈତ୍ର ମାସରେ ବାସନ୍ତୀକ ଦୁର୍ଗା ପୂଜା ଓ ଚୈତ୍ର ନବରାତ୍ରୀ ଖୁବ ଧୁମ୍ ଧାମ ରେ ପାଳିତ ହୋଇଥାଏ l ଚୈତ୍ର ମାସରେ ହିଁ ମୁସଲମାନ ମାନଙ୍କ ପର୍ବ ରମଜାନ ମାସର ଆରମ୍ଭ ହୋଇଥାଏ, ଦୀର୍ଘ ଗୋଟିଏ ମାସ ଧରି ସେମାନେ ରୋଜା ରଖି ଥାଆନ୍ତି l ଚୈତ୍ର ମାସକୁ ନେଇ ହିନ୍ଦୁ ପଞ୍ଚାଙ୍ଗ କ୍ୟାଲେଣ୍ଡର ର ସମାପ୍ତି ହୋଇଥାଏ l
ଏହାଛଡା ଆଉକିଛି ଏଭଳି କାର୍ଯ୍ୟ ରହିଛି ଯାହା ଭାରତୀୟ ଙ୍କୁ ଗୋଟିଏ ଅଲଗା ପରିଚୟ ଦେଇଥାଏ l
– ଯେପରିକି କେବଳ ଭାରତରେ ଛୋଟ ଛୁଆ ଙ୍କ ମୁଣ୍ଡରେ କଳାଟିପା ଓ ଆକ୍ଷିରେ କଜ୍ଵଳ ଲଗାଯାଇ ଥାଏ, ତାହା ମାର ସ୍ନେହ ଓ ବିଶ୍ୱାସ ର ପରିଚୟ ଦେଇଥାଏ l
– ନୃତ୍ୟ କୁ ନିଜ ଜୀବନ ଭଳି ଭାବି ବଞ୍ଚିବା ଓ ତା ମଧ୍ୟରେ ହଜିଯିବା ଏହା କେବଳ ଭାରତରେ ଦେଖିବାକୁ ମିଳିଥାଏ l ପ୍ରତ୍ୟେକ ରାଜ୍ୟର ଅଲଗା ଅଲଗା ନୃତ୍ୟ ଯାହାକି ଏକତାରେ ଭିନ୍ନତା l
– ଦୁନିଆରେ ସବୁଠୁ ଅଧିକ ଚଳଚିତ୍ର ଭାରତରେ ନିର୍ମାଣ ହୋଇଥାଏ, ତାହା ପୁଣି ଅଲଗା ଅଲଗା ରାଜ୍ୟର ଅଲଗା ଅଲଗା ଭାଷାରେ l
– ଭାରତରେ ବୋଧ ହୁଏ ଯେତିକି ଚା ଦୋକାନ ଅଛି ସେଭଳି କଦାପି କେଉଁଠି ଦେଖିବାକୁ ମିଳି ନଥାଏ l ଏହା ଭାରତୀୟ ମାନଙ୍କର ଗୋଟିଏ ପ୍ରିୟ ପାନୀୟ ଭାବରେ ଦୁନିଆରେ ପରିଚିତ l
– ଅଫିସ କୁ ଟିଫିନ ନେଇ ଯିବାର ବ୍ୟବସ୍ଥା କେବଳ ଭାରତରେ ଦେଖିବାକୁ ମିଳିଥାଏ, ଯାହା ସେମାନଙ୍କର ସ୍ୱତନ୍ତ୍ର ପରିଚୟ ର କାରଣ ଅଟେ l
– ଭାରତରେ ସବୁଠୁ ପ୍ରିୟ ଖାଦ୍ୟ ଭାତ ଓ ରୁଟି ଯାହା ବିଶ୍ୱର ସମସ୍ତ ଭାରତୀୟ ଙ୍କ ପ୍ରିୟ ଅଟେ l ଏହାଛଡା ଭାରତୀୟ ମାନେ ମଧ୍ୟ ଅଧିକ ମସଲା ଯୁକ୍ତ ଖାଦ୍ୟ ଖାଇ ଥାଆନ୍ତି l