Odisha news

ଗଣତନ୍ତ୍ରରେ ମତ ପାର୍ଥକ୍ୟ ହୋଇପାରେ, ବିଚାର ଅଲଗା ଅଲଗା ହୋଇପାରେ, କିନ୍ତୁ ତାହା ମର୍ଯ୍ୟାଦା ଭିତରେ ରହିବା ଆବଶ୍ୟକ : କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ବର : ଗଣତନ୍ତ୍ରରେ ମତ ପାର୍ଥକ୍ୟ ହୋଇପାରେ, ବିଚାର ଅଲଗା ଅଲଗା ହୋଇପାରେ, କିନ୍ତୁ ତାହା ମର୍ଯ୍ୟାଦା ଭିତରେ ରହିବା ଆବଶ୍ୟକ । ଆମେ ସମସ୍ତେ ଲକ୍ଷ୍ମଣରେଖାକୁ ଉଲ୍ଲଙ୍ଘନ ନ କରିବାକୁ ଚେଷ୍ଟା କରିବା ଆବଶ୍ୟକ। ବେଳେବେଳେ ଭୁଲ ହୋଇପାରେ, କିନ୍ତୁ ଆମେ ବିଚାର ପାର୍ଥକ୍ୟକୁ ସମ୍ମାନ ଦେବା ଆବଶ୍ୟକ, ଏହା ହିଁ ଗଣତନ୍ତ୍ରରେ ବଡ଼ ସର୍ତ୍ତ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

‘ସମ୍ବାଦ’ର ୪୦ ତମ ସ୍ବନକ୍ଷତ୍ର ସମାରୋହରେ ଯୋଗ ଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ, ‘ସମ୍ବାଦ’ ଓଡ଼ିଶାର ପ୍ରଥମ ଅତ୍ୟାଧୁନିକ ଜ୍ଞାନକୌଶଳଚାଳିତ ପ୍ରେସ ଥିଲା । ‘ସମ୍ବାଦ’ କେବଳ ଖବର ପ୍ରକାଶ କରିବା ନୁହେଁ ବରଂ ସ୍ଵେଚ୍ଛାକୃତ  ରକ୍ତଦାନ,  ମାଟ୍ରିକ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା, ସାହିତ୍ୟ ଘର ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଭାଷା ଏବଂ ଓଡ଼ିଆତ୍ୱକୁ ନିଜ ଢଙ୍ଗରେ ପ୍ରସ୍ଫୁଟିତ କରିଥିବାରୁ ମୁଁ ‘ସମ୍ବାଦ’ର ପ୍ରଶଂସକ।

‘ସମ୍ବାଦ’ ୪୦ ବର୍ଷରେ ପଦାର୍ପଣ କରିଥିବାରୁ ସମ୍ବାଦ ପରିବାରକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ  ଶ୍ରୀ ପ୍ରଧାନ କହିଛନ୍ତି ଯେ ଗଣତନ୍ତ୍ରରେ ମତକୁ ନେଇ ବିତର୍କ ହୋଇପାରେ । ବିଚାରକୁ ନେଇ ଆଲୋଚନା ଓ ସମାଲୋଚନା ହେବ । କିନ୍ତୁ ସମସ୍ତେ ଲକ୍ଷ୍ମଣ ରେଖା ଭିତରେ ରହିବା ଦରକାର । ବିଚାର ପାର୍ଥକ୍ୟକୁ ସମ୍ମାନ କରି ଶିଖିବା ଦରକାର, ଏହା ହିଁ ଗଣତନ୍ତ୍ରର ବଡ ସର୍ତ୍ତ । ‘ସମ୍ବାଦ’ର ମୂଳ ଦାୟିତ୍ୱକୁ ଅଣଦେଖା କରି ବିଚାର କରିବା ଉଚିତ୍ ନୁହେଁ । ଗୌରୀଶଙ୍କର ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ଉତ୍କଳ ଦୀପିକା ହେଉ, ଗୋପବନ୍ଧୁ ଦାସଙ୍କ ଦ୍ୱାରା ସମାଜ ତଥା ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରଜାତନ୍ତ୍ର ସେ ସମୟରେ ଗୋଟିଏ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିଲା । ସମ୍ବାଦପତ୍ରର ଦାୟିତ୍ୱ କ’ଣ, ତାହାର ବାର୍ତ୍ତା ଦିଆଯାଇଥିଲା ।

ନିଜର ଅଭିଭାଷଣର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ କହିଛନ୍ତି ଯେ ‘ସମ୍ବାଦ’ର ଜନ୍ମଦିନ ପାଳନକୁ ଓଡ଼ିଶାର ସବୁ ଲୋକ ଦେଖିଥିବେ । ପରିବର୍ତ୍ତନ ଭଲ କଥା, ‘ସମ୍ବାଦ’ରେ ବି ପରିବର୍ତ୍ତନ ହୋଇଛି । ପରିବର୍ତ୍ତନ ହେଲେ ନୂଆ କଥା, ନୂଆ ବିଚାର ଆସିବ । ‘ସମ୍ବାଦ’ର ନୂଆ ସଂପାଦକ ଭାବେ ତନୟା ପଟ୍ଟନାୟକ ଦାୟିତ୍ବ ନେବା ଫଳରେ ଯେଉଁ ପରିବର୍ତ୍ତନ ଆସିଛି, ସେଥିପାଇଁ ସେ ଖୁସି ବୋଲି କହିଥିଲେ।

କାଳଜୟୀ ଉପନ୍ୟାସ ‘ନୀଳଶୈଳ’ର ଲେଖକ ସ୍ବର୍ଗତଃ ସୁରେନ୍ଦ୍ର ମହାନ୍ତି ‘ସମ୍ବାଦ’ର ପ୍ରଥମ ସମ୍ପାଦକ ଥିଲେ । ‘ନୀଳଶୈଳ’ର କାହାଣୀକୁ ନାଟକ ଆହେ ନୀଳଶୈଳ ମାଧ୍ୟମରେ ଅତ୍ୟନ୍ତ ଜୀବନ୍ତ ଢଙ୍ଗରେ  ସମାଜ ଆଗରେ ଉପସ୍ଥାପିତ କରିବାର ଶ୍ରେୟ ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକଙ୍କୁ ଯିବ । ୩୪ ବର୍ଷର ଜଣେ ନୂଆ ପିଢିର ଓଡ଼ିଆ ଭାବେ ସେ ‘ସମ୍ବାଦ’କୁ ଆଗାମୀ ଶତାବ୍ଦୀ ପାଇଁ ଦିଗଦର୍ଶନ ଦେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Leave A Reply