ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ନେଇ ଆୟୋଜିତ ଭର୍ଚୁଆଲ ବୁଦ୍ଧିଜୀବୀ ସମ୍ମିଳନୀ’ରେ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ବୈଚାରିକ ଦର୍ଶନକୁ ଜନ ଆନ୍ଦୋଳନର ରୂପ ଦେବାକୁ ହେବ – ଧର୍ମେନ୍ଦ୍ର ପ୍ରଧାନ
ଅନୁଗୁଳ/ଢେଙ୍କାନାଳ, ଅଗଷ୍ଟ ୦୪ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଚାରିକ ଦର୍ଶନକୁ ସଠିକ୍ ଭାବେ ବୁଝିବା ସହ ଏହା ଉପରେ କେବଳ ଚର୍ଚ୍ଚା ଏବଂ ଚିନ୍ତନ କରିବା ପର୍ଯ୍ୟାପ୍ତ ହେବ ନାହିଁ । ଏହା ଦ୍ୱାରା ଜନସାଧାରଣଙ୍କୁ ଆମ ସହ ଏକ ସୂତ୍ରରେ ଯୋଡ଼ି ଏହାକୁ ଜନ ଆନ୍ଦୋଳନର ରୂପ ଦେବାକୁ ହେବ ଏବଂ ମୋଦିଙ୍କ ବ୍ୟକ୍ତିତ୍ୱର ପ୍ରଶାସନିକ, ରାଜନୈତିକ ଦିଗ ଉପରେ ନୁହେଁ ବରଂ ତାଙ୍କର ଦାର୍ଶନିକ, ବୈଚାରିକ ପ୍ରତିଷ୍ଠାନକୁ ଜନସାଧାରଣଙ୍କ ସହ ବାଂଟିବାକୁ ପଡ଼ିବ ବୋଲି ‘ସ୍ୱର ନୂଆ ଓଡିଶା’ ପକ୍ଷରୁ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ନେଇ ଆୟୋଜିତ ‘ବୁଦ୍ଧିଜୀବୀ ସମ୍ମିଳନୀ’ରେ ଭିଡ଼ିଓ କନଫରେନ୍ସିଂରେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିନ୍ତନ କୌଣସି ଆର୍ôଥକ କିମ୍ବା ସାମାଜିକ ମଡେଲ୍ ନୁହେଁ । ଏହା ସ୍ପଷ୍ଟ ରୂପରେ ମାନବବାଦୀ ଏବଂ ବିଶ୍ୱ ବନ୍ଧୁତ୍ୱର ଦର୍ଶନ ଉପରେ ଆଧାରିତ ଚିନ୍ତନ । ଏଥିରେ କେବଳ ଭାରତକୁ ଆତ୍ମନିର୍ଭର ହେବାରେ ସୀମିତ ରଖିବା ନୁହେଁ ବରଂ ବିଶ୍ୱ କଲ୍ୟାଣର ଦୂରଦୃଷ୍ଟି ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦର୍ଶନକୁ ଜନ-ଜନ ପର୍ଯ୍ୟନ୍ତ ପହଂଚାଇବାର ତାତ୍ପର୍ଯ୍ୟ ହେଉଛି ଭାରତୀୟତାକୁ ସର୍ବବ୍ୟାପୀ ଦର୍ଶନର ରୂପ ଦେବ । ଏହା ଦ୍ୱାରା କାର୍ଯ୍ୟକର୍ତା, ସଂଗଠନ, ସମାଜ ଏବଂ ଦେଶକୁ ଭାରତୀୟତାର ବୈଚାରିକ ସୁଦୀର୍ଘ ପଥକୁ ଅଧିକ ପ୍ରଶସ୍ତ କରିବା ସେ କହିଛନ୍ତି ଭାରତର ମୂଳଦର୍ଶନ ହେଉଛି ଭାରତୀୟତା । ଭାରତ ଏକ ଶାସ୍ୱତ ସଂସ୍କୃତିର ପ୍ରବାହ ଏବଂ ଏହି ସଂସ୍କୃତିର କିଛି ବିଚାର ଓ ଦର୍ଶନ ଦେଶର ସମାଜ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଏହି ସଂସ୍କୃତି ରାମାୟଣ ଏବଂ ମହାଭାରତ କାଳରୁ ଲାଗାତାର ଭାବେ ମାନବ ଜୀବନରେ ସଂସ୍କାର ଆଣୁଛି । ଭାରତୀୟତାର ଦର୍ଶନକୁ ଅନେକ ମହାପୁରୁଷମାନେ ସେମାନଙ୍କ ବିଚାରଧାରାରେ ପ୍ରତିପାଦିତ କରିଛନ୍ତି । ଛତ୍ରପତି ଶିବାଜୀ,ସ୍ୱାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ, ମହର୍ଷି ଅରବିନ୍ଦ, ସୁଭାଷ ଚନ୍ଦ୍ର ବୋଷ, ଡା. ହେଡଗେୱାର, ଶ୍ୟାମାପ୍ରସାଦ ମୁଖାର୍ଜୀ, ପରମ ପୂଜନୀୟ ଶ୍ରୀ ଗୁରୁଜୀ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଦର୍ଶନରେ ଏହି ଏକାତ୍ମ ରୂପର ଦର୍ଶନ ମିଳେ ।