Odisha news

ବେଣୀପୁର ଘାଇ ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍

0

ଡେରାବିଶ :  ବ୍ରାହ୍ମଣୀ ସିଷ୍ଟମରେ ହୋଇଥିବା ବନ୍ୟାରେ ବିରୁପା ନଦୀବନ୍ଧର ଡେରାବିଶ ବ୍ଳକ ଅଧୀନ ବେଣୀପୁର ଠାରେ ହୋଇଥିବା ଘାଇ ଓ ବନ୍ୟାଜଳରେ କ୍ଷୟକ୍ଷତି ହୋଇଥିବା ବେଣୀପୁର ଗ୍ରାମକୁ ବୁଧବାର କେନ୍ଦ୍ରୀୟ ଟିମ୍ ପରିଦର୍ଶନ କରି ଫେରିଛନ୍ତି । ବିହାରର ପାଟଣା କୃଷିବିଭାଗ ନିଦେ୍ର୍ଦଶକ ବିରେନ୍ଦ୍ର ସିଂଙ୍କ ନେତୃତ୍ୱରେ ଦିଲ୍ଲୀ ରାଜପଥ ଓ ପରିବହନ ବିଭାଗର ନିଦେ୍ର୍ଦଶକ ସାଶ୍ୱତ ମହାପାତ୍ର, ଓଡ଼ିଶା କୃଷି ଉଦ୍ୟନ ବିଭାଗ ନିଦେ୍ର୍ଦଶକ ରୋହିତ ଲେଙ୍କାଙ୍କୁ ନେଇ ଗଠିତ ତିନିଜଣିଆ କେନ୍ଦ୍ରୀୟ ଟିମ୍ ଘାଇ ହୋଇଥିବା ସ୍ଥାନକୁ ଯାଇ ବୁଲି ଦେଖିଥିଲେ ।

ଘାଇ ପରିଦର୍ଶନ ସମୟରେ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ (ବନ୍ୟାନିୟନ୍ତ୍ରଣ) ସୁଶାନ୍ତ କୁମାର ରଥ, ପୂର୍ବାଂଚଳ ଦୁଇ ଅଧିକ୍ଷଣ ଯନ୍ତ୍ରୀ ଚଣ୍ଡେଶ୍ୱର ବେହେରା, କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ବନ୍ୟାରେ ହୋଇଥିବା ଘାଇ ସମ୍ପର୍କରେ କେନ୍ଦ୍ରୀୟ ଟିମ୍କୁ ତଥ୍ୟ ପ୍ରଦାନ କରିଥିଲେ । ଏହି କେନ୍ଦ୍ରୀୟର ଟିମ୍ର ମୁଖ୍ୟ ସିଂ ବନ୍ୟା ସମ୍ପର୍କରେ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ବିଡ଼ିଓ ଗୋପବନ୍ଧୁ ଭୋସାଗର ଓ ତହସିଲଦାର ସମ୍ବିତ୍ କୁମାର ଶତପଥିଙ୍କୁପଚାରି ବୁଝିଥିଲେ ।

ପରେ ବନ୍ୟାରେ କ୍ଷତିହୋଇଥିବା ବେଣୀପୁର ଉଚ୍ଚନୋଡ଼ାଲ୍ ବିଦ୍ୟାଳୟ ବୁଲି ଦେଖିବା ସହ ବନ୍ୟାଜଳରେ ଭାଙ୍ଗିଯାଇଥିବା କେତେକ ବ୍ୟକ୍ତିଙ୍କର ଘରକୁ ଯାଇ କେନ୍ଦ୍ରୀୟ ଟିମ୍ ହୋଇଥିବା କ୍ଷୟକ୍ଷତି ଦେଖିଥିଲେ । କେନ୍ଦ୍ରୀୟ ଟିମ୍ ପରିଦର୍ଶନ ସମୟରେ ବେଣୀପୁର ସମିତସଭ୍ୟ ଦେବାଶିଷ ଆଚାର୍ଯ୍ୟ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କେନ୍ଦ୍ରୀୟ ଟିମ୍ଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଏହି ଗ୍ରସ୍ତ ସମୟରେ ଏବିଡ଼ିଓ ଭଞ୍ଜକିଶୋର ନାୟକ, ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ସମୀର ରଞ୍ଜନ ପରିଡ଼ା, କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏକ ପ୍ରଶ୍ନର ଉତର ଦେଇ କେନ୍ଦ୍ରୀୟ ଟିମ୍ର ମୁଖ୍ୟ ବନ୍ୟାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଥିଲେ । ପରେ ଏହି କେନ୍ଦ୍ରୀୟ ଟିମ୍ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା ବ୍ଳକ ଅଂଚଳ ପରିଦର୍ଶନ କରିଥିଲେ । ଏଥିସହ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

Leave A Reply