ଧାମନଗର : ଧାମନଗରରେ ଆଜି ଆଉ ତିନି ଜଣ କରୋନା ପଜିଟିଭ୍ ବାହାରିବା ପରେ ସଂକ୍ରମଣଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି । ଗତ ସପ୍ତାହରେ ଧାମନଗର ଏନଏସି ଅଞ୍ଚଳରେ ଜଣେ ଘରୋଇ ଡାକ୍ତରଙ୍କ ମୃତୁ୍ୟ ହେବା ପରେ ଏନଏସିର ତିନୋଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଏହା ପରେ ସେହି ପରିବାରରୁ ଆଉ ଜଣେ ଅର୍ଥାତ ତାଙ୍କ ଭାଇଙ୍କର ମୃତୁ୍ୟ ହୋଇଥିଲା । ତାଙ୍କର ମୃତୁ୍ୟ କରୋନାରେ ହୋଇନଥିବା କୁହାଯାଉଥିବା ବେଳେ ପୁଣି ସେହି ପରିବାରରୁ ଆଉ ଜଣଙ୍କର କରୋନା ପଜେଟିଭ୍ ବାହାରିଥିବା ଜଣାଯାଇଛି ।
ମୃତ ଡାକ୍ତରଙ୍କ ବଡଭାଇ ଯେକି ଧାମନଗର ଆଦର୍ଶ ବିଦ୍ୟାଳୟ କରୋନା କେୟାର ସେଣ୍ଟରରେ ଥିଲେ ତାଙ୍କୁ କରୋନା ସଂକ୍ରମଣ ହୋଇଥିବା ଜଣାଯାଇଛି । ସେହିପରି ମୃତ ଡାକ୍ତରଙ୍କ ଦୋବଲ ସ୍ଥିତ କ୍ଲିନିକ୍ ସଂସ୍ପର୍ଷରେ ଆସିଥିବା ଜଣେ ବ୍ୟକ୍ତିଙ୍କ କରୋନା ପଜିଟିିଭ୍ ବାହାରିବା ପରେ ସ୍ଥାନିୟ ଲୋକଙ୍କ ଚିନ୍ତା ବଢିଯାଇଛି । ସେହିପରି ହାଇଦ୍ରାବାଦରୁ ଫେରି ଧାମନଗର ହାଇସ୍କୁଲ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କ୍ୱାରେଟିନ୍ରେ ଥିବା ଜଣେ ଯୁବକଙ୍କ ପଜିଟିଭ୍ ବାହାରିଥିବାବେଳେ ଧାମନଗର ବ୍ଲକ ଅନ୍ତର୍ଗତ କରଦା ବେଦପୁର ଗ୍ରାମର ଜଣେ ଯୁବକଙ୍କ କଟକ ଠାରେ ପଜିଟିଭ୍ ବାହାରିଥିବା ଜଣାଯାଇଛି । ଏହାକୁ ମିଶାଇ ଧାମନଗର ବ୍ଲକରେ କରୋନା ସଂକ୍ରମଣ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ଧାମନଗର ଦୋବଲ ଅଞ୍ଚଳରେ କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଏହି ଦୁଇ ଅଞ୍ଚଳକୁ ସାନିଟାଇଜ କରିବା ପାଇଁ ଲୋକେ ଦାବି କରିଛନ୍ତି ।
