Odisha news

ଅନଲାଇନର ଶିକ୍ଷାର ବାସ୍ତବ ଚିତ୍ର!

0

ହିମାଂଶୁ ଶେଖର ଆଚାର୍ଯ୍ୟ : ସମ୍ପ୍ରତି ମହାମାରୀ କରୋନା ସାରା ବିଶ୍ୱରେ ତାର କାୟା ବିସ୍ତାର କରିଚାଲିଛି । ଏହି ସଂକ୍ରମଣ ହାର ଜୁନ୍ ମାସରୁ ହୁ ହୁ ହୋଇ ବଢିଚାଲିଥିବା ବେଳେ ଜୁଲାଇ ମାସ ଆରମ୍ଭରୁ କରୋନା ମହାସଂକ୍ରମଣ ମୁହାଁ ହୋଇଛି । ଅଦ୍ୟାବଧି ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୧,୩୨,୧୪୨ଥିବା ବେଳେ ମୃତକଙ୍କ ସଂଖ୍ୟା ୫,୭୩,୨୦୧ରେ ପହଞ୍ଚିଛି । ସେହିପରି ଆମ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୭୮,୮୬୬ଓ ମୃତକଙ୍କ ସଂଖ୍ୟା ୨୩,୧୮୦ ଏବଂ ଆମ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୭୭୩ ଥିବା ବେଳେ ମୃତକଙ୍କ ସଂଖ୍ୟା୭୦ ରେ ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସତର୍କତା ସତ୍ତ୍ୱେ ସଂକ୍ରମଣ ହାର ଓ ମୃତୁ୍ୟ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।ଏପରିକି ଜୁଲାଇ ମାସର ପ୍ରଥମ ୧୦ ଦିନରେ ଆମ ରାଜ୍ୟରେ କରୋନା ଜନିତ ମୃତୁ୍ୟ ୩୬ରେ ପହଞ୍ଚିଛି ।

କରୋନା ସିଧାସଳଖ ଭାବେ ମଣିଷ ଜୀବନ ସହିତ ଜଡିତ ଥିବାରୁ ଏହା ତାର ଜୀବିକା ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଇଛି । ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ମାନ୍ଦା ଅବସ୍ଥା ଦେଖା ଦେଇଛି । ବିଶେଷ କରି ଶିକ୍ଷା ବ୍ୟବସ୍ଥା ଉପରେ ଏହାର ପ୍ରଭବ ବେଶ୍ ଅନୁଭୂତ ହେଉଛି ।ଏଥିପାଇଁ ସିଟିଇଟି ସହିତ ଅନ୍ୟାନ୍ୟ ପରୀକ୍ଷା ମଧ୍ୟ ସ୍ଥଗିତ ରହିଛି ।ଇତି ମଧ୍ୟରେ ସିବିଏସ୍ଇ ପରୀକ୍ଷା ଫଳ ପ୍ରକାଶ ପାଇଛି । ମାଟ୍ରିକ୍ ପରୀକ୍ଷା ଫଳ ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । କିନ୍ତୁ ଯୁକ୍ତ ଦୁଇ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ତାହା ଏବେବି ଅସ୍ପଷ୍ଟ ରହିଛି । ତେଣୁ ସରକାର ଛାତ୍ରଛାତ୍ରୀଙ୍କ ଶିକ୍ଷା ଦାନକୁ ଭରଣା କରିବାପାଇଁ ଅନଲାଇନ୍ ମାଧ୍ୟମରେ ପାଠ ପଢାକୁ ଗୁରୁତ୍ୱ ଦେଇଛନ୍ତି । କିନ୍ତୁ ଏହା କେତେଦୁର ସଫଳ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏଠାରେ ସୂଚାନାଯୋଗ୍ୟ ଯେ, ଗୋଟିଏ ପଟେ ରାଜ୍ୟସରକାର ଜୁଲାଇ ୩୧ ପଯ୍ୟନ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି । ଅନ୍ୟପଟେ ଅଗଷ୍ଟ ୧୫ ପରେ ବିଦ୍ୟାଳୟ ଓ କଲେଜ ଖୋଲିବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆାଲ୍ ଘେଷଣା କରିଛନ୍ତି । ଏବେ ରାଜ୍ୟର ପ୍ରାୟ ୨୦୦ କଲେଜକୁ ସଂଗରୋଧ କେନ୍ଦ୍ର କରାଯାଇଛି । ରାଜ୍ୟ ବାହାରୁ ଆସିଥିବା ଓଡିଆ ପ୍ରବାସୀ ମାନେ ଏଠାରେ ରହୁଛନ୍ତି । ସେମାନଙ୍କ ମଧ୍ୟରୁ କୋରନା ଆକ୍ରାନ୍ତ ବାହାରୁଛନ୍ତ ।ଏଭଳି ସ୍ଥିତିରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ଓ ବେସରକାରୀ କଲେଜ ଗୁଡିକ ଜୁନ୍ ୧୭ ତାରିଖ ଠାରୁ ଖୋଲିଛି । ତଦନୁଯାୟୀ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ ଯେନତେନ ପ୍ରକାରେ କାର୍ଯ୍ୟରେ ଯୋଗଦେଇଛନ୍ତି ।

ଅନ୍ୟପଟେ ଯେଉଁ କଲେଜ ଗୁଡିକ କ୍ୱାରେଣ୍ଟାଇନ୍ କେନ୍ଦ୍ର ହୋଇଛି ସେଠାରେ ଅଧ୍ୟାପକ ଓ କର୍ମଚାରୀ ମାନଙ୍କ ସ୍ଥିତି ଆହୁରି ସଙ୍ଗୀନି । ସେମାନଙ୍କ ମଧ୍ୟରେ କଥା ବର୍ତ୍ତା ହେଉଥିଲେ ଉଚ୍ଚ ଶିକ୍ଷା ବିଭାଗ ନିଦେ୍ର୍ଦଶ ଅନୁସାରେ ତ କଲେଜ ଆସିଲୁ । ଛାତ୍ରଛାତ୍ରୀ ନାହାଁନ୍ତି । କ୍ଲାସ ନାହିଁ କି ପରୀକ୍ଷା ନାହିଁ ।ଏବେ କରିବୁ କଣ? ଏହା ‘କାମ ନଥାଇ ମୁକୁରି ସେବା’ ନୁହେଁତ । ଓଡିଆରେ ଏକ ଲୋକ କଥା ଅଛି- “ମାର୍ ମାର୍ ଭଣ୍ଡାରିଆକୁ ମାର୍” । ଏହି ଆପ୍ତ ବାକ୍ୟଟି ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ଅନେକ ସମୟରେ ପ୍ରଯୁଜ୍ୟ ହୋଇଥାଏ । ବିଚରା ଶିକ୍ଷକ ବୋଲି ସିନା !
ସାରା ବିଶ୍ୱରେ କରୋନାର ଭୟ । ଭାରତରେ କରୋନା ସଂକ୍ରମଣ ଏବେ ନୂଆ ରେକର୍ଡ ବନାଇବାରେ ଲାଗିଛି । ଦୈ÷ନିକ ସଂକ୍ରମଣ ବୃଦ୍ଧିରେ ଭାରତ ସବଠୁ ଆଗରେ ରହିଛି । ସଂକ୍ରମଣର ଏହିଧାରା ଯଦି ନବଦଳେ, ତେବେ ଚଳିତ ମାସ ଶେଷ ବେଳକୁ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୫ ଲକ୍ଷରେ ପହଞ୍ଚିବ, ଜୁଲାଇ ୧୮ ପର୍ଯ୍ୟନ୍ତ ଏହି ସଂଖ୍ୟା୧୦ ଲକ୍ଷ ଏବଂ ଅଗଷ୍ଠ ପ୍ରଥମ ସପ୍ତାହ ବେଳକୁ ଏହା ୨୦ ଲକ୍ଷ ହେବ ବୋଲି ଆଶଙ୍କା କରାଯାଉଛି । କରୋନା ଜନିତ ସଂକ୍ରମଣର ମୁକାବିଲା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କେତେକ ଜରୁରୀ ପଦକ୍ଷେପ ନେଇଛନ୍ତି । ଏନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସିବିଏସଇ ଓ ଆସିଏସଇ ପରୀକ୍ଷାକୁ ନେଇ ସୁପ୍ରିମକୋଟ ରାୟ ଦେବା ପରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଅବଶିଷ୍ଟ ପରୀକ୍ଷା ହେବକି ନାହିଁ ସେଥିପାଇଁ ପ୍ରଶ୍ନବାଚୀ ସୃଷ୍ଟି ହେଇଛି । କରୋନା ଯୋଗୁଁ ସ୍ଥଗିତ ଥିବା ଅବଶିଷ୍ଟ ପରୀକ୍ଷା ଜୁଲାଇ ପ୍ରଥମ ସପ୍ତାହରେ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଅବଶିଷ୍ଟ ପରୀକ୍ଷା କରାଯିବ କି ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ଛାତ୍ରାଡଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯିବ ସେ ନେଇ ପରିଷଦ ପକ୍ଷରୁ ବିଚାର ବିମର୍ଶ ଚାଲିଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଅନ୍ଲାଇନରେ ଶିକ୍ଷା ଦାନବ୍ୟବସ୍ଥା କରାଯାଇଛି । କୋଭିଡ-୧୯ପାଇଁ ସ୍କୁଲ ବନ୍ଦ ଥିବାରୁ ପିଲାଙ୍କ ପାଠପଢା ଚାରି ମାସ ହେଲା ପ୍ରଭବିତ ହୋଇଛି । ନାଁ ଶିକ୍ଷକ ସ୍କୁଲ ଆସିପାରୁଛନ୍ତି ନାଁ ପିଲା । ସେହିପରି କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲାଥିଲେବି ଛାତ୍ରଛାତ୍ରୀ ଆସୁନାହାଁନ୍ତି । ବିନା ଛାତ୍ରଛାତ୍ରୀରେ ହାଜିରା ପକାଇବାକୁ ଅଧ୍ୟାପକ ଓ କର୍ମଚାରୀ କଲେଜ ଯାଉଛନ୍ତି । ତେବେ ସରକାରୀ ବିଦ୍ୟାଳୟରେ ଆଜି ପର୍ଯ୍ୟନ୍ତ ଅନ୍ଲାଇନ ଶିକ୍ଷା ଦାନ ସଫଳ ହୋଇ ପାରିନାହିଁ । ସୂଚନା ଯୋଗ୍ୟ ଯେ, ରାଜ୍ୟରେ ସରକାରୀ ବିଦ୍ୟାଳୟ ଗୁଡିକରେ ପଢୁଥିବା ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ୨୨ଲକ୍ଷ ପିଲା ଅନ୍ଲାଇନରେ ପଢୁଛନ୍ତି ।ଖାଲି ସେତିକି ନୁହେଁ କେବଳ ହ୍ୱାଟସ୍ଅପ ଗ୍ରୁପ୍ ପ୍ରସ୍ତୁତ ହୋଇଛି ସତ ତାହା ପର୍ଯ୍ୟାପ୍ତ ନୁହେଁ ।

କେବଳ ଖୋର୍ଦ୍ଧା ଓ ବରଗଡ ଜିଲ୍ଲାକୁ ଛାଡିଦେଳେ ଆଉ କୈାଣସି ଜିଲ୍ଲାରେ ୫୦ପ୍ରତିଶତ ଛାତ୍ରଛାତ୍ରୀ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇପାରିନାହାନ୍ତି । ଏପରିକି ଅଧା ଜିଲ୍ଲାରେ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ୩୦ପ୍ରତିଶତ ବି ଛୁଇଁନି । କନ୍ଧମାଳ, ମାଲକାନାଗିରି,ନବରଙ୍ଗପୁର, ରାୟଗଡା, ଗଜପତି, ଦେବଗଡ ଜିଲ୍ଲାର ୮୦ରୁ ୯୦ପ୍ରତିଶତ ପିଲାଙ୍କର ସ୍ମାର୍ଟ ଫୋନ ନାହିଁ । ରାୟଗଡା, ମାଲକାନାଗିରି, କନ୍ଧମାଳ ପରି ଉପାନ୍ତ ଜିଲ୍ଲାର ଅଭିଭାବଙ୍କ ପାଖରେ ମୋବାଇଲହିଁ ନାହିଁ । ଅଧିକାଂଶ ଅଭିଭାବକ ମୋବାଇଲ୍ କଣ ଜାଣିନାହାନ୍ତି । ଖୋର୍ଦ୍ଧା, ବରଗଡ, ଝାରସୁଗୁଡା, କେନ୍ଦ୍ରାପଡା, ସୋନପୁର, ଜଗତସିଂହପୁର, କଟକ, ଢେଙ୍କାନାଳ, ପୁରୀ, ବାଲେଶ୍ୱର, ସୁନ୍ଦରଗଡ, ଯାଜପୁର, ଓ ନୟାଗଡ ଜିଲ୍ଲା ବ୍ୟତୀତ ଆଉ କୈାଣସି ଜିଲ୍ଲାରେ ୩୦ପ୍ରତିଶତ ଅଭିଭାବଙ୍କ ନିକଟରେ ମୋବାଇଲ ନାହିଁ । ସେହିପରି ଦଶମ ଶ୍ରେଣୀ ପିଲାଙ୍କ ପାଇଁ ପ୍ରସାରିତ ହୋଇଥିବା କାର୍ଯ୍ୟକ୍ରମ ପିଲାମାନେ ଟିଭି ଦେଖି ଜାଣି ପାରୁଛନ୍ତି । ମାତ୍ର କେବଳ ୬୧.୯୩ ପ୍ରତିଶତ ପିଲାଙ୍କ ଘରେ ଟିଭି ଅଛି । ତେଣୁ ଅନେକ ପିଲା ଅନ୍ଲାଇନରେ ପାଠପଢାରୁ ବଞ୍ଚିତ ହେଉଛନ୍ତି ।ଏଥିରୁ ଅନ୍ଲାଇନ ଶିକ୍ଷାର ବାସ୍ତବ ଚିତ୍ର ବେଶ୍ ବାରି ହୋଇ ପଡୁଛି ।

କଲେଜ ଓ ବିଶ୍ୱବିଦ୍ୟାଳୟ କଥା ନ କହିଲେ ଭଲ । ଏଠାରେ ସ୍ଥିତି ଆହୁରି ତଦ୍ରୁପ । ଭିତ୍ତି ଭୂମିର ଅଭାବ, ଅଧ୍ୟାପକ ପଦବୀ ଖାଲି, ଏପରିକି ଗୋଟିଏ ଗୋଟିଏ ବିଭାଗରେ ଅଧ୍ୟାପକଙ୍କ ସଙ୍କଟ, ସ୍ମାର୍ଟ ଫୋନର ଅଭାବ ଅନଲାଇନ ଶିକ୍ଷା ଦାନ କ୍ଷେତ୍ରରେ ବାଧା ସୃଷ୍ଟି କରିବ । ତେଣୁ କାମ ଚଳା ବ୍ୟବସ୍ତା କରି କାଗଜ କଲମରେ ଛାତ୍ରଛାତ୍ରୀଙ୍କୁ ପାଠପଢା ଯାଉଛି ବୋଲି ସରକାର ବାହାବାଃ ନେଇ ପାରନ୍ତି ।କିନ୍ତୁ ଏହା ପ୍ରକୃତ ଉଦେ୍ଦଶ୍ୟ ସାଧିତ କରିପାରିବ ନାହିଁ । କାରଣ ସାମଗ୍ରିକ ଭାବେ ଅନଲଇନ ଶିକ୍ଷା ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ହେବନାହିଁ । ଆମକୁ ମନେ ରଖିବାକୁ ହେବ ଯେ ଜୀବନ ଆଗ, ଆଉ ସବୁ ପଛ । ଜୀବନ ଥିଲେ ସବୁ ଅସମ୍ଭବକୁ ସମ୍ଭବ କରିହେବ । ପଛେଇ ଥିବା ଶିକ୍ଷାଦାନକୁ ଆଗକୁ ନେଇହେବ । ବହୁ ପୂର୍ବରୁ ଜୁନୁ ଓ ଜୁଲାଇ ମାସରେ ସଂକ୍ରମଣର ଭୟ ଅଧିକ ଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତରବରିଆ ଭାବେ ବିନା ଛାତ୍ରଛାତ୍ରୀରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାର ଯଥାର୍ଥତା କିଛିନାହିଁ । ଆଜି ଯଦି କେହିଜଣେ କର୍ମଚାରୀ କରୋନାରେ ଆକା୍ରନ୍ତ ହୁଅନ୍ତି ତାହେଲେ କେବଳ ସେହି କଲେଜର ଅନ୍ୟାନ୍ୟ କର୍ମଚାରୀ ନୁହଁନ୍ତି ତାଙ୍କ ପରିବାରର ସଦସ୍ୟ ମଧ୍ୟ କୋଭିଡ -୧୯ ର ଶୀକାର ହୋଇପାରନ୍ତି । ପରୋକ୍ଷରେ ଏଥିରେ ଗୋଷ୍ଠୀ ସଂକ୍ରମଣ ସମ୍ଭାବନା ଅଧିକ । ଏଭଳି ନିଷ୍ପତିର ପୁନଃବିଚାର କରିବାର ଅଛି । ତେଣୁ ସ୍ୱାଭାବିକ ପରିସ୍ଥିତି ଆସିବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହେବ । ସବୁଠୁ ବଡ କଥା ହେଉଛି ଅନଲାଇନ ଶିକ୍ଷା ଓ ଶ୍ରେଣୀ ଗୃହ ଶିକ୍ଷା ମଧ୍ୟରେ ଆକାଶ ପାତାଳ ଫରକ ରହିଛି । ଗୁରୁଙ୍କ ସ୍ଥାନ କେବେବି ଗୁଗୁଲ୍ ନେଇପାିବ ନାହିଁ । ଏହାକୁ ଆମକୁ ବୁଝିବାକୁ ହେବ ।

Nalco

Leave A Reply