ଧାମନଗର : ଧାମନଗର ଅଞ୍ଚଳରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରବିିବାର ଗୋଟିଏ ଦିନରେ ଧାମନଗର ଅଞ୍ଚଳରେ ୯ଜଣ କରୋନା ସଂକ୍ରମଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବାବେଳେ ଏହାକୁ ମିଶାଇ ଧାମନଗରର ସଂକ୍ରମଣ ସଂଖ୍ୟା ୪୪ରେ ପହଂଚିଥିଲା । ତେବେ ଧାମନଗର ଏନ୍ଏସି ଅନ୍ତର୍ଗତ କାଜିମହଲା ଠାରେ ଜଣେ ହୋମିଓ ପ୍ୟାଥିକ ଡ଼ାକ୍ତରଙ୍କୁ କରୋନା ହୋଇଥିବା ସୋମବାର ଦିନ ଜଣାପଡ଼ିବପରେ ଏହି ସଂଖ୍ୟା ୪୫ରେ ପହଂଚିଛି ।
ସମ୍ପୃକ୍ତ ଡ଼ାକ୍ତରଙ୍କ ଧାମନଗର କାଜିମହଲା ସ୍ଥିତ ନିଜ ବାସଭବନ ଓ ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ ଠାରେ ଦୁଇଟି କ୍ଳିନିକ୍ ଥିବାବେଳେ ଦୈନିକ ଶତାଧିକ ବ୍ୟକ୍ତି ବିଭିନ୍ନ ରୋଗ ନେଇ ତାଙ୍କ ପାଖରେ ଚିକିତ୍ସାତ ହୋଇଥାନ୍ତି । ସମ୍ପୃକ୍ତ ଡ଼ାକ୍ତର ଗତ ସପ୍ତାହରେ ବାଲେଶ୍ୱର ଯାଇଥିବାବେଳେ ସେଠାରୁ ଫେରି ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ କଟକ ଜଗତପୁର ସ୍ଥିତ ସଦ୍ଗୁରୁ ନର୍ସିଙ୍ଗହୋମରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।
ତାଙ୍କ ଠାରେ କରୋନା ଲକ୍ଷଣ ଜଣାପଡ଼ିବାରୁ ଦୁଇଦିନତଳେ ତାଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା । ରବିବାର ରାତିରେ ତାଙ୍କର କରୋନା ପଜେଟିଭ ରିପୋର୍ଟ ଆସିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ କୋଭିଡ଼-୧୯ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପୂର୍ବରୁ ତାଙ୍କର ଉଚ୍ଚ ରକ୍ତ·ପ ଓ ମଧୁମେହ ଆଦି ରୋଗ ଥିବାବେଳେ ଆଜି ତାଙ୍କର ମୃତୁ୍ୟ ହୋଇଥିବା ତାଙ୍କ ପରିବାର ସୁତ୍ରରୁ ଜଣାଯାଇଛି । ଧାମନଗର ଏନ୍ଏସି ନିର୍ବାହୀ ଅଧିକାରୀ ଛୁଟିରେଥିବା ବେଳେ ଧାମନଗର ବିଡ଼ିଓ, ତହସିଲଦାର, ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀମାନେ ସଂକ୍ରମଣ କାରୀଙ୍କ ସମ୍ପର୍କରେ ସରକାରୀଭାବେ କିଛିଜାଣିନଥିବା କହୁଛନ୍ତି । ସମ୍ପୃକ୍ତ ପରିବାରର ୧୨ଜଣଙ୍କ ସ୍ୱାବ ଟେଷ୍ଟ କରାଯିବା ସହିତ କାଜିମହଲା ଓ ଆଖପାଖ ଗ୍ରାମର ମଙ୍ଗଳବାର ଦିନ କଣ୍ଟାକ୍ଟ ଟ୍ରେସିଂ କରାଯିବା ପାଇଁ ୪ଟି ଟିମ୍ କରାଯାଇଛି ବୋଲି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସୂତ୍ରରୁ ଜଣାଯାଇଛି । ତେବେ ଶହ ଶହ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସମ୍ପୃକ୍ତ ଡ଼ାକ୍ତରଙ୍କ କରୋନା ସଂକ୍ରମଣ ଓ ମୃତୁ୍ୟ ହେବାପରେ ସ୍ଥାନୀୟ ଜନସାଧାରଣଙ୍କ ମନରେ ଭୟ ଓ ଆଶଙ୍କା ଦେଖାଦେଇଛି ।