ଭଞ୍ଜନଗର (ଆପ୍ର)ଏବେ ସାର ପାଇଁ ଚାଷୀମାନେ ଢେର ହଟହଟା ହେଲେଣି । ଯେଉଁଠି ସାର ଆସିଛିବୋଲି ଚାଷୀ ଶୁଣୁଛନ୍ତି ସେଇଠିକୁ ଦୌଡୁଛନ୍ତି । ଆଉ ଅଯଥାରେ ଆବଶ୍ୟକ ଠାରୁ ଅଧିକ ଚାଷୀଙ୍କୁ ଦେଖି ଦୋକାନୀ ଭୟରେ ଦୋକାନ ବନ୍ଦ କରୁଛନ୍ତି । ମଙ୍ଗଳବାର ଏଭଳି ଘଟଣା ସାନକୋଦଣ୍ଡା ଠାରେ ଦେଖିବାକୁ ମିଳିଛି । ଏଠାରେ ସାର ପାଇଁ ଚାଷୀଙ୍କ ପ୍ରବଳ ଗହଳି ଦେଖି ସାର ଦିଆନଯାଇ ତୁରନ୍ତ ଦୋକାନ ବନ୍ଦ କରିଥିଲେ ସାର ବ୍ୟବସାୟୀ ।
ଆଉ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ଚାଷୀମାନେ ସେଠାରୁ ଫେରିଥିବାବେଳେ ଖୋଦ ଭଞ୍ଜନଗର ସହରରେ ସାର ମିଳୁଥିବା ନେଇ ପ୍ରଚାର ହେବାରୁ ଚାହୁଁ ଚାହୁଁ ଚାଷୀମାନେ ଏଠାରେ ମଧ୍ୟ ଜମା ହୋଇଯାଇଥିଲେ । ଆଉ ବହୁ ପରିମାଣର ଚାଷୀଙ୍କୁ ଦେଖି ଦୋକାନୀ ନିଜର ଦୋକାନ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ । ଏହାର ପ୍ରତିବାଦରେ ଚାଷୀମାନେ ରାସ୍ତା ଉପରକୁ ଚାଲିଆସିଥିଲେ । ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେବାରୁ ତୁରନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ ଚାଷୀଙ୍କୁ ରାସ୍ତାରୁ ହଟାଇବା ପରେ ପୁଲିସ ଉପସ୍ଥିତିରେ ଦୋକାନୀ ଚାଷୀଙ୍କୁ ଆଧାର କାର୍ଡ ରଖି ସାର ଦେଇଛନ୍ତି ।
ମାତ୍ର୨୨୫ ବ୍ୟାଗ୍ ସାର ଆସିଥିବାବେଳେ ତାଠାରୁ ଅଧିକ ପରିମାଣର ଚାଷୀ ଜମା ହେଉଥିବାରୁ ଅସୁବିଧା ହେଉଛିବୋଲି ଦୋକାନୀ ଉଲ୍ଲେଖ କରୁଛନ୍ତି । ତେବେ ଥାନା ଷ୍ଟାପ ଘଟଣାସ୍ଥଳରେ ରହିବାପରେ ଦୋକାନୀ ଚାଷୀଙ୍କ ଠାରୁ ଆଧାର କାର୍ଡ ନକଲ ରଖି ବସ୍ତା ପିଛା ୩ଶହ ଟଙ୍କାରେ ୟୁରିଆ ସାର ବିକ୍ରି କରିଥିଲେ । ଆଉ ଶେଷରେ କିଛି ଚାଷୀ ସାର ନପାଇ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଛି ।
ସୁଚନାଯୋଗ୍ୟଯେ ଭଞ୍ଜନଗର ଅଂଚଳରେ ପୂର୍ବରୁ ୟୁରିଆ ସାର ପାଇଁ କେବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥିଲା । ସମବାୟ ସମିତି ଗୁଡିକ ନିର୍ଦ୍ଧାରିତ ସମୟରେ ସାର ଆଣି ଚାଷୀଙ୍କୁ ଦେଉଥିଲେ । ଫଳରେ ସେଭଳି ଅସୁବିଧା ପୂର୍ବରୁ ହେଉନଥିଲା । ଚଳିତବର୍ଷ ସମବାୟ ସମିତିଗୁଡିକୁ ବିଶ୍ୱାସକୁ ନନେଇ କାଁ ଭାଁ କିଛି ସମବାୟ ସମିତିରେ ଅଳ୍ପ ପରିମାଣର ସାର ଚାଷୀଙ୍କୁ ଯୋଗାଯାଇଥିବାବେଳେ ଏବେ ଖୋଲା ବଜାରରେ ସାର ବିକ୍ରି କରାଯାଉଥିବାରୁ ଚାଷୀଙ୍କ ଚିନ୍ତା ବଢିଛି । ଲମ୍ବା ଧାଡିରେ ଦୀର୍ଘ ସମୟ ଠିଆ ହେବାପରେ ସାର ବସ୍ତାଏ ମିଳିବକି ନାହିଁ ତାହା ମଧ୍ୟ ନିଶ୍ଚିତ ହୋଇପାରୁନଥିବାରୁ ଚାଷୀମାନେ କ୍ଷୋଭ ବ୍ୟକ୍ତ କରୁଛନ୍ତି ।
ଅନ୍ୟପକ୍ଷରେ ଆବଶ୍ୟକତା ଠାରୁ ଜମିରେ ଅଧିକ ୟୁରିଆ ନପକାଇବାକୁ କୃଷି ଅଧିକାରୀମାନେ ବାରମ୍ବାର ପରାମର୍ଶ ଦେଉଥିଲେ ମଧ୍ୟ ଚାଷୀମାନେ ଏକଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଆଉ ଆବଶ୍ୟକତା ଠାରୁ ଜମିରେ ଅଧିକ ସାର ପ୍ରୟୋଗ କରିବା ଦ୍ୱାରା ଚାଷୀମାନେ ମଧ୍ୟ ଅଯଥା ଖର୍ଚ୍ଚାନ୍ତ ହେବାସହ ଜମିରେ ରୋଗପୋକ ବୃଦ୍ଧିରେ ନିଜେହିଁ ସହାୟକ ହେଉଛନ୍ତିବୋଲି ଜିଲ୍ଲା କୃଷି ଅଧିକାରୀ ଅର୍ଜୁନ ବିଷୋୟୀ ନିଜ ପ୍ରତିକି୍ରୟାରେ ଉଲ୍ଲେଖ କରିଛନ୍ତି । ଅତ୍ୟଧିକ ସାର ପ୍ରୟୋଗ କଲେ ଧାନଗଛ ମୂଳରେ ମାଟିଆଗୁଣ୍ଡି ପୋକ ହେବାର ସମ୍ଭାବନା ଅଧିକ ବୋଲି ସେ ସ୍ପଷ୍ଟ କରିଛନ୍ତି । ତେଣୁ ଆବଶ୍ୟକତା ଠାରୁ ଜମିରେ ଅଧିକ ୟୁରିଆ ପ୍ରୟୋଗ ନକରିବା ଭଲ ବୋଲି ସେ ସ୍ପଷ୍ଟ କରିଛନ୍ତି ।
