ଡେରାବିଶ : ମହାନଦୀ ସିଷ୍ଟମରେ ବନ୍ୟାଜଳ ଆସିଥିବା ବେଳେ ଏହାର ସମସ୍ତ ଶାଖାନଦୀ ଫୁଲିବାରେ ଲାଗିଛି । କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ମହାନଦୀର ଶାଖାନଦୀ ଲୁଣାନଦୀର ପ୍ରଥମ ବନ୍ୟାପାଣି ଡେରାବିଶ ବ୍ଳକ ଯଅଁରାବାରିମୂଳ ପଂଚାୟତ ଅନ୍ତର୍ଗତ ଅର୍ତାମୂଳ ସ୍ଥିତ ନଦୀପଠାରେ ଥିବା ଖଲାରେଶ୍ୱର ମହାଦେବଙ୍କ ମନ୍ଦିରରେ ପଶିଛି । ଯାହା ପାଇଁ ଶ୍ରଦ୍ଧାଳୁମାନେ ଖଲାରେଶ୍ୱର ମହାଦେବ ଓ ମା’ ଛିନ୍ନମସ୍ତାଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି ।
ସେହିପରି ଦାନପୁର ସ୍ଥିତ ବିଲ୍ୱମାଳ ମହାପୁରୁଷଙ୍କ ମନ୍ଦିରରେ ମଧ୍ୟ ପାଣି ପଶିଥିବା ଦେଖାଯାଇଛି । ଦାନପୁର ଠାରେ ଲୁଣାନଦୀରେ ଥିବା ବନ୍ୟାଜଳ ମାପକ ସ୍ତମ୍ଭରେ ଜଳପତନ ବିପଦସଙ୍କେତ ଠାରୁ ଉର୍ଦ୍ଧରେ ବହୁଥିବା ଦେଖିବାକୁ ମିଳିଛି । ଏଠାରେ ଆଜିସନ୍ଧ୍ୟାସୁଦ୍ଧା ୩୫ ଫୁଟ ପାଖାପାଖି ପହଂଚି ଯାଇଛି । ଯାହା ଫଳରେ ନଦୀକୂଳିଆ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଜଳପତନ ବୃଦ୍ଧିପାଉଥିବାରୁ ଜଳସେଚନ ବିଭାଗର କର୍ମଚାରୀମାନେ ସେଠାରେ ରହି ବନ୍ଧର ସୁରକ୍ଷା ପ୍ରତି ଦୃଷ୍ଟି ରଖିବା ସହିତ ପ୍ରତି ଘଂଟା ବ୍ୟବଧାନରେ ଜଳପତନ ବୃଦ୍ଧିକୁ ନିରୀକ୍ଷଣ କରୁଛନ୍ତି